Unknown

 

 

 

 

 

 

 

 

 

ଅଦେଖା ହାତ

ଶ୍ରୀ କାହ୍ନୁ ଚରଣ ମହାନ୍ତି

 

ରାଜାବଗିଚା, କଟକ

୨୯/୯/୪୩

 

ଭାଇ କାଳିନ୍ଦି,

 

ଯେଉଁମାନେ ସ୍କୁଲ କଲେଜରେ ପଢ଼ୁଥିବାବେଳେ କଲମ ଧରନ୍ତି, ପରଜୀବନରେ ଯେତେବେଳେ ସେମାନଙ୍କୁ ଦୁନିଆ ସଙ୍ଗେ ଲଢ଼ିବାକୁ ପଡ଼େ, ହାତରୁ ଆପେ ଆପେ କଲମ ଖସିପଡ଼େ ।

 

ମୋ ଦେଶରେ ସାହିତ୍ୟ ସେବା କରି କେହି କେବେ ବଡ଼ଲୋକ ହୋଇନାହିଁ । ସାହିତ୍ୟକୁ ପେଷା କରି କଷ୍ଟେମଷ୍ଟେ ମୁଠାଏ ଖାଇବାର ଯୋଗାଡ଼ କରିବା ମଧ୍ୟ ଅସମ୍ଭବ । ତେଣୁ, ମୋ ଦେଶରେ ଲେଖକମାନଙ୍କର ସାହିତ୍ୟ ଜୀବନର ଅକାଳ ମରଣ ହୁଏ ।

 

ଯେଉଁମାନେ ମାଡ଼ି ଚକଟି ଆଗକୁ ଚାଲିବାକୁ ଚେଷ୍ଟା କରନ୍ତି, ସେମାନଙ୍କର ଅବସ୍ଥା ହୁଏ କଅଣ ? ଯେ ଟିକିଏ ଆଗରେ ଯାଇଥାନ୍ତି, ତାଙ୍କର ନାଲି ଆଖି, କୁତ୍ସାରଟନା ଶୁଣି, ଟୋକା-ଲେଖକ ଫେରେ । ସାହିତ୍ୟର ପବିତ୍ର କ୍ଷେତ୍ରରେ ଆଗୁଆମାନେ ରାଜନୀତି ଦେଖନ୍ତି, ଜାତିଭେଦ ଦେଖନ୍ତି । ପେଟ ବିକଳରେ ଟୋକା ଲେଖକ ଛାଡ଼େ କଲମ ।
 

ଭାଇରେ, ଯେ ତଥାପି ଆଗେଇ ଚାଲେ, ବହି ଲେଖେ, ପୋଷ ପୋଷ ଝାଳ ନିଗାଡ଼ି ଦିଏ ଦେହରୁ, ତାର ଅବସ୍ଥା ହୁଏ କଅଣ ? ତାର ପାଣ୍ଡୁଲିପି ପଢ଼େ ସେଇ । ଛପା ହେଲା ନାହିଁ । ନିଜେ ମଧ୍ୟ ଛପାଇ ପାରୁନାହିଁ ଅଭାବରୁ । ଲାଭ କଥା ପଚାରେ କିଏ ? କାଗଜ ଖାଏ ପୋକ । ଆଖିରୁ ଲୁହ ନିଗାଡି, ଟୋକା ଲେଖକ ଛାଡ଼େ କଲମ ।

 

ଆସିଲେ ଜଣକେତେ ବହି ଛପାଳୀ । ଆହା, ଲହୁଲୁହ ଯେଉଁ ଲେଖକ ଢାଳି ଦେଇଛି ତାର ଲେଖାରେ; କେତେ ରାତି ଖାଇ ନାହିଁ କେତେ ରାତି ଶୋଇନାହିଁ, ପାଣ୍ଡୁଲିପିଟି ବହି ଆକାରରେ ଦେଖିବାକୁ ପ୍ରାଣ ତାର ଛଟପଟ ହେଉଛି । ପ୍ରକାଶକକୁ ନେହୁରା ହୋଇ ଶେଷରେ ଶୁଣେ, ଲେଖାଟି ମନ୍ଦ ନୁହେଁ, ତେବେ ବଜାରରେ ବିକେଇବ ନାହିଁ । ମନ ମାରି ଫେରେ ବିଚରା ଲେଖକ । ପାଣ୍ଡୁଲିପି ଅଳିଆ ଗଦାରେ ରଖେ, କଲମ ଛାଡ଼େ ।

 

ଆଉ କେତେ ସାହିତ୍ୟିକ ପ୍ରକାଶକ ବାହାରିଲେ ଅଣ୍ଟାଭିଡି । ଛାପିଲେ ଖଣ୍ଡକେତେ ଉପନ୍ୟାସ । ନାଆଁ ର ପ୍ରସାର ହେଲା । ଆଖିରେ ଦିଶିଲା ଟଙ୍କା । ବ୍ୟବସାୟର ଫନ୍ଦି ଖେଳିଲା ମନରେ । ଦୁଃଖର ସାଥୀ ଥିଲେ ଯେଉଁ ଲେଖକମାନେ ସେମାନଙ୍କୁ ଠେଲି ଦେଲେ ଦୂରକୁ । ହତାଶ ହୋଇ ଲେଖକ ଛାଡ଼ିଲା କଲମ !

 

ଏମିତି ତ କେତେ କଥାରେ ଭାଇ, ଅଙ୍ଗେ ନିଭାଇଛ ତୁମେ, ଅଙ୍ଗେ ନିଭାଇଛି ମୁଁ, ଆଉ ମୋର ଅନ୍ୟ ଲେଖକ ଭାଇମାନେ । ମୋ ଦେଶ ଗରିବ, ମୋ ଦେଶ ଅଶିକ୍ଷିତ, ମୋ ଦେଶରେ ବଢ଼ି ମାଡ଼େ, ତୋଫାନ ଉଠେ, ଲୁଣି ଚରେ । ମୋ ଦେଶରେ ସାପ କାମୁଡ଼େ, ବାଘ ଘୋଷାରେ, ମେଲେରିଆ, ହଇଜା, ବସନ୍ତ ମାତନ୍ତି, ନଅଙ୍କ ପଡ଼େ, ଲୋକେ ଖାଇବାକୁ ପାଆନ୍ତି ନାହିଁ । ମୋ ଦେଶରେ ଲୋକେ ଲଙ୍ଗଳା ହୋଇ ଜଙ୍ଗଲରେ ବୁଲନ୍ତି । ମୋ ଦେଶ ଗୋତିର ଦେଶ, ବେଠିଆର ଦେଶ । ପରରାଇଜ ଜମିଦାରର ପରଜା ମୋ ଭାଇମାନେ । ପର ଦେଶରେ ମୋ ଭାଇ କୁଲିଗିରି କରେ, ମୋଟ ବୁହେ, ମାଡ଼ ସହେ । ମୋ ଦେଶର ହାତ ଗୋଡ଼ ନାହିଁ । ସାହିତ୍ୟ ଉଧାଇବ କିପରି-? ଲେଖକ ଛାଡ଼େ କଲମ ।

 

ମୋ ଦେଶରେ ଗୋତି ପଲର ଲହୁରେ ମହାଜନର ରାଜ୍ୟ ବଢ଼େ, ବେଠିଆର ଲୁହରେ ବୋଇତ ଚାଲେ । ମୋ ଦେଶର ଝାଳରେ ବିଦେଶରେ କଳ କାରଖାନା ଗଢ଼ା ହୁଏ । ପ୍ରଜା ତୁଣ୍ଡର ଆହାରରେ କେତେ କୋଠାରେ ବିଜୁଳିବତୀ ଜଳେ, ଆଉ ମୋ ଭାଇର କଲମ କାଳିରେ କେତେ ପ୍ରକାଶକଙ୍କର କୋଠାର ମୁଣ୍ଡ ଛୁଏଁ ଆକାଶକୁ । ପ୍ରକାଶକ ଚାହେଁ ତଳକୁ, ଧୀରେ ଧୀରେ ଆଖି ଆଗରୁ ଲେଖକ ହୁଏ ଅଦୃଶ୍ୟ । ଲେଖକ ହୁଏ ଛାନିଆଁ, ଛାଡ଼େ କଲମ !

 

ଭାଇ କାଳିନ୍ଦି, ତୁମେ ଏ କଥା ବୁଝିଥିଲ । ଅଭିମାନ କରି କହିଥିଲ ଦିନେ, ଓଡ଼ିଆରେ ଲେଖିବି କାହିଁକି ? ତୁମେ ବୁଝିବ ଲେଖକର ଦୁଃଖ ! ତୁମେହିଁ ଅନୁଭବ କରିବ, ତାର ଗୋଟିଏ ଧାଡ଼ି ଲେଖାରେ ସେ କେତେ ଲୁହଲହୁ ଅଜାଡ଼ି ଦେଇଛି । ଭଲମନ୍ଦ ଲେଖକ ବୁଝେନାହିଁ । ଭଲ ମନ୍ଦ କହେ ପାଠକ, ହୁଏତ ବୁଝେ ସେହି । ଲେଖକ ଲେଖେ, ଲେଖେ–

 

ତୁମେ ମୋଓରି ପରି ଗରିବ । ଦୁନିଆଁର କେତେ ଦୁଃଖ ଜଞ୍ଜାଳ ମୁଣ୍ଡରେ ବୋହି, କଲମ ଧରିଛି । ତୁମେ ମୋର ନମସ୍ୟ । ମୋର ଏଇ ‘ଅଦେଖା ହାତ’ ତୁମରି ହାତରେ ଦେଲି । କେତେ ଆଦରରେ, କେଡ଼େ ଯତ୍ନରେ ‘ଗୀତା’ଟିକୁ ସବୁ ସ୍ନେହ ଦେଇ ଗଢ଼ିଛି । ଅସୁନ୍ଦର ହେଉ ପଛେ, ଯେତେ ଅବିଗୁଣ ଥାଉ, ତାକୁ ତୁମେ ଆଦର କରିବ, ଏଇ ମୋର ଆଶା ।

କାହ୍ନୁ ଚରଣ

•••

 

(୧)

 

ଶୁଭ କାଉଟିଏ ମାଇସଞ୍ଜବେଳେ ଆମର ନୁଆଁଣିଆ ଚାଳ ଉପରେ କା କା ଡାକୁଥିଲା । ଘର ଆଗ ମାଟିପିଣ୍ଡା ଉପରେ ବସି ଜଙ୍ଘ ଉପରକୁ ଲୁଗା ଟେକି ଏକ ମନରେ ସଞ୍ଜ ବଳୁଥିଲି । ବାରିଆଡ଼ କୂଅରୁ ମାଠିଆଏ ପାଣି ନେଇ ବୋଉ ଆସି ଦୁଆର ମଝିରେ ଠିଆ ହେଲା । ଥରେ ମୋଆଡ଼କୁ ଓ ଥରେ କାଉଟି ଆଡ଼କୁ କଣେଇଁ ଚାହିଁଲା । ପାଣି ମାଠିଆ ରୋଷଘରେ ରଖିଦେଇ ଆସି କାଉକୁ ଲକ୍ଷ୍ୟ କରି କହିଲା, ଶୁଭ କାଉରେ, ଉଡ଼ି ଯା, ଚାଲି ଯା, କିଏ ଆସୁଛି ?

 

କାଉଟି ଉଡ଼ିଗଲା ଡେଙ୍ଗା ନଡ଼ିଆ ଗଛ ଉପରକୁ ।

 

ବୋଉ କହିଲା, ଆଲୋ ଗୀତା, ତୋ ବାପା ଆସୁଛନ୍ତି ପରା । ଦେଖୁନୁ, କାଉ କଟକ ମୁହାଁ ହୋଇ ଉଡ଼ିଗଲା । ବୋଉ ଗଲା ଚାଳିରୁ କାଠ ଆଣିବାକୁ ।

 

ଭାବିଲି, ସତେ ବାପା ଆସୁଛନ୍ତି ? ଯଦି ଆସୁଥାନ୍ତି ସେହି ତ ଆସୁଥିବେ । ତାଙ୍କ ଛଡ଼ା ଆଉ ଆମର ଆପଣାର କିଏ ଅଛି ? ମାତୃକୁଳରେ କେହି ନାହାନ୍ତି । ଗରିବ ଘର ବୋଲି ଟିକିଏ ବେଶି ବୟସରେ ବାପା କୋଡ଼ିଏ ଟଙ୍କା ଦେଇ ବୋଉକୁ ବାହା ହୋଇଥିଲେ । ତାଙ୍କୁ ଯେତେବେଳେ ତେତିଶି ବର୍ଷ, ବୋଉ ଚଉଦ ବର୍ଷର ଝିଅ । ବାହାଘରର ଦି’ ଚାରି ବର୍ଷ ପରେ ମାମୁଁ ମାଇଁ ଡକାଡକି ହୋଇ ଦିନ ଚାରିଟାରେ ଚାଲିଗଲେ । ବୁଢ଼ୀ ମାଆଟି ବଞ୍ଚି ରହିଥିଲା । ମୋର ଜନ୍ମର ଦଶବର୍ଷ ପରେ ସେ ମଧ୍ୟ ଚାଲିଗଲା ।

 

ମୋର ଜଣେ ଦାଦି ଥିଲେ । ପିଲାଦିନୁ ତାଙ୍କର ସ୍ୱଭାବ ଉଦାସିଆ । ଭେଣ୍ଡା ବୟସରେ ଘର ଛାଡ଼ି ଚାଲି ଯାଇଥିଲେ । କିଏ କହେ ସେ କୁମ୍ଭିପଟିଆ ବାବାଜି ହୋଇ ଦେଶ ଦେଶ ବୁଲୁଛନ୍ତି, ଆଉ କେହି କହନ୍ତି, ସେ ବାରମ୍ବାର ଚୋରି କରି ଜେଲଖାନାକୁ ଘର କରିଥାଆନ୍ତି । ଯାହା ହେଉ, ସେ ତ ମୋ ଜନ୍ମ ଆଗର କଥା । ବୋଉ ତାଙ୍କୁ ବର୍ଷ ଦି ତିନିଟା ଦେଖିଥିବ । ତାଙ୍କର ଥିବା ନ ଥିବା ଆମ ପକ୍ଷରେ ସମାନ ।

 

ଅଦିନରେ ବାପା ଆସିବେ ବା କିପରି ? କଟକରେ ରାଣୀହାଟ ଅପର ପ୍ରାଇମେରୀ ସ୍କୁଲରେ ମାଷ୍ଟରୀ କାମ କରନ୍ତି । ମାସକୁ ଦଶଟି ଟଙ୍କା ବେତନ । ସେଇଥିରୁ ତିନି ଚାରି ଟଙ୍କାରେ କଷ୍ଟେମଷ୍ଟେ ଚଳି, ବାକି ଟଙ୍କା ଘରକୁ ପଠାନ୍ତି । ପହିଲା ଯିବାର ଦିନ ସାତଟା ଯାଇନାହିଁ । ସେଦିନ ଟଙ୍କା ଆସି ପହଁଞ୍ଚିଛି । ନଅ କୋଶବାଟ କଟକ । ବିଶେଷ ଦରକାର ଥିଲେ ଶନିବାର ଦିନ ଆସି ରାତି ଦିଘଡ଼ିକୁ ଗାଁରେ ପହଁଞ୍ଚି ପୁଣି ସଁବାରଦିନ ରାତି ପାହାନ୍ତାରୁ ଉଠି କଟକ ଯାଆନ୍ତି । ନୋହିଲେ ଦିନକିଆ ଛୁଟିରେ ଘରକୁ ଆସିବା ଅସମ୍ଭବ ।

 

ସଞ୍ଜବଳା ଶେଷ ହେଲା । ନଡ଼ିଆ ଗଛ ଉପରକୁ ଚାହିଁଲି । କାଉ କେତେବେଳୁ ଉଡ଼ିଗଲାଣି । ମତେ ହସ ମାଡ଼ିଲା । ଯେଉଁଦିନ ଯେତେବେଳେ କାଉଟିଏ ଆସି ବୋବାଏ ବୋଉ କହେ, ବାପା ଆସୁଛନ୍ତି ।

 

ବୋଉ ଚାଳିରୁ କାଠ ଆଣି ରୋଷଘରେ ରଖି କହିଲା, ଗୀତା, ନଗି ଖଣ୍ଡି ନେଇ ଯା ସଜନା ଗଛରୁ ଗଣ୍ଡାଏ ଛଅଟା ଛୁଇଁ ପାରି ଆଣିବୁ । ସଞ୍ଜବଳିତା ଦୁଆରବନ୍ଧ ଉପରେ କରେଇକରି ରଖିଦେଇ ଯା ।

 

କାଉ କଥା ମନରୁ ଯାଇ ନ ଥାଏ । ହସ ହସ ହୋଇ କହିଲି, ବୋଉଲୋ, ଆଜି ବୁଧବାରଟାରେ ବାପା ଆସିବେ କେମିତି ? ଦାଦା ଆସୁଛନ୍ତି କି କଅଣ !

 

ରୋଷଘର ଭିତରେ ଥାଇ ବୋଉ ହସି ଉଠିଲା । କହିଲା, ହଁ ହଁ, ତତେ ଦେଖିବାକୁ ଆସୁଥିବେ । ପେଟରେ ଥିଲୁ, ସେ ଘର ଛାଡ଼ି ଯାଇଛନ୍ତି । ହେଲେ, ମୋ ପାଖରେ ଆଉ ଗହଣା ଗାଣ୍ଠି କିଛି ନାହିଁ ।

 

(୨)

 

ନଗି ଧରି ସଜନାମୂଳକୁ ଗଲି । ନଈ ବନ୍ଧକୁ ଲାଗି ଆମର ତଳ ବାରିଟି । ବନ୍ଧପଟକୁ ନିଘଞ୍ଚ ବେତ ବାଇଗବା ବାଡ଼ । ବାଡ଼ ମଝିରେ ଠାଏ ଠାଏ ଫାଙ୍କ ! ଲୋକବାକ କି ଗୋରୁ ଗାଈ କେହି ବାରି ଭିତରକୁ ପଶି ପାରନ୍ତି ନାହିଁ । ନିରିଖି ଚାହିଁଲେ ବନ୍ଧ ଉପରେ ଯା ଆସ କରୁଥିବା ଲୋକ ଦେଖା ଯାଆନ୍ତି । ଦୂରକୁ ଚାହିଁଲେ ନଈ, କଣ୍ଡିଆ, ନଈ ପଠା, ତା ଆରପାଖେ ଧୂସର ବାଲି, ଶେଷରେ ପାଣି ଗାରଟିଏ ଦେଖାଯାଏ ।

 

ତଳ ବାରିକୁ ପଶି ଯାଉଁ ଯାଉଁ ଆଗ କୂଅ । ଚାନ୍ଦିନି କରକୁ ଦିଓଟି ନଡ଼ିଆ ଗଛ । ଚାରି ପାଞ୍ଚବର୍ଷ ହେବ ଫଳୁଛି । ସେ ପାଖକୁ ବୁଢ଼ା ସଜନା ଗଛ, ଛୋଟ ପିଜୁଳି ଗଛ । ବାରି ମଝିରେ ଗୋଟିଏ ଝଙ୍କା ବଉଳ ଗଛ । ତା ପାଖକୁ ସୋହଡ଼ିଆ ଡେଙ୍ଗା ଚମ୍ପା ଗଛଟି ।

 

ଦି ପାଖେ କିଆବାଡ଼ି ମଝିରେ ଗୋହିରି ବାଟ ! ଦରକାର ବେଳେ ସେହି ବାଟେ ବନ୍ଧ ଉପରକୁ, ନଈକୁ ଯା ଆସ କରୁ । ଆଗ ବାଟେ ଗାଁ ଦାଣ୍ଡ । ଗାଁ ଗୋହରି ଦେଇ ଯିବା ଅସୁବିଧା । ଲୋକବାକ ଥାନ୍ତି । ବାଟ ବି ଟିକିଏ ବୁଲାଣିଆଁ । ବାପା କଟକରୁ ଆସିଲେ ବନ୍ଧେ ବନ୍ଧେ ଆସି ବାରିପଟେ ଘରେ ପଶନ୍ତି ।

 

ସଜନା ମୂଳରେ ଠିଆ ହୋଇ ବାଡ଼ ଫାଙ୍କବାଟେ ବନ୍ଧ ଆଡ଼କୁ ଚାହିଁଲି, ଆଖି ଯେତେଦୂର ପାଇଲା । ସିଧା ବନ୍ଧଟା ଆର ଗାଁର ଗଛ ଗହଳି ଭିତରେ ବଙ୍କେଇ ଲୁଚିଯିବା ଯାଏ କେତେ ଲୋକ ଯା ଆସ କରୁଛନ୍ତି । ବାପାଙ୍କ ଚାଲି ପରି କାହାରି ଚାଲି ଦିଶୁନାହିଁ । ବେଳେ ବେଳେ ସେ ସଞ୍ଜ ଆଗରୁ ଆସି ପହଞ୍ଚନ୍ତି ।

 

ମଗୁଶିର ମାସ । ସଞ୍ଜ ହେଉଁଣୁ ଦିହ ଶୀତେଇଲାଣି । ରାତି ପଡ଼ିଲେ କେତେ ଶୀତ ହେବ । ଯଦି ଆସିବାର ଥାନ୍ତା ସେ ରାତିଯାଏ ରହନ୍ତେ ନାହିଁ । ନା, ସେ ଆସିବେ ନାହିଁ । କାଉଟାଏ ସିନା ଉଡ଼ିଗଲା, ତା ସଙ୍ଗେ ଯିବା ଆସିବାର ସମ୍ୱନ୍ଧ ନାହିଁ ।

 

ହତାଶ ହୋଇ ନଗି ଧରି ଛୁଇଁ ତୋଳିବାକୁ ଲାଗିଲି । ଡେଙ୍ଗା ଗଛ । ପାଖରେ ଯେତେ ଥିଲା ସବୁ ନିତିଦିନ ତୋଳି ତୋଳି ଶେଷ ହୋଇଛି । ନଗି ଟେକି, ମୁଣ୍ଡ ବଙ୍କାଇ ଉପରକୁ ଚାହିଁ ତୋଳିବାକୁ ହେବ । ଦି ଚାରୋଟି ତୋଳି ବନ୍ଧ ଆଡ଼କୁ ଚାହିଁଲି । ଧୂସର ନଈର ଏ ପଟେ ସବୁଜ ଧୂଆଁପତ୍ର ପଠା । ତାକୁ ଲାଗି କଣ୍ଡିଆଟି ହଳଦିଆ ସୋରିଷ ଫୁଲରେ ଉଛୁଳି ଉଠୁଛି । ସଞ୍ଜବେଳର ଶିରିଶିରିଆ ପବନରେ ଦୋହଲି ଦୋହଲି ସୁନ୍ଦର ଦିଶୁଛି ।

 

ଘଡ଼ିଏ ଚାହିଁ ରହିଲି । କାହାର ଖଣ୍ଡିକାଶ ଶୁଣି ମୋ ମନ ଫେରି ଆସିଲା କେଉଁ ସପନପୁରୀର ଚିନ୍ତା ରାଇଜରୁ । ବନ୍ଧ ଉପରେ ମହନି ବଡ଼ବାପା ବାଡ଼ି ଠୁକୁ ଠୁକୁ କରି ଯାଉଛନ୍ତି । ପଛରେ ତାଙ୍କର ଆଉ କିଏ ଦି ତିନି ଜଣ । ଜିଭ କାମୁଡ଼ି ବାଡ଼ କରି ଉହାଡ଼କୁ ଠିଆ ହେଲି । ଗୋଡ଼ ଦୁଇଟା ଭୟରେ ଥରୁଥାଏ ।

 

ବାପ୍‌ରେ, ମହନି ଜେଠା ! ଗର୍ଭିଣୀ ଗାଈ ଡରରେ ବାଟ ଛାଡ଼େ । ଆଖିରେ ପଡ଼ିଲେ ଆଉ ରକ୍ଷା ନାହିଁ । ଚଉଦ ପୁରୁଷ ଉଗାଳିବେ । କହିବେ, କି ଅଭାବ୍ୟ କାଳ ହେଲା ହେ, ଝିଅ ବୋହୂଗୁଡ଼ା ଘୋଡ଼ୀ ପରି ଫର ଫର ହେଉଛନ୍ତି । ମଣିଷ ମାନୁନାହାନ୍ତି ।

 

ମହନି ଜେଠାଙ୍କ ଗାଳିର ଜବାବ୍ ଦେବାକୁ ଆଖପାଖ ପାଞ୍ଚ ଖଣ୍ଡି ଗାଁରେ କେହି ପୁଅ ସାହସ କରନ୍ତି ନାହିଁ । ଏକେ ତ ସେ ବଡ଼ଲୋକ, କୁବେର ପରି ସମ୍ପତ୍ତି ମାଡ଼ି ଯାଇଛି, ତହିଁରେ ପୁଣି ସମସ୍ତେ ତାଙ୍କର ଧାରୁଆ । କାହାର ସର୍ବନାଶ କରିବାକୁ ଇଚ୍ଛା ହେଲେ ଦିନ ପନ୍ଦରଟାରୁ ତାଙ୍କୁ ବେଶି ଲାଗେ ନାହିଁ ।

 

ମହନି ଜେଠା ଚାଲିଗଲେ । ପିଣ୍ଡରେ ମୋର ପ୍ରାଣ ପଶିଲା । ଯାହାହେଉ, ମୋତେ ସେ ଦେଖି ନାହାନ୍ତି । ପୁଣି ସଜନା ମୂଳକୁ ଫେରିଆସି ଛୁଇଁ ତୋଳାରେ ମନ ଦେଲି । ମୁଣ୍ଡ ଉପରୁ ଲୁଗାଟା ଖସିଗଲା । ଦେହର ପାଖେ ଫୁଙ୍ଗୁଳା ହୋଇ ପଡ଼ିଲା । ସେ ଦିଗକୁ ନିଘା ନଜର ନାହିଁ । ଯେଉଁ ଛୁଇଁ କେଣ୍ଡାକରେ ନଗି ଲଗାଇଥିଲି ତାକୁ ଧରି ଟାଣୁଛି । କଣେଇ କରି ଥରେ ଖଞ୍ଜା ଆଡ଼କୁ ଚାହିଁଲି, କାଳେ ଏଣେ ବୋଉ ଆସୁଥିବ । ଦେହ ମୁଣ୍ଡ ଫୁଙ୍ଗୁଳା ଦେଖିଲେ ସେ ବିରକ୍ତ ହୋଇଆକଟି କହେ, ଲୁଗାଟା ବେଢ଼େଉପିନ୍ଧୁନୁଲୋ, ମୁଣ୍ଡ ଉପରକୁ ବେକ ଉପରକୁ ଟାଣି ଆଣୁନୁ । ମାଇକିନିଆ ଝିଅ–

 

ତାଆରି ଡରରେ ଲୁଗାପଟା ନେଇ ବଡ଼ ସାବଧାନ ହୋଇ ଚଳେ । ଦେହରୁ ମୁଣ୍ଡରୁ କେଉଁଠୁ ଟିକିଏ ଲୁଗା ଖସିଗଲେ ବଡ଼ ଚାଉଁଚାଉଁଆ ଲାଗେ । ଆପେ ଆପେ ଆଖି ଦିଟା ବୁଲିଯାଏ ଚାରିଆଡ଼କୁ ଡରରେ । ହଁ, ଡରରେ । ହୁଏତ ଲାଜ ସଂଙ୍କୋଚ ବି ଟିକିଏ ମିଶିଥାଏ ତା ସାଥିରେ; କିନ୍ତୁ, ଲାଜ ସଂଙ୍କୋଚର ତୀବ୍ର ତାଡ଼ନା ତ ଆଉ ନାହିଁ ମୋର । ସେ ବୟସ ଡେଇଁ ଆସିଛି ।

 

(୩)

 

ନୂଆ ନୂଆ ଯେତେବେଳେ ତାରୁଣ୍ୟର କାଉଁରି ପରଶ ଲାଗି ଆସୁଥାଏ, ଦେହରେ ମନରେ ପରିବର୍ତ୍ତନର ସୁନେଲି ବାଆ ଖେଳି ଯାଉଥାଏ, ଲାଜ ସଂଙ୍କୋଚ ମନକୁ ଆପେ ଆପେ ଆସେ । ବେଳ ବୋହିଯାଏ । ମନର ସୁନେଲି ଭାବନାଟା ଜୁଆର ପରି ମାଡ଼ି ଆସିଲେ ବି ଦେହର ପରିବର୍ତ୍ତନରେ ଆଉ ନୂଆ ସରାଗ କି ଚମକା ସଂଙ୍କୋଚ ଆସେ ନାହିଁ । ବକ୍ଷ ଭେଦି ଯୌବନ ଉଠେ, କିନ୍ତୁ ଲକ୍ଷ-କୋଟି ନାରୀତ୍ୱର ଗର୍ବ ବୋଲି ସଂଙ୍କୋଚ ରହିପାରେ ନାହିଁ ବେଶି ବେଳ । ଲାଜ ଆସେ ଛପି ଛପି, ଅଭ୍ୟାସଗତ ଲାଜ, ଯେଉଁଠି ପଡ଼େ ପୁରୁଷର ଛାଇ । ପୁରୁଷ, ଯାହାପାଇଁ ମନ କେମିତି ଛନଛନ ହୁଏ, ବାହୁନି ଉଠେ ।

 

ଆଖିରେ କଅଣ ପଡ଼ିଲା । ନିଆଁ ଖୁଣ୍ଟା ଲାଗିଲା ପରି ଜଣାଗଲା । ନଗି ଛାଡ଼ିଦେଇ ନେଡ଼ିରେ ଆଖି ମଳିବାକୁ ଲାଗିଲା । ପୋକଟାଏ । କେତେବେଳକେ ଖସିଗଲା । ଲୁଗାପଟା ଝାଡ଼ି ଭଲକରି ଦେହ ଉପରକୁ ଆଣିଲି । ନଇଁପଡ଼ି ସଜନା ଛୁଇଁ ଗୋଟାଉଛି, ଅତି ପାଖରେ କାହାର ଦୀର୍ଘଶ୍ୱାସ ଆଭାସ ପାଇଲି । ଦେଖିଲି, ପିଜୁଳି ଓ ନଡ଼ିଆଗଛ ଉହାଡ଼ରୁ ଧୋବ ଫରଫର କାମିଜ ପିନ୍ଧି ହସି ହସି ଦାମ ଭାଇ ମୋରିଆଡ଼କୁ ଆସୁଛନ୍ତି । ଲାଜ ସଂଙ୍କୋଚରେ ବିବ୍ରତ ହେଲି ନାହିଁ ତ, ବରଂ ରାଗରେ ଜଳିଗଲି ଗୋଟାଛାଏଁ ।

 

କେଡ଼େ ଅଭଦ୍ର, କେଡ଼େ ନିଲଠା ! ନିଜର ଆତ୍ମସମ୍ମାନ ନାହିଁ ବୋଲି କଅଣ ମନେ କରନ୍ତି ଅନ୍ୟ କାହାର ନାହିଁ ? କଅଣ ଦି ପଦ ଟାଣ ଟାଣ କହି ଦେବି ଭାବିଲି । ମୁହଁ ଖୋଲି ହେଲା ନାହିଁ । ଅତୀତରେ କେବେ ଟିକେ ଭୁଲ କରିଥିଲି । ତାଙ୍କର ସ୍ନେହ ଶରଧାରେ କିଣି ହୋଇ ଗାଁ ଆଈଙ୍କର ଥଟ୍ଟାଳିଆ କଥାକୁ ସତ ମଣି ଦାମ ଭାଇ ହସି ହସି ପଚାରରିଲାକୁ ନିରୋଳାରେ ଦିନେ ତୁନି ତୁନି କହି ଦେଇଥିଲି, ହଁ, ବାହା ହେବି ଯା । ଏଇ କଥା ଯେ କହନ୍ତି ନାହିଁ, ୟା ଭିତରେ ଯେ କଅଣ ଲାଜ ସରମ ଅଛି, ମୁଁ ଜାଣି ନ ଥିଲି । ସେହି ଭୁଲର ଭୂତଟା ଏଡ଼େଏଡ଼େ ଆଖି ଦେଖାଇ ମୋରି ମୁହଁଟାକୁ ବନ୍ଦ କରିଦେଲା ।

 

ପାଖକୁ ଆସି ସେ ପଚାରିଲେ, କଅଣ କରୁଥିଲୁ ଗୀତା ?

ସାଙ୍ଗେ ସାଙ୍ଗେ କହି ପକାଇଲି, ତେମେ କଅଣ ଅନ୍ଧ କି ?

 

ଦାମ ଭାଇ କହିଲେ, ହଁ, ଅନ୍ଧ । ଆଜିକାଲି ହୋଇଛି । ଦେଖୁନୁ ଆଖିରେ ଚଷମା ଲଗାଇଲିଣି । କାହିଁକି ଜାଣୁ ?

 

ମୋର ଜାଣିବାର ଦରକାର ନାହିଁ । ତେମେ ଏଠୁଁ ଯିବଟି ।

 

ଏମିତି ତଡ଼ି ପକାଉଛୁ କାହିଁକି ? ଆଜିକାଲି ତୁ ଭାରି ବଦଳି ଗଲୁଣି । ଯେତେବେଳେ ଦେଖା ହୁଏ, ଖାଲି ତୋର ସେଇ କଥା ।

 

(୪)

 

ଆଜିକାଲି ! ଏଇ ଗୋଟିଏ ପଦର ଅର୍ଥ ଏକା ବୁଝନ୍ତି ଦାମ ଭାଇ ଆଉ ବୁଝେ ମୁଁ । ଆଜିକାଲିର ପଛଆଡ଼େ କେତେ ବଡ଼ ଅନ୍ଧାରିଆ ପାହାଡ଼ଟିଏ ଠିଆ ହୋଇଛି – ଭାବିଲେ ଡରମାଡ଼େ । ଅନୁତାପ ଆସେ ନାହିଁ, ଦୁଃଖ ଆସେ ନାହିଁ – ଡର ମାଡ଼େ । କେତେ ଦୂରକୁ ଗଲେ କେଜାଣି ସେହି ପାହାଡ଼ଟା ଆଖି ଉହାଡ଼ରେ ଛପି ଯିବ ମୁଁ କଳନା କରିପାରେ ନାହିଁ ।

 

ଏଇ ଦାମ ଭାଇ ! ପିଲାଟି ଦିନୁ, ହେତୁ ପାଇଲା ଦିନୁ ତାଙ୍କୁ ଦେଖି ଆସିଛି । ବଡ଼ ଘରର ଗେହ୍ଲା ପୁଅ ସେ । ଆମ ଘରେ । ତାଙ୍କର ବଡ଼ପଣିଆଁ ନ ଥାଏ । ବାପା ବୋଉ ତାଙ୍କୁ ସ୍ନେହ କରନ୍ତି । ସେ ବି ସେମାନଙ୍କୁ ଅତି ଭକ୍ତି କରନ୍ତି । ମୋତେ ଭଲ ପାଆନ୍ତି ।

 

ତାଙ୍କ ସଙ୍ଗେ ଏକୁଟିଆ ବୁଲି ଯିବାକୁ କି ଖେଳିବାକୁ କେହି କେବେ ବାଧା ଦେଇ ନାହାନ୍ତି । ବେଳେ ବେଳେ ଆଈ ଲେଖାର କେହି କେହି ଥଟ୍ଟାରେ କହନ୍ତି, ଦାମକୁ ତୁ ବାହା ହେବୁ କିଲୋ ? ଦାମଭାଇ ବିରକ୍ତ ହୋଇ ଉତ୍ତର ଦିଅନ୍ତି, ତମର ସବୁ ଖାଲି ବାହା ହେବା କଥା !

 

ସ୍ୱର ନରମ କରି କହିଲି, ସବୁଦିନ ସମାନ ନ ଥାଏ ଦାମ ଭାଇ, ସବୁଦିନେ ମଣିଷ ନିର୍ବୋଧ ରହିପାରେ ନାହିଁ । ଯାଉ ସେ କଥା । ତେମେ ଗଛ ଉହାଡ଼ରେ କେତେବେଳୁ ଠିଆ ହୋଇ କଅଣ କରୁଥିଲ ?

 

ତତେ ଦେଖୁଥିଲି । ବାପା ଯେତେବେଳେ ବନ୍ଧ ଉପରେ ଯାଉଥିଲେ, ତୁ ଆଡ଼ ହୋଇ ପଛେଇ ଆସିଲୁ । ଭାବୁଥିଲି ବୋଧହୁଏ ଧରା ପଡ଼ିଯିବି, କିନ୍ତୁ ତୁ ଅନ୍ୟମନସ୍କା ହୋଇ ଚାଲିଗଲୁ ଆଗକୁ ।

 

ମୁଁ ତ ତୁମକୁ ଆଡ଼ ହୁଏ ନାହିଁ । ତୁମେ ଯେ କୌଣସି ବେଳେ ଆସିଲେ ମୋତେ ଦେଖି ପାରନ୍ତ, ଏପରି ଚୋରି ପରି ଲୁଚି ଲୁଚି ମୋ ଆଡ଼କୁ ଚାହିଁବାରେ ଅଧିକ ହେଲା କଅଣ ? ଆଜି ଯଦି କେହି ଆସି ଯାଇଥାନ୍ତା, କଅଣ ମନେ କରନ୍ତା ?

 

ଛବି ବହିରେ ଅନେକ ଛବି ଦେଖିବାକୁ ମିଳେ । ଅନ୍ୟ ସମୟରେ ତୋତେ ଦେଖିବା ଠିକ୍ ସେମିତି । ତୋର ଅସାବଧାନ ନିଃସଙ୍କୋଚ ରୂପ ସଙ୍ଗେ ସେ ସବୁ ତୁଳନା କରାଯାଇ ପାରେନାହିଁ ।

 

ତେମେ ଭାରି ବାଗେଇ କଥା କହିପାର, କିନ୍ତୁ ତମର କଥା ବା ତମର ଢଙ୍ଗ ମୋତେ ଭଲ ଲାଗେ ନାହିଁ ।

 

ଦିନେ ଭଲ ଲାଗୁଥିଲା ତ !

ଆଜି ଆଉ ସେ ଦିନ ନାହିଁ । ମୁଁ ପିଲାଛୁଆ ହୋଇନାହିଁ । ତୁମେ ଏଠୁଁ ଯିବଟି ।

ନ ଗଲେ ବି କେହି କିଛି ଭାବିବେ ନାହିଁ ଜାଣୁ ତ ?

 

କହିଲି, ଜାଣେ । ତେମେ ବାହା ହୋଇଛ । କିନ୍ତୁ କାହିଁକି, କାହିଁକି ଆଉ ତେମେ ମୋ ସଙ୍ଗେ ଲାଗିଛ ଦାମ ଭାଇ ? ତମର କଥାରେ ଯଦି ତମ ସ୍ତ୍ରୀଙ୍କୁ ଭୁଲାଇ ପାର, ତମର ପିଲାଳିଆ ଖେଳକୌତୁକରେ ଯଦି ତାଙ୍କୁ ବଶ କରି ଆପଣାର କରିପାର, ତେବେ, ତେବେ ସେ ତ ନିଜକୁ ଭାଗ୍ୟବତୀ ମଣିବେ । ପର ଘରର ଅଭିଆଢ଼ୀ ଝିଅ ପାଖରେ ଏ ସବୁ ଶୋଭା ପାଏ ନାହିଁ ।

 

ଟିକିଏ ଭାବି କହିଲେ, ଦୋଷମୋର ନୁହେଁ ଗୀତା । ଦୋଷ ଭାଗ୍ୟର । ତୋ ସଙ୍ଗେ ମୋର ରକ୍ତର ସମ୍ୱନ୍ଧ ନାହିଁ ଏ କଥା ସମସ୍ତେ ଜାଣନ୍ତି । ସେଥିପାଇଁ ପ୍ରଥମେ ଯେଉଁ ବାଧା ବା ଆପତ୍ତି ଉଠିଥିଲା, ସେତକ ବୋଉକୁ ଶିଖାଇ ମୁଁ କଟାଇ ଦେଇଥିଲି । ବାପା ଖୋଜିଲେ ଧନ । ଧନର କଅଣ ଅଭାବ ଅଛି ? ପୁଣି କହିଲେ, ଗାଁ କନିଆଁ ସିଂଘାଣିନାକୀ । ପ୍ରକାରାନ୍ତରରେ ଖବର ପଠାଇଲି । ସେ ଶୁଣିଲେ ନାହିଁ । ସେ ଯେପରି ଆଣ୍ଡୁଆ ଲୋକ ତ ଜାଣୁ, ତାଙ୍କର ଅବାଧ୍ୟ ହେବାକୁ ସାହସ ହେଲା ନାହିଁ ।

 

କେତେ କଅଣ କହିବାକୁ ପାଟି ଖଲଖଲ ହେଉଥିଲା । ଧୈର୍ଯ୍ୟର ସହିତ କଥାକୁ ବୁଲାଇ ନେବାକୁ କହିଲି, ଦାମ ଭାଇ, ଏ ସବୁ କାହିଁକି କହୁଛ ? ତମଠାରୁ ମୁଁ ଜବାବ ମାଗୁନାହିଁ । ଯାହା ହେବାର ହୋଇଛି । ଏବେ ତୁମେ ଯାଅ ନୋହିଲେ ଖୋଲି କହ, ମୋଠାରୁ ତୁମେ କଅଣ ଚାହଁ ।

 

ତୋଠାରୁ ମୋର ଅନେକ କିଛି ଚାହିଁବାର ଅଛି । କିନ୍ତୁ... କିନ୍ତୁ....

 

ସଞ୍ଜର ମହଳଣ ଛାଇରେ ତାଙ୍କର ମୁହଁରେ ଲାଳସାର ପ୍ରଭା ଉକୁଟି ଉଠିଲା । ଆଖିରେ ପ୍ରଲୋଭନ ନିଆଁ ଜଳି ଉଠିଲା । ମୁଁ ବୁଝିଲି । ତାଙ୍କଠାରେ ସେପରି ଭାବ ମୁଁ ଅନେକ ଥର ଦେଖିଛି-। ଭଲମନ୍ଦ ବୁଝିବାର ଜ୍ଞାନ ହେଲାଦିନୁ, ନାରୀତ୍ୱର ଦାୟିତ୍ୱ, ଆପଦ ବିପଦ ଜାଣିବା ଦିନୁ ତାଙ୍କ ପାଖରୁ କରେଇ ଆସିଛି । ଦୂରେଇ ଆସିଛି । ମୁଣ୍ଡଟିକୁ ଛାତିକୁ ଆଉଜାଇ ପିଠି ଆଉଁଷି ଗେଲ କରିବାକୁ ସୁଯୋଗ ଦେଇନାହିଁ । ବିବାହର ବାର ମାସ ପରେ ଆଜି ତାଙ୍କ ସଙ୍ଗେ ନିରୋଳାରେ ପ୍ରଥମ ଦେଖା । ଭାବିଥିଲି, ସେ ବଦଳିଥିବେ । ନିଜର ଓ ଅନ୍ୟର ଦାୟିତ୍ୱ ଭଲ ମନ୍ଦ ଉପଲବ୍ଧ କରିଥିବେ । କିନ୍ତୁ ମୋର ଧାରଣା ଭୁଲ୍‌ । ସଜନା ଛୁଇଁତକ ଗୋଟାଇ ଧରିଲି । କହିଲି, ସଞ୍ଜ ହେଲା, ମୁଁ ଯାଏ । ସଞ୍ଜବତୀ ଲଗାଇବି ।

 

ସେ ମୋ ବାହୁ ଉପରେ ହାତ ପକାଇଲେ । ରାଗରେ ଆଖି ଲାଲ କରି ହାତ ଛିଞ୍ଚାଡ଼ି ଘୁଞ୍ଚି ଆସିଲି, କିନ୍ତୁ ତାଙ୍କର ବଳିଷ୍ଠ ହାତକୁ ଖସାଇ ପାରିଲି ନାହିଁ । କହିଲି ରୁକ୍ଷସ୍ୱରରେ, ଛାଡ଼ !

 

ହସି ହସି ସେ କହିଲେ, ରାଗୁଛୁ କାହିଁକି ଗୀତା, ଶୁଣ !

 

ଆହୁରି ବିରକ୍ତ ହୋଇ କହିଲି, ଛାଡ଼ କହୁଛି, ନୋହିଲେ–ତଥାପି ସେ ଛାଡ଼ିଲେ ନାହିଁ । ଡାକ ଛାଡ଼ିଲି, ବୋଉ,–

 

(୫)

 

ସେ ହାତ ଛାଡ଼ିଦେଲେ । ବୋଉ ବି ତେଣୁ ଜବାବ୍ ଦେଇ ଆସି ପହଞ୍ଚିଲା ! କଅଣ କହିବି ଭାବୁଛି, ଦାମ ଭାଇ ପକେଟରୁ ଖଣ୍ଡେ ଚିଠି କାଢ଼ିବୋଉ ହାତକୁ ବଢ଼ାଇ ଦେଲେ । ସଙ୍ଗେ ସଙ୍ଗେ କହିଲେ, ଆଜି କଟକ ଯାଇଥିଲି ଖୁଡ଼ି । ଭୋଳି ଦାଦାଙ୍କ ସଙ୍ଗେ ଦେଖା ହୋଇଥିଲା । ସେ ଏ ଚିଠିଖଣ୍ଡି ଦେଇଛନ୍ତି, ନିଅ । ଭାରି ଆଗ୍ରହରେ ବୋଉ ଚିଠିଖଣ୍ଡ ନେଲା । ମୁଁ ରହି ରହି କହିଲି, କାଉ ପରା ରଡ଼ୁଥିଲା । ଦେଖିଲୁ ବୋଉ ! ମୋର ସ୍ୱର ଥରି ଉଠିଲା । ବୋଉ ହସିଲା । କହିଲା, ଭିତରକୁ ଆ ବାବୁ !

 

ମୁଁ କହିଲି, ଆସ ଦାମ ଭାଇ ଭିତରକୁ । ପାନ ନେବ ନାହିଁ ?

ସେ କହିଲେ, ଡେରି ହେଲାଣି ଯାଉଛି, ପରେ ଆସିବି ।

 

ଅଭିମାନର ଛଳନା କରି କହିଲି, ବୋଉ ମ, ଆଜିକାଲି କଅଣ ଦାମ ଭାଇଙ୍କର ବେଳ ଅଛି କି ? ବର୍ଷେ ହେଲା ତ ତାଙ୍କର ମୋଟେ ଦେଖା ଦର୍ଶନ ମିଳୁନାହିଁ । ସବୁବେଳେ ଖାଲି କାମ । କାମ ଏମିତି ବଢ଼ି ଯାଇଛି !

 

ସେ କହିଲେ, ଦେଖୁଛ ଖୁଡ଼ି, ଗୀତା କେମିତି ମିଛଟାରେ ଅପବାଦ ଦେଇ କହୁଛି ? ତମ ଜୋଇଁ ରାଣେ ସତ କହ, ମୁଁ ଆସେ ନାହିଁ ?

 

ମୁଁ ତୁନି ରହିଲି । ବୋଉ କହିଲା, ଆସୁ ଯେ ଠିଆ ଠିଆ ଯାଉ । ବସି କରି ପଦେ ଭଲକରି କହୁନାହିଁ କି ଗୀତା ସଙ୍ଗେ ବେଲିଛେଲି ଲଗାଉ ନାହିଁ । ସେଇଥିପାଇଁ ସେ କହୁଛି । ଆଲୋ ଗୀତା, ସେ ପରା ଦଉଡ଼ି ଦଉଡ଼ି ଆସିଛି, ଭୋକ କରୁଥିବ ଯାଉ, କାଲିଆଡ଼କୁ ଆସିବ ।

 

ଖଞ୍ଜା ଭିତରକୁ ପଶି ଯାଉଁଯାଉଁ କହିଲି, କାଲି ନିଶ୍ଚେ ଆସିବ ଦାମ ଭାଇ । ତମକୁ ରାଣ ଅଛି, ତାଙ୍କରି ରାଣ । କହିଲେ, ହଉ ।

 

କଣେଇଁ ଚାହିଁଲି । ଦାମ ଭାଇ ଚାଲିଯାଉଛନ୍ତି । ଥରଟିଏ ସେ ଫେରି ଚାହିଁଲେ ନାହିଁ । ମନଟା କିପରି ଗୋଳେଇହେଲା । ସତେ ଦାମ ଭାଇଙ୍କର ଦୋଷ ହେବ ନାହିଁ । ମୋ ତୁଣ୍ଡର ପଦଟିଏ କଥାରେ ସେ ବିଶ୍ୱାସ କରିଥିଲେ । ଯେତେ ଯୁଆଡ଼ୁ ବାହାଘର ସମ୍ୱନ୍ଧ ଆସିଲା ସେ ମନା କରିଦେଲେ । ମୋତେ ବାହା ହେବେ ବୋଲିଅଡ଼ି ବସିଲେ । ସମସ୍ତେ ସିନା ମଙ୍ଗିଲେ, ମହନିଜେଠା ନାହିଁ କରିଦେଲେ । ଦାମ ଭାଇକୁ ଧମକାଇଲେ, ପୁଣି ଚଦିଲେ । କହିଲେ, ଗୀତାକୁ ବାହାହେବା କଥା ଯଦି ଆଉ ଥରେ ତୁଣ୍ଡକୁ ଆଣୁ ତ ଭୋଳିର ସର୍ବନାଶ କରିବି । ତଳିତଳାନ୍ତ ହୋଇ ବାଟରେ ଠିଆ ହେବେ । ସେମାନଙ୍କର ମଙ୍ଗଳ ଚାହୁଁତମୋ କଥା ମାନ । ଦାମ ଭାଇ ବାପାଙ୍କର ଅବାଧ୍ୟ ହେଲେ ନାହିଁ । ବରବେଶ ସାଜି ପରଗାଁକୁ ଯାଇ ବାହା ହୋଇ ଆସିଲେ । ଭଲକଲେ ତ, ଆଉ କାହିଁକି ନିଲଠା ପଣ ?

 

ଆଖିରୁ ଲୁହ ଝରିଲା । କୋହ ଉଠିଲା ।

 

(୬)

 

ସଞ୍ଜବତୀ ଲଗାଇ ବୃନ୍ଦାବତୀଙ୍କ ଚଉରା ତଳେ ରଖି ପ୍ରଣାମ କଲି । ଠାକୁରଙ୍କ ପାଖରେ ଲୋକେ ଅନେକ ଦୁଃଖ ଜଣାନ୍ତି । ମୋର କିନ୍ତୁ କୌଣସି ଦୁଃଖ ଜଣାଇବାର ନ ଥିଲା । ତଥାପି କେଜାଣି କିପରି ମୋର ଆଖି ଆଗରେ ଜଣକର ମୂର୍ତ୍ତି ଆସି ଠିଆ ହେଲା । ମନର କେଉଁ ଅଜଣା କୋଣରେ ତାଙ୍କର ସେହି ସୁନ୍ଦର ମୂର୍ତ୍ତି ଆଡ଼କୁ ଆତ୍ମା ନଇଁପଡ଼ିଲା । ଦୁଇବର୍ଷ ତଳେ, ଏମିତି ସଞ୍ଜବେଳେ ସେହି ଚଉରା ପାଖରେ ତାଙ୍କ ସଙ୍ଗେ ମୋର ପ୍ରଥମ ଦେଖା । ତା ପରେ ତ ଅନେକ ଘଟଣା ଘଟିଯାଇଛି । ସ୍ମୃତିର ପରଦା ଉପରେ ଆନନ୍ଦ ନିରାନନ୍ଦର କେତେ ଛବି ଟାଣି ହୋଇଛି ।

ବୋଉ ଡାକିଲା, ଗୀତା, ନଲଟଣ ଲଗାଇ ଚିଠି ଖଣ୍ଡି ପଢ଼ିଲୁ ମା ।

ଉଠିଆସି ନଲଟଣ ଲଗାଇଲି । ମହନି ଜେଠାଙ୍କ ଠାକୁର ମନ୍ଦିରରୁ ସଞ୍ଜ ଆରତିର ଘଣ୍ଟା ଶୁଭିଲା । ବୋଉ କାନ୍ଥରେ ମୁଣ୍ଡ ଲଗାଇ ପ୍ରଣାମ କଲା । କହିଲା, ହେ ରାଧା ମାଧବ ! ଗୁଣୁଗୁଣୁ କରି କଅଣ କହିଲା ମୁଁ ବୁଝିପାରିଲି ନାହିଁ ।

ଚିଠି ଖୋଲିଲି । ଛୋଟ ବଡ଼ ଦୁଇଖଣ୍ଡି । ଖଣ୍ଡିଏ ଲେଖା ହୋଇଛି ମୋ ପାଖକୁ, ଆର ଖଣ୍ଡିକ ବୋଉ ପାଖକୁ ।

କେବେ କେମିତି ବାପା ଚିଠି ଦେଲେ ମୋ ପାଖକୁ ଲେଖନ୍ତି । ଯେଉଁଥର ବୋଉ ପାଖକୁ ଚିଠି ଥାଏ, ସେଥିରେ ମୋ ବାହାଘର ପ୍ରସଙ୍ଗରେ ଲେଖାହୋଇଥାଏ । ଏଥର ମଧ୍ୟ ସେମିତି କିଛି ହୋଇଥିବ ବୋଲି ମୁଁ ଅନୁମାନ କଲି ।

ବୋଉ କହିଲା, ପଢ଼ ମା ।

ମୁଁ ମୋ ଚିଠି ଆଗ ପଢ଼ିଲି–

ମା ଗୀତା,

 

ଏଥର ଘରୁ ଆସିଲା ଦିନୁଁ ମୋ ଦେହ ସେତେ ଭଲ ରହୁନାହିଁ । ବେଳେ ବେଳେ ଆଣ୍ଠୁ ଗଣ୍ଠି ଦରଜ ହେଉଛି । ବେଁଶିରା ହାଡ଼ରେ କେମିତି ଗୋଟାଏ ଜଖମ ଅନୁଭବ କରୁଛି । ଡାକ୍ତରଖାନରୁ ଔଷଧ ଖାଉଛି । ବର୍ତ୍ତମାନ ଦେହ ଟିକିଏ ଭଲ ଅଛି ।

 

ତୁ ଲେଖିଥିଲୁ, ଖଣ୍ଡେ ଶୀତ ଘୋରିହେଲା ପଠାଇବାକୁ । ଗୋଟାଏ ଟିଉସନ ଜୁଟିଛି । ମାସକୁ ଚାରିଟଙ୍କା ଦରମା । ପନ୍ଦରଦିନ ଗଲାଣି । ଆଉ ପନ୍ଦର ଦିନକୁ ମାସ ପୂରିଲେ ବାବୁ ଟଙ୍କା ଦେବେ । ସେହି ଟଙ୍କାରେ ତୋ ପାଇଁ ଜାମା, ଘୋରିହେଲା, କାଚ କିଣିଦେବି । ମା ମୋର, ମନକଷ୍ଟ କରିବୁ ନାହିଁ । ଠାକୁରେ ତ ଆମକୁ ଦରିଦ୍ର କଲେ, କଣ କରିବା ? ଚିଠି ଦେବୁ ! ତୋ ଚିଠି ପାଇଲେ ମୁଁ କେଡ଼େ ଖୁସି ହୁଏ ଜାଣୁ ? ଇତି ।

 

ତୋର, ବାପା

 

ଚିଠି ପଢ଼ିସାରି ବୋଉ ମୁହଁକୁ ଚାହିଁଲି । ତାର ଦୁଇ ଆଖି ଲୁହ ଢଳ ଢଳହୋଇ ଉଠିଛି । ମୋତେ ଚାହିଁ ଦୀର୍ଘନିଶ୍ୱାସ ପକାଇ କହଲା, ସେହି ରୋଗ ତ ତାଙ୍କୁ ମଣିଷପଣିଆଁରୁ ରଖିଲାଣି ଲୋ । ଆଜିକୁ ପାଞ୍ଚବର୍ଷ ହେବ କି କଅଣ, ବେଳେ ବେଳେ ସେ ବେଁଶିରା ହାଡ଼ ଦରଜ କଥା କହନ୍ତି-। ଯାହା ଅର୍ଜିଲେ ସବୁ ଘରକୁ ଦେଲେ । ଭଲକରି ଚିକିତ୍ସା କରିବାକୁ କଅଣ ତାଙ୍କର ମନ ହେଉଛି-?

 

ଭାବିଲି, ଆମରି ପାଇଁ ସିନା ସେ ଏତେ କଷ୍ଟ ପାଉଛନ୍ତି । ଆମରି ମୁହଁରେ ଆହାର ଦେବାକୁ ଟଙ୍କା କେଇଟା ପାଇଁ ବିଦେଶରେ ପଡ଼ି ଦିନରାତି ପରିଶ୍ରମ କରୁଛନ୍ତି । ତହିଁରେ ପୁଣି ଭଲକରି ମୁଠାଏ ଖାଇବାକୁ ପାଉନାହାନ୍ତି । ଯାହା ମିଳିଲା ନିଜ ହାତରେ କଞ୍ଚା ଦରସିଝା କରି ରାନ୍ଧି, ମୁଠିଏ ଖାଇ ଇସ୍କୁଲରେ ଖଟି ଖଟି ବେଳ କଟୁଛି । ତହିଁରେ ପୁଣି ଟିଉସନ୍ କରୁଛନ୍ତି ।

 

ଘର ଡିହ ଓ ବାରି କେଇ ଗୁଣ୍ଠ ଛଡ଼ା ଚାଷ କରିବାକୁ ବାଡ଼ି ଗୋବରେ ଗୋବେ ଜମି ନାହିଁ । ଗାଁର ଆଉ ପାଞ୍ଚଟାଙ୍କ ପରି ବିଲମାଟି ହିଡ଼ରେ ଲଦି କୁଟୁମ୍ବ ପୋଷିବାର ଉପାୟ ନାହିଁ । ଭେଣ୍ଡା ପୁଅ ନାହିଁ, ଚାରି ପଇସା ରୋଜଗାରକରି ଆଣିଦେବ । ମୁଁ ତ ଝିଅଟାଏ । ଓଲଟି ଗଳଗ୍ରହ-। କଷ୍ଟ ଦେବାକୁ ମୋର ଜନ୍ମ । ମୋ ଚିନ୍ତା ତାଙ୍କୁ ଦିନୁଦିନୁ ବେଶି କ୍ଷୀଣ କରୁଛି । ନ ମଲି ଯାହା । ଜନ୍ମ ହୋଇଥିଲି ବାପା ମାଙ୍କୁ ଦହଗଞ୍ଜ କରିବାକୁ ।

 

ବୋଉ ଆଖିରୁ ଲୁହ ପୋଛି କହିଲା, ପଢ଼ ମା, ଆର ଚିଠି ଖଣ୍ଡି । ମୁଁ ଚିଠିଖଣ୍ଡିରେ ଥରେ ଆଖି ପକାଇଗଲି । ଲେଖିଛନ୍ତି, କଟକରେ ବିଧୁବାବୁବୋଲି କିଏ ଜଣେ ହାଇସ୍କୁଲ ମାଷ୍ଟର ଅଛନ୍ତି । ତାଙ୍କର ଗୋଟିଏ ପୁଅ, ବି.ଏ. ପାଶ୍ କରି କେଉଁ ସର୍କାରୀ ଅଫିସରେ କାମ କରନ୍ତି । ଷାଠିଏ ସତୁରି ଟଙ୍କା ଦରମା । ତାଙ୍କର ନାଆଁ ପ୍ରବୋଧ । ବିଧୁବାବୁ ଚାହାନ୍ତି, ବୋହୂଟିଏ କରିବେ, ସୁନ୍ଦର ହୋଇଥିବ, ବୁଦ୍ଧି ଭଲ । ପାଠ କିଛି ପଢ଼ିଥିବ । ଧୀର, ଶାନ୍ତ, ସୁଚରିତ୍ରା । ଦବାନବା ଚାହାନ୍ତି ନାହିଁ । ଭଗବାନ ତାଙ୍କୁ କୌଣସି କଥାରେ ଊଣା କରିନାହାନ୍ତି । ଗରିବଘରର ଝିଅ ହେଲେ ଉତ୍ତମ । ସବୁ କାମକୁ ଧୂରନ୍ଧର ହେବ । ଜାତକଟି ଏକା ଶୁଝିବ । ବାହାଘର ଠିକଣା ହେବା ଆଗରୁ ତାଙ୍କର ସ୍ତ୍ରୀ ଝିଅକୁ ଥରେ ଦେଖିବେ ।

 

ଆହୁରି ଲେଖାଥିଲା, ମୁଁ କୁଆଡ଼େ ସବୁ ଗୁଣରେ ପରିପୂର୍ଣ୍ଣ । ଜାତକ ଶୁଝିଲେ ବାହାଘର ନିଶ୍ଚୟ ହେବ । କୌଣସି ଗୋଟିଏ ଆରାରେ ମୋତେ କଟକ ନେଇଗଲେ ବିଧୁବାବୁଙ୍କ ସ୍ତ୍ରୀ ଦେଖିବେ । ଥରେ ଦେଖିଲେ ସେ କି ଆଉ ନାହିଁ କରି ପାରିବେ ? ମୋ ପରି ଝିଅ ଆଉ ସେ ଦେଖିଥିବେ କେଉଁଠି ଯେ !

 

ଅତି ଶୀଘ୍ର ମୋର ଖଣ୍ଡେ ଟିପ୍‌ପଣା ପଠାଇବାକୁ ସେ ବାରମ୍ୱାର ଅନୁରୋଧ କରିଥିଲେ-। ଚିଠିଟିରେ ପ୍ରବୋଧବାବୁଙ୍କ ରୂପ, ଗୁଣ, ଢଙ୍ଗଢାଙ୍ଗ ସମ୍ବନ୍ଧରେ ଅନେକ କଥା ଲେଖାଥିଲା ।

 

ମୋତେ ତୁନି ରହିବାର ଦେଖି ବୋଉ ପୁଣି କହିଲା, ପଢ଼ ସେ ଖଣ୍ଡି । ମୁଁ ତା ହାତକୁ ଚିଠିଟି ଦେଇ କହିଲି, ତୁ ପଢ଼ । ମୋ ମୁଣ୍ଡ କଅଣ ହେଉଛି । ଯାଉଛି ଶୋଇବି ।

 

ବୋଉର ଉତ୍ତରକୁ ଅପେକ୍ଷା ନ କରି ଶୋଇଲା ଘର ଭିତରକୁ ଗଲି । ଘର ବୋଲି ତ ମୋଟେ ଦୁଇ ବଖରା । ଖଣ୍ଡିକରେ ରୋଷାଇ ହୁଏ । ଆରଟିରେ ଶୁଆ ବସା କରୁଁ । ଡାହାଣ କରକୁ ଯେଉଁ ଛୋଟ ଚାଳିଖଣ୍ଡକ ସେଥିରେ କାଠ, ଘସି ଆଉ ସବୁ ଆଳୁକୁଚି ମାଳୁକୁଚି ଗଦା ହୋଇଥାଏ-

 

ମୁଁ ଜାଣେ, ବୋଉ ଭଲ ପଢ଼ିପାରେ ନାହିଁ । ଅକ୍ଷର ଚିହ୍ନି କ,ବ,ଚ କରି ଯାହା ପଢ଼େ ସେଥିରୁ ସେ ଅଧେ ବୁଝିପାରେ ନାହିଁ । ଛୋଟ ଚିଠିଖଣ୍ଡ ପଢ଼ିବାକୁ ତାକୁ ଅନ୍ତତଃ ଦୁଇଘଣ୍ଟା ଲାଗେ-। ତଥାପି ସେ ଆପତ୍ତି ନ କରି ଚିଠି ଖଣ୍ଡେ ନେଇ ଅଣ୍ଟାରେ ଖୋସିଲା । ସେ ବୋଧହୁଏ ବୁଝିପାରିଲା, ଚିଠିରେ ମୋଓରି ବାହାଘର ବିଷୟ ଲେଖା ହୋଇଛି ।

 

ନଲଟଣ ନେଇ ରୋଷେଇଘର ଭିତରକୁ ଗଲା । ମତେ ଶୁଣାଇ କହିଲା, ଗୀତା, ଶୋଇପଡ଼ିବୁ ନାହିଁ । ଗଣ୍ଡାଏ ଖାଇଦେଇ ଶୋଇବୁ ପଛେ । ତୋର ଯେଉଁ ନିଦ !

 

କହିଲି, ମୁଁ ଚେଇଁକରି ଶୋଉଛି । ଡାକିଲେ ଉଠିବି ।

 

(୭)

 

ଅନ୍ଧାର ଘର । ଆଲୁଅ ଆସିବ ବୋଲି ବାରିପଟ ଝରକା ଖୋଲିଦେଲି । ଆକାଶର ମୁଣ୍ଡ ଉପରେ ମଥାମଣି ପରି ଅଷ୍ଟମୀର ଉଜ୍ଜ୍ୱଳ ଜହ୍ନ ଝଟକି ଉଠୁଛି । ଶିରିଶିରିଆ ଥଣ୍ଡା ପବନ ନଈପଠା ଆଡ଼ୁ ସୋରିଷ ଫୁଲର ମହକ ଚୋରିକରି ଘର ଭିତରକୁ ପଶି ଆସିଲା । ଦେହ ଟାଙ୍କୁରି ଉଠିଲା । ହେଁସ ଖଣ୍ଡି ତଳେ ପାରି ଛିଣ୍ଡା ସତରଞ୍ଜିଟି ତା ଉପରେ ପକାଇଲି । ଝରକା ବନ୍ଦକରି କାନି ଘୋରିହୋଇ ଜାକିଜୁକି ଶୋଇପଡ଼ିଲି ।

 

ବାରକଥା ଆସି ମନରେ ପଶିଲା, ବାରଚାଉଳିଆ ଚିନ୍ତା । ବାପାଙ୍କର ଚିଠିଖଣ୍ଡି ପୁଣି ଯେପରି କିଏ ଆଗରେ ମେଲାକରି ଧରିଲା । ମୋର ବାହାଘର କଥା । ନୂଆ ନୁହେଁ, ଚାରିବର୍ଷ ହେଲା କେତେ ପାତ୍ର କେତେ ପ୍ରସ୍ତାବ ଆସିଛି । କେଉଁଠି ଟିପ୍‌ଣା ଶୁଝିଛି ତ କେଉଁଠି ନାହିଁ । ଯେଉଁଠି ନାଗନାଡ଼ୀ କି ନରରାକ୍ଷସ ପଡ଼ିଛି ସେ ପ୍ରସ୍ତାବ ତ ଭାଙ୍ଗିଛି । ଯେଉଁଠି ଜାତକ ଶୁଝିଲା ମୋର ରୂପଗୁଣ ସମ୍ୱନ୍ଧରେ ବରପକ୍ଷ ପଚରା ଉଚରା କରିଛନ୍ତି । ଏ ପରୀକ୍ଷା ଡେଇଁଲେ ଦେବା ନେବା କଥା ପଡ଼େ । ପ୍ରସ୍ତାବ ଭାଙ୍ଗେ ।

 

ପିଲା ଥିଲି । ଖେଳ କୌତୁକରେ ବେଳ କଟୁଥିଲା । ନୂଆ ଯୌବନର ଭେଳିକି ଯେତେବେଳେ ଦେହରେ ଉତ୍ତେଜନା ଆଣି ଦେଲା, ମନ ଚଞ୍ଚଳ ହୋଇ ଉଠିଥିଲା । ଯୁବକର ପରଶ ଆଣୁଥିଲା ପ୍ରାଣରେ ପୁଲକ । ଅଜଣା ପୁଲକ । ସେତିକି । ମିଳନ କଅଣ ଜାଣିନାହିଁ, ଜାଣିବାର ଆଗ୍ରହ କି ପ୍ରବୃତ୍ତ ହୋଇ ନ ଥିଲା । ବିବାହ କଥାଟା ମନରେ ପଶି ନ ଥିଲା । କିନ୍ତୁ ଯେଉଁଦିନ ସଞ୍ଜବେଳେ ଏହି ଅନ୍ଧାର ଘରେ ଦାମଭାଇ ମୋତେ ତାଙ୍କର ଛାତି ଉପରେ ଧରି ନଇଁଲା ମୁହଁରେ ବୋକ ଦେଲେ, କାନ ପାଖରେ ତୁନିତୁନି କହିଲେ, ଗୀତା, ତୁ ମୋର, ଚିରଦିନ ମୋର, ଇହକାଳ ପରକାଳ ସବୁବେଳେ । ତୋତେ ମୁଁ ବାହା ହେବି, ଯେମିତି ହେଉ । ବାହା ହେବା କଥାଟି ପ୍ରଥମ କରି ମୋ ଶିରାପ୍ରଶିରାରେ ବିଜୁଳି ଚମକ ଆଣିଥିଲା ସେଦିନ ସଞ୍ଜରେ । ସେତେବେଳେ ମୋର ବୟସ ଚଉଦ । ଚାରିବର୍ଷ ତଳର କଥା ।

 

ସେଦିନରୁ ଦାମ ଭାଇଙ୍କ ପାଖରୁ ମୁଁ ଦୂରେଇ ରହିଛି । କିନ୍ତୁ କେହି କିଛି ବୁଝି ପାରନ୍ତି ନାହିଁ । ବୁଝେ ମୁଁ, ଆଉ ବୋଧହୁଏ ବୁଝିଥିବେ ସେ । ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିବ ।

 

ପିଲାଦିନୁ ସେ ମୋତେ ଭଲ ପାଆନ୍ତି । ଗରିବ ବଡ଼ଲୋକ ଭେଦଭାବ ତାଙ୍କଠାରେ ନ ଥାଏ । ମୋତେ ସେ ସଙ୍ଗରେ ନଈକୁ ଗାଧୋଇ ନିଅନ୍ତି । ମେଲଣ ଦେଖାଇବାକୁ ଆଖପାଖ ଗାଁକୁ ନିଅନ୍ତି । ଯାତ୍ରା ଖର୍ଚ୍ଚ ଦିଅନ୍ତି, ତା ଛଡ଼ା ଯାତ୍ରାରୁ ଭଲ ଭଲ ଜିନିଷ କିଣି ମୋତେ ସେ ଦିଅନ୍ତି । ବାପା ବୋଉଙ୍କୁ ସେ ଭକ୍ତି କରନ୍ତି । ବେଳେ ବେଳେ ମହନି ଜେଠାଙ୍କୁ ଲୁଚାଇ ଅଭାବ ଅସୁବିଧା କଥା ବୁଝନ୍ତି । ସେଥିପାଇଁ ବାପା ବୋଉ ମଧ୍ୟ ତାଙ୍କୁ ଭଲ ପାଆନ୍ତି । ତାଙ୍କ ସଙ୍ଗେ ମୋତେ ଛାଡ଼ି ଦେବାକୁ ଆପତ୍ତି କରିବା ପରିବର୍ତ୍ତେ ଆଗ୍ରହ ଆନନ୍ଦ ଅନୁଭବ କରନ୍ତି ।

 

ଦାମ ଭାଇଙ୍କ ସଙ୍ଗରେ ମୁଁ ତାଙ୍କ ଘରକୁ ଯାଏଁ । ପାଞ୍ଚ ଝିଅରେ ସେ କୋଳପୋଛା ପୁଅ-। ପୁଣି, ଝିଅମାନେ ସମସ୍ତେ ପରଘରୀ । ମହନି ଜେଠା ଓ ଜେଠେଈଙ୍କର ସେ ଆଖିର ପିତୁଳା । ଅଲିଅଳ, ଗେଲବସର । ଯାହା କରନ୍ତି ବାଧା ଦିଅନ୍ତି ନାହିଁ । ତାଙ୍କ ସଙ୍ଗେ ମୁଁ ଗଲେ ମୋତେ ବି ଜେଠା ଜେଠେଈ ସୁଖ ପାଆନ୍ତି । ଖାଇବାକୁ ଦିଅନ୍ତି । ଖେଳିବାକୁ କଣ୍ଢେଇ ଦିଅନ୍ତି । ମୋ ରୂପ ଓ ଢଙ୍ଗଢାଙ୍ଗକୁ ଜେଠେଈ ପ୍ରଶଂସା କରନ୍ତି ।

 

ଦାମଭାଇଙ୍କ ସଙ୍ଗେ ବୁଲିବାକୁ ବା ଖେଳିବାକୁ ମୋତେ ଭଲ ଲାଗେ । ବାପା ବୋଉଙ୍କ ପାଖେ ଯେଉଁ ବିଷୟରେ ସଂଙ୍କୋଚ, ତାଙ୍କ ପାଖରେ ସେ ସଂଙ୍କୋଚ ନ ଥାଏ । ମୋର ଦେହ, ମୋର ଲୁଗାପିନ୍ଧା, ମୋର ରୂପ ଉପରେ ଯେପରି ତାଙ୍କର ନଜର ବେଶୀ । ସେତେବେଳେ ସିନା ବୁଝି ନ ଥିଲି, ତାଙ୍କର ହାତର ପରଶ ସର୍ବାଙ୍ଗରେ ଅନୁଭବ କରି ପିଲାଳିଆ ମୋହରେ, ଅଜଣା ଆନନ୍ଦରେ ମୁଗ୍‌ଧ ହୋଇ ରହୁଥିଲି । କିନ୍ତୁ ବୁଝିଲି ସେଦିନ ସଞ୍ଜରେ ସେହି ଯେ ଗାଟିଏ କଥା ସେ ମୋ କାନରେ କହିଥିଲେ, ବାହା ହେବି ।

 

ଦିନ ଦିନକର ଘଟଣା ମନେ ପଡ଼ିଲେ ଆଜି ନିଜକୁ ଲାଜ ମାଡ଼େ । ସତେ ! କେତେ କଥା ସେ ତୁଣ୍ଡ ଖୋଲି କହିଥିଲେ । ମୁଁ ବି ନିଃସଙ୍କୋଚରେ ତାଙ୍କୁ ଜବାବ ଦେଉଥିଲି । ମୁହଁ ଖୋଲି କହିବାକୁ ଆଜି ଜିଭ ପଇଟୁ ନାହିଁ । ତାଙ୍କୁ ଦେଖିଲେ କେବଳ ତାଙ୍କ ପରଶ ମୋହ ପାଇଁ ବ୍ୟାକୁଳ ହୋଇ ପଡ଼ୁଥିଲି । ବୋଉ ପାଖରୁ ନିରୋଳାକୁ ଚାଲି ଆସିବାକୁ କେତେ ଆରା ଧରି କଥା କହୁଥିଲି, ଦାମଭାଇମୋତେ ଦୁଇଟା ବଉଳଫଲ ତୋଳି ଦେଲ । ଦାମଭାଇ, ମୋତେ ଗୋଟାଏ ଚିତ୍ର ଆଙ୍କି ଦେଲ । ଏମିତି କେତେ କଅଣ ।

 

ବଉଳ ମୂଳକୁ ଦିହେଁ ଆସୁ । ଦୁହିଁଙ୍କ ମୁହଁରେ ହସ । ଦୁହିଁଙ୍କ ମନରେ ଅଜଣା ମୋହ । ନ ଜାଣିଲା ପରି ଜାଣି ଜାଣି ତାଙ୍କ ଦେହକୁ ଲାଗି ଲାଗି ଆସେ । ସେ ବି ମୋତେ ଆଉଜାଇ ନିଅନ୍ତି । ବଉଳ ଗଛରୁ ଫୁଲ ନ ତୋଳି କହନ୍ତି, ତୁଇ ତ ବଉଳଗଛ, ଗୀତା । ହସି ହସି ଲୋଟିଯାଏ ତାଙ୍କ ଉପରେ ।

 

ଆମର ଲୀଳାଖେଳାରେ ଯେ ସନ୍ଦେହର କୌଣସି କଥା ଥିଲା, ଏହା ଆଜିଯାଏ କାହାରି ମନରେ ପଶିନାହିଁ । ଅନ୍ୟମାନଙ୍କ ଉହାଡ଼ରେ ଦିଓଟି ଜୀବ ଯେ କେଉଁ ଅଜଣା ମୋହରେ ଲୁଚକାଳି ଖେଳୁଛନ୍ତି ସେ କଥା ବା ବିଶ୍ୱାସ କରିବ କିଏ କିପରି ? ସବୁତ ପିଲାତଳେ ଯାଏ ।

 

ବାହାଘରର ଚିନ୍ତା ମନରେ ମୋର ପଶିଲା । ଭଲ ମନ୍ଦର ଭାବ ଆସି ମୋର ଅସ୍ଥିର ବିବେକରୁ ସ୍ଥିର କରିଦେଲା । ଅନ୍ୟମାନଙ୍କ ଆଗରେ ଦାମଭାଇଙ୍କ ପ୍ରତି ପୂର୍ବର ସ୍ନେହ ଓ ପୂର୍ବର ଭାବପୋଷଣ କଲେ ବି ନିରୋଳାରେ ତାଙ୍କ ପାଖରୁ ଦୂରେଇ ରହେ । ସେ ଜାଣନ୍ତି, ମୋର ମନରେ ପରିବର୍ତ୍ତନ ଆସିଛି । କିଛି କହି ପାରନ୍ତି ନାହିଁ । କହିବାର ସୁଯୋଗ ନାହିଁ । ମୁଁ ତାଙ୍କୁ ସେପରି ସୁଯୋଗ କେବେ ଦିଏ ନାହିଁ ।

 

ମନରେ କେତେ ଆଶା ଧରି ସେ ଆସନ୍ତି । ମୁଁ ବୋଉ ଆଗରେ ହସି ହସି ତାଙ୍କୁ କଥା କହେ । ପାନ ଭାଙ୍ଗିଦିଏ । କେତେ ପ୍ରକାର ନିରୀହ ଥଟ୍ଟା କରେଁ, ପୁଣି ଆସିବାକୁ ଅନୁରୋଧ କରେ-। ବୋଉ ଅନ୍ୟଆଡ଼େ ଚାଲିଗଲେ, ମୁଁ କାମର ବାହାନା କରି ଉଠିଯାଏଁ ।

 

ସେ କିଛି ନ ବୁଝିଲା ପରି ବଲ ବଲ କରି ମୋ ମୁହଁକୁ ଚାହିଁ ଧୀରେ ଧୀରେ ଫେରି ଯାଆନ୍ତି । ମୁଁ ସ୍ୱର କଅଁଳେଇ ତାଙ୍କୁ ଶୁଣାଇ କହେ, ଦାମଭାଇ, ତମକୁ ରାଣ ଅଛି, ନିଶ୍ଚୟ କାଲି ଆସିବ । ସେ ଛୋଟ ହଉଟିଏ କହି ଚାଲିଯାଆନ୍ତି ।

 

ସେ ଆସନ୍ତି, ଆସନ୍ତି ଥରକୁ ଥର । ଲୋକ ଦେଖଣାରେ ମୋର ବ୍ୟବହାରରେ ପରିବର୍ତ୍ତନ ଦେଖି ପାରନ୍ତି ନାହିଁ । ସବୁ ବୁଝନ୍ତି, କିଛି ବୁଝନ୍ତି ନାହିଁ । ନିରୋଳାରେ ମୋତେ କେବେ ଦେଖିଲେ କଅଣ କହିବେ କହିବେ ହୁଅନ୍ତି । ହାତଧରି ଅଟକାଇ ରଖିବାକୁ ଚେଷ୍ଟା କରନ୍ତି । ମୁଁ ବାଁରେଇ ହୋଇନୋହିଲେ ହାତ ଟାଣିନେଇ ତାଙ୍କ ଆଗରୁ ଚାଲି ଆସେ ବୋଉ ପାଖକୁ । ସେ ଆସନ୍ତି ପଛେ ପଛେ । ବୋଉ ଆଗରେ ମୋ ପୂର୍ବ ସ୍ୱାଧୀନତା ଫେରିଆସେ ।

 

ଦିନେ, ବୋଉ ବାରିଆରେ ଅଛି, ହଠାତ୍ ସେ ଆସି ମୋ ଆଗରେ ଠିଆ ହେଲେ । ଛାଇ ନେଉଟ ବେଳ । ଘର ଭିତରୁ ବାହାରି ଯିବାକୁ ଉପାୟ ରହିଲା ନାହିଁ ।

 

ପଚାରିଲେ, ଗୀତା, ତୁ ଆଜିକାଲି ମୋତେ ଭଲ ପାଉନାହୁଁ ?

ଛାତିରୁ ନିଆଁ ଖସି ପଡ଼ିଲା । କହିଲି, କିପରି ଜାଣିଲ ?

ସେ ମୁହଁ ମଉଳାଇ କହିଲେ, ତୋର ଢଙ୍ଗରୁ ।

ମୁଁ ଟିକିଏ ତୁନି ରହି କହିଲି, ମୋର ଢଙ୍ଗରେ କିଛି ବଦଳା ଦେଖିଛ ?

ପଚାରୁଛ– ସତେ ଯେପରି କିଛି ଜାଣୁନାହୁଁ ।

ମୁଁ ତ କିଛି ଜାଣେ ନାହିଁ କହି ହସିଲି ।

ସେ ମୋର ହାତ ଧରିଲେ । ହାତ ଖସାଇ ନେଲି ।

ସେ କହିଲେ, ଏଇ ତ ତୋର ଢଙ୍ଗ ।

ସଫା ସଫା କହିଦେଲି, ମୋ ଦେହରେ ହାତ ଦିଅନାହିଁ ଦାମଭାଇ ।

ପଚାରିଲେ, କଅଣ ଦୋଷ ହେଲା ? ମୁଁ ଯେ ତତେ ବାହା ହେବି ଲୋ, ଗୀତା ।

 

ଲାଜରେ ମୁଣ୍ଡ ନୁଆଁଇଲି । କହିଲି, ସାହସରେ, ତା ଆଗରୁ ପରଝିଅ ଦେହରେ ହାତ ଦେବାର ଅଧିକାର ତମର ନାହିଁ ।

 

ସେ ଅବାକ୍ ହୋଇ କଅଣ ଭାବିଲେ । ମୁଁ ଘର ଭିତରୁ ଛୁଟିଗଲି ବାରିଆଡ଼କୁ । ଆଗ୍ରହରେ କହି ଉଠିଲି, ବୋଉଲୋ ଦାମଭାଇ ଆସିଛନ୍ତି ।

 

(୮)

 

ତିନୋଟି ବର୍ଷ କଟିଗଲା । ଆମର ଦରିଦ୍ର ଜୀବନ ଉପରେ ସୁଖ ଦୁଃଖର କେତେ ଢେଉ ଖେଳିଗଲା । ତଥାପି ଦାମଭାଇଙ୍କର ଆସିବାର ଊଣା ନ ଥାଏ । କି ମୋହରେ ଯେ ସେ ଆସନ୍ତି କେବଳ ତାଙ୍କୁହିଁ ଜଣା । ଦେଖା ହେଲେ ଆଗ୍ରହରେ ପାନ ଦି ଖଣ୍ଡି ଭାଙ୍ଗି ଦେବା ଛଡ଼ା, ହସି କରି ପଦେ ଅଧେ ଏଣୁ ତେଣୁ କହିବା ଛଡ଼ା, ତାଙ୍କୁ କେବେ ହେଲେ ଅଧିକ ପ୍ରଶ୍ରୟ ଦେଇନାହିଁ । କିନ୍ତୁ, ସେ ଯେପରି ଅନ୍ୟ କଅଣ ଚାହାନ୍ତି ।

 

ତାଙ୍କର ଅନ୍ୟଠାରେ ବାହାଘର ସ୍ଥିର ହେଲା । ମୋତେ କେଜାଣି କାହିଁକି ଖରାପ ଲାଗିଥିଲା । ତାଙ୍କୁ ଯେ ମୁଁ ବାହାହେବି ବୋଲି କଳ୍ପନା କରିଥିଲି ବା ଆଶା କରିଥିଲି ଏପରି ନୁହେଁ । ତାଙ୍କୁ ଯଦି ମୁଁ ବାହା ହୋଇଥାନ୍ତି ଜୀବନରେ ସୁଖୀ କି ଦୁଃଖୀ କଅଣ ହୋଇଥାନ୍ତି ସେ କଥା ମୁଁ କହି ପାରୁନାହିଁ । କେବେ ଭାବି ନ ଥିଲି । ମୋର ବାହାଘର ପାଇଁ ଯେଉଁମାନେ ବ୍ୟସ୍ତ ଓ ଦାୟୀ ହୁଏତ ସେମାନେ କଅଣ ଭାବିଥିବେ; କିନ୍ତୁ ତଥାପି ଯେଉଁଦିନ ଦାମଭାଇଙ୍କର ବାହା, ସେଦିନ ମୋର ମନ କେଉଁଠି ଲାଗିଲା ନାହିଁ । ଭିତରେ କୋହ ତୁହାଇ ତୁହାଇ ଉଠିଲା । ଆଖି ଥରକୁ ଥର ଲୁହରେ ଭରିଗଲା । ସେ ଦିନର ସେହି ସଞ୍ଜବେଳର କଥାଟି ଆସି ମନରେ ପଡ଼ିଲା ।

 

ନିଜକୁ ନିଜେ ପଚାରିଲି, କାହିଁକି ? ପିଲାଦିନର ଖେଳ କୌତୁକ, ସାଙ୍ଗ ମେଳ, ହାମ ପରିହାର ବା ପରସ୍ପର ପ୍ରତି ଆକର୍ଷଣରେ ମୋହ ଉତ୍ତେଜନା ପାଇଁ ଯେଉଁ ଦୁନିଆଁ ଭୁଲା ଲାଜ ସଂଙ୍କୋଚହୀନ ମିଳାମଶା, ତହିଁରେ ବିବାହର ଚିନ୍ତା ତ କେବେ ଆସି ନ ଥିଲା । ପରସ୍ପର ସାନ୍ନିଧ୍ୟ ଭଲ ଲାଗେ, ମନରେ ଆନନ୍ଦ ଆଣେ, ସେତିକି ପାଇଁ ସିନା ଆମେ ପାଗଳ ! କିନ୍ତୁ, ନା, ମନର କେଉଁ ଅନ୍ଧାରୀ କୋଣରେ ଦିକିଦିକି ଜଳୁଥିବା ଦୀପଟିଏ, କେବଠୁଁ କେଜାଣି, ଅତି ଆପଣାର, ଅତି ପୁରୁଣା ଜଣାଶୁଣା । ସେହି ବାଟ ଦେଇ କେତେ ଭାବନା ଚାଲିଯାଇଛି, ତିନି ଦିନିଆଁ ଆଲୁଅଟିର ଦେଖଣା ବାଟରେ, କେବେ କେହି ତା ଆଡ଼କୁ ମୁଣ୍ଡ ଟେକି ଚାହିଁନାହିଁ । କିନ୍ତୁ ଯେଉଁଦିନ ଦୀପଟି ଲିଭିଗଲା, ଲିଭିଗଲା ଚିରଦିନ ପାଇଁ, ଅନ୍ଧାର ହୋଇଗଲା ମନର ଭାବନା ।

 

ବାହାଘର ପରେ କେତେଦିନ ଯାଏ ଆମ ଘରକୁ ଯିବା ଆସିବା ବନ୍ଦ କରି ଦେଇଥିଲେ-। ତା ପରେ ସେ ଆସିଲେ ବୋଉ ସଙ୍ଗେ ପଦେ ଅଧେ କଥା କହି ପାନ ଦି ଖଣ୍ଡି ନେଇ ଠିଆ ଠିଆ ଚାଲିଯାଆନ୍ତି । ମୋ ମୁହଁକୁ ଚାହିଁବାକୁ ବା ମୋ ସଙ୍ଗେ କଥା କହିବାକୁ ତାଙ୍କୁ ଲାଜ ମାଡ଼େ । ଧୀରେ ଧୀରେ ଏ ସଂଙ୍କୋଚ ବି ଭାଙ୍ଗିଗଲା । ମୋତେ ନିରୋଳାରେ ପାଇଲେ କଅଣ ଯେପରି କହିବେ, ସେଥିପାଇଁ ସେ କେତେ ଇଶାରା ଦିଅନ୍ତି, ପ୍ରକାରାନ୍ତରରେ ବୁଲାଇ କହନ୍ତି-

 

ସବୁ ବୁଝି ନ ବୁଝିବାର ଛଳନା କରେଁ ।

 

ଏତେ ଦିନକେ ଆଜି ସେ ମୋତେ ନିରୋଳାରେ ଦେଖିଥିଲେ । କେତେ କଅଣ କହିବେ ବୋଲି ଇଚ୍ଛା କରିଥିଲେ । ସେ ସୁଯୋଗ ତାକୁ ଦେଲି ନାହିଁ ।

 

ଠିକ୍ କରିଛି କି ଭୁଲ୍ କରିଛି, ଭାବି ସ୍ଥିର କରି ପାରିଲି ନାହିଁ । ତାଙ୍କ ସଙ୍ଗେ ମୋର ଆଉ କି ସମ୍ୱନ୍ଧ ? ପିଲାଦିନୁଁ ଭାଇବୋଲି ଡାକି ଆସିଛି, ଚିରଦିନ ସେ ମୋର ଭାଇ ହୋଇ ରହିବେ । ଭାଇର ଯେତିକି ସମ୍ମାନ, ଯେତିକି ସ୍ନେହ ମମତା ପ୍ରାପ୍ୟ ସେତକ ତାଙ୍କୁ ଦେବାରେ ମୁଁ ତ୍ରୁଟି କରିନାହିଁ, କରିବି ନାହିଁ ମଧ୍ୟ । ତାଙ୍କର ଭାବନା, ତାଙ୍କର ଉଦ୍ଦେଶ୍ୟ ଘେନି ସେ ରହନ୍ତୁ; ସେଥିରେ ମୋର ଯାଏ ଆସେ କଅଣ ?

 

ବୋଉ ନଲଟଣ ନେଇ ଏ ଘରକୁ ଆସିଲା । ଡାକିଲା, ଗୀତା, ଉଠ୍ ମା । ରାତି ପରା ଡେରି ହେଉଛି । ଉଠ୍, ଗଣ୍ଡାଏ ଖାଇଦେଇ ଆ ଶୋଇବୁ । ମୁଁ ଉଠି ବସିଲି ।

 

ଏକୁଟିଆ ଶୋଇ କଅଣ ଏଣୁ ତେଣୁ ଭାବୁଛୁ ?

ପଚାରଲା, ନିଦ ହୋଇନାହିଁ ?

 

ଠିଆହେଲି । ଗୋଟାଏ କିଛି କହିବାକୁ ତ ହେବ । କହିଲି, ନିଦ ହେଲାନାହିଁ । ଭାବୁଥିଲି, ବାପାଙ୍କ କଥା । ବିଦେଶରେ ପଡ଼ିଛନ୍ତି, ଦେହ ଖରାପ, –

 

କହିଲା, ଠାକୁର ଅଛନ୍ତି ମା । ଗରିବର ସେହି ଏକା ସାହା ।

 

(୯)

 

ଚିଠିରେ କଅଣ ଲେଖା ହୋଇଛି ଜାଣିବାକୁ ବୋଉ ଉଦ୍‌ବିଗ୍ନ ହୋଇ ଉଠିଲା । ସକାଳୁ ମନେ ମନେ ଯେପରି କାହାକୁ ଖୋଜୁଥାଏ । ବାରିଆଡ଼କୁ ଯାଇ ବନ୍ଧ ଉପରକୁ ଅନାଇଁ ଆସେ । ଦାମଭାଇ ଆସିବେ ବୋଲି କହିଥିଲେ, କାଳେ ଆସୁଥିବେ । ହତାଶ ହୋଇ ଫେରେ । ଦାଣ୍ଡ ଗୋହିରୀକୁ ଚାହିଁ ଦେଇ ମନ ମାରି ଫେରି ଆସେ ।

କଅଁଳ ଖରା ନୂଆଁଣିଆ ଚାଳିଘରର ମଥାନ ଛୁଇଁ ଦୁଆରକୁ ଆସିଲା । କାକରଭିଜା ଗଛପତ୍ରରେ ସୁନେଲି ଖରାର ପରଶ ଲାଗି ଚିକ୍‍ଚିକ୍ ଦିଶୁଥାଏ । କହିଲି, ବୋଉ, ନଈକୁ ଗାଧୋଇ ଯିବା ନାହିଁ କି ? ଖରା ପଡ଼ିଲାଣି, ଡେରି ହେବ ।

ବୋଉ ଅନ୍ୟମନସ୍କା ହୋଇ କହିଲା, ଆଜି କାହିଁକି ବଡ଼ ହେମାଳିଆ ଲାଗୁଛି । ଥଣ୍ଡା ବାଲିରେ ଗୋଡ଼ ତଳିପା କୋଲ ମାରିଯିବ । କୂଅ ପାଣି ଉଷୁମ ହୋଇଛି । ମୁଁ ଏଇଠି ଗାଧୋଇବି-

ରାଧା ଯଦି ଆଣି ଡାକେ ?

ମୋ କଥା ମୋ ତୁଣ୍ଡରେ ଅଛି, ବାରି ବାଟେ ରାଧା ଆସି ପହଞ୍ଚିଲା ।

କହିଲି, କେତେ ଆଇସ ଲୋ, ତୋଓରି କଥା ମୋ ତୁଣ୍ଡରେ ଅଛି, ତୁ ଆସି ପହଞ୍ଚିଲୁ ।

ରାଧା କାହାର ଦୁଃଖରେ ନ ଥାଏ କି ସୁଖରେ ନ ଥାଏ । ନିଜର ଛୋଟକୁଡ଼ିଆଟିରେ ସେ ତା’ର ପଡ଼ିଥାଏ । ପାଞ୍ଚଘରେ ସାତ ପାଇଟି କରେ, ବୋଲହାକ କରି ସମସ୍ତଙ୍କୁ ଭଜେଇ ରଖିଥାଏ । କେଉଁଦିନ କାହା ଘରେ ଖାଏ ତାର ଠିକଣା ନାହିଁ । ପଇସେ ଅଧଲେ ଯିଏ ଦିଏ ସେ ତାକୁ ସାଇତି ରଖେ । ପିଲାପିଚିକା କେହି ନାହାନ୍ତି । ଏଇ ଗାଁରେ ଜନ୍ମ, ଏଇ ଗାଁରେ ବାହା । ସମସ୍ତେ ମରିହଜି ଗଲେ । ଏକା ସେ ତାର ନାବ ଚଳାଇବି । ପଇଁଚାଳିଶ ବର୍ଷ ହେଲା । ଦେଖିବାକୁ ସୁନ୍ଦର ନ ହେଲେ ବି କେହି କହିବ ନାହିଁ କୁତ୍ସିତ । ଦେହରେ ବଳ ଅଛି, କହନ୍ତି ଦୁଇଟା ମଣିଷର ବଳ ।

ସେ କହିଲା, ଆସ ସାନ୍ତାଣୀ, ଆସ ଦେଈ, ଗାଧୋଇ ଯିବ । କେତେ ମାଇପେ ନଈକୂଳେ ଓସ୍ତମୂଳେ ଚାହିଁ ରହିଛନ୍ତି ।

ବୋଉ ମନା କଲା । ଗାମୁଚ୍ଛା ଖଣ୍ଡି ଧରି ମୁଁ ତା ସଙ୍ଗେ ବାହାରିଲି ।

ସତକୁ ସତ ଓସ୍ତମୂଳେ କେତେ ମାଇପେ, ବୁଢ଼ୀ, ବୋହୂ ଝିଅ । ତାଙ୍କରି ସଙ୍ଗେ ମିଶି ନଈବାଲିକୁ ଗଡ଼ିଲି । ଗଦାଏ ବାଲି, ସେ ପାଖେ ଯାଇ ପାଣି ।

ବୋଉକଥା କିଏ ପଚାରିଲା । ରାଧା ମନା କଲାରୁ ଆଶ୍ଚର୍ଯ୍ୟ ହୋଇ କହିଲା, ଏଁ, ଆଇଲା ନାହିଁ ? ବଢ଼ିଲା ଝିଅଟାକୁ ଏକା ତୋ ସାଙ୍ଗେ ଛାଡ଼ିଦେଲା ?

ଥାପଡ଼ମାଇଲା ପରି ମତେ ଲାଗିଲା । ରାଧା କଥାକୁ ଚଳାଇ ନେଇ କହିଲା, ସେ କଣ ଛାଡ଼ିଥାନ୍ତେ ଗୀତାକୁ ? ଶୁଣିଲେ, ତମେ ହେରିକା ଆସିଛ । ତମମାନଙ୍କଠୁଁ କଅଣ ଗୀତାବୋଉ ବଡ଼ ? ଆଉ କିଛି ପ୍ରତିବାଦ ହେଲା ନାହିଁ । ନିଜେ ସାବଧାନ ହେବାକୁ ମୁଣ୍ଡରେ ଓଢ଼ଣା ଦେଇ ଅରୁର ପାଖେ ପାଖେ ଚାଲିଲି ।

ଅରୁନ୍ଧତୀ ନିତେଇ ଦାଦାଙ୍କ ଝିଅ – ସମବୟସୀ । ପିଲାଦିନର ସାଙ୍ଗ । ଭଲଟିଏ । ଦି ବର୍ଷ ହେବ ବାହା । ପୁଆଣି ହୋଇ ଆସିଛି । ଦେଇ ନେଇ ବାହା କରିଛନ୍ତି । ଭଲ ଘରେ, ଭଲ ବର ପାଇଛି ।

ତୁନି ତୁନି କରି ତା ସଙ୍ଗେ ଦି ଚାରି ପଦ କଥାଭାଷା ହେଉଛି, ବୟସ ବେଶୀ ନ ହେଲେ ବି ଆଈ ନେଖା ହେବ ଜଣେ, ଶୁଣେଁଇ କହିଲା, ଶିଖ୍‌ଲୋ ମା ଶିଖ୍‌, ନୂଆ ଗେରସ୍ତ ପାଇଚି ଅରୁଟି-। କେତେ ନୂଆକଥା ଜାଣି ଆସିଥିବ, ପଚାରି ସବୁ ବୁଝି ନେ ।

ମୋର ପାଟି ବନ୍ଦ ହୋଇଗଲା । ଥଟା କଥା ହେଲେ ବି ସତେ କି ମୋର ଦେହରେ ଛୁରି ଚାଲିଗଲା । ଗାଁ ଗଣ୍ଡାରେ ଘର କରି ଝିଅ ବୋହୂଙ୍କର ତୁଣ୍ଡ ଖୋଲିବାର ଅଧିକାର ନାହିଁ । ଯିଏ ଯାହା କହୁ, ଶୁଣି ତୁନି ରହିବାକୁ ହେବ । ଅନୁତାପ କଲି । ବୋଉର କଥା ନ ମାନି ମୁଁ ଆସିଲି କାହିଁକି ?

ରାଧା କଅଣ ଭାବୁଥିଲା । ହଠାତ୍ କହି ଉଠିଲା, ଆଈଙ୍କ ମନରେ ଭାରି କଷ୍ଟ ଲୋ ଗୀତା, ତାଙ୍କଠୁଁ ନ ବୁଝି ଅରୁଠୁଁ ବୁଝୁଛୁ କଅଣ ? ଅରୁ ସିନା ଜଣକର କଥା କହିବ, ଗୋଟିଏ ଘାଟର ପାଣି ଚାଖିଛି, ଆଈତ ଆମର–

କଥାଟା ଠିକଣା ଜାଗାରେ ଅଧା ରଖିଦେଲା । ଆଉମାନେ ହସିଉଠିଲେ । ଆଈ କଥାଟି ବାଁରେଇ ନେଲେ ।

ରାଧାକୁ ମନେ ମନେ ପ୍ରଶଂସା କଲି । ବାସୁ ଦାଦିଙ୍କ ଝିଅ ରେଣୁ, ଖୁସିରେ ମତେ କୁଣ୍ଢାଇ ପକାଇ କହିଲା, ଦେଖିଲୁ କେମିତି ଜବତ୍ କଲା ଆଈକି ?

ମୁଁ ସାମାନ୍ୟ ହସିଲି । ହସିଲି ଭିନ୍ନ କାରଣରୁ । ରେଣୁଟା କାଲିକାର ପିଲା । ମୋଓରି ଆଗରେ ଲଙ୍ଗଳା । ତେରବର୍ଷ ଟପିଛି କି ନାହିଁ । ସେ ବି ରାଧା କଥାର ମର୍ମ ବୁଝିଲା । ମୁଁ ତୁନି ରହିଲି । ବେଶୀ କଥାବର୍ତ୍ତା କଲିନାହିଁ ।

ଗାଧୁଆ ଘାଟରେ ମାଇପି ମହଲରେ କେତେ ବିଷୟରେ ଚର୍ଚ୍ଚା ହେଲା ବାର ଘର ଚିନ୍ତା, ବାର ଘର କଥା । ମୁଁ କାନଡ଼େରି ରହିଥାଏଁ । ମୋ କଥା କିଏ କଅଣ ପକାଇଲା କି ?

ବିମଳା ଭାଇଙ୍କ ସ୍ତ୍ରୀ, କାନ ଯାଏ ତାଙ୍କ ପାଟି ଚିରା । ତାଙ୍କରି ଡିମା ଡିମା ଆଖିରେ ପଡ଼ିଗଲି ମୁଁ । ବାଳିଆ ମାଛ ପରି ପାଟି ପାକୁ ପାକୁ କରି, କଳାମୁହଁରେ ଦି ପାଟି ଧଳା ଦାନ୍ତ ଦେଖାଇ ମୋରିଆଡ଼କୁ କଣେଇ ଚାହିଁଲେ । ପାଖ ମାଇପିଟିର କାନ ପାଖରେ କହିଲେ, ଗୀତା ବୋଉଖୁଡ଼ୀ ଛାତିରେ ପଥର ଲଦି ଆତଯାତ ହେଉଛି । ଝିଅ, ଘିଅ । ଦେଖିଲୁ, ଗୀତା କଅଣ ଅଭିଆଡ଼ୀ ଝିଅ ପରି ଦିଶୁଛି ? ଆର ଜଣକ ମୁହଁ ବୁଲାଇ ମୋ ଆଡ଼କୁ ଚାହିଁଲା । କିଛି କହିଲା ନାହିଁ ।

ସେ ପୁଣି କହିଲେ, କାହିଁକି ଆଉ ରଖି ବସିଛନ୍ତି କେଜାଣି ? ନାଁ ନିନ୍ଦା, ଗାଁ ନିନ୍ଦା । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଲେ କି ଲାଭ । ନିଜ ଶକ୍ତିକୁ ଚାହିଁ ମୂଲିଆ ମୂରୁଖ ଦେଖି ବୋଝ ଉଠାଇଲେ ସିନା ହୁଏ । ବେଳ ବୟସ କଣ ଆସୁଛି ଝିଅଟାର ?

ସେହି ନଈର ଅଥଳ ପାଣିରେ ବୁଡ଼ି ମରିବାକୁ ମନ ହେଲା । ଆଖିରୁ ମୋର ଲୁହ ଗଡ଼ି ପଡ଼ିଲା ।

ରୁକ୍ଷ ସ୍ୱରରେ ରାଧା କହିଲା, ଆଜି ଯଦି ତା ବୋଉ ଆସିଥାନ୍ତା ଲୋ, ତୋ ପାଟି ଦି ଫାଳ ଆହୁରି ଚାଖଣ୍ଡେ ଚିରି ଦେଇଥାନ୍ତା । ମନେ କରିଛୁ, ସେ ଏକୁଟିଆ ଆସିଛି ବୋଲି ଯାହା ଇଚ୍ଛା ତାହା କହିଯିବୁ । ସେ କଥା ଭାବିବୁ ନାହିଁ । ରାଧା ଯେତିକି ଭଲ ସେତିକି ମନ୍ଦ । ଯଦି ପୁରାଣ ଖୋଲି ବସିବି ଏଇ ନଈରେ ବୁଡ଼ି ମରିବାକୁ ତୋର ବାର ସହିବ ନାହିଁ । ଭୁଲିଗଲୁ କିଲୋ, ବିମଳା ପରା ସାତଦିନ ଯାଏ ଘରେ ପଶି ନ ଥିଲା । କାହିଁକି ଟିକିଏ ମନେ କଲୁ ? ମନେ ପଡ଼ୁନାହିଁ ? ତମ ଗାଁର କିଆ ଗୋହିରୀ ପାଖେ ଆଜି ବି ନିଶୂନ ଅନ୍ଧାର ରାତିରେ କଅଁଳା ପିଲାର କୁଆଁକୁଆଁ ଶୁଣି ଦମ୍ଭିଲା ଲୋକର ଛାତି ଥରି ଉଠେ ।

ସମସ୍ତେ ରାଧା ଆଡ଼କୁ ଚାହିଁଲେ । ରାଧା ରାଗିଛି । ସେ ରାଗେ ନାହିଁ ସହଜରେ । ରାଗିଲେ ତାକୁ ତିନିପୁର ଅନ୍ଧାର ଦିଶେ । କଅଣ କହେ ତା’ର ବାଇସ ରହେ ନାହିଁ । କେହି କିଛି କହିଲେ ନାହିଁ । ବିମଳା ଭାଇଙ୍କ ସ୍ତ୍ରୀ ତୁନି ହୋଇ ରହିଲେ ।

ମୁଁ ଲୁଗା ପାଲଟି ନଈ କୂଳରେ ଠିଆହୋଇ ଭୟରେ ଗୋଟାଛାଏଁ ଥରୁଥାଏ । ମୋ ପାଖରେ ରେଣୁ ଓ ଅରୁ ଠିଆ ହୋଇଥାନ୍ତି ।

ଅରୁ କହିଲା, ଗୀତା ଅପା, ଆଗରେ ଯିବା ଚାଲ । ସେମାନେ ପଛରେ ଆସୁଥାନ୍ତି ।

ଆମେ ତିନିହେଁ ଚାଲି ଆସିଲୁଁ । ଖରା ଟାଣ ହୋଇ ଆସିଥାଏ ।

 

(୧୦)

 

କିଏ କଅଣ ଭାବୁଥାଏ କେଜାଣି, ମୁଁ ଭାବୁଥାଏ ମୋ ନିଜ ର୍ଦୁଭାଗ୍ୟର କଥା । ନରାଙ୍ଗ ଗାଁରେ ଏତେ ଝିଅ ଥିଲେ, ମୋ ପରି ହଟହଟା କେହି ହୋଇ ନାହିଁ । ମୋଠୁଁ ସାନ ଝିଅମାନେ ପରଘରକୁ ଯାଇ ଭାଗ୍ୟ ଆଦରି ସୁଖେ ଦୁଃଖେ ସଂସାର କଲେଣି । ମୋ ପରି ଦହଗଞ୍ଜିଆ ଜୀବନ କାହାର ଅଛି ?

ଅରୁନ୍ଧତୀ ମୋଠାରୁ ଦି ମାସ ସାନ । ଦୁଇ ବର୍ଷ ସଂସାର କରି ମନ ଖୁସିରେ ପୁଆଣି ହୋଇ ଆସିଛି । ନିରୂପମା ଗୋକୁଳିଭାଇଙ୍କ ଝିଅ, ମୋଓରି ସାଙ୍ଗର । ଦି ବର୍ଷ ବୋହୂ ପଣିଆ କରି କୋଳରେ ଚାରି ମାସର ପୁଅ ଧରି ଆସିଛି । ଗାଁରେ ପାଞ୍ଚଟା ବୋହୂ ଆସିଲେଣି । ସେମାନେ ବୟସରେ ମୋଠୁଁ ସାନ ହେବେ ।

ଲୋକେ ମୋତେ ବାରକଥା କହିବେ, ନିନ୍ଦା କରିବେ, ଏଥିରେ ସନ୍ଦେହ କଅଣ ଅଛି ? କାହା ପାଟିରେ କିଏ ହାତ ଦେବ ? କିଏ କାଳେ କଅଣ କହିଦେବ, ସେହି ଲାଜରେ ଦୁଇବର୍ଷ ହେଲା କାହାରି ଘରକୁ ବୁଲି ଚାଲି ଯାଏ ନାହିଁ ।

ମନକୁ ମନ ବୁଝାଏଁ, ମୋର ବାହାଘର ତ ମୋରି ହାତରେ ନାହିଁ । ଯେଉଁମାନଙ୍କ ହାତରେ ଅଛି ସେମାନେ କରିବେ କଅଣ ? ସବୁ ଚେଷ୍ଟା ଗୋଟାଏଆଡ଼େ, ଭାଗ୍ୟ ଗୋଟାଏଆଡ଼େ-। ଲୋକେ କଅଣ ଏହି କଥା ବୁଝିପାରନ୍ତି ନାହିଁ ? ଦେଖାଇ ଶୁଣାଇଁ ଥଟ୍ଟା କରନ୍ତି, ପରିହାସ କରନ୍ତି-। ମହନି ଜେଠାଙ୍କ ପରି ଲୋକ, ସେଦିନ ଆମ ଘରକୁ ଆସି ଶୁଣାଇଁ ଶୁଣାଇଁ ବୋଉକୁ କହିଗଲେ, ଭୋଳିକୁ ଲେଖିଦିଅ ବୋହୂ, ଏଣିକି ଆଉ ଶୋଭା ପାଉନି । ଯେଉଁଠି ହେଲେ ଏହି ମାଘରେ ନିମିତ୍ୟ ଉଠାଇ ଦେଉ । ଭଲମନ୍ଦ ବାରିବାକୁ ବେଳ କଅଣ ଆଉ ଆସୁଛି !

ଆଉ ଦିନେ, ନିତେଇ ଦାଦା ଆସି ବୋଉକୁ ଝିଙ୍ଗାସି ଗଲେ, ତମେ କିଛି ଏକା ଝିଅ ଜନମ କରିନାହଁ । ଯେଉଁ ପାତ୍ରଗୁଡ଼ିକଙ୍କୁ ନାପସନ୍ଦ କରି କାଟିଦେଲ, ସେମାନେ ଓଥରା ରହିବେ ? ଭଗବାନ ସେମାନଙ୍କ ପାଇଁ ତ ପୁଣି ଖଞ୍ଜିଛି ? ନା ନା, ଏ ସବୁ କଥା ଭଲ କରୁନା । ଥରେ ଭାବି ଦେଖ ।

ବୋଉ କହିଲା, ନିତେଇ, ଗୀତା ଗାଈ ବାଛୁରୀ ନୁହେଁ ଯେ ଯାହାରି ପାରି ତା ଗୁହାଳରେ ବାନ୍ଧି ଦେଇ ଆସିବି । ତମର ତ ଝିଅ ଅଛି, କହିଲ, ଯେଉଁ ସବୁ ପାତ୍ର ଆସିଲେ, ତମ ଅରୁକୁ ସେଠି ଦେଇଥାନ୍ତ ? ଠାକୁରେ ସିନା ଧନ ଦେଇନାହାନ୍ତି ନିତେଇ, ମନ ଦେଇଛନ୍ତି ସଭିଙ୍କୁ-

ଆଉ ଦିନେ ବାସୁଦାଦା ଆସି ତେଜରେ କହିଲେ, ଶୁଣୁଛ ନୂଆବୋହୂ, ଏଇଟା ଭଲକଥା କରୁନାହଁ । ହାତରେ ଧନ ନାହିଁ ତ କେଉଠୁ ଦଶ ପଚାଶ ଆଣି ଗୀତକୁ ଉଠାଇ ଦିଅ । ବାର ଗାଁରେ ନାଁ ପଡ଼ିବା ଭଲ ନୁହେଁ ।

ବୋଉ କହିଲା, ଯେଉଁମାନେ ନାଁ ପକାନ୍ତି ତାଙ୍କର ଝିଅ ଭଉଣୀ ନାହାନ୍ତି କି ?

ବୋଉର କଥା ଶୁଣିଲେ ମନରେ ସାହସ ଆସେ, ଦମ୍ଭ ଆସେ । ପରକ୍ଷଣରେ ମୁଣ୍ତ ଗୋଳମାଳ ହୋଇଯାଏ । କେତେ ଜାଗାରୁ ଟିପଣା ଆସିଛି, ଟିପଣା ସୁଝିଛି । କେଉଁଠି ଭାଙ୍ଗେ ଦବା ନବା ପାଇଁ, କେଉଁଠି ବା ଦୋବେହି ବର ବୋଲି ।

ଠାଏ ଦି ଠାଆର ବରପକ୍ଷ ଜିଗର୍‌ଧରି ବସିଥିଲେ । ବାପା ମଙ୍ଗି ଆସୁଥିଲେ, ବୋଉ ଭାଙ୍ଗି ଦେଲା । ଗୋଟିଏ ପାତ୍ର ମିଚିମିଚି କଳା । ବୋଉ ଜାଣେ, ମୁଁ କଳା ମଣିଷକୁ ନାକ ଟେକେ । ସେ କହିଲା, ଧନ ସମ୍ପତ୍ତିରୁ କଅଣ ମିଳିବ, ଝିଅ ଯଦି ମନ ଅଶାନ୍ତିରେ ଦିନ କାଟିବ ? ଆର ଜାଗାଟି, ପାତ୍ର କୁଆଡ଼େ ସୁନ୍ଦର, ହେଲେ, ଗଦାଏ ବୟସ । ମୋର ଦିଗୁଣ । ଗଜ ମୂର୍ଖ । ଘରେ କିଛି ନାହିଁ ! ସେଠି ବି ଭାଙ୍ଗିଲା ।

ବେଳେ ବେଳେ ମୋ ଆଖି ଆଗରେ ଜଣକର ରୂପ ଉଭା ହୁଏ । ସେ ଗରିବ, ବେଶୀ ପାଠ ପଢ଼ି ନାହାନ୍ତି । ତଥାପି ମୋ ମନ କେଜାଣି କାହିଁକି ତାଙ୍କରି ଆଡ଼କୁ ଢଳି ପଡ଼େ । ସୁନ୍ଦର, ସ୍ୱାସ୍ଥ୍ୟବାନ୍‌ ଯୁବକ । ଶାନ୍ତ, ଧୀର ! ହସ ହସ ମୁହଁ । ମିଠା କଥାରେ ଛାତିରେ ଅଜଣା ମୋହ ଜାଗି ଉଠେ । ତାଙ୍କର ସେବା କରିବାର ଅଧିକାର ଯଦି ଜୀବନରେ ପାଇ ପାରନ୍ତି ମୁଁ ଧନ୍ୟ ହୁଅନ୍ତି ।

ବାପା ବୋଉଙ୍କ ଆଖି ଏବେ ବି ଅତି ଉଚ୍ଚାରେ । ତଳକୁ ଓହ୍ଲାଇ ନାହିଁ । ସେ କାହିଁକି ଗରିବ ପିଲାଟିକୁ ଆଡ଼ ଆଖିରେ ଚାହଁବେ । ମରିଯିବ ପଛେ କାହାର ଆଗରେ ପାଟି ଖୋଲିବି ନାହିଁ । ଛି, ଝିଅ ଜନ୍ମ ପାଇ ବାହାଘର କଥାରେ ତୁଣ୍ତ ଖୋଲିବାଠାରୁ ବଳି ଲାଜ କଥା ଆଉ କଅଣ ଅଛି ? ତାଙ୍କର ପୁଣି ବଡ଼ଭାଇ ଅଛନ୍ତି ।

ଭାଇ ଦିହେଁ ଆମ ଗାଁକୁ ଆସନ୍ତି । ବିମଳା ଭାଇଙ୍କ ବୋଉ ତାଙ୍କ ପିଉସୀ ଲେଖା । ଦୁଇବର୍ଷ ତଳେ ବିମଳା ବୋଉ ବଡ଼ମାଙ୍କର ସୁଧଘରକୁ ଆସି ଆମ ଗାଁରେ ଦି ଚାରିଦିନ ରହିଥିଲେ-। ସାନଭାଇ ଆସିଥିଲେ ଆମ ଘରକୁ ବୁଲି । ଦୁଇବର୍ଷ ତଳେ, ସଞ୍ଜବୁଡ଼େ ।

ସେହିଦିନଠୁଁ ଆମ ଗାଁକୁ ଯେବେ ସେ ଆସନ୍ତି, ଆମ ଘର ଆଡ଼େ ବୁଲି ଆସନ୍ତି । ବୋଉ ତାଙ୍କୁ ସୁଖ ପାଏ । ପୁତୁରା ଲେଖା କରେ । ବୋଉକୁ ସେ ଅପା ବୋଲି ଡାକନ୍ତି ।

ବନ୍ଧ ଉପରକୁ ଉଠିଲୁଁ । ଦେହର ଓଦା ଲୁଗା ଦରଶୁଖା ହେଲାଣି । ରେଣୁ କହିଲା, ଗୀତା ଅପା, ଏଥର ତୁ ଘରକୁ ଯା, ଆମେ ଦିହେଁ ଏ ବାଟେ ଯାଉଛୁ ।

କହିଲି, ହଉ ଯା ରେଣୁ, ଭୁଲିବୁ ନାଇଁ, ମନେ କରୁଥିବୁ ।

 

(୧୧)

 

ଖଞ୍ଜା ଭିତରକୁ ଆସି ଦେଖିଲି, ପିଣ୍ତା ଉପରେ ସପ ପରା ହୋଇଛି । ଦାମ ଭାଇ ସେଇଠି ବସି କାଗଜ ଧରି କଅଣ ଲେଖୁଛନ୍ତି । ବୋଉ ତାଙ୍କ ଆଗରେ ବସି ତନ୍ମୟ ହୋଇ ଚାହିଁ ରହିଛି । ମୁହଁ ପ୍ରଫୁଲ୍ଲ ଦେଖା ଯାଉଛି ।

 

ଘଟଣାଟି ବୁଝିନେଲି । କିଛି ନ ଜାଣିଲା ପରି ଗୋଡ଼ ଚିପି ଚିପି ଘର ଭିତରକୁ ପଶି ଯାଉଥିଲି. ଦାମଭାଇ ମୁହଁ ଟେକି ଚାହିଁଲେ । ଲେଖା ବନ୍ଦକରି କହିଲେ, କି ଲୋ, ନଈରେ ପହଁରୁଥିଲୁ କି ?

 

ଉତ୍ତର ନ ଦେଇ ଘର ଭିତରକୁ ଗଲି ।

ଦାମଭାଇ କହିଲେ, ଚିଠି ଲେଖା ସରିଲା ଖୁଡ଼ୀ, ପଢ଼ି ଦେଉଛି ଶୁଣ । ପଢ଼ିଲେ–

 

ତମ ଦେହ କଥା ଶୁଣି ଅତି ବ୍ୟସ୍ତ ଲାଗୁଛି । ରୀତିମତ ଔଷଧ ଖାଇବ । ଘରକୁ ଟଙ୍କା ନଦେଲେ ନାହିଁ ।

 

ଗୀତାର ଟିପଣା ପଠାଇଲି । ତମ ଚିଠିରୁ ଯାହା ବୁଝିଲି, ପାତ୍ରଟି ମୋ ମନକୁ ପାଉଛି । ଗୀତାନାଖି ଏକା । ଯଦି ଦେବା ନେବା କଥା କେହି ଉଠାଏ, ଏକାଥରେ ନାସ୍ତି କରିବ ନାହିଁ । ଆମର ଘର, ଡିହ, ବାରି ଅଛି । ବଖରାଟିଏ ଘର ପାଇଁ ଥାନ ରଖି ଆଉ ସବୁ ବିକିଦେବା–

 

ବୋଉ କହିଲା, ଚିଠିଟି ଆଜି ଯିବ କିପରି ?

ଦାମଭାଇ କହିଲେ, ଆଜି ଆମର ଲୋକ କଟକ ଯିବ । ତାଆରି ହାତରେ ପଠାଇ ଦେବି ।

 

ବୋଉ ତାଙ୍କ ସଙ୍ଗେ ଆହୁରି କେତେ କଅଣ କଥାଭାଷା ହେଲା । ମୁଁ ରୋଷ ଘରକୁ ଗଲି, ଶୁଣି ପାରିଲି ନାହିଁ ।

 

ମନରେ କେତେ ଭାବନା ଆସି ପଶିଲା । ଝିଅ ଜନ୍ମ କଲେ ଲୋକକୁହୁଡ଼ି ପହଁରିବାକୁ ଆଶା କରେ । କଟକରେ ବିଧୁବାବୁମାଷ୍ଟରଙ୍କ ପୁଅ ପ୍ରବୋଧ ବାବୁ, ଆଉ ନରାଙ୍ଗ ଗାଁର ମୁଁ । ଆକାଶ କଇଁଆ ଚିଲିକା ମାଛ, ଯାହା ଏକାଠି ହେବାର ନୁହଁ । କେଉଁଠୁ କଅଣ ଶୁଣି ବାପା ହଇରାଣ ହେଉଛନ୍ତି । ଶେଷକୁ ହତାଶ ହେବେ । ମନ ଭାଙ୍ଗି ଯିବ ।

 

ବୋଉ ଆସି କହିଲା, ଗୀତା, ଜାଳଗୁଡ଼ା ଭୁସ୍‌ ଭୁସ୍‌ ଜଳୁଛି ।

 

ଦାମଭାଇ ରହସ୍ୟ କରି କହିଲେ, ଚୁଲି ଜଳାରେ କଅଣ ତାଆର ମନ ଅଛି ? ତାର ମନ ଧ୍ୟାନ ଆସି ଏଇ ଚିଠିରେ ।

 

ନାଇଁରେ ପୁଅ, ବାହାଘର କଥା ପଡ଼ିଲେ ତା ମୁହଁ ଶୁଖିଯାଏ । ଦି ଆଖିରୁ ଗଳ ଗଳ ଲୁହ ଝରି ପଡ଼େ । ତାର ଇଚ୍ଛା ସବୁଦିନେ ସେ ମୋଓରି ପାଖରେ ରହିବ, ପର ଘରକୁ ଯିବ ନାହିଁ ।

 

ଟିକିଏ ରହି କହିଲା, ଗୀତା, ଯା ଭାଇକୁ ପାନ ଭାଙ୍ଗି ଦେଇ ଆସିବୁ ।

କହିଲି, ତୁ ଯା ।

 

ବୋଉ କହିଲା, ତୋ ହାତର ପାନଭଙ୍ଗା ତାକୁ ଭଲଲାଗେ । ରାଣ ପକାଇଥିଲୁ ବୋଲି ଆଜି ସକାଳୁ ଉଠି ସେ ଆସିଛି । ତୋଠି ତାଆର କେତେ ଶରଧା ଦେଖ ।

 

କେଡ଼େ ନିର୍ବୋଧ ମୋର ସ୍ନେହମୟୀ ବୋଉ ! ବାହାର ଦେଖି ସେ ସହଜରେ ଭୁଲିଯାଏ । ଦୁନିଆଁରେ ସମସ୍ତଙ୍କ ଉପରେ ତାର ପୂର୍ଣ୍ଣବିଶ୍ୱାସ । ବିଶେଷତଃ, ଦାମଭାଇଙ୍କୁ ସେ ପୁଅପରି ମଣେ, ବିଶ୍ୱାସ କରେ । ଅତି ସରଳ ମତି ନିର୍ମଳ ତାର ମନ ।

 

କହିଲି ପାଟି କରି, ମୋଠି ଦାମଭାଇଙ୍କର ଶରଧା ନୁହଁ ବୋଉ, ଯେଉଁ ନୂଆବୋଉଙ୍କ ରାଣ ଦେଇଥିଲି ତାଙ୍କଠି ଶରଧା ।

 

(୧୨)

 

ଏ ଘରକୁ ପାନ ଭାଙ୍ଗିବାକୁ ଆସିଲି । ଦାମଭାଇ ମୋ ମୁହଁକୁ ଚାହିଁ ହସି ହସି କହିଲେ, ତୁ ଅତି ଦୁଷ୍ଟ, ଗୀତା ।

 

ଉତ୍ତର ନ ଦେଇ ପାନ ଭାଙ୍ଗି ବସିଲି । ସେ ମୋରି ଆଗରେ ବସି ମୋ ମୁହଁକୁ ଚାହିଁ ରହିଲେ । ଅଡ଼ୁଆ ଲାଗିଲା । କହିଲି, ଦାମଭାଇ, ତମ ଘରକୁ ଅନେକ ଦିନ ହେଲା ଯାଇ ନାହିଁ । ନୂଆବୋଉମୋ ଉପରେ ରାଗିଥିବେ ।

 

କହିଲେ, ସେ ଦିନେ ତୋ କଥା ପଚାରୁଥିଲେ ।

 

ମୋତେ ଲାଜ ମାଡ଼ିଲା । ଭାବିଲି, ମୋ କଥା ପଚାରୁଥିଲେ, ଦାମଭାଇ କଅଣ କହିଥିବେ ?

 

ମୋର କପାଳରେ ହାତ ବୁଲାଇ ସେ କହିଲେ, ବାଲି ଲାଗିଛି । କାହାକୁ ମୁଣ୍ତିଆ ମାରୁଥିଲୁ କି ?

 

ବାଧା ନ ଦେଇ କହିଲି, ହଁ, ଠାକୁରଙ୍କୁ ।

ପ୍ରବୋଧ ପାଇଁ ?

ତୁନି ତୁନି କହିଦେଲି, ନା, ତମରି ପାଇଁ !

 

ସେ ଆବାକାବା ହୋଇ ମୋ ମୁହଁକୁ ଚାହିଁ ଲେ । ବୋଉ ମାଠିଆଟି ଧରି ପାଣି ପାଇଁ ବାରିଆଡ଼କୁ ଗଲା ।

 

ଦାମଭାଇଳ ଭଙ୍ଗାସ୍ୱରରେ କହିଲେ, ପରିହାସ କରୁଛୁ ଗୀତା ?

କହିଲି, ନାହିଁ ।

ସେ ମୋର ହାତ ଧରି କହିଲେ, ସତ କହୁଛୁ ?

 

କହିଲି, ବରାବର ସତ କହି ଆସିଛି । ତମେ ଶୁଣି ନା, କି ଶୁଣୁ ନା । ଠାକୁରଙ୍କୁ ଜଣାଉଁଥିଲି, ମୋ ଦାମ ଭାଇକି ଭଲ ମନ, ଭଲ ବୁଦ୍ଧି ଦିଅ । ସେ ମୋ ନୂଆବୋହୂକୁ ଭଲ ପାଆନ୍ତୁ-। ତାଙ୍କ ଆଖି ଆଉ କେଉଁଠି ନ ପଡ଼ୁ ।

 

ପାନ ଦିଖଣ୍ତି ତାଙ୍କ ହାତରେ ଦେଇ ଉଠି ଠିଆ ହେଲି । ସେ ମଧ୍ୟ ଉଠିଲେ । ଦୀର୍ଘଶ୍ୱାସଛାଡ଼ି କହିଲେ, ଗୀତା !

 

ତାଙ୍କର ସେହି ପଦକ ଡାକରେ କେତେ କଠୋରତା ଭରି ରହିଥିଲା । ମୋ ଛାତି ଥରି ଉଠିଲା ।

 

ସେ ସେମିତି ରୁକ୍ଷ ସ୍ୱରରେ କହିଲେ, ଗୀତା ! ମଣିଷର ମନରେ ଆଘାତ ଦେବା ଭଲ ନୁହେଁ । ତୁ ମୋତେ ଘୃଣା କରୁ କି ଭଲ ପାଉ କେବେ ହେଲେ କହିନୁ । ମୁଁ ମଧ୍ୟ ବୁଝିପାରି ନ ଥିଲି-। ଅନ୍ଧପରି ତୋ ପଛେ ପଛେ ଗୋଡ଼ାଇ ଥିଲି । ଚାରିବର୍ଷ କଟିଲା । ପୂରା ଚାରୋଟି ବର୍ଷ । ତୋ ମୁହଁରୁ ସ୍ଥିର ଜବାବ୍‌ ନ ପାଇ ଅନ୍ୟଠି ବିବାହ କରିବାକୁ ମୁଁ ବାଧ୍ୟ ହେଲି । ବାପା ମୋ ଅନୁରୋଧ ରଖିଲେ ନାହିଁ । ତାଙ୍କର ଅବାଧ୍ୟ ହେବାକୁ ମୋର ସାହସ ହେଲା ନାହିଁ । ତୁ ଯଦି ଟାଣ ହୋଇଥାନ୍ତୁ ମତେ ସ୍ଥିର ଜବାବ ଦେଇଥାନ୍ତୁ, ମୁଁ କାହାରି ବାଧା ମାନି ନ ଥାନ୍ତି ।

 

କହିଲି, ଅନ୍ୟକୁ ବିବାହ କରିଛ, ସେଥିପାଇଁ ତୁମକୁ କେହି ଦୋଷ ଦେଉନାହିଁ । ପିଲାଦିନର ଖେଳ କୌତୁକ କଥା ଭୁଲି ନିଶ୍ଚିନ୍ତରେ ସୁଖ ଆନନ୍ଦରେ ସଂସାର କର । ମନରେ କୁତ୍ସିତ ଲାଳସା ରଖି ଭାଇର ରୂପ ଧରି ଆସି ଆଜି ବି ସମସ୍ତଙ୍କ ଆଖିରେ ଧୂଳି ପକାଇବାକୁ ଚେଷ୍ଟା କରୁଛ । ତୁମେ ବଡ଼ଲୋକର ପୁଅ, ମୁଁ ଗରିବର ଝିଅ । ତା ବୋଲି ତୁମେ ସପନରେ ବି କେବେ ମନେ କରିବ ନାହିଁ ଯେ ଗୀତା ତାର ଇହକାଳ ପରକାଳ ଭୁଲି ଦୁହିଁଙ୍କ ମୁହଁରେ କାଳି ବୋଳିବ । କୁଳ, ଗ୍ରାମ ଓ ସମାଜକୁ ଲାଜ ଅପମାନର ପଙ୍କରେ ଘାଣ୍ଟି ତାର ଏକମାତ୍ର ସମ୍ବଳ ମହତ୍ୱକୁ ଅନ୍ଧପରି ତମରି ଗୋଡ଼ତଳେ ସମର୍ପି ଦେବ ।

 

କଥାଗୁଡ଼ା ତର ତର କରି କହିଦେଇ ପଦାକୁ ବାହାରି ଯାଉଥିଲି । ସେ ମୋର ହାତ ମୁଠାଇ ଧରି କହିଲେ, ଜାଣୁ ତ, ତୋର ଭବିଷ୍ୟତ ମୋରି ହାତରେ !

 

ହାତ ଟାଣିନେଇ କହିଲି, ଜାଣେ, କାହାରି ଭବିଷ୍ୟତ କାହାରି ହାତରେ ନାହିଁ । ଯାହାରି ହାତରେ ଅଛି, ସେ ତମର ବଡ଼ପଣ କି ଧମକକୁ ଅପେକ୍ଷା କରି ବସି ନାହାନ୍ତି ।

 

ହାତ ଟାଣିନେଇ ରୋଷ ଘରକୁ ପଶିଗଲି । ଦାମଭାଇ କହି ଉଠିଲେ, ଆଛା, ଦେଖିବୁ ରହ, କାହା ହାତରେ ଅଛି ।

 

ବାରିଆଡ଼ୁ ଶୁଭିଲା, ଦାମଭାଇ କହୁଛନ୍ତି, ଖୁଡ଼ୀ, ମୁଁ ଯାଉଛି । ଚିଠି ଓ ଟିପଣା ଭୋଳି ଦାଦିଙ୍କ ପାଖକୁ ଆଜି ପଠାଇ ଦେବି ।

 

ଚୁଲି ଭିତରକୁ ଜାଳ ଠେଲିଦେଇ ଆଖିରୁ ଲୁହ ପୋଛିଲି । ବୋଉ ଦୁଆର ଥାଇ ମୋତେ ଡାକିଲା । ମୁଁ ଜବାବ ଦେଲି, କଅଣ ବୋଉ ।

 

କହିଲା, ଆଲୋ, ରୋଷଘର ଧୂଆଁରେ ପଶିଛୁ କାହିଁକି ? ପଖାଳ ଗଣ୍ତିଏ ବାଢ଼ି ଖାଇବସ୍‌ । ବେଳସରୀଟା ।

 

ଦାମଭାଇ କହିଲେ, ଗୀତା, ଆଜି ଆମ ଘରଆଡ଼େ ବୁଲିଯିବୁ ଲୋ ।

କହିଲି, ନୂଆବୋହୂଙ୍କ ଜନ୍ମଦିନ କି ?

ଉତ୍ତର ପାଇଲି ନାହିଁ ।

ଦାଣ୍ତ କବାଟ ବାଟେ ଦାମଭାଇ ପଦାକୁ ବାହାରି ଗଲେ ।

 

(୧୩)

 

ଆର ଘରକୁ ଆସିଲି । ଝରକା ଖୋଲିଲି । ଖରା ପଡ଼ି ଘର ଭିତର ଉଜ୍ଜ୍ୱଳ ହେଲା । ଠଣା ଉପରୁ ପୁରୁଣା ଗପ ବହି ଆଣି ପଢ଼ି ବସିଲି । କେତେଥର ସେ ବହିଟି ପଢ଼ିଛି । ପଢ଼ିବାକୁ ଆଉ ମନ ହେଲା ନାହିଁ । ଦାମ ଭାଇଙ୍କର ଧମକ, ତୋର ଭବିଷ୍ୟ ମୋରି ହାତରେ, ଗୁରେଇ ତୁରେଇ ମୋ ମନରେ ଘାଣ୍ଟି ଚକଟି ହେଲା ।

 

ମୋ ଭବିଷ୍ୟତ ତାଙ୍କ ହାତରେ ! କାହାର ଭାଗ୍ୟକୁ କିଏ ହାତରେ ରଖିପାରେ ? ତଥାପି, ସେ ଏପରି କହିଲେ କେଉଁ ଉଦ୍ଦେଶ୍ୟରେ ? ପ୍ରବୋଧ ବାବୁଙ୍କ ବିଷୟରେ ଯେଉଁ ସମ୍ବନ୍ଧ ପଡ଼ିଛି, ତାକୁ ସେ ଭାଙ୍ଗି ଦେବେ ? ସେ ଜାଣନ୍ତି, ମୁଁ କୌଣସି ବିଷୟରେ କାହାକୁ କିଛି କହି ପାରିବି ନାହିଁ । ପ୍ରବୋଧ ବାବୁଙ୍କ ପ୍ରସଙ୍ଗ କିଛି ନୂଆ ନୁହେଁ । କେତେ ଏପରି ଆସିଛି, କେତେ ଟିପଣା ପଡ଼ିଛି, ସବୁ ଭାଙ୍ଗିଯାଇଛି ।

 

ପୁଣି ଭାବିଲି, ମୋ ନାମରେ ଦୁର୍ନାମ ରଟାଇବେ ?

 

ଖରାପ ଲାଗିଲା । ଦୁର୍ନାମ ଯେ ଆମ ମାଇପି ଜାତିର କାଳ । ସତ ମିଛ କେହି ବୁଝନ୍ତି ନାହିଁ । ଦୁର୍ନାମ ଶୁଣିଲେ ବାହାଘର ପ୍ରସ୍ତାବ ଭାଙ୍ଗିଯାଏ । କେହି କାହାର କିଛି ଦେଖିନଥାଏ । ତଥାପି, ଦୁର୍ନାମ ଉଠେ, ବେଦୀ ଉପରୁ ବର ଫେରିଯାଏ । ଝିଅମାନେ ବାଛନ୍ଦ ପଡ଼ିଯାଆନ୍ତି ।

 

ଏଇଥି ପାଇଁ କହନ୍ତି, ଝିଅ ବୋଝ ପଥର ବୋଝ । ଏଇଥି ପାଇଁ ଝିଅର ମା ସମସ୍ତଙ୍କ ପାଖରେ ମୁଣ୍ତ ନୁଆଁଇ ଚାଲେ । ସତେ କି ଝିଅ ଜନ୍ମ କରିବା ଦୋଷ, ଯାହାର କ୍ଷମା ନାହିଁ ।

 

ଦାମଭାଇଙ୍କ ଧମକକୁ ଡରି, ତାଙ୍କୁ ପ୍ରଶ୍ରୟ ଦେବା ମୋ ପକ୍ଷରେ ଅସମ୍ଭବ । କୌଣସି ଝିଅ ପକ୍ଷରେ ଅସମ୍ଭବ । ଦୁର୍ନାମକୁ ଡରି ଲୋକ କୁକାର୍ଯ୍ୟକୁ ସଙ୍ଗରୁ ଆଡ଼େଇ ରହେ ସିନା, ସେ ସବୁକୁ ପ୍ରଶ୍ରୟ ଦିଏ ନାହିଁ । ପ୍ରଶ୍ରୟ ଦେବା ଓଲାମିଛଡ଼ା ଆଉ କିଛି ନୁହେଁ ।

 

ମନରେ ଶକ୍ତି ଆସିଲା । ଯେଉଁ ଲୋକ ଏତେ ହୀନ, ଏଡ଼େ ସ୍ୱାର୍ଥପର, ତା ପାଖରୁ ଦୂରେଇ ରହିବା ଭଲ । ଧମକ୍‌ଦେଇ ଯେ ପରଝିଅକୁ ନିଜର ପ୍ରବୃତ୍ତି ନିଆଁରେ ଖାସ ଦେଇ ନିଜେ ବାହାଦୁରି ନେବାକୁ ଚାହେଁ ସେପରି ନିର୍ଲଜ ପାଖକୁ ଦୂରେଇ ରହିବା ଉଚିତ ।

 

ପିଲାଦିନେ ଅଜାଣତରେ ଭଲମନ୍ଦ ବୁଝିବା ଆଗରୁ କେବେ କିଏ କେଉଁଠି କିପରି ଟିକିଏ ଭୁଲ କରିଦିଏ । ସେଥିପାଇଁ ଅନ୍ୟମାନେ ଦାୟୀ । ବୟସ ହେଲେ, ଭଲ ମନ୍ଦ ବୁଝିବାର ଜ୍ଞାନ ଆସିଲେ ଅତୀତର କେଉଁ ଅସାବଧାନ ବେଳର ଭ୍ରମ ପାଇଁ ଅନୁତାପ କରେ । ଆଉ ଯେପରି ପଙ୍କକୁ ଗୋଡ଼ ନ ଯିବ ସେଥିପାଇଁ ସେ ସତର୍କ ହୁଏ । କେବେ ଟିକିଏ ଭୁଲ ହୋଇଥିଲା ବୋଲି ତାଆରି ଡରରେ ଜାଣି ଜାଣି କଅଣ ପୁଣି କାଦୁଅକୁ ଗୋଡ଼ ବଢ଼ାଇବି ?

 

ମନ ନାହିଁ ନାହିଁ କରି ଉଠିଲା । କଅଣ କି ମୋର ଭୁଲ ? ଗେଲ ଟିକିଏ କରିବାର ଆଗ୍ରହକୁ ପ୍ରଶ୍ରୟ ଦେଇ ତାଙ୍କର ଦେହକୁ ଆଉଜି ମୁହଁ ଦେଖାଇ ଥିଲି । ସେ ଆଲିଙ୍ଗନ କରିଥିଲେ । ଉତ୍ତେଜିତ ହୋଇ ମୋତେ ଗେଲ କରିଥିଲେ । ଏଇ ତ ? ଏଇଥିପାଇଁ ତାଙ୍କର ମନରେ ଆବିଳ ଧାରଣା ଧରି ସେ ରହନ୍ତୁ, ଦୂରେଇ ରହନ୍ତୁ । ସେ ବିବାହିତ । ତାଙ୍କର ସବୁ ସ୍ନେହ ସରାଗ ତାଙ୍କର ନବବଧୂ ଉପରେ ସେ ଅଜାଡ଼ି ଦେଲେ ଦୁହେଁ ସୁଖୀ ହେବେ । ଲୁଚାଇ ଲୁଚାଇ ମୋ ପାଖରେ ତାଙ୍କ ନିର୍ଲଜ ପ୍ରେମ ପ୍ରକାଶ କରି ମୋର ସର୍ବନାଶ କରିବାର ତାଙ୍କର କୌଣସି ଅଧିକାର ନାହିଁ ।

 

ସ୍ଥିର କଲି, ଯିଏ ଯାହା ଭାବୁ, ଦାମଭାଇଙ୍କ ଆଗକୁ ଆଉ ଯିବି ନାହିଁ କି ତାଙ୍କୁ କଥା କହିବି ନାହିଁ । ସାନ୍ନିଧ୍ୟର ସୁଯୋଗ ନ ପାଇଲେ ବଳେ ସେ ଦୂରେଇ ରହିବେ ।

 

(୧୪)

 

ବୋଉ ଡାକିଲା–ଆଲୋ ଗୀତା, ଦେଖିଲୁ କିଏ ଆସିଛି ।

ବହି ଉପରୁ ଆଖି ଫେରାଇ ଚାହିଁଲି । ଗୋକୁଳି ଭାଇଙ୍କ ଝିଅ ନିରୁପମା ଓ ବାସୁ ଦାଦାଙ୍କ ଝିଅ ରେଣୁ ଆସିଛନ୍ତି । ରେଣୁର କୋଳରେ ଟିକି ପିଲାଟିଏ । ଉଠିଯାଇ ଦୁହିଁଙ୍କର ହାତ ଧରି ଟାଣିଲି । ନିରୁ ମୁହଁ ଲଦି କହିଲା, କାହିଁକି ବା ଏଡ଼େ ସୋହାଗ, ମୁଁ ତୋତେ ଦେଖିବାକୁ ଆସିଛି କି ? ମୋ ଆଈକୁ ଦେଖିବାକୁ ଆସିଛି ମ । ନେଇ ଯା ସେଇ ରେଣୁକୁ ।

ନିରୁ ପିଲାଦିନୁ ଅଭିମାନିନୀ । ସମ୍ପର୍କରେ ଝିଆରୀ ସିନା, ସେ ମୋର ସମବୟସୀ । ମୋର ସେ ସାଙ୍ଗ । ପିଲାଦିନରୁ ବଡ଼ ହେବାଯାଏ, ସେ ଶାଶୁ ଘରକୁ ଯିବାଯାଏ ଆମେ ଏକାଠି ଖେଲିଛୁ, ଗପିଛୁ, କୁମାର ପୂନେଇଁ ଗୀତ ଶିଖିଛୁ ଓ ବୋଲିଛୁ ।

ମୁଁ କିଛି ନ କହି ତା’ର ହାତ ଧରି ଜୋରରେ ଟାଣି ଆଣିଲି । ପିଲାଦିନରେ ଧଡ଼ିଆ ଧେଡ଼ଙ୍ଗ ନିରୁତ ଆଜି ଆଉ ସେମିତି ନାହିଁ, ଦେହରେ ମାଂସ ଲାଗିଛି । ରଙ୍ଗ କେଡ଼େ ତେଜ ଦେଖା ଯାଉଛି । କେଡ଼େ ସୁନ୍ଦର ଦିଶୁଛି । ତାକୁ ଆଣି ପାଖରେ ବସାଇଲି । ରେଣୁ ଛୁଆଟିକୁ ଧରି ମୋ ପାଖରେ ବସିଲା । ମୋଟାମୋଟି ହୋଇ କେଡ଼େ ସୁନ୍ଦର ପୁଅ । ମୁହଁକୁ ଚାହିଁ କିରି କିରି ହୋଇ ହସୁଥାଏ । ଆନନ୍ଦରେ ମୋ ମନ ପୂରି ଉଠିଲା । ରେଣୁ କୋଳରୁ ପୁଅକୁ ନେଇ ଗେଲ କଲି । ପରିହାସ କରି କହିଲି, ଆଲୋ, ନିରୁ, ଏଇ ଅପୂର୍ବ କଣ୍ଢେଇଟିକୁ କେଉଁଠୁ ପାଇଲୁ ମ !

ନିରୁ କହିଲା, ତୋରି ପାଇଁ ଗଢ଼ିଛି ଲୋ ।

କହିଲି, ସତେ, ମୋରି ପାଇଁ ? ତେବେ ଆକୁ ଆଉ ତତେ ଦେବି ନାହିଁ ।

ପିଲାଟିକୁ କୋଳରେ ଯାକି ଧରିଲି । ନିରୁ ସଙ୍ଗେ କେତେବେଳଯାଏ କଥାଭାଷା ହେଲି-। ସବୁ କଥା ମୋରମନେ ନାହିଁ । ପ୍ରତିଦିନ ଜୀବନରେ କେତେ ଘଟଣା ଘଟିଯାଏ । କେତେଦିନ ଯାଏ ସେ ସବୁ ମନେ ରହେ, ପୁଣି ମନରୁ ପାଶୋରି ଯାଏ । କିନ୍ତୁ ଯେଉଁ ଘଟଣା ମଣିଷର ହୃଦୟ ଛୁଇଁଥାଏ, ମନରେ ଦୁଃଖର ଗହୀଡ଼ା ଗାର ଟାଣି ଦେଇଥାଏ, ମୋ ଘଟଣା ମନରୁ କେବେ ପୋଛିହୋଇ ଯାଏ ନାହିଁ ।

ସେଦିନ ସେପରି ଗୋଟିଏ ଘଟଣା ଘଟିଥିଲା । ଅନ୍ୟମାନଙ୍କ ଆଖିରେ ଛୋଟ ହେଲେ ବି ମୋ ଆଖିରେ ସେ ଅତି ବଡ଼ ।

ପିଲାଟି ମୋକୋଳରେ କାନ୍ଦି ଉଠିଲା । ମୁହଁକୁ ଏପାଖ କରି କଅଣ ଯେପରି ଖୋଜୁଥିଲା । ବୁଝିଲି, ତାକୁ ଭୋକ କଲାଣି, ମାଆର କ୍ଷୀର ଖାଇବାକୁ ସେ ଅସ୍ଥିର ହେଉଛି । ମୁଁ ଗୋଡ଼ ହଲାଇ ତାକୁ ଯେତେ ବୁଝାଇଲି ସେ ବୁଝିଲା ନାହିଁ । ମନ ଦୁଃଖରେ କହିଲି, ନିରୁ, ପୁଅକୁ ଭୋକ କଲାଣି, ଟିକିଏ କ୍ଷୀର ଦେ ।

ସେ କହିଲା, ତୁ ଦେଉନୁ ।

ମୋ ମୁହଁକୁ ଚାହିଁ ନିରୁ ହସିଲା । ଲେଖାରେ ଝିଆରୀ ହେଲେ ବି ପିଲାଦିନର ସଙ୍ଗିନୀତ ! ତେଣୁ ଆଉ କିଛି ନ ଭାବି ତାର କଥାକୁ ନିରୀହ ଥଟ୍ଟା ମଣି ମୁଁ ବି ହସି ହସି କହିଲି, ମୋ କ୍ଷୀର ସିନା ତୋ ପାଇଁ, ସେ କେମିତି ଖାଇବ, ନେ– ।

କାନ୍ଦିଲା ପିଲାକୁ ତା କୋଳକୁ ବଢ଼ାଇ ଦେଲି । ସେ ନେଲା ନାହିଁ । କହିଲା, ନାଇଁ ନାଇଁ ତୁ ଦେ, ଦେଖିବା ସେ ତୁନି ହେବ କି ନାହିଁ ।

କେଜାଣି କାହିଁକି ରେଣୁ ହସି ହସି ଗଡ଼ିଗଲା । ନିରୁ ତାକୁ ଆଖି ଦେଖାଇଲା । ତା କଥାରେ ଯେ ଗୋଟାଏ ଊଦ୍ଦେଶ୍ୟ ଲୁଚି ରହିଥିଲା ମୁଁ ଏହା ବୁଝି ପାରିଲି ନାହିଁ । ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲି । ରେଣୁଟା ଡବଡବୀ । ନିରୁର ଆଖି ଦେଖାକୁ ନ ମାନି ସେ କହିଲା, ବିମଳା ଭାଇ ସ୍ତ୍ରୀ ପରା କହୁଥିଲା, ତୋରକୁ ଆଡ଼େ–

ନିରୁ ତା ପାଟିରେ ହାତ ଚାପି ଧରି କହିଲା, ଚୋପ୍‌ ।

ରେଣୁ ଛୋପଢୋକି ତୁନି ରହିଲା ।

 

କେତେ ଭାବନା କ୍ଷଣକରେ ମୋ ମୁଣ୍ତରେ ଖେଳିଗଲା । ଦୁଇ ଆଖି ଭରିଗଲା ଲୁହରେ-। କହିଲି, ମୋତେ ପରୀକ୍ଷା କରିବାକୁ ଆସିଥିଲୁ ନିରୁ ? ଆଜିଯାଏ ତ ତୋର ଦେଖା ଦର୍ଶନ ନ ଥିଲା, ଆଜି କାହିଁକି ତୋର ସ୍ନେହ ଉଛୁଳି ପଡ଼ିଲା, ଏ ଘରେ ତୋର ପାଦ ପଡ଼ିଲା ଏବେ ମୁଁ ଜାଣିଲି-

 

ନିରୁ ଲାଜରା ହେଲା । କହିଲା, ନାଇଁ ଲୋ, ତୁ ଏଥିରୁ କଅଣ ପାଇବୁ ? ରେଣୁଟା ପିଲା ଝିଅ । ଗାଲ ଚିପିଲେ ଦୁଧ ବାହାରିବ । ତା କଥା ତୁ କାହିଁକି ଶୁଣୁଛୁ ? ତୁ ପିଲାଦିନର ସାଙ୍ଗ ବୋଲି ପରିହାସ କରି କହିଲି ସିନା ।

 

ତା କଥାରେ କାନ ନ ଦେଇ କହିଲି, ପୁଅକୁ କ୍ଷୀର ତୁ ଦେ ନିରୁ । ଆଉ ତୁ ତ ମୋର ପିଲାଦିନର ସାଙ୍ଗ ମୋରି ଝିଆରୀ, ବଳି, ତୁଇ ନିଜେ ମୋତେ ପରୀକ୍ଷା କରିଯା । ମୋର କ୍ଷୀର ତୁଇ ଟିକେ ଚାଖି ଯା । ତୋ ମନର ଶୋଷ ମରିବ । ବିମଳା ଭାଇର ଭାରିଯାକୁ ଯାଇ କହିବୁ । ସେ ତ ମୋର ଭାଉଜ । ତାଙ୍କ ଆଗରେ ମୁଁ ନଙ୍ଗଳା । ମୋର ଫୁଙ୍ଗୁଳା ଦେହ ସେ ସହସ୍ର ଥର ଦେଖିଥିବେ । ଉପକାରିଆ ଭାଉଜକୁ ମୋର ରାଣ ପକାଇ ନିଶ୍ଚେ ଥରେ କହିବୁ ଲୋ ନିରୁ, ତାଙ୍କ ଭାଇମାନଙ୍କ ରାଣ, ମୋତେ ଦେଖିବାକୁ ଥରେ ସେ ଆସିବେ । କେଉଁଠୁ କଅଣ ଶୁଣି ଦାଣ୍ତରେ ଦୁର୍ନାମ କରିବା ଆଗରୁ ଥରେ ସେ ବି ମୋତେ ଚାଖି ଯିବେ ।

 

କାନ୍ଦିଲା ପିଲାକୁ ତା କୋଳରେ ରଖିଲି । ନିରୁର ମୁଣ୍ତଟିକୁ ମୋ ଛାତି ଆଡ଼କୁ ନୁଆଇଁ ଆଣିଲି । ସେ ମୁଣ୍ତ ଟାଣି ନେଇ କହିଲା, ଦୁନିଆଁ ରେ କିଏ କେତେ କଥା କହିବେ ଲୋ ଗୀତା, ସମସ୍ତଙ୍କୁ କଅଣ ତୁ ପରୀକ୍ଷା ଦେଇପାରିବୁ ? ନିଜେ ଭଲ ହେଲେ ନିଜ ଉପରେ ବିଶ୍ୱାସ ଥିଲେ ଦୁନିଆଁଲୋକଙ୍କ ହାସ ପରିହାସକୁ ହସି ଉଡ଼ାଇ ଦେବୁ । ତତେ ପରୀକ୍ଷା କରିବାକୁ ମୁଁ ଆସି ନ ଥିଲି ଲୋ ଗୀତା, ଆଖି ଛୁଇଁ ଶପଥ କରି କହୁଛି, ମୋ ଜୀବନରୁ ଅଧିକ ମୋର ଏଇ ଟିକି ଛୁଆକୁ କୋଳରେ ଧରି ମୁଁ କହୁଛି । ଦୁନିଆଁଲୋକଙ୍କର କୁହାଟ ତୋତେ ଜଣାଇଁ ଦେବାକୁ ଆସିଥିଲି । ତୁ କଅଣ, ସେ କଥା କଅଣ ତୋର ପିଲା ଦିନର ସାଙ୍ଗ ନିରୁକୁ ଅଜଣା ଅଛି ? ତୁ ଛଳ କରିବୁ, ତୋ ମନରେ ଦୁଃଖ ହେବ, ଏହା ମୁଁ ଭାବି ପାରି ନ ଥିଲି । ତୋରଗୋଡ଼ ଧରୁଛି ଗୀତା, ମୋତେ କ୍ଷମା କର ।

 

ନିରୁର ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ସେ ମୋର ଗୋଡ଼ ଧରିବାକୁ ନଇଁ ପଡ଼ନ୍ତେ ମୁଁ ତାର ମୁଣ୍ତ ଧରି ଉଠାଇଲି । କହିଲି, ଥାଉ ନିରୁ, ମୋର ଦୁର୍ଭାଗ୍ୟ ତୁମ ମନରେ କୌତୂହଳ ଆସିଛି । ତୁମ ତୁଣ୍ତରେ କଥା କୁହାଇଛି । ଏଥିପାଇଁ ମୁଁ କାହାରି କି ଦୋଷ ଦେଉନାହିଁ । କାହାରି ଉପରେ ମୋର ମାନ ଅଭିମାନ ନାହିଁ ।

 

ଆଖିର ଲୁହ ପୋଛିଲି । ଆଜିଯାଏ ମନର ଗୋପନ କୋହକୁ ପୋଛି ପାରିନାହିଁ ।

 

(୧୫)

 

ମାଇପି ଘର । ଅଭାବ ଅସୁବିଧା ପଡ଼ିଲେ କାହାକୁ କହିବାକୁ କେହି ନାହିଁ । ସେଥିପାଇଁ ଦୟା ପାଇ ରାଧା ବେଳେ ବେଳେ ଆସେ । ଆମର ଖବର ଅନ୍ତର ବୁଝେ । ଉପରେ ପଡ଼ି ପାଞ୍ଚ ପାଇଟି କରିଯାଏ ।

 

ଦିନେ ସେ ବୋଉ ଆଗରେ କହୁଥିଲା, ଶୁଣିଲଣି, ମହନି ସାଆନ୍ତଙ୍କ ଘରେ ଅଶାନ୍ତି । ତାଙ୍କ ଘରକଥା ସିନା ପଦାକୁ ଫୁଟି ବାହାରେ ନାହିଁ, ହେଲେ ମତେ ତ କେଉଁ କଥା ଅଛପା ରହିବ ନାହି । ବୋହୂଟା ସୁନ୍ଦର ହେଲେ କଅଣ ହେବ, ଗୁଣ ସିମିତି ଭଲ ନୁହେଁ । ଶାଶୁ ଶଶୁର ଅସନ୍ତୋଷ-। ଦାମର ମନ ବି ସେତେ ମାନୁ ନାହିଁ ।

 

ତା କଥା ମୋ କାନରେ ପଡ଼ିଲା । ଖରାପ ଲାଗିଲା । ଏଡ଼େ ସୁନ୍ଦର ବୋହୂ, ତାଙ୍କର ଗୁଣ ପୁଣି ଖରାପ । କଥାଟା ଜାଣିବାକୁ ମନ ଛଟପଟ ହେଲା । ଆଗ୍ରହରେ ବାଁରେଇ ହୋଇ ପାନ ଦି ଖଣ୍ତି ନେଇ ବୋଉ ପାଖକୁ ଗଲି । ମୋତେ ଦେଖି ରାଧା ତୁନି ହେଲା । ଲାଜରା ହୋଇ ଘର ଭିତରକୁ ଆସି କବାଟ ଆଉଜାଇ ଦେଲି । କବାଟ ଫାଙ୍କରେ କାନ ଦେଇ ଶୁଣିଲି ।

 

ରାଧା ଥିରିଥିରି ଯେତେ ଯାହା କହିଲା ସବୁ ଶୁଣିପାରିଲି ନାହିଁ । ଯେତିକି ଶୁଣିଲି ସେତିକିରୁ ବୁଝିଲି, ଦାମ ଭାଇର ସ୍ତ୍ରୀ ହାଉଡ଼ି, ସଣ୍ଠଣା ଶିଖି ନାହିଁ । ଶାଶୁ ଶଶୁରଙ୍କୁ କିପରି ମାନ୍ୟ କରିବାକୁ ହୁଏ, କିପରି ସେମାନଙ୍କର ସେବା କରିବାକୁ ହୁଏ, ଜଣାନାହିଁ । କଥା କଥାରେ ଅବିଗୁଣ, ଖୁଣ୍ଟା । ଦାମଭାଇଙ୍କ ସଙ୍ଗେ କଳି କରେ । ଦିନଟିଏ ଶାନ୍ତିରେ କଟୁ ନାହିଁ । ସେ ବଡ଼ଘର ଝିଅ, ତେଣୁ ଏ ସବୁ ତ ଗୁଣ ଭିତରେ ଗଣା ହୁଏ ।

 

ରାଧା ଭ୍ରୂଲତା ଟେକି କହିଲା, ଦାମ ବୋଉ ସାନ୍ତାଣୀ ବୁଢ଼ାଙ୍କୁ କହିଲେ, ଗାଁ ଝିଅ, ପୁଣି ଗରିବ ବୋଲି ଗୀତା ତମ ମନକୁ ଆସିଲା ନାହିଁ । ସେ ଯଦି ଏ ଘରର ବୋହୂହୋଇ ଆସିଥାଆନ୍ତା, କେଉଁ କଥାରେ କିଏ ତାକୁ ବାଛି ଥାଆନ୍ତ । କି ?

 

ବୋଉ କହିଲା, କପାଳ ଲୋ ରାଧା, ଯାହା ଭାଗ୍ୟ ଯେଉଁଠି ।

 

ମୋର ଛାତିର କେଉଁ ଅଜଣା କୋଣରେ ଆମୋଦ ଆନନ୍ଦର ଢେଉଟିଏ ଖେଳି ଯାଇଥିଲା । ତାଙ୍କ ଘରର ବୋହୂ ମୁଁ ନୁହେଁ, ହେବାର ତ ଆଉ ଆଶା ନାହିଁ, ତଥାପି ପରୋକ୍ଷରେ ମୋ ଗୁଣର ପ୍ରଶଂସା ଶୁଣି ସେମାନଙ୍କ ଘରର ଅଶାନ୍ତି କାହାଣୀ ଜାଣି ମୋତେ ଖୁସି ଲାଗିଥିଲା ।

 

ଦାମଭାଇ ଅନେକ ଦିନ ହେଲା ଆମ ଘରକୁ ଆସି ନାହାନ୍ତି । ମୋ ବାପାଙ୍କ ପାଖରୁ କୌଣସି ଚିଠିପତ୍ର ପାଇ ନାହୁଁ । ମୋର ମନେ ହେଲା ଯେପରି ଏହା ଭିତରେ ଦାମଭାଇଙ୍କର ସେଦିନର ଧମକର କିଛି ସମ୍ବନ୍ଧ ଅଛି । ହୁଏତ ବାପାଙ୍କ ପାଖକୁ ସେ ଆମର ଚିଠି ପଠାଇ ନାହାନ୍ତି କିମ୍ବା ଚିଠି ବଦଳାଇ ବୋଉ ନାମରେ ବିଧୁବାବୁଙ୍କ ଘର ସମ୍ବନ୍ଧ କଥା ମନାକରି ଲେଖି ଦେଇଛନ୍ତି । ତାଙ୍କ ପକ୍ଷରେ ଏତକ କରିବା ଅସମ୍ଭବ ନୁହେ ।

 

ସେଦିନ ରାଧାର କଥାରୁ ତାଙ୍କ ଘରର ସବୁ ଖବର ବୁଝିଥିଲି । ଦାମ ଭାଇଙ୍କର ସବୁ ଛଳନା, ଅପରାଧ, ଅଭଦ୍ରତା ସତ୍ତ୍ୱେତାଙ୍କପ୍ରତି ମନରେ ସହାନୁଭୂତି ଆସିଲା । ବାହା ହୋଇ ମଧ୍ୟ କାହିଁକି ସେ ମୋ ପ୍ରତି ଆକୃଷ୍ଟ, କାହିଁକି କରଛଡ଼ା ଦେବା ସତ୍ତ୍ୱେ ବାରମ୍ବାର ଆସି ମୋତେ ଖୁସି କରିବାକୁ ଚେଷ୍ଟା କରି ବିରକ୍ତ କରି ଯାଆନ୍ତି, ଏହାର କାରଣ ମୁଁ ବୁଝି ପାରିଲି । ଘରେ ଅଶାନ୍ତି, ସ୍ତ୍ରୀ କରି ହାତ ଧରି ଘରକୁ ଆଣି ସ୍ତ୍ରୀଠାରୁ ସେ ଯାହା ଆଶା କରନ୍ତି ପାଇ ନାହାନ୍ତି । ତାଙ୍କ ପକ୍ଷରେ ଅନ୍ୟ ସ୍ତ୍ରୀକୁ ଅନାଇବା ଆଶ୍ଚର୍ଯ୍ୟର କଥା ନୁହେଁ । ସେଥିପାଇଁ ସେ ମୋ ପାଖକୁ ଆସନ୍ତି । କେତେ କଅଣ କହିବାକୁ ମନ କରନ୍ତି । ମୁଁ ତାଙ୍କୁ କିଛି କୁହାଇ ଦିଏ ନାହିଁ । ହତାଶ ହୁଅନ୍ତି । ତାଙ୍କର ଆଶା ବିଫଳ ହେବାରୁ ସେ ମୋ ଉପରେ ପ୍ରତିଶୋଧ ନେବାକୁ ଅନ୍ୟ ଉପାୟ ପାଞ୍ଚିଛନ୍ତି ।

 

(୧୬)

 

ଆହୁରି ଦୁଇଦିନ କଟିଗଲା ।

ବାପାଙ୍କ ପାଖରୁ ବେଉରା ପାଇଲୁ ନାହିଁ । ସେଦିନ ଛାଇ ନେଉଟ ବେଳେ ପିଣ୍ତାରେ ବସିଛି, ବୋଉ ମୋ ମୁଣ୍ତ ବାନ୍ଧି ଦେଉଛି, ସେ ବିରକ୍ତ ହୋଇ କହିଲା, କେଡ଼େ ଅସନୀଟାଲୋ ଗୀତା, ମୋର ତର ହୁଏ ନାହିଁ ସିନା, ନିଜ ହାତରେ ମୁଣ୍ତ ବାନ୍ଧି ପାରୁନୁ ?

ନଈକୂଳିଆ ପବନ ଥଣ୍ତାଳିଆ ଲାଗୁଥାଏ । ଶୀତ ବେଶୀ ପକାଇଥାଏ । ବାଳ ଖୋଲିବସିଥାଏଁବୋଉ ଆଗରେ । କିଏ ଜଣେ ଦାଣ୍ତପାଖ ଜଞ୍ଜିର ଖଡ଼ଖଡ଼ କରି ଡାକିଲେ, ଅପା, ଅପା ।

ଅତି ପରିଚିତ, ଅତି ଆପଣାର ସେ ସ୍ୱରଟି । ଅସମୟରେ ସେ କାହିଁକି ଆସିଛନ୍ତି ବୁଝିପାରିଲି ନାହିଁ । ଆଗ୍ରହ ହେଲା, ଉଠିଯାଇ କବାଟ ଖୋଲିବି । ଲାଜ ମାଡ଼ିଲା । ତୁନି ହୋଇ ବସି ରହିଲି ।

ପୁଣି ସେ ଡାକିଲେ ।

ବୋଉ ପଚାରିଲା, କିଏ କିଲୋ ଗୀତା ?

ମୁଁ ଜାଣେ, କିନ୍ତୁ ତୁଣ୍ତରେ ତାଙ୍କର ନାମ ଉଚ୍ଚାରଣ କରିବାକୁ ଲାଜ ମାଡ଼ିଲା ।

ବୋଉ କବାଟ ଖୋଲିବାକୁ ଉଠିଗଲା ।

ପିଠି ଉପରେ ଅଲଗା ବାଳ ଖେଳା ହୋଇ ପଡ଼ିଥାଏ । ମୁଣ୍ତ ଉପରକୁ ଲୁଗା କାନୀଟାଣି ତଳକୁ ଚାହିଁ ବସି ରହିଲି ।

ବୋଉ କବାଟ ଖୋଲିଲା । ମୁଁ କଣେଇ ଚାହିଁଲି । ଅମୁଭାଇ ଖଞ୍ଜା ଭିତରକୁ ଆସିଲେ । ତଳେ ମୁଣ୍ତ ଲଗାଇ ବୋଉକୁ ପ୍ରଣାମ କଲେ । ବୋଉ କବାଟ ବନ୍ଦ କରି ପଚାରିଲା, କେବେ ଆସିଛୁ ବାପ ?

ଅମୁଭାଇ ମୋ ଆଡ଼କୁ ବଙ୍କେଇ ଚାହିଁ କହିଲେ, ଆଜି ।

ମୁଁ ପିଣ୍ତା ଉପରେ ଠିଆ ହୋଇ ତାଙ୍କୁ ପ୍ରଣାମ କଲି । ସେ ମୁରୁକେଇ ହସିଲେ । କିଛି କହିଲେ ନାହିଁ । ମୋର ମନେ ହେଲା, ସେହି ହସରେ କେତେ ସ୍ନେହ ସରାଗ, କେତେ ହୃଦହଜା ମୋହ ପୂର୍ଣ୍ଣ ହୋଇଥିଲା ।

ବୋଉ ଆସନ ଖଣ୍ତେ ଆଣି କାନ୍ଥକୁ ଲଗାଇ ପାରିଦେଲା । ଦୁଇ ତିନି ହାତ ଛାଡ଼ି ସେ ମୋ ଆଗରେ ବସିଲେ । ବୋଉମୋମୁଣ୍ତବନ୍ଧାରେ ଲାଗିଲା । ମୁଁ ଧୀରେ ଧୀରେ ଲୁଗାଟା ଟେକି ମୁହଁ ଘୋଡ଼ାଇ ବସିଲି ।

ଏଣୁ ତେଣୁ କେତେ କଥାଭାଷା ହେଲା । ଆଜି ସେ ସବୁ ମୋର ମନେ ନାହିଁ । ବୋଉ ପଚାରିଲା, ଏ ବର୍ଷ ଅଜୁର ବାହାଘର କରୁଛ ?

ଅଜୟ ତାଙ୍କର ବଡ଼ ଭାଇ ।

ସେ କହିଲେ, କେଉଁଠି ଠିକ୍‌ ହୋଇନାହିଁ । ବିମଳା ଭାଇଙ୍କି ସେହି କଥା ପଚାରିଥିଲି । ସେ କହିଲେ, ପାତ୍ର କୌଣସି ସ୍ଥାନରେ ଠିକଣା ହୋଇନାହିଁ । ବାହାଘର କରିବାକୁ ବସିଲେ କେତେ ଆୟୋଜନ ଲୋଡ଼ା । ଟଙ୍କା ପଇସା ଅଭାବ । ଜମି ଚାରିମାଣ ଚାଷ । ଏ ବର୍ଷ ବର୍ଷା ଅଭାବରୁ ଆଠଅଣା ଫସଲ ମିଳିନାହିଁ । ଏଇସବୁ କାରଣରୁ ଏ ବର୍ଷ ବାହାଘର ହେଲାପରି ଲାଗୁନାହିଁ । ଅଜୁ ଭାଇଙ୍କର ତେଣିକି ମନଜ୍ଞାନ ନାହିଁ ।

ତାଙ୍କର କଥା ଶୁଣି ମନରେ ଦିକିଦିକି ଜଳୁଥିବା ଆଶାର ଦୀପଟି ଥରି ଥରି ଲିଭିଗଲା ।

ବାରଦା ଆମ ଗାଁକୁ ବାଟ ତିନି କୋଶ । ଛୋଟ ଗାଁଟି । ବାଦ ବିବାଦ, ଶତ୍ରୁତା, ସବୁବେଳେ ଗାଁଟାକୁ ଦୋହଲାଉଥାଏ ।

ଏ ଭାଇ ଦିଓଟିଙ୍କର ଅବସ୍ଥା ଆଜି ଖରାପ ହୋଇଛି । ବାପ ଥାଉଁଥାଉଁ ମାଲିମକଦ୍ଦମାରେ ପୈତୃକ ମମ୍ପତ୍ତି ସବୁ ସରିଥିଲା । ଯେଉଁ ଦି ଚାରି ମାଣ ଥିଲା ସେଥିରେ କଷ୍ଟେ ମଷ୍ଟେ ଚଳନ୍ତି ।

ମୋରମୁଣ୍ତବନ୍ଧା ସରିଲା । ଧୀରେ ଧୀରେ ଘର ଭିତରକୁ ଆସି ପାନ ଭାଙ୍ଗି ବସିଲି ।

ବୋଉ ପଚାରିଲା, ଅମୁ, ଅଜୁ ସିନା ଘରଧନ୍ଦାରେ ବ୍ୟସ୍ତ; ତୋର ତ କିଛି କାମ କରିବା ଦରକାର, ବସି ଖାଇଲେ ନଈବାଲି ସରିବ । ତୁ ପାଠସାଠ ପଢ଼ିଛୁ । କେଉଁଠି ଚାକିରି ଚେଷ୍ଟା କରୁନୁ ?

ସେ କହିଲେ, ଆମପରି ଦରପାଠୁଆଙ୍କୁ ପଚାରୁଛି କିଏ ? ଆଜିକାଲି ଶିଳଶିଳପୁଆ ଗଗନେ ଉଡ଼ୁଛନ୍ତି । ତଥାପି, ଦିନେ ଦି ଦିନ ଭିତରେ ମୁଁ କଟକ ଯାଉଛି । କେଉଁଠି ରହିବାକୁ ଚେଷ୍ଟା କରିବି ।

ପାନ ଦି’ ଖଣ୍ତି ଆଣି ଅମୁଭାଇଙ୍କ ହାତକୁ ବଢ଼ାଇ ଦେଲି । ପୁଣି ଘର ଭିତରକୁ ଆସିଲି-

କିଏ ଦାଣ୍ତ କବାଟ ଖଡ଼ଖଡ଼ କଲା । ଅମୁଭାଇ କବାଟ ଖୋଲିଲେ । ପିଲାଟିଏ ଚିଠି ଖଣ୍ତେ ଦେଇଗଲା । ପୋଷ୍ଟପିଅନ ପଠାଇ ଦେଇଛି ।

 

(୧୭)

 

ଅତି ଆଗ୍ରହରେ ବୋଉ ଲଫାପା ଖୋଲିଲା । ଲଫାପା ଭିତରେ ମୋଟେଖଣ୍ତିଏ ଚିଠି । ଅମୁଭାଇଙ୍କି ଦେଇ କହିଲା, ପଢ଼ିଲୁ ବାବୁ ।

 

ମୁଁ କବାଟ ପାଖକୁ ଘୁଞ୍ଚିଯାଇ କାନ ପାରିଲି ।

ଅମୁଭାଇ ପଢ଼ିବାକୁ ଆରମ୍ଭ କଲେ ।

 

ମୋ ଦେହ ସେତେ ଭଲ ନାହିଁ । ଓଷଦ ଖାଉଛି । ତାଙ୍କର ପୁଅ ପ୍ରବୋଧ ବିଷୟରେ ଟିପଣା ଭଲ ସୁଝିଚି । ବିଧୁବାବୁଙ୍କ ଘରକୁ ମୁଁ ନିଜେ ଯାଇଥିଲି । ସେ କେତେ ମାନ୍ୟ କଲେ । ତାଙ୍କର ବଡ଼ଲୋକୀ ନାହିଁ । ଘରଦ୍ୱାର, ଭିତର ବାହାର ସବୁ ମୋତେ ଆଗ୍ରହରେ ଦେଖାଇଲେ । ତାଙ୍କର କୋଠାଘର ।

 

ପ୍ରବୋଧଟି ଅତି ସୁନ୍ଦର ପିଲା । ମୋତେ ଦେଖି ପ୍ରଣାମ କଲା । ଲାଜ ଲାଜ ହୋଇ ସାଇକଲ ଧରି କୁଆଡ଼େ ଚାଲିଗଲା । ତମର ସମୁଦୁଣୀ, କି ସୁନ୍ଦର ତାଙ୍କ ରୂପ, କଥା, ବ୍ୟବହାର । ଅତି ସ୍ନେହୀ । ଗୀତାର ଶାଶୁ ହେଲେ ଠିକ୍‌ ମା ଝିଅ ପରି ଦିଶିବେ । ମତେ କହିଲେ, ସମୁଁଦି, ମୁଁ ଆଉ କିଛି ଚାହେଁ ନାହିଁ, ଖାଲି ବୋହୂଟି ମୋର ଲୋଡ଼ା । ସେ ହେବ ମୋ ଆଖିର ପିତୁଳା ।

 

କହିଲି, ମୁଁ ଅତି ଗରିବ । ଝିଅଟି ବ୍ୟତୀତ ଧନ ସମ୍ପତ୍ତି ଆଉ କିଛି ମୋର ନାହିଁ । ଜନ୍ମ ଦେଇଛି, ସ୍ନେହ ଆଦରରେ ବଢ଼ାଇଛି, ଚାରି ଅକ୍ଷର ପଢ଼ାଇଛି । ପରଘରେ କିପରି ସଣ୍ଠଣାରେ ଚଳିବ, ଶାଶୁ ଶଶୁରଙ୍କୁ ବାପ ମା’ଙ୍କଠୁଁ ଅଧିକ ମଣି ଭକ୍ତି କରିବ, ସେବା କରିବ, ସେ କଥା ଶିଖାଇଛି । ରୋଷବାସ ଓ ଘରକାମ ସବୁ ସେ ଜାଣେ । ରୂପ, ଢଙ୍ଗକୁ ମୁଁ କାହିଁକି ପ୍ରଶଂସା କରିବ । ନିମିତ୍ୟ କରିବାକୁ ଆଗ୍ରହ ଥିଲେ ତମେ ସମୁଦୁଣୀ ନିଜେ ଦେଖ ।

 

ସ୍ଥିର ହେଲା, ତମେ ସବୁ ଧବଳେଶ୍ୱର ଆସିବ । ବିଧୁବାବୁ ତାଙ୍କ ସ୍ତ୍ରୀଙ୍କୁ ନେଇ ସେଠିକି ଯିବେ । ସେଇଠି ଦେଖା ସାକ୍ଷାତ ହେବ । ଯଦି ତାଙ୍କର ପସନ୍ଦ ହୁଏ, ଆଗ୍ରହ ହୁଏ, ସେ ଜବାବ୍‌ ଦେବେ । ସେ ଧନ ଦରବ ଚାହାନ୍ତି ନାହିଁ, ଚାହାନ୍ତି ମନ ମାଫିବୋହୂଟିଏ । ରୂପଟି ପଛ, ଢଙ୍ଗଟି ଆଗ ।

 

ଧବଳେଶ୍ୱର କେବେ ଯିବାକୁ ହେବ, ମୁଁ ପରେ ଲେଖିବି । ମୋର ବେଳ ହେଲେ ମୁଁ ଯିବି, ନୋହିଲେ ମୁଁ ଲେଖିଲେ ଦାମ କି ଗୋକୁଳିକୁ ସାଙ୍ଗରେ ନେଇ କଟକ ଆସିବ । ଯାହା ଧବଳେଶ୍ୱରଙ୍କର ଇଚ୍ଛା । ଆମେ ଚେଷ୍ଟା କରିବା, ଗୀତାର କପାଳରେ ଯାହା ଲେଖା ହୋଇଛି, ସେଇଆ ଫଳିବ ।

 

ଅମୁଭାଇ ଚିଠି ପଢ଼ି ସାରିଲେ । ଭାବିଥିଲି, ତାଙ୍କର ମୁହଁରେ ପରିବର୍ତ୍ତନର ଭାବ ଦେଖିବି, କିନ୍ତୁ କିଛି ଲକ୍ଷ୍ୟକରି ପାରିଲି ନାହିଁ । ସେ ଆନନ୍ଦିତ ହୋଇ କହିଲେ, ଭଗବାନଙ୍କର ଇଚ୍ଛା-। ଗୀତା ପରି ସରଳ ସୁନ୍ଦର ଢଙ୍ଗର ପିଲା, ଭଗବାନ୍‌ ତାକୁ ତାର ଯୋଗ୍ୟ ଜାଗା ନିଶ୍ଚୟ ଦେବେ ।

 

ଦାମଭାଇଙ୍କ ପ୍ରତି ମନରେ ଯେଉଁ ସନ୍ଦେହ ପୋଷିଥିଲି ସେତକ ଉଭେଇ ଗଲା । ତାଙ୍କୁ ଯେଡ଼େ ନୀଚ ମନେ କରିଥିଲି ସେ ତାହା ନୁହନ୍ତି । ମତେ ଖୁସି ଲାଗିଲା । ଏଥର ସେ ଆସିଲେ ତାଙ୍କୁ ହସିକରି କଥା କହିବି । ଅମୁଭାଇ ଚାଲିଗଲେ । ମୁଁ ବୋଉ ପାଖକୁ ଆସି ଜାଣି ନ ଜାଣିଲା ପରି ପଚାରିଲି, ବାପାଙ୍କ ପାଖରୁ ପରା ଚିଠି ଆସିଛି ?

 

ବୋଉ କହିଲା, ହଁ, ଲେଖିଛନ୍ତି ଧବଳେଶ୍ୱର ଯିବାକୁ । ମୁଁ ଦିନେ ତାଙ୍କୁ କହିଥିଲି । ସେ ଚିଠି ଦେଲେ ଆମେ ଯାହା ସଙ୍ଗରେ ହେଲେ ଯିବା ।

 

ବେଶି ପଚାରିଲି ନାହିଁ । ସଞ୍ଜକନା ଧରି ସଳିତା ବଳି ବସିଲି । ମୁଣ୍ତ ଭିତରେ କେତେ ଭାବନାର ସଂଘର୍ଷ ସୃଷ୍ଟି ହେଲା । ତିନୋଟି ରୂପ ଆଖି ଆଗରେ ଉଭା ହେଲା – ଦାମଭାଇ, ଅମୁଭାଇ, ଆଉ ଏ ନୂଆ ପ୍ରବୋଧ ବାବୁ । ଦାମଭାଇ ଆଜି ସଂସାରୀ । ତାଙ୍କ କଥା ମନରୁ ତଡ଼ିଦେବାହିଁ ଭଲ । ଅମୁଭାଇ ବହୁତ ଦୂରରେ । ଅଜୁଭାଇ ବାହା ନ ହେବାଯାଏ ତାଙ୍କ ବାହା ପ୍ରଶ୍ନ ଉଠିବ ନାହିଁ ।

 

ପ୍ରବୋଧ ବାବୁ ! ରୂପରେଖ ଦେଖିନାହିଁ । ବାପାଙ୍କର ଚିଠିରୁ ଜାଣିଲି ଶୁଣିଲି, ସେ ସୁନ୍ଦର, ଗୁଣର, ଧନୀଘର ପୁଅ ।

 

ବିଧୁବାବୁଙ୍କ ସ୍ତ୍ରୀ କଟକରେ କେତେ ସୁନ୍ଦରୀ ଝିଅ ଦେଖିଥିବେ । ତାଙ୍କ ଆଖିକ ଗାଉଁଲି ଝିଅଟା ଗୀତା କିପରି ଦିଶିବ ? ଭଲ ଲୁଗା ଖଣ୍ତେ ନାହିଁ । ଗହଣା ଗାଣ୍ଠି ନାହିଁ । ଆଖିରେ ଦି ଧାର କଜଳ ତାର ସମ୍ବଳ ।

 

ମୋର ରୂପ ଗୁଣର ପରୀକ୍ଷା ହେବ । ବିଧିବାବୁଙ୍କ ପୁଅ ପ୍ରବୋଧ ବାବୁ, ତାଙ୍କର ରୂପଗୁଣର ପରୀକ୍ଷା ହେବନାହିଁ । ପୁଅହୋଇ ସେ ଜନ୍ମ ହୋଇଛନ୍ତି । ତେଣୁ ତାଙ୍କର ସବୁ ଭଲ ବୋଲି ଗ୍ରହଣ କରି ନେବାକୁ ହେବ । ପୁରୁଷପିଲାର ସବୁ ସୁନ୍ଦର । ଭଲ ମନ୍ଦ ଯାହାକଲେ ସବୁ କ୍ଷମଣୀୟ । ପୁରୁଷ ପିଲାର ମନ ଅଛି, ସାର ଅସାର କରିବାର ଅଧିକାର ଅଛି, ଆମର ନାହିଁ ।

 

ଅତି ନିଉଁଛଣା ଆମର ଝିଅ ଜନମ । ଜୀବନ, ମନ, ଆଗ୍ରହ ଉତ୍ତେଜନା ଧରି ଆତଯାତ ହେଉଥିଲେ ବି ଆମେ ନିର୍ଜୀବ କାଠ କଣ୍ଢେଇ । ଯେଉଁଠି ଥୋଇବ, ସେଇଠି ରହିବୁ । ଯେପରି ନଚାଇବ, ସେପରି ନାଚିବୁ । ସହିବାକୁ ଆମ ଜନମ, ବାଧାଦେଇ କହିବାକୁ ଆମର କ୍ଷମତା ନାହିଁ ।

 

(୧୮)

 

ଆହୁରି କେତେଦିନ ବିତିଗଲା । ବାପାଙ୍କ ପାଖରୁ ଧବଳେଶ୍ୱର ଯିବାକୁ ଚିଠି ଆସିଲା ନାହିଁ । ବୋଉ ଭାବନାରେ ପଡ଼ିଥାଏ । ବାପାଙ୍କର ଦେହପାର ଖବର ଜାଣିବାକୁ ଉଦ୍‌ବିଗ୍ନ ହୋଇ ରହିଥାଏ । ଧବଳେଶ୍ୱର ଯିବା କଥା ତୁଣ୍ତରେ ଧରେନାହିଁ ।

 

ମୋ ମନରେ ତଥାପି ଆଶା ଥାଏ, ନିଶ୍ଚୟ ଧବଳେଶ୍ୱର ଯିବାକୁ ଚିଠି ଆସିବ । ସୁବିଧା ଅସୁବିଧା ଦେଖି ବାପା ଲେଖିବେ । ଆଗରୁ ଛାନିଆଁ ହେବା ଉଚିତ ନୁହେଁ । ମୁଁ ଏହି ଆଶାରେ ଅସ୍ଥିର ହୋଇ ବେଳ କାଟେ । ମୋର ଯେତିକି ଅଛି ସେତିକିରେ ନିଜକୁ ସଜାଇବାକୁ ଚେଷ୍ଟା କରେ-। ଆଇନାରେ ନିଜର ରୂପ ଦେଖି ମନକୁ ହସେ, ପୁଣି ଗମ୍ଭୀର ହୁଏ । ଦେଖେ, ଆଉ କେତେ ଝିଅ ବୋହୂଙ୍କ ମୁହଁ ମନେ ପକାଇ ତୁଳନା କରେ । ମୋ ବିବେଚନାରେ ମୁଁ ହୁଏ ସବୁଠୁଁ ସୁନ୍ଦରୀ । ଖୁସି ହୁଏଁ । ବାପା ଲେଖିଥିଲେ, ବିଧୁବାବୁଙ୍କ ସ୍ତ୍ରୀ ସୁନ୍ଦରୀ । ତାଙ୍କର ଆଖିକି ସୁନ୍ଦର ଦିଶିବାର ଉପଯୁକ୍ତ ମୁଁ ? ମୋଠୁଁ ବଳି କେତେ ସୁନ୍ଦର ଝିଅ ତ କଟକରେ ଥିବେ, ସେ ଦେଖିଥିବେ ।

 

ସରାଗ ମଉଳି ଯାଏ ।

 

ବୋଉ କହିଲା, ମଣିଷ ସିନା ଟାଣି ଓଟାରି ହୁଏ , ପଛରେ କାହାର ଅଦେଖା ହାତ ତାର ଭାଗ୍ୟର ଡୋରି ଧରି ଠିଆ ହୋଇଥାଏ ! ନିରୂପମା ଏବେ କେଉଁ ସୁନ୍ଦର । ରଙ୍ଗ କମ୍‌, ବେକ ଛଡ଼ା । ନାକ ଛୋଟ । ସେ ପୁଣି ତାର ଶାଶୁଘର ଆଖିକି କେଡ଼େ ସୁନ୍ଦର ଦିଶିଲା । ଧନ୍ୟ ଧନ୍ୟ ପ୍ରଶଂସାର ହୁରି ପଡ଼ିଗଲା । ଆଉ ଅରୁନ୍ଧତୀ, ନରାଙ୍ଗ ଗାଁରେ ତା ପରି ରୂପର ଝିଅ ଜନ୍ମ ହୋଇ ନାହାନ୍ତି । ବୋଉ କେତେଥର କହେ । ଆଉଅ ନ୍ୟମାନେ ବି କହନ୍ତି । କେଡ଼େବଡ଼ ଘରେ ସମ୍ବନ୍ଧ ଲାଗିଥିଲା । ସେମିତି ଗୋଟାଏ ଆରାରେ କଟକ ଗଲେ ଝିଅ ଦେଖାଇବାକୁ । ବାହାଘର ଭାଙ୍ଗି ଗଲା । ପାତ୍ରୀ କୁଆଡ଼େ ବରଘର ଆଖିକି ସୁନ୍ଦର ଦିଶିଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଅରୁନ୍ଧତୀର କଅଣ ଅସୁନ୍ଦର କେହି କହି ପାରିଲେ ନାହିଁ । ତଥାପି, ସେ ହେଲା ଅସୁନ୍ଦର !

 

ଭାଗ୍ୟ !

 

ସତରେ ଏକା ଅଜଣା ଭଗବାନ, ଅଦେଖା ଭାଗ୍ୟ ଉପରେ ନିର୍ଭର କଲେ ମଣିଷର ମନରେ ସାନ୍ତ୍ୱନା ଆସେ । ସବୁ ଭୁଲ, ଭ୍ରାନ୍ତି, ଦୁଃଖ ଦୁର୍ଦ୍ଦଶା ଭାଗ୍ୟର ଫଳ ବୋଲି ଗ୍ରହଣ କଲେ ମଣିଷ ଶାନ୍ତିପାଏ ।

 

ଯେତେ ଯାହା ଭାବିଲେ ସୁଦ୍ଧା ମନ ମୋର ଦୋହଲି ଉଠେ । ଗୋଟାଏ ଅନାଗତ ଅନିଶ୍ଚିତ ପରୀକ୍ଷାର ଫଳ ପାଇଁ ଛାତିର ଦମ୍ଭ ଚହଲି ଯାଏ । ଧୈର୍ଯ୍ୟ ଉଚ୍ଚାଟ ହୁଏ ।

 

(୧୯)

 

ଦିନେ ସଞ୍ଜବେଳେ ଦାମଭାଇ ଆମ ଘରକୁ ଆସିଲେ । ଅନ୍ଧାରିଆ ହୋଇଥାଏ ବାହାରେ । ରୋଷଘରେ ବୋଉ ଭାତ ରାନ୍ଧୁଛି । ତା ପାଖରେ ବସି ମୁଁ ପରିବା କାଟୁଛି । ସେ ଆସି ବୋଉ ପାଖରେ ବସିଲେ । ମୋ ଆଡ଼କୁ ଥରଟିଏ ଖାଲି ଅନାଇଥିଲେ ।

 

ବୋଉ କହିଲା, ପୁଅରେ, ତିନିଦିନ ହେଲା କେମିତି ଖରାପ ଲାଗୁଛି, ମନ କେଉଁଠି ଲାଗୁନାହିଁ । ଚିଠି ଦେବେ ବୋଲି କହିଥିଲେ, ଆଜିଯାଏ ଚିଠିପତ୍ର ବି ପଇସା କଉଡ଼ିର ଦେଖା ନାହିଁ-

 

ଦାମଭାଇ ଟିକିଏ ଭାବିଲେ । କହିଲେ, ଚିନ୍ତା କରିବାର କାରଣ ନାହିଁ ଖୁଡ଼ୀ, ଭୋଳିଦାଦି ଚାଲାଖ ଲୋକ । ଗୀତାର ବାହାଘର ସ୍ଥିର କରିବାକୁ ସେ ବ୍ୟସ୍ତ ଥିବେ । ବୋଧହୁଏ ସେ ଚିଠି ଦେଇଛନ୍ତି । ଡାକଘରେ ପଡ଼ିଛି । କାଲି ଡାକପାଳି । ଅପେକ୍ଷା କର, ଯଦି ଚିଠି ନ ଆସିଥାଏ, ତମେ ସବୁ ଚିଠି ଲେଖି ଅମୁ ହାତରେ ଦେବ । କାଲି ଉପରବେଳା କଟକ ଯିବ ବୋଲି ଅମୁ କହୁଥିଲା । ସେ ନଗଲେ ମୁଁ ନିଜେ ଯିବି । ସବୁ ଖବର ବୁଝିଆସିବି ।

 

ବୋଉ ପଚାରିଲା, ଅମୁ କାମ ପାଇଲା କି ? ଏଇ ଗାଁରେ ଅଛି, ଟିକିଏ ଏଣେ ଆସିବାକୁ ତାକୁ ବେଳ ମିଳୁନାହିଁ ।

 

ଦାମଭାଇ କହିଲେ, ସେଇଟା ନିର୍ବୋଧ, ଅପଦାର୍ଥ, ଘାସକୁ ଛୋଟ, ପାଳକୁ ଲମ୍ବା । ସେ କି କାମ କରିବ ? ବରଂ ଅଜୁଟି ମୂଲିଆ ହେଉ ମୂର୍ଖ ହେଉ, ପର ଦୁଃଖରେ ନ ଥାଏ, କି ସୁଖରେ ନ ଥାଏ । ଦିନ ରାତି କାମରେ ଲାଗିଥାଏ । ଅମୁ ଯେ ବାବୁ, ଏଣେ ପଛେ ପେଟ ହାକୁ ହାକୁ ଜଳୁଥାଉ । କଟକ ଯିବ ଯିବବୋଲି, ମୁଁ ଦେଖୁଛି କେତେ ଦିନ ଏ ଗାଁରେ ଅଳସୁଆ ହେଇ ବସିଛି । ଆକଟ କରି ପଦେ କହିବାକୁ ମନ ହେଉଛି, ପୁଣି ଭାବୁଛି, କି ଥାଏ ଆମର ?

 

ବୋଉ କହିଲା, ପୁରୁଷ ପିଲା ଉଦ୍‌ଯୋଗୀ ନହେଲେ ନିଉଁଛୁଣା ।

 

ଦାମଭାଇଙ୍କ କଥା ଓ ବୋଉର ଟିପ୍‌ପଣୀ ମୋତେ ଖରାପ ଲାଗିଲା । ଅମୁଭାଇ ଭଲ ହେଉ ମନ୍ଦ ହେଉ, କେବେ କାହା ଘରେ ମୁଠିଏ ଭାତ ପାଇଁ ହାତ ପତାଇ ନାହିଁ । ନିଜ ଦୁଃଖରେ ସେ ଅଛି । ସଂସାରରେ ମୁଣ୍ତ ଟେକି ଠିଆ ହେବାକୁ ସେ ତାର ଉଦ୍ୟମ ବଳେ କରିବ । ଅନ୍ୟମାନଙ୍କର ଅଲଣା ସମାଲୋଚନାରେ ତା’ର ଲାଭ କି କ୍ଷତି ହେବ ନାହିଁ । ନିଜେ ଦାମ ଭାଇ କେଉଁ ଗୁଣରେ ତା’ଠାରୁ ବଡ଼ ? କି କାମ କରି କଅଣ ସେ ଉପାର୍ଜନ କରୁଛନ୍ତି ?

 

ମୋର ପରିବା କଟା ସରିଥିଲା । ଆର ଘରକୁ ଉଠିଗଲି । ନଲଟଣ ତେଜି ସେହି ପୁରୁଣା ଗପ ବହିଟି ପଢ଼ିବାକୁ ଚେଷ୍ଟା କଲି । ଦାମଭାଇବୋଉ ସଙ୍ଗେ କଥାବାର୍ତ୍ତା ହୋଇ ଫେରି ଯାଉଥିଲେ । ମୁଁ ଘରେ ଥାଇ କହିଲି, ତମର ତ ଆଜିକାଲି ଦେଖା ଦର୍ଶନ ନାହିଁ, ଦାମଭାଇ !

 

ସେ ଘର ଭିତରକୁ ପଶିଆସି ଥଟ୍ଟାଳିଆସ୍ୱରରେ କହିଲେ, ସେଥିପାଇଁ ବୋଧହୁଏ ତୋତେ ଭାତ ରୁଚୁନଥିବ ।

 

ରାଗ ହେଲା । ତାଙ୍କ ମୁହଁକୁ ନ ଚାହିଁ କହିଲି, ଆମେ ଗରିବ, ଆମକୁ ଭାତ ମିଳେ ନାହିଁ-। କୋଳଥମାଣ୍ତିଆ ଆମର ଆହାର । ସେଇଆ ଆମକୁ ରୁଚେ ।

 

କହିଲେ, ଏବେ ଖିରୀ ପୁରୀ ସ୍ୱପ୍ନ ଦେଖୁଥିବୁ ଲୋ । ହଉ, ଠାକୁରେ ତୋର ମଙ୍ଗଳ କରନ୍ତୁ । ଭଲରେ ନ ହେଲେ ମନ୍ଦରେ ବେଳେ ବେଳେ ତୋର ମନେ ପଡ଼ିବି । ତୁଣ୍ତରେ ନାମ ନ ଧରିଲେ ବି ମୁଣ୍ତ ଭିତରେ ତ ପୋଛି ପାରିବୁ ନାହିଁ ।

 

ଏତିକି କହି ସେ ବାହାରିଗଲେ । ପଛକୁ ଡାକି କହିଲି, ପାନ ନେଇଯାଅ ଦାମଭାଇ ।

 

ପଦାରୁ କହିଲେ, ଯାଚିବାକୁ ତୋର ମନ ହେଲା, ସେଇଥିରୁ ତୋର ସ୍ନେହ ଜଣାଗଲା ଯେ । ପାନ ନେଲେ ଅଧିକ ହେବ ନାହିଁ । କାମ ଅଛି, ଯାଉଛି ।

 

ସେ ଚାଲିଗଲେ ।

ମନକୁ ମନ କହିହେଲି, ନିର୍ବୋଧ !

 

ହସ ମାଡ଼ିଲା । ଚାହିଁ ଚାହିଁ ସପନ ଦେଖିଲି, ବାପା ଖୁସି ହୋଇ ଚିଠି ଲେଖିଛନ୍ତି, ସବୁ ସ୍ଥିର ହୋଇଗଲା । ଦିନ ବାର ଠିକଣା ହେଲା । ପ୍ରବୋଧ ବାବୁ ଶିକ୍ଷିତ । କହିଲେ, ଦେବାନେବା କଥା ଉଠିବ ନାହିଁ । ଝିଅକୁ ଦେଖିବା ଲୋଡ଼ା ନାହିଁ । ତାଙ୍କ ବାପ ମା ମଙ୍ଗିଲେ । ଖୁସି ହେଲେ । ବାହାଘରର ଆୟୋଜନ କରିବାକୁ ଦିନେ ଦୁଇଦିନ ଭିତରେ ମୁଁ ଗାଆଁକୁ ଯାଉଛି–

 

ବୋଉର ଡାକରେ ମୋର ସପନ ଭାଙ୍ଗିଲା ।

 

(୨୦)

 

ପରଦିନ ସକାଳେ ଅମର ଭାଇ ଆସିଲେ । ବୋଉ ଘରଧନ୍ଦାରେ ବ୍ୟସ୍ତ ଥାଏ । କହିଲା, ଅମୁକୁ ପାନ ଦେ ଗୀତା । ମୁଁ ପାଣି ଦିଟା ଭିତରକୁ ନେଇ ଆସେ ।

 

ଅଧା ଆଡ଼ହୋଇ ପିଣ୍ତାରେ ବିଛଣା ପକାଇ ଦେଲି । କହିଲି, ବସନ୍ତୁ । ସେ ଆସି ବସିଲେ । ମୁଁ ପାନ ଭାଙ୍ଗି ଗୋଟିଏ କାଚ ଥାଳିଆରେ ପାଖରେ ରଖିଲି । ଉଠିଯାଇଁ ଘର ଭିତରେ ଦୁଆର ବନ୍ଧକୁ ଆଉଜି ଠିଆ ହେଲି । ଆଶା କରିଥିଲି, ସେ କଣ ପଚାରିବେ । କିନ୍ତୁ ସେ କିଛି କହିଲେ ନାହିଁ । ତାଙ୍କୁ ସଙ୍କୋଚ ଲାଗିଲା ପରା ! କେଜାଣି, ମୋ ସଙ୍ଗେ କଥାଭାଷା କରିବାକୁ ସେ ଅନୁଚିତ ମନେକଲେ ।

 

ମୁଁ ଟିକିଏ ଅପେକ୍ଷା କରି ବାରିଆଡ଼କୁ ଚାଲିଗଲି । ଦେଖିଲି, ବୋଉ ପାଣି ଆଣିବା ବାହାନାରେ ଶାଗ ତୋଳୁଛି । ମତେ କିଛି ନ କହି ସେ ଭିତରକୁ ଆସିଲା । ମୁଁ ତା’ର ପଛେ ପଛେ ଆସିଲି । ବୋଉ ପଚାରିଲା, ଅମୁ, ତୁ ଆଜି କଟକ ଯାଉଛୁ ?

 

ସେ କହିଲେ, ଉପରଓଳି ଯିବି, ନୋହିଲେ କାଲି ସକାଳେ ।

 

ବୋଉ କହିଲା, ଯିବା ଆଗରୁ ଇଆଡ଼େ ଆସିବୁ । ତୋ ହାତରେ ତାଙ୍କ ପାଖକୁ ଖଣ୍ତେ ଚିଠି ଦେବି । ସୁନା ପୁଅଟା ପରା ।

 

ଅମୁଭାଇ ସମ୍ମତି ଜଣାଇଲେ । ବୋଉ ସଙ୍ଗେ ଏଣୁ ତେଣୁ କେତେ କଥାଭାଷା ହେଲେ-। ବାହାଘର ବିଷୟ ପଡ଼ିଲା । ବାପାଙ୍କର ପତ୍ର, ପ୍ରବୋଧ ବାବୁଙ୍କ ସମ୍ବନ୍ଧ । ଅମୁଭାଇ ଖୁସି ହେଲେ-। କହିଲେ, ଠାକୁରଙ୍କର ଦୟାଥିଲେ ଏ ସମ୍ବନ୍ଧ ନିଶ୍ଚୟ ସ୍ଥିର ହେବ । ଗୀତା ଯେପରି ସୁନ୍ଦର, ଯେପରି ସୁଧୀର, ନିରୀହ, ନିଷ୍କପଟ, ସ୍ନେହୀ, ଭଗବାନ ତାକୁ ଉପଯୁକ୍ତ ପାତ୍ର ଅବଶ୍ୟ ଦେବେ ।

 

ସେ ଚାଲିଗଲେ । ବୋଉ କାମରେ ଲାଗିଲା ।

 

ମୁଁ ମୋର ପୁରୁଣା ଗପ ବହିଟି ଖୋଲି ଭାବି ବସିଲି; ଆହା, ଭାଇ ଦିଓଟି ସଂସାରରେ ମୁଣ୍ତ ଟେକି ବାଟ ଚାଲିବାକୁ ପରିଶ୍ରମ କରୁଛନ୍ତି । ଗରିବ ସେମାନେ, ଆମରି ପରି । ଗରିବର ଆଶା ଲତାଟି ଫଳ ଫଳିବା ଆଗରୁ ସୁଯୋଗ ଅଭାବରୁ ମାଟିରେ ଲୋଟେ । କେତେ କଅଣ କରିବାକୁ ସେ ଆମ୍ପୁଡ଼ି ହୁଏ । ହତାଶ ହୋଇ ଶୂନ୍ୟକୁ ଚାହେଁ । ଦୀର୍ଘଶ୍ୱାସଛାଡ଼ି ଥରି ଥରିକା ପଛକୁ ଫେରେ । ନୂଆ କାମରେ ହାତ ଦିଏ । ହେବ ବୋଲି ପରତେ ନ ଥାଏ ।

 

ଅମୁଭାଇଙ୍କର ସୁନ୍ଦର ଶାନ୍ତ ମୂର୍ତ୍ତିଟି ଆଖି ଆଗରେ ଠିଆହୁଏ, କିନ୍ତୁ ପୂର୍ବପରି ମନ ଢଳିପଡ଼େ ନାହିଁ । ଦୁଃଖର ସଂସାର, ସେହି ଦୁଃଖ ଜଞ୍ଜାଳରେ ଆଜୀବନ ଘାଣ୍ଟି ହେବାକୁ ମନ ଡାକେ ନାହିଁ, ଡର ମାଡେ ।

 

(୨୧)

ବୋଉ ଆସି କହିଲା, ଝିଅ ଲୋ – କାଗଜ କଲମ ଆଣି ବାପା ପାଖକୁ ଖଣ୍ତେ ଚିଠି ଲେଖେ । ଅମୁ ଆଜି କଟକ ଯାଉଛି, ତା ହାତରେ ଦେବା । କେତେଦିନ ହେଲା ବେଉରା ଦେଇ ନାହାନ୍ତି ।

ମୁଁ ଖଣ୍ତେ କାଗଜ ଓ ଦୁଆତ କଲମ ଆଣିଲି । ବୋଉ ଡାକିଲା, ମୁଁ ଲେଖିଲି, – ଦେହର ହାଲଚାଲ ଲେଖିବ । ଚିଠି ନ ପାଇ ବ୍ୟସ୍ତରେ ଅଛି । ଧବଳେଶ୍ୱର ଯିବା କଥା କଅଣ ହେଲା ? ମୁଁ ଗୋଡ଼ ଟେକି ବସିଛି । ସେମାନଙ୍କଠାରୁ ବୁଝି ଲେଖିବ । ପଇସା କଉଡ଼ି ହାତରେ ନାହିଁ । ଯଦି ଦରମା ପାଇଥାଅ କିଛି ପଠାଇବ । ଦିନକ ପାଇଁ ହେଲେ ନିଶ୍ଚୟ ଥରେ ଆସିବ ।

ଚିଠିଲେଖା ଅଧା ହୋଇଛି, ଦାଣ୍ତ କବାଟ ଠେଲି ଅମୁଭାଇ ଫେରି ଆସିଲେ । ହାତରେ ଖଣ୍ତେ ଲଫାପା ଧରିଛନ୍ତି । ମୁଁ ଚିଠି ଲେଖା ବନ୍ଦ କରି ମୁଣ୍ତ ଉପରକୁ ଓଢ଼ଣା ଟାଣିଲି । ବୋଉ ପଚାରିଲା, କଅଣରେ ଅମୁ ?

ଅମୁଭାଇ କହିଲେ, ପୋଷ୍ଟପିଅନ୍‌ ସଙ୍ଗେ ବାଟରେ ଦେଖା ହେଲା । ସେ ଏ ଚିଠିଖଣ୍ତି ଦେଇଛି । କହିଲା, ତିନିଦିନ ହେଲା ଆସିଲାଣି । କେହି ଲୋକ ଆସୁ ନ ଥିଲେ ବୋଲି ପଠାଇ ପାରି ନାହିଁ ।

 

ବୋଉର ଓଠରେ ହସ ଖେଳିଗଲା । ଚିଠିଖଣ୍ତି ଆଗ୍ରହରେ ଅମୁଭାଇ ହାତରୁ ଆଣି ଏପାଖ ସେପାଖ ଓଲଟାଇ କଅଣ ଭାବିଲା । ବୋଧହୁଏ ଭାବିଲା, ମୋତେ ଦେବ କି ନାହିଁ । ଶେଷକୁ ଅମୁଭାଇ ହାତକୁ ବଢ଼ାଇ ଦେଇ କହିଲା, ପଢ଼ ତ ବାପ ।

ବୋଉର ଉଦ୍ଦେଶ୍ୟ ବୁଝିପାରିଲି । ଚିଠିରେ ନିଶ୍ଚୟ ମୋ ବାହାଘର କଥା ଲେଖାଥିବ ଜାଣି ମୋତେ ପଢ଼ିବାକୁ ଦେଲା ନାହିଁ । ମୁଁ ବି କିଛି ନ ଜାଣିଲା ପରି କବାଟ କରକୁ ଘୁଞ୍ଚି ଆସିଲି । ଉତ୍ତେଜନାରେ ଛାତିତଳ ଥରିବାକୁ ଲାଗିଲା । ବାପା ଚିଠି ଲେଖିଛନ୍ତି । ତାଙ୍କର ଆଶା ଠାକୁରେ ପୂରଣ କରିଛନ୍ତି ପରା ! ବିଧୁବାବୁ ବୋହୂ କରିବାକୁ ମଙ୍ଗିଲେ । ଗୀତାର ହେବ ବାହାଘର, ପ୍ରବୋଧ ବାବୁଙ୍କ ସଙ୍ଗରେ ! ବାପମା’ଙ୍କୁ ଛାଡ଼ି ସେ ଚାଲିଯିବ ପର ଘରକୁ ।

ଅବାଧ୍ୟ ଲୁହ ଦୁଇ ଆଖିରେ ପୂର୍ଣ୍ଣ ହେଲା ।

 

(୨୨)

 

ଅମୁଭାଇ ଚିଠି ପଢ଼ିବାକୁ ଆରମ୍ଭ କଲେ ।

 

ଗୀତା, ତୁମର ବାପାଙ୍କ କହିବା ମତେ ଏ ଚିଠି ଲେଖୁଛି । ଆଜିକୁ ତିନି ଚାରିଦିନ ହେବ ଭୋଳିବାବୁଙ୍କୁ ଜର ହୋଇଥିଲା । ଦେହ ହାତ ଦରଜ ହୋଇଥିଲା । ସ୍କୁଲର ପିଲାମାନେ ଓ ମୁଁ ନିଜେ ଦିନରାତି ଜଗି ବସି ତାଙ୍କର ସେବା ଶୁଶ୍ରୁଷା କରୁଥିଲୁ । କାଲିଠାରୁ ସେ ବେହୋସହୋଇ ପଡ଼ିଲେ । ବାଧ୍ୟ ହୋଇ ତାଙ୍କୁ ଡାକ୍ତରଖାନକୁ ନେଲୁ । ଆଜି ତାଙ୍କର ଦେହ ଟିକଏ ଭଲ ଅଛି । ଜର ସାମାନ୍ୟ କମିଛି । ଜ୍ଞାନ ଫେରିଛି । ଡାକ୍ତରମାନଙ୍କ ମତରେ ଭୟର କାରଣ ନାହିଁ । ତମମାନଙ୍କୁ ଦେଖିବାକୁ ତାଙ୍କର ଇଚ୍ଛା । ତମେମାନେ ଶୀଘ୍ର ଆସିବ । ରହିବାର ଅସୁବିଧା ହେବନାହିଁ । ମୋ ବସା ପିଟିଣିସାହୀରେ । ସେଇଠି ପହଞ୍ଚିଲେ ସୁବିଧା ହେବ –

 

ଚିଠି ଲେଖିଛନ୍ତି ରାଣୀହାଟ ସ୍କୁଲର ବଡ଼ ଶିକ୍ଷକ ଶରତ୍‌ବାବୁ । ଅବିଶ୍ୱାସ କରିବାର କାରଣ ନାହିଁ ।

 

ବୋଉ ଥକ୍‌କାହୋଇ ବସି ପଡ଼ିଲା, ସତେ କି ତା’ର ଦେହରେ ପ୍ରାଣ ନାହିଁ । ମୁଁ ଘର ଭିତରୁ ବାହାରି ଆସିଲି । ଅମୁଭାଇଙ୍କ ହାତରୁ, ଚିଠିଖଣ୍ଡି ଟାଣିଆଣି ମନେ ମନେ ଆଉ ଥରେ ପଢ଼ିଲି । ଅବିଶ୍ୱାସର କଥା ନାହିଁ । ମୋତେ ଚାରିଆଡ଼େ ଅନ୍ଧାର ଦିଶିଲା । ବାପା ମୋର ବେମାର ପଡ଼ିଛନ୍ତି ବିଦେଶରେ, ଡାକ୍ତରଖାନାରେ । ପାଖରେ ନିଜଲୋକ କେହି ନାହିଁ । ହତାଶ ଲାଗୁଥିବ । ପ୍ରାର୍ଥନା କଲି ଠାକୁରଙ୍କୁ, ବାପାଙ୍କୁ ମୋର ଆରୋଗ୍ୟ କରିଦିଅ ଭଗବାନ, ମୋର ଜୀବନ ମୁଁ ତମ ପାଖରେ ପାଣି ଛଡ଼ାଇ ଦେଉଛି । ମୋ ଆଖିରୁ ଗଳଗଳ ଲୁହ ଝରି ପଡ଼ିଲା ।

 

ଅମୁଭାଇ ସାନ୍ତ୍ୱନା ଦେବାକୁ କହିଲେ, ଡାକ୍ତରଖାନାରେ ରୋଗୀଙ୍କର ବିଶେଷ ଯତ୍ନ ନିଆଯାଏ । ଭୟର କାରଣ ନାହିଁ । ହୁଏତ ତାଙ୍କର ଦେହ ଭଲ ହୋଇ ଗଲାଣି ।

 

ବୋଉ ଦୀର୍ଘଶ୍ୱାସ ପକାଇ କହିଲା, ଗୀତା, ଚାହିଁ ବସିଲେ ହେବ ନାହିଁ । ଯେତେ ଶୀଘ୍ର ସମ୍ଭବ କଟକ ଯିବାର ଯୋଗାଡ଼ କରିବା ଦରକାର ।

 

ସେ ଆଖିରୁ ଲୁହ ପୋଛିଲା ।

 

ମୁଁ କହିଲି, ହଁ ବୋଉ, ଯିଏ ଯେତେ ସେବା ଯତ୍ନ କଲେବି ପର । ଆପଣା ମଣିଷଙ୍କ ପରି ମନ ଜାଣି କରି ପାରିବେ ନାହିଁ । କଟକ ଯିବା କିପରି, କାହା ସଙ୍ଗରେ ?

 

ବୋଉମୋ କଥାର ଉତ୍ତର ନ ଦେଇ ଅମୁଭାଇଙ୍କୁ କହିଲା, ବାପ, ତୋର ତ ଯିବାର କଥା, ଆଜି ଆମ ସଙ୍ଗେ ଗଲେ ଭଲ ହୁଅନ୍ତା । କେତେ ଉପକାର କରନ୍ତୁରେ !

 

ଅମୁଭାଇ ଆପତ୍ତି କଲେ ନାହିଁ । କଟକ ଯିବା ସମ୍ବନ୍ଧରେ ଏଣୁ ତେଣୁ କଥାବାର୍ତ୍ତା କରି ସେ ଚାଲିଗଲେ । ବୋଉ ତାଙ୍କର ହାତରେ ରାଧା ପାଖକୁ ଖବର ପଠାଇଲା ।

 

ଘଣ୍ଟାକ ପରେ ରାଧା ଆସିଲା । ସେତେବେଳକୁ ବନ୍ଧାବନ୍ଧି କରି ଆମେ ପ୍ରସ୍ତୁତ ହୋଇ ସାରିଲୁଣି ।

 

ରାଧାକୁ ସବୁ କଥା ଶୁଣାଇଁବୋଉ କହିଲା, ଆମେ ଯିବାକୁ ସଜ ହୋଇଛୁଁ, ହାତରେ ପଇସା ନାହିଁ କି ଗାଡ଼ିଠିକ୍‌ ହୋଇ ନାହିଁ । ତୋଓର ଭରସାରେ ରହିଛି । ଏ ଥାଳି ପଟକ ନେଇ ଯା, କେଉଁଠି ବନ୍ଧା ପକାଇ ଟଙ୍କା ଦି ତିନିଟା ମୋତେ ଏହି କ୍ଷଣି ଆଣିଦେ । ଦୀନାକୁ କହିଲେ ତାଆରି ଗାଡ଼ିରେ କଟକ ଯିବୁ । ଯାହା ଭଡ଼ା ନେବାର କଥା ସେ ନେବ ।
 

ରାଧା କହିଲା, ଟଙ୍କା ଦି ତିନିଟା ପାଇଁ ଥାଳି କଂସା ବନ୍ଧା ପକାଇବା ଦରକାର ନାହିଁ । ତମଠି କାହାର ଟଙ୍କା ବୁଡ଼ିଯିବ ନାହିଁ । ତମର ସେ ବିଷୟରେ ଚିନ୍ତା କରିବା ଦରକାର ନାହିଁ । ମୁଁ ସବୁ ଠିକଣା କରିଦେବି । ଯାଉଚି ।

 

ରାଧା ଚାଲିଗଲା ।

 

ଦିନ ଦୁଇଟା ବାଜିଲା । ରାଧା ସବୁ ବନ୍ଦୋବସ୍ତ କରି ଦେଇଥାଏ । କାଳେ ଫଳମୂଳ କିଣିବାକୁ ଦରକାର ହେବ ବୋଲି ହାତରେ ଅଧିକ ପାଞ୍ଚଟଙ୍କା ଦେଇଥାଏ । ଦୀନା ବଳଦ ଗାଡ଼ି ନେଇ ଦାଣ୍ଡକୁ ଆସିଲା । ରାଧା ଜିମା ଘର ଦେଇ ବୋଉ ଓ ମୁଁ ଗାଡ଼ିରେ ବସିଲୁ । ଅମୁଭାଇ ମଧ୍ୟ ଆମରି ପାଖରେ ବସିଲେ ।

 

ଗାଡ଼ି ଚାଲିଲା ।

 

ଆଖିରୁ ଲୁହ ପୋଛିଲି । କଟକ ଯାଉଛି ଧବଳେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ନୁହେଁ, ବାପାଙ୍କ ରୋଗଶଯ୍ୟା ପାଖରେ ଜଗିବସି ତାଙ୍କର ସେବା କରିବାକୁ ସୁଖରେ ନୁହେଁ, ଦୁଃଖରେ । ଦଇବ ମଣିଷର ସବୁ କଥାକୁ ଏମିତି ଓଲଟ ପାଲଟ କରିଦିଏ । ମନେ ମନେ ତାଙ୍କର ଉଦ୍ଦେଶ୍ୟରେ ପ୍ରଣାମ କଲି । ମାଗୁଣି କଲି, ମୋ ବାପାଙ୍କର ଦେହ ଭଲ କରିଦିଅ ଠାକୁରେ, ଏଇ ଗୋଟିଏମୋର ମାଗୁଣି । କଟକରେ ପହଞ୍ଚି ମୋ ବାପାଙ୍କର ହସ – ମୁହଁ ଦେଖେଁ । ତାଙ୍କର ଗେହ୍ଲାଳିଆ ଡାକ କାନରେ ଆଗ ବାଜୁ, ମା ଗୀତା –

 

(୨୩)

Unknown

 

ଆମ ଗାଁରୁ କଟକ ଯିବାକୁ ଦୁଇଟି ବାଟ । ଗହୀର ମଝିରେ ଶଗଡ଼ଗୁଳା ଧରି ଗଲେ ନଈ କୂଳଯାଏ ବାଟ ସାତକୋଶ । ଗାଁ ଗହୀର ପାରି ହୋଇଗୋପ ରାସ୍ତାରେ ଫୁଲନଖରା ବାଟେ ଗଲେ ନ କୋଶ ବାଟ ପଡ଼େ । ଗୋପ ରାସ୍ତା ବାଲିଆ । ଗାଡ଼ିବାଲାଦୀନା ଗହୀର ବାଟରେ ଗାଡ଼ି ଚଳାଇଲା ।

 

ପହିଲି ପୁଷ । ବିଲରେ ଭଲ ହୋଇଶଗଡ଼ଗୁଳା ଛିଣ୍ଡି ନ ଥାଏ । ଗାଡ଼ି ପଡ଼ି ଉଠି ଧଡ଼ଦଡ଼ହୋଇ ଧୀରେ ଧୀରେ ଚାଲିଲା । ଦଣ୍ଡା ଧରିବାକୁ ଦୀନା ତା’ର ପୁତୁରା ଭଜନାକୁ ସାଙ୍ଗରେ ନେଇଥାଏ ।

 

ଗାଡ଼ିରେ ବସିଲା ବେଳରୁ ବୋଉ ଆଉ ପାଟି ଖୋଲିନାହିଁ । ମୁହଁଟି ତାର ଝାଉଁଳି ପଡ଼ିଥାଏ । କଅଣ କେତେ ଭାବୁଥାଏ । ସାହସ କରି ମୁଁ ତାକୁ କିଛି ପଚାରି ପାରିଲି ନାହିଁ । ମନେ ମନେ ପୁଣି ଠାକୁରଙ୍କୁ ଡାକୁଥାଏ, ଜଣାଣ କରୁଥାଏ । ହେ ଠାକୁରେ, ଆମେ ପହଞ୍ଚିଲା ବେଳକୁ ବାପା ମୋର ଭଲ ହୋଇ ଥାଆନ୍ତୁ ।

 

ଜର ଟିକିଏ ତ, କେତେ ଲୋକଙ୍କୁ ହୁଏ, ମୋତେ ବି କେତେଥର ହୋଇଛି, ଦିନେ ଦି ଦିନରେ ଭଲ ହୋଇଯାଏ । ସେମିତି ବାପାଙ୍କ ଜର ଭଲ ହୋଇ ଯାଇଥିବ । ଆମେ ସବୁ ବାପାଙ୍କୁ ସଙ୍ଗରେ ଘେନି ଫେରି ଆସିବୁ ।

 

ଫେରି ଆସିବୁ ? ଆଉ ଗୋଟିଏ ଭାବନା ମୁଣ୍ଡକୁ ଆସେ, ଧବଳେଶ୍ୱର, ପ୍ରବୋଧ ବାବୁ-। ଛି, ସେ ସବୁ କଥା ଏଇଁଠୁ କାହିଁକି ? ଜୋର୍‌କରି ବାର ଚାଉଳିଆ ଚିନ୍ତାକୁ ମନରୁ ତଡ଼ିଦିଏ-

 

କାଳେ.. ! ଭୟରେ ଥରି ଉଠେ ଛାତି । ଆକୁଳ ହୋଇ ଚାହେଁ ଥରେ ବୋଉ ମୁହଁକୁ, ଥରେ ଅମୁଭାଇଙ୍କ ମୁହଁକୁ । ମନରେ ସାହସ ଆସେ । ପୁଣି ଠାକୁରଙ୍କ ଡାକେ ମନେ ମନେ, ବାପ ମୋର ଭଲ ହୋଇଯାନ୍ତୁ ।

 

କେତେ ବାଟ ଚାଲି ଆସିଲୁଣି । ଗହୀର, ତୋଟା, ମଶାଣି, ଗାଁ ଭିତର । ବାଟ ସରିବାକୁ ନାହିଁ । ଆହୁରି କେତ ଦୂର ! ଗାଡ଼ିରେ ବସି ହଲି ହଲି ଦେହ ଅବଶ ଲାଗିଲା । ମୁଣ୍ଡ ଭିତରେ ଚିନ୍ତା ଖେଳି ଯାଉଥିଲେ ମଧ୍ୟ ଆଖି ମାଡ଼ିମାଡ଼ି ପଡ଼ିଲା । ପଚାରିଲେ, ଦୀନା, କଟକ କେତେ ବାଟ ରହିଲା ? ସଞ୍ଜ ହେଲାଣି, ପହଞ୍ଚିବାକୁ ଆଉ କେତେ ଡେରି ଲାଗିବ ?

 

ଦୀନା ପଛ ଆଡ଼କୁ ମୁହଁ ବୁଲାଇ କହିଲା, ବାଟ ଆଉ ତିନି କୋଶ ଥିବ, ରାତି ଦି’ ଘଡ଼ିକୁ ପହଞ୍ଚି ଯିବା । ସଞ୍ଜ ହେଲା । ଗହୀର ମଝିରେ ନଲଟଣ ଲଗାଇ ଭଜନା ଆଗକୁ ଗଲା । ଗାଡ଼ି ଏଥର ଆହୁରି ମଠେଇ ମଠେଇ ଚାଲିଲା । ତାଟକୁ ଆଉଜି ବୋଉ ଆଖି ବୁଜି ଘୁମାଇ ଥାଏ କି କଅଣ ଭାବୁଥାଏ ମୁଁ ଜାଣେ ନାହିଁ ।

 

ଡାକିଲି, ବୋଉବୋଉ ।

 

ବୋଉ ଜବାବ ଦେଲା ନାହିଁ । ଅମୁଭାଇ ଚେକା ପକାଇ ମୋ ପଛରେ ଟିକିଏ ଛାଡ଼ିକରି ବସିଥାନ୍ତି । ତାଙ୍କୁ ଶୁଣାଇ କହିଲି, ବସି ବସି ଅଣ୍ଟା ବିନ୍ଧିଲାଣି ।

 

ସେ ମୋ ମନକଥା ବୁଝିପାରିଲେ । ଗୋଟିଏ କରକୁ ଆଉଜି ଗଲେ । କହିଲେ, ତୁ ଟିକିଏ ଶୋଇପଡ଼ । କଟକ ପାଖ ହେଲେ ଉଠାଇ ଦେବି ।

 

ପ୍ରତିବାଦ ନ କରି ତାଙ୍କର ଆଡ଼କୁ ମୁଣ୍ଡ କରି ଶୋଇଲି । ଗାଡ଼ିରେ ହାତେ ବହଳରପାଳକୁଟା ପରା ହୋଇଥାଏ । ତା ଉପରେ ପଡ଼ିଥାଏ ହେଁସ । ଦେହକୁ କାଟୁ ନଥାଏ । ଲୁଗାପଟା ଭଲକରି ଘୋରି ହୋଇ ପଡ଼ିଲି । ଜାଣେ ନା କେତେବେଳେ ନିଦ ହୋଇଗଲା ।

 

ଦେହ ଶୋଇ ପଡ଼ିଲେ ବି ମନ ସହଜରେ ଶୁଏ ନାହିଁ । ସୁଖ ଦୁଃଖର କେତେ ସପନପୁରୀରେ ବୁଲେ । କଅଣ ସପନ ଦେଖିଥିଲି ମୋର ମନେ ନାହିଁ । ଗାଡ଼ି ଗୋଟାଏ ଖାଲିରେ ପଡ଼ିଲା । ଓଲଟିଲା ପରି ହେଲା । ଚମକି ପଡ଼ିଲି । ନିଦ ଭାଙ୍ଗିଗଲା । ଜାଣିଲି, ମୋ ମୁଣ୍ଡ କାହାର ଜଙ୍ଘ ଉପରେ । ଧୀରେ ଧୀରେ ଆଖି ଖୋଲିଲି । ଗାଡ଼ି ଭିତର ଅନ୍ଧାର । ବୁଝିଲି, ଅମୁଭାଇଗୋଡ଼ ଲମ୍ବାଇ ବସିଛନ୍ତି, ଆଉ ମୁଁ, ଛିଃ !

 

ଉଠି ବସିଲି । କାହାକୁ କିଛି କହିଲି ନାହିଁ । ମନକୁ ମନ ଲାଜରା ହେଲି । ଭାବିଲି, ଅମୁଭାଇ କଅଣ କହିବେ । କାହିଁ, ମୁହଁ ଖୋଲିଲେ ନାହିଁ ତ ! ବୋଧ ହୁଏ ସେ ବି ଘୁମାଇ ଥାଆନ୍ତି-। ମନ ହେଲା ପୁଣି ଥରେ ତାଙ୍କର ଜଙ୍ଘ ଉପରେ ମୁଣ୍ଡ ଦେଇ ଶୋଇ ପଡ଼ିବି । କିନ୍ତୁ କାଳେ ସେ ଚେଇଁଥିବେ, କାଳେ କଅଣ ଭାବିବେ ?

 

ଦୀନା କହିଲା, ଦେଖିରେ ଭଜି, ନଈ ସେପାରିରୁ କଟକର ଆଲୁଅ କେମିତି ସୁନ୍ଦର ଦିଶୁଛି ।

 

ମୁଁ ଡାକିଲି, ଅମୁଭାଇ କଟକ ପାଖ ହେଲା, ଶୋଇଛ କି ?

ଅମୁଭାଇ ଜବାବ ଦେଲେ ସଙ୍ଗେ ସଙ୍ଗେ, ନା ।

 

ସେତିକିରେ ମୁଁ ତୁନି ହେଲି । ଶୋଇ ନାହାନ୍ତି ? ଶୋଇ ନ ଥିଲେ ? ତେବେ ତେବେ କେମିତି ମୋର ମୁଣ୍ଡଟା ତାଙ୍କର ଜଙ୍ଘ ଉପରକୁ ଗଲା ? ସେ କଅଣ– । ଉହୁଁ, ମୁଁ କଅଣ ଆଉ ନିଦ ବାଉଳାରେ – କଅଣ ସେ ଭାବିଥିବେ ? ଭାଗ୍ୟକୁ ଗାଡ଼ି ଭିତର ଅନ୍ଧାର ହୋଇଛି । ନୋହିଲେ ବୋଉ ଦେଖିଥାନ୍ତା ।

 

ଏମିତି କେତେ ଭାବିଛି, କାଠଯୋଡ଼ୀ ନଈ ଭିତରକୁ ଗାଡ଼ି ଗଡ଼ିଲା । ସମସ୍ତେ ଆଗକୁ ଝୁଙ୍କି ପଡ଼ିଲେ । ତାଟକୁ ଧରିଲି । ବୋଉ କହିଲା, ଗୀତା, ସିଧା ହୋଇ ବସ୍‌, ଶୁଅନା । କଟକ ଆସି ହେଲା ।

 

କହିଲି, ମୁଁ ଶୋଇଛି କି ? କଥା ଅଧା ରହିଗଲା ।

ଅମୁଭାଇ କହିଲେ, ବଳଦ ଗାଡ଼ି, ଗହୀର ବାଟ । ସେଥିରେ କି ନିଦ ହେବ ?

 

ଭାବିଲି, ତେବେ ସେ ଜାଣନ୍ତି, ମୁଁ ବି ଶୋଇନାହିଁ । କେଜାଣି, ମୋତେ ଛଳାଇ କରି କହିଛନ୍ତି । ଅମୁଭାଇ ଯେତେବେଳେ ଯାଏ ଆମ ପାଖରେ ରହିଲେ, ମୁଁ ଆଉ ମୁହଁ ଖୋଲି ନାହିଁ ।

 

(୨୪)

 

ଗାଡ଼ିପିଟିଣି ସାହିରେ ପହଞ୍ଚିଲା । ଅମୁଭାଇ ତଳକୁ ଓହ୍ଲାଇ ପଚରାପଚାରି କରି ଶରତ୍‌ବାବୁଙ୍କ ବସା ଠିକଣା କଲେ । ଗଳି ରାସ୍ତାଟି ବଙ୍କେଇ ବଙ୍କେଇସାହୀ ଭିତରକୁ ପଶିଛି । ରାସ୍ତା କରରେ ଛୋଟନୁଆଁଣିଆ ଚାଳ ଘର । ସେଇ ଘରଟି ଶରତ୍‌ ବାବୁଙ୍କର ।

ଆମେ ସବୁ ରାସ୍ତା ଉପରେ ଗାଡ଼ି ଭିତରେ ଥାଉଁ । ଅମୁଭାଇ ଶରତ୍‌ବାବୁଙ୍କୁ ଡାକିଲେ । କବାଟ ଖୋଲି ବାପାଙ୍କ ବୟସର ଜଣେ ଭଦ୍ରଲୋକ ହାତରେ ନଲଟଣ ଧରି ପଦାକୁ ଆସିଲେ । ଉଦବିଗ୍ନହୋଇ ବୋଉ ଓ ମୁଁ ତାଙ୍କୁଚାହିଁ ରହିଲୁ ।

ଅମୁଭାଇ ପ୍ରଣାମ କରି କହିଲେ, ଭୋଳାବାବୁଙ୍କର ପିଲାଏ ଆପଣଙ୍କ ଚିଠି ପାଇ ଗାଁରୁ ଆସିଛନ୍ତି ।

ଶରତ୍‌ବାବୁ କିଛି ଉତ୍ତର ଦେଲେ ନାହିଁ । ନଲଟଣଟି ତଳେ ରଖି କଅଣ ଯେପରି ଭାବିବାକୁ ଲାଗିଲେ । କେତେବେଳେକେ ଥଙ୍ଗେଇ କହିଲେ, ମୁଁ ଚାରିଦିନ ହେଲା ଚିଠି ଦେଲିଣି, ଆଜି ସେମାନେ ଆସୁଛନ୍ତି ?

ତାଙ୍କରି ଏପରି କଥା ଶୁଣି ଅଜଣା ଭୟରେ ଛାତି ଥରି ଉଠିଲା । ସେ ଆଉ କଅଣ କହିବେ ଶୁଣିବାକୁ କାନ ଡେରି ରହିଲୁ ।

ଅମୁଭାଇ କହିଲେ, ଚିଠି ଖଣ୍ଡି ପୋଷ୍ଟ ଅଫିସରେ ତିନିଦିନ ପଡ଼ି ରହିବାରୁ ଡେରି ହୋଇଗଲା । ଆଜି ଯାଇ ସଙ୍ଗେ ସଙ୍ଗେ ବାହାର ଆସିଛନ୍ତି ।

ଶରତ୍‌ବାବୁ କହିଲେ, ଡେରି ହୋଇଗଲା ।

ଅମୁଭାଇ କହିଲେ ଦିନ ଦିଟାରୁ ବାହାରିଥିଲୁ । ବଳଦଗାଡ଼ି ଧୀରେ ଧୀରେ ଆସୁଛି । ଗହୀର ବାଟ । ତେଣୁ ଡେରି ହେଲା ।

ଶରତ୍‌ବାବୁ କହିଲେ, ହଁ ହେବାର କଥା, ଦୂର ବାଟ । ଆଚ୍ଛା, ପିଲାଙ୍କୁ ଭିତରକୁ ଆସିବାକୁ କୁହ ।

ଅମୁଭାଇଗାଡ଼ି ପାଖକୁ ଆସି ବୋଉକୁ କହିଲେ, ବାବୁ କହୁଛନ୍ତି ଭିତରକୁ ଆସ ।

ବୋଉ ଶରତ୍‌ବାବୁଙ୍କୁ ଶୁଣାଇଁ ଅମୁଭାଇଙ୍କୁ କହିଲା, ଡାକ୍ତରଖାନାକୁ ଯାଇ ତାଙ୍କୁ ଦେଖି ଆସିଲେ ଭଲ ହୁଅନ୍ତା । ମନ ଛଟ୍‌ପଟ୍‌ ହେଉଛି । ବାବୁଙ୍କୁ କହ, ଆମ ସାଙ୍ଗରେ ଜଣେ କାହାକୁ ଦିଅନ୍ତୁ, ଏଇ ଗାଡ଼ିରେ ଯାଇ ତାଙ୍କୁ ଦେଖି ପଛେ ଫେରି ଆସିବୁ ।

ସେ ସବୁ ଶୁଣିଲେ । ପୁଣି କଅଣ ଭାବିଲେ । କହିଲେ, ଭୋଳିବାବୁ ତ ଡାକ୍ତରଖାନାରେ ନାହାନ୍ତି ।

ନାହାନ୍ତି ? କହି, ବୋଉ ଚିତ୍କାର କରି ଉଠିଲା । ପଚାରିଲା, ସେ ତେବେ କାହାନ୍ତି । ଯେଉଁଠି ଅଛନ୍ତି ମୋତେ ସେଠିକି ଟିକେନେଇ ଚାଲନ୍ତୁ । ତାଙ୍କୁ ଆଗ ନ ଦେଖିଲେ– ।

ଆହା – ହା – , ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି ? କହି, ଶରତ୍‌ବାବୁ ଚାଲି ଚାଲି ଆମରି ଗାଡ଼ି ପାଖକୁ ଆସିଲେ । ଧୀର ଶାନ୍ତଭାବରେ କହିଲେ, ବ୍ୟସ୍ତ ହେବେ ନାହିଁ । ତାଙ୍କର ଦେହ ଭଲ ହୋଇ ଗଲାଣି । ସେ ଦି’ ଦିନ ହେଲା ଡାକ୍ତରଖାନାରୁ ଚାଲି ଆସିଲେଣି । ସାମାନ୍ୟ ଟିକେ ତ ଜର ।

ବୋଉ ପଚାରିଲା, ସେ ଅଛନ୍ତି କେଉଁଠି ?

ଶରତ୍‌ବାବୁ କହିଲେ, ଏଇଠି ଥିଲେ । ଛୋଟ ବସା, ଅସୁବିଧା ହେଲା । ରୋଗୀର ଯତ୍ନର ଅଭାବ ହେଲେ ଜର ପୁଣି ନେଉଟିବ । ଏହି ଡରରେ ଗାଡ଼ିସଜିଲି କରି ଆଜି ସଞ୍ଜ ଆଗରୁ ତାଙ୍କୁ ଘରକୁ ବିଦା କରିଦେଲି । ସାଙ୍ଗରେ ଲୋକ ଅଛି । କିଛି ଅସୁବିଧା ନାହିଁ । ମୁଁ କହୁଛି କଅଣ କି, ରାତି ଆସି ଏତେ ହେଲାଣି । ଆଜି ଆପଣମାନେ ଏଇଠି ରହିଯାନ୍ତୁ । କାଲି ସକାଳୁ ଉଠି ଚାଲିଯିବେ । ସେ ବୋଧହୁଏ ଘରେ ପହଞ୍ଚି ସାରିବେଣି । ଘରେ ଲୋକ ଥିବେ ତ ।

ବୋଉ କହିଲା, ଘରେ ଲୋକ ଥିଲେ କଅଣ ହେଲା, ତାଙ୍କର ଅସୁବିଧା ହେବ । ଆମେ ରାତିଏ ରାତିଏ ଫେରି ଯିବୁଁ ।

ଶରତ୍‌ବାବୁ ଅନେକ ବୁଝାଇଲେ । ରାତିଟା ରହିଯିବାକୁ ପ୍ରବର୍ତ୍ତାଇଲେ । ବୋଉ ଏକଜିଦ୍‌ଧରି ବସିଲା । ତାଙ୍କ କଥା ମାନିଲା ନାହିଁ । ମନେ ମନେବୋଉ ଉପରେ ମୁଁ ଚିଡ଼ୁଥାଏ । ରାତିଟା ରହିଗଲେ କଅଣ କ୍ଷତି ହେବ ! ଘରେ ରାଧା ଅଛି । ବାପା ପହଁଞ୍ଚିସାରିବେଣି । ଶୋଇବେଣି । ଅଧରାତିରେ କଷ୍ଟ ପାଇ ଯିବା ଦରକାର କଅଣ ? ବଳଦ ଗୁଡ଼ା ହାଲିଆ ହୋଇ ପଡ଼ିଛନ୍ତି ।

ଶରତ୍‌ବାବୁ ଦୁଃଖିତ ହୋଇ କହିଲେ, ଯିବେ ଯଦି ଫେରି ଯାଆନ୍ତୁ, ରାତି ବଳେଇ ପଡ଼ୁଛି । ବେଶୀ ଡେରି କରିବା ଭଲ ନୁହେଁ । ମୁଁ କହୁଛି, ଟିକିଏ ଜଳଖିଆ କରି ଯାଆନ୍ତୁ ।

ବୋଉ ରାଜି ହେଲା ନାହିଁ । ଜଳଖିଆ କରିବାକୁ ମୋତେ ଉପଦେଶ ଦେଲା ।

ଶରତ୍‌ ବାବୁଙ୍କର ଆଦର କଥା ଶୁଣି ମୁଁ ଏକା ଗାଡ଼ିରୁ ଓହ୍ଲାଇଲି । ତାଙ୍କୁ ପ୍ରଣାମ କଲି । ସେ ମୋତେ ଆଶୀର୍ବାଦ କଲେ । କହିଲେ, ତୁ ମୋର ଝିଅ । କେତେଦିନୁ ତୋତେ ଦେଖିବି ବୋଲି ମୋର ଆଶାଥିଲା । ଆ, ମା ।

ତାଙ୍କ ଘର ଭିତରକୁ ଗଲି । ଶରତ୍‌ବାବୁ ତାଙ୍କ ସ୍ତ୍ରୀଙ୍କ କାନରେ ତୁନି ତୁନି କରି କଅଣ କହିଲେ । ମୋତେ ଶୁଣାଇ କହିଲେ, ଗୀତାକୁ ଦେଖିବ ବୋଲି କେତେଦିନୁଁ କହୁଥିଲ । ଦେଖ । ଭୋଳାନାଥମୋର ବନ୍ଧୁ । ତାର ଝିଅ ଯିଏ, ମୋର ଝିଅ ସିଏ ।

ମୋର ମୁଣ୍ଡରେ ହାତ ବୁଲାଇଲେ ।

ଶରତ୍‌ବାବୁଙ୍କ ସ୍ତ୍ରୀ କେଡ଼େ ଭଲ ଲୋକ । ଯେଉଁ ଦଶ ପନ୍ଦର ମିନିଟ ତାଙ୍କ ଘରେ ରହିଲି ସେତିକିରେ ସେ ମୋତେ କାଖେଇ କୁଣ୍ଢେଇ ଆପଣାର କରି ନେଲେ । ଆମ ଘରକଥା, ଆମର କେତେ ସମ୍ପତ୍ତି, ଆଉ ସବୁ କିଏ କିଏ ଆତ୍ମୀୟ ଅଛନ୍ତି, ଇତ୍ୟାଦି କଥା ମୋ ଠାରୁ ବୁଝିନେଲେ । ଏଟା ଖା, ସେଟା ଖା, କହି କହି ପେଟେ ଖୁଆଇଲେ ।

ବଳଦଗୁଡ଼ିକୁ ଖୁଆଇ ପିଆଇ, ଦୀନା, ଭଜନା ଓ ଅମୁଭାଇ ଜଳଖିଆ କଲେ । ଦୀନା ଯେତେବେଳେ ଡେରି ହେଉଚି ବୋଲି ମୋତେ ଡାକିଲା, ଶରତ ବାବୁଙ୍କ ସ୍ତ୍ରୀ ମୋର ଓଠରେ ହାତ ଦେଇ ଲୁହଭରା ଆଖିରେ କହିଲେ, ମା ମୋର, ତିନିଟା ଛତରା ବାଳୁଙ୍ଗା ପୁଅ ଜନ୍ମ କରି ଦିନରାତି ଦହଗଞ୍ଜହୋଇ ମରିବା ଅପେକ୍ଷା, ତୋ ପରି ରତ୍ନଟିଏ ଯଦି ମୁଁ କୋଳରେ ପାଇଥାନ୍ତି ! ହଉ, ଠାକୁରେ ତତେ ସୁଖୀ କରନ୍ତୁ । ଭୋଳିବାବୁଙ୍କ ଝିଅ ତୁ, ମୋର ଝିଅ ପରି । ମନେ କରୁଥିବୁ ।

ବିଦାୟ ନେବାକୁ ତାଙ୍କୁ ପ୍ରଣାମ କଲି । ସେ ମୋତେ ତଳୁ ଉଠାଇଲେ । ଛାତିକୁ ଆଉଜାଇ ଧରି କହିଲେ, ଗୀତା, ତୁ ମୋର ଝିଅ ! ମୋତେ କାଳେ ଭୁଲିଯିବୁ, ମୁଁ ତ ଗରିବ ତୋତେ କଣ ଦେଇ ପାରିବି ?

କାନରୁ କାଢ଼ି ସୁନାର ଦୁଲ୍‌ଦିଓଟି ମୋତେ ପିନ୍ଧାଇ ଦେଲେ । କାହିଁକି ଯେ ସେ କାନ୍ଦ କାନ୍ଦହେଲେ ମୋର ବୁଝିବାର ଉପାୟ ନ ଥିଲା । ମୁଁ ତାଙ୍କର ଦୟା, ଆଦର, ଯତ୍ନରେ କିଣି ହୋଇ ସାରିଥିଲି । କୃତଜ୍ଞତାରେ ମନ ନଇଁ ପଡ଼ିଲା ।

ପଦାକୁ ଆସିଲି । ସେ ମଧ୍ୟ ମୋ ସାଙ୍ଗରେ ଆସିଲେ । ଶେଷଥର ବିଦାୟ ନେଇ ମୁଁ ଗାଡ଼ିରେ ବସିଲି । ଶରତ୍‌ବାବୁ ଥରେ ଘର ଭିତରକୁ ଯାଇ ଫେରି ଆସିଲେ ଗାଡ଼ି ପାଖକୁ । ଅମୁଭାଇଙ୍କ ହାତକୁ ପାଞ୍ଚଟଙ୍କାର ନୋଟ୍‌ଖଣ୍ଡେ ବଢ଼ାଇ ଦେଇ କହିଲେ, ଗୀତା ବୋଉଙ୍କୁ ଦେବ । ଭୋଳିବାବୁ ଗଲାବେଳକୁ ହାତରେ କିଛି ନେଇଯାଇ ନାହାନ୍ତି ।

ଗାଡ଼ି ଫେରନ୍ତି ଚାଲିଲା ।

 

(୨୫)

 

ନଈ କୂଳରୁ ବିଦାୟ ନେଇ ଅମୁଭାଇ କଟକଠାରେ ରହିଲେ । ବୋଉପଚରାରିଲାରୁ କହିଲେ, ତାଙ୍କର କିଏ ଜଣା ଶୁଣା ଲୋକ ତେଲଙ୍ଗା ବଜାରରେ ଅଛନ୍ତି । ତାଙ୍କରି ବସାରେ ରହି ଚାକିରି ଚେଷ୍ଟା କରିବେ । କଟକଠାରେ ନ ମିଳିଲେ କଲିକତା କି କାଳିମାଟି ଯିବେ ।

 

ନଈ ପାରି ହୋଇଗାଡ଼ି ରାସ୍ତାଏ ଚାଲିଲା ।

 

ପଚାରିଲି, ବୋଉ, ବାପା ଏଇ ରାସ୍ତାରେ ତ ଯାଇଥିବେ । ଆମେ ଆସିଲା ବେଳକୁ ତ ଦେଖା ହୋଇଥାନ୍ତା ?

 

ବୋଉ କହିଲା, କେତେ ବଳଦ ଗାଡ଼ି ଯାଉଥିଲା, କେଉଁଥିରେ ସେ ଗଲେ ଆମେ ଜାଣି ପାରିଲୁ ନାହିଁ । କେଉଁ ବାଟରେ ତାଙ୍କ ଗାଡ଼ି ଗଲା, ସେ କଥା ବୁଝିଲେ ଜଣା ପଡ଼ିବ । ଘରେ ରାଧା ଅଛି । ତାଙ୍କର ଅସୁବିଧା ହେବ ନାହିଁ ଯେ, ଆମ ପାଇଁ ସେ ଦକଦକ ହେଉଥିବେ । ଆମ ଗାଡ଼ି ସହଳ ପହଞ୍ଚିଲେ ଭଲ ହୁଅନ୍ତା ।

 

ମୋତେ ନିଦ ମାଡ଼ୁଥିଲା । ମୁଁ ଲମ୍ବ ହୋଇଶୋଇ ପଡ଼ିଲି । ପୁଷମାସର ଶୀତ । ମଞ୍ଜ ଥରି ଯାଉଥାଏ । ବଳଦଗୁଡ଼ା ଥରି ଥରି ଚାଲିଥାନ୍ତି । ଭଜନା ନିଆଁ ବରିଆ ଆଉନଲଟଣ ଧରି ଚାଲିଥାଏ ଆଗେ ଆଗେ । ଦୀନା ମାଠ ଘୋଡ଼ିହୋଇଗାଡ଼ି ଆଗରେ ବସି ବେଳେ ବେଳେ ପାଞ୍ଚଣରେ ବଳଦ ପିଠିରେ ପାହାର ମାରୁଥାଏ ।

 

ଭଜନା କହିଲା, ରାତି ଅଧରେ ବିଲ ବାଟରେ ଯିବା ନାହିଁ ଦାଦି, ଅପନ୍ତରା ମଶାଣି ପଡ଼ିବ । ଏକୁଟିଆ ଗାଡ଼ି, ଭୂତ ପ୍ରେତ ହାବୁଡ଼ି ଯିବେ ।

 

ଦୀନା କହିଲା ମୁଁ ସେଇଆ ଭାବୁଥିଲି । ଯୋହଳ ଗାଁ ମୁଣ୍ଡ ଝଙ୍କା ବରଗଛ ତଳେ କେତେ ଲୋକ ଡରନ୍ତି ସଇତାନ୍‌ଅଛି । ଜଣିକିଆ ଗଲେ ସେଇଠି ଶେଷ । ଚାରି ପାଞ୍ଚଜଣ ସାଙ୍ଗ ହୋଇ ଗଲେ ବି, ସଇତାନ ବାଟ ଛକି ଡରାଏ । ବାପ୍‌ରେ ! କଁଳା ବାଛୁରୀ ପରି ବଡ଼ ।

 

ଭଜି କହିଲା, ସେଠି ଯାହା ହେଲେ ରକ୍ଷା, ହାତରେ ନିଆଁ ବରିଆ ଥିଲେ କି ବଟୁଆରେ ଗୁଆକାତି ଥିଲେ ସଇତାନ ପଶେ ନାହିଁ । ବିଶିପୁର ପାଖ ସେ ଯେଉଁ ମଶାଣି ଦଣ୍ଡା, ବୁଦିବୁଦିକିଆ ବଣ, ସେଠି ସାତ ଭଉଣୀ ପିଚାଶୁଣୀ ଥାନ୍ତି । ସେମାନେ ନିଆଁ ମାନନ୍ତି ନାହିଁ କି ଲୁହା ମାନନ୍ତି ନାହିଁ-। ଖଣ୍ଡିଆ ପୋଖରୀକୂଳ ତାଳଗଛ ମୂଳରେ ବସି ସାତଟା ପନିକି ଧରି ମଢ଼ କାଟି ଖାଆନ୍ତି । ବାପରେ, ଯୋଉକିଳକିଳାରଡ଼ି, କାନରେ ପଡ଼ିଲେ ପିଳେହ ପାଣି ହେବ । ନାଇଁ ଦାଦି, ରାସ୍ତାରେ ଯିବା, ଡେରି ହେଲେ ହେବ ପଛେ ।

 

ଗାଡ଼ି ଆସି ଜଗନ୍ନାଥ ରାସ୍ତାରେ ଚାଲିଲା ।

ବୋଉ ମୋ ପାଖରେ ଶୋଇଲା । ଡରରେ ତା କୋଳକୁ ଘୁଞ୍ଚି ଶୋଇଲି ।

 

ପାହାନ୍ତା ବେଳକୁ ଗାଁରେ ପହଞ୍ଚିଲୁ । ଆଗ ମୋର ନିଦ ଭାଙ୍ଗିଲା । ବୋଉକୁ ଉଠାଇଲି-। ସେ ଉଠି ବସିଲା ।

 

ଘର ଆଗରେ ପହଞ୍ଚି ଦେଖିଲି, ରାଧା ବାରଣ୍ଡାରେ ବସି ନିଆଁ ପୁହୁଁଛି । ଗାଡ଼ି ଦେଖି ସେ ଦାଣ୍ଡକୁ ଗଡ଼ିଲା । ବଳଦ ନ ଖୋଲୁଣୁ ମୁଁ ତଳକୁ ଡେଇଁ ପଚାରିଲି, ବାପା କାହାନ୍ତି ?

 

ସେ ବଲ ବଲ କରି ମୋ ମୁହଁକୁ ଚାହିଁଲା । ତା ଆଖିରୁ ମୁଁ କଅଣ ବୁଝିଲି ମୋର ମନେ ନାହିଁ, ଆହୁରି ଅସ୍ଥିର ହୋଇ ପଚାରିଲି, କହ, ବାପା କାହାନ୍ତି ?

 

ସେ ଉତ୍ତର ଦେଇ ପାରିଲା ନାହିଁ । ଆଖି ଦୁଇଟି ଲୁହରେ ଭରିଗଲା । ବୋଉଗାଡ଼ିରୁ ଓହ୍ଲାଇ ଆମ ପାଖକୁ ଛୁଟି ଆସିଲା । ତାକୁ ପାଖରେ ଦେଖି ରାଧା ମୋର ହାତ ଛାଡ଼ି ତାକୁ କୁଣ୍ଢାଇ ଧରିଲା । ସତ ଲୁଚାଇ ରଖି ପାରିଲା ନାହିଁ । ବାହୁନି ଉଠିଲା….. ।

 

ସେ ଦିନର ସେହି କରୁଣ ଦୃଶ୍ୟଟି ଯେବେ ମୋର ମନେ ପଡ଼େ ଛାତି ମୋର ଥର ଥରହୋଇକମ୍ପିଉଠେ । ପିଣ୍ଡରୁ ପ୍ରାଣ ଛାଡ଼ିଲା ପରି ଲାଗେ । ସେ ଅନୁଭୂତି ବର୍ଣ୍ଣିବାକୁ ମୁଁ ଭାଷା ଖୋଜି ପାଉନାହିଁ । ଆଜି ବି ମନେ ପଡ଼ିଲେ ମୋର ଛାତି କରତି ହେଉଛି । ମୁଣ୍ଡ ଭିତରେ ମଶାଣି ନିଆଁ ଜଳି ଉଠୁଛି ।

 

କେତେ ଦୁଃଖ କେତେ ଯନ୍ତ୍ରଣା ଭିତର ଦେଇ ମୋର ଜୀବନ ଆଗେଇ ଆସିଛି । ସହି ସହି ଛାତି ପଥର ହେଲାଣି । ଏପରି କେତୋଟି ଘଟଣା ମୋ ଜୀବନରେ ଘଟିଛି ଯାହାର ସ୍ମୃତି ଆଜି ବି ମୋର ପଥର ଛାତିକୁ ଦୋହଲାଇ ଦେଉଛି । ସେ ଦିନର ସେହି ଘଟଣା ଛାତିରେ ଗହୀର ଗାର ଟାଣି ଦେଇଛି । ଚିତା ନିଆଁରେ ଦେହ ପୋଡ଼ି ପାଉଁଶ ନ ହେବାଯାଏ ସେ ଗାର ଲିଭିବ ନାହିଁ, ଲିଭିବ ନାହିଁ ।

 

ଶରତ୍‌ବାବୁ ଆମକୁ ଭୁଲାଇ ଫେରାଇ ଦେଲେ । ଆମେ କଟକରେ ପହଞ୍ଚିବା ଆଗରୁ ସେ ଜଣେ ଲୋକ ହାତରେ ଯେଉଁ ଚିଠି ଲେଖି ପଠାଇଥିଲେ ସେଥିରେ ମୋଟେଧାଡ଼ିଟିଏ ଲେଖାଥିଲା, – ଭୋଳିବାବୁ ଆଜି ଦିନ ଆଠଟା ବେଳେ ସେ ପୁରକୁ ଚାଲିଗଲେ ।

 

(୨୬)

 

ଦୁଃଖର ପାହାଡ଼ ମୁଣ୍ଡରେ ବୋହି ବେଳ କାଟିଲୁ ।

 

ବୋଉରୁ ଆଖିରୁ ଲୁହ ବନ୍ଦ ହେଲା ନାହିଁ । ଦିନ ଦିନ ହୋଇ ମାସଟିଏ କଟିଗଲା । ମାସ ନୁହେଁ ଯେ ଗୋଟାଏ ଯୁଗ । ଗାଁ ଲୋକେ କିଏ କେତେବେଳେ ଆସି ସହାନୁଭୂତି ଦେଖାଇ ଚାରିକଥା ବୁଝାଇ ଗଲେ । ବୋଉ ସବୁ ଶୁଣିଲା । ତା ଦୁଃଖ କମିବା ପରିବର୍ତ୍ତେ ବଢ଼ିଲା ।

 

ମୋ କଥା ବା କଅଣ କହିବି ? ବାପା ମଲା ଦିନରୁ ସବୁ ଆଶା ଉତ୍ସାହ ମୋର ପୋଡ଼ି ଜଳି ପାଉଁଶ ହୋଇଥିଲା । ମୁଁ ଜାଣିଥିଲି ଯେ ମୋର ଭବିଷ୍ୟତଟା ନିବିଡ଼ ଅନ୍ଧାର ମଧ୍ୟରେ ଛପି ଯାଇଛି । ସଂସାରରେ ଯିଏ ମୋର ସୁଖ ଆନନ୍ଦ ପାଇଁ ମନ ପ୍ରାଣ ଦେଇ ଚେଷ୍ଟା କରୁଥିଲେ, ଭଗବାନ ତାଙ୍କୁ ନେଇଗଲେ । ମୋ ପାଇଁ ଭଲ ମନ୍ଦ ଖୋଜିବାକୁ ଆଉ କେହି ନାହିଁ । ଯେଉଁମାନେ ଉପରେ ପଡ଼ି ବାହାରିଆ ସହାନୁଭୂତି ଦେଖାଇବାକୁ ଆସିବେ, ସେମାନେ ଯେ କେବେ ନିସ୍ୱାର୍ଥ ଭାବରେ କିଛି କରିବେ, ଏ ଆଶା ମୋର ନ ଥିଲା । ପର ପାଇଁ କାହାର ମୁଣ୍ଡ ବଥାଇବ କାହିଁକି ? ସଂସାରରେ ସମସ୍ତେ ନିଜ ନିଜର ସୁଖ ଦୁଃଖ ନେଇ ବ୍ୟସ୍ତ ।

 

ଯେଉଁ ଜଣକ ମୋ ପାଇଁ ଭାବିବ, ମୋର ସୁଖ ଆନନ୍ଦ ଦେଖିବାକୁ ଆକୁଳ ହେବ ସେ ନିକର୍ତ୍ତବ୍ୟଲୋକ । କେବଳ ଭାବିବା ଛଡ଼ା ତାର ଆଉ କିଛି କରିବାର ନାହିଁ । ହାତରେ ଧନ ଥିଲେ ମଣିଷକୁ ବୁଦ୍ଧି ଦିଶେ । ସେ ଦିଗରେ ମଧ୍ୟ ଆମର ଅଭାବ ।

 

ଭବିଷ୍ୟତ କଥା ଭାବିବାକୁ ବେଳ ନ ଥିଲା, ଇଚ୍ଛା ମଧ୍ୟ ମରିଗଲା । କଅଣ କଲେ ବୋଉର ଦୁଃଖ କଷ୍ଟ ଦୂର କରି ପାରିବ, ତା ଆଖିର ଲୁହ ବନ୍ଦ କରିପାରିବି, ସେତିକି ହେଲା ମୋର ଭାବନା ଓ ଚେଷ୍ଟା । ବାପା ବଞ୍ଚିଥିବା ବେଳେ ଘରର କାମ ମୋତେବୋଉ କରାଇ ଦେଉ ନ ଥିଲା-। ଉପରେ ପଡ଼ି କିଛି କଲେ ସେ ବିରକ୍ତ ହୁଏ, କିନ୍ତୁ ବାପା ମଲା ପରେ ଯେତେବେଳେ ସେ ଦୁଇମାସ କାଳ କାନ୍ଦି କାନ୍ଦିବିଛଣାଲାଗି ହେଲା, ମୋତେହିଁ ଘରର ସବୁ କାମ କରିବାକୁ ପଡ଼ିଲା ।

 

ଧୀରେ ଧୀରେବୋଉର ଦୁଃଖ କମି ଆସିଲା । ବିଛଣାରୁ ଉଠି ସେ ଘର ଆଡ଼କୁ ଓ ମୋ ଆନକୁ ନଜର ଦେଲା, କିନ୍ତୁ ତାର ପୂର୍ବ ସ୍ୱାସ୍ଥ୍ୟ ଆଉ ଫେରି ପାଇଲା ନାହିଁ । କାମଦାମ କରିପାରିଲା ନାହିଁ ।

 

ତାଆରି ଦୁଃଖ ଦୂର କରିବାକୁ ମୋର ସାଧ୍ୟ ନାହିଁ । ମୁହିଁ ତ ତାର ପ୍ରଧାନ ଦୁଃଖ । ମୋତେ ଦେଖିଲେ ତାର ଆଖିରେ ଲୁହ ଆସେ । କାହିଁକି, ସେ କଥା ମୁଁ ଜାଣେ । ମୁଁ ବଡ଼ ଝିଅ, ବୟସ ବଳେଇ ଯାଉଛି, ପର ଘରକୁ ଯାଇନାହିଁ, ଏହାହିଁ ତାର ପ୍ରଧାନ ଭାବନା, ପ୍ରଧାନ ଦୁଃଖ ।

 

ରାଧା ବେଳେ ବେଳେ ଆସେ । ହାତରୁ ଛଡ଼ାଇ ଚାରିପାଇଟିକରିପାଏ । ବୋଉକୁ ବୁଝାଏ । କହେ, ତମେ ଏତେ ଅଧୀର ହେଲେ ଚଳିବ ନାହିଁ । ଠାକୁରେ ଯାହା ଭାଗ୍ୟରେ ଯାହା ଲେଖିଛନ୍ତି ମଣିଷ ତାକୁ ଅନ୍ୟଥା କରି ପାରିବ ନାହିଁ । ସେ ଚାଲିଗଲେ, ପୁଣ୍ୟବନ୍ତ ପୁରୁଷ, ଦୁଃଖର ସଂସାରରେ ଘାଣ୍ଟି ହୋଇ ତମ ଆମ ଭଳି କଷ୍ଟ ପାଇବାକୁ ରହନ୍ତେ କାହିଁକି ?

 

ବୋଉ କାନ୍ଦି କାନ୍ଦି କହେ, ସେ ଚାଲିଗଲେ ସୁଖରେ ହଁ, ମୋଓର ଛାତିରେ ପଥର ବୋଝ ଲଦି ଦେଇଗଲେ । ଥାଉଁଥାଉଁ ଯଦି ଗୀତାର ହାତକୁ ଦି ହାତ କରି ଯାଇଥାନ୍ତେ, ମୁଁ ଏତେ ଭାବନ୍ତି ନାହିଁ ଲୋ ରାଧା, ଏତେ କାନ୍ଦନ୍ତି ନାହିଁ । ହସି ହସି ତାଙ୍କର ପଛେ ପଛେ ଯାଇଥାନ୍ତି । ସେ ଇଚ୍ଛା ବେଳେବେଳେ ହୁଏ କିନ୍ତୁ, ରାଧା, ଗୀତାର ଅବସ୍ଥା କଅଣ ହେବ କହିଲୁ ? କିଏ ତାର ମୁହଁକୁ ଚାହିଁବ, ତାର ଭଲମନ୍ଦ ବୁଝିବ ?

 

ବୋଉ କାନ୍ଦେ ।

 

ରାଧା ସାନ୍ତ୍ୱନା ଦେଇ କହେ, ହଁ, ଗୀତା ହତଭାଗୀ । ତାର ଦାୟିତ୍ୱ ତମରି ଉପରେ ପକାଇ ସେ ଖସି ଯାଇଛନ୍ତି । ତମେ କାନ୍ଦିଲେ ବୋବେଇଲେ ଚଳିବ ନାହିଁ । ଗୀତାର ବାହାଘର କିପରି ଶୀଘ୍ର ହେବ ସେ କଥା ଏବେ ବିଚାର । ସେ ଦିଗରେ ଚେଷ୍ଟା କର । ସୁଖ ଦୁଃଖ ଭଲ ମନ୍ଦ ସଂସାରରେ ଲାଗିଛି । ଯେତେବେଳେ ଯାହା ଆସିବ ସହିବାକୁ ପଡ଼ିବ ।
 

ବୋଉ ତୁନି ରହେ ।

 

ରାଧା ପୁଣି କହେ, ଆଜିକାଲି ଯୁଗରେ ବାହାଘର ହେଉଛି ଟଙ୍କାର ଖେଳ । ମଣିଷ ଖୋଜୁଛି କି ? ଟଙ୍କା ତ ହାଡ଼ି କମାଉଛି । ଲୋକେ କଅଣ ସେ କଥା ବୁଝନ୍ତି ? ଗୀତା ପରି ରୂପର ଗୁଣର ଝିଅ, ତା ପାଇଁ ଭାବିବାକୁ ପଡ଼ନ୍ତା ନାହିଁ । କିନ୍ତୁ ଯେତେ ଯାହା ହେଉ, ସବୁ ଗୋଟାଏଆଡ଼େ, ଭାଗ୍ୟ ଗୋଟାଏଆଡ଼େ ।

 

ଦୁଃଖର କଥା କହିଲେ ବେଳ ସରିବ ନାହିଁ । ହୁଏତ ଶୁଣିବାକୁ କାହାରିକୁ ଭଲ ଲାଗିବ ନାହିଁ । ତଥାପି, ଯାହା ଅଙ୍ଗେ ଲିଭାଇଛି, ମୁହଁ ଖୋଲି ନ କହିଲେ ମନରେ ଘାଣ୍ଟି ଚକଟି ହେଉଥିବ-। ଚାରିପଦ କାହା ଆଗରେ କହିଗଲେ ଦୁଃଖର ବୋଝ ଟିକିଏ ଲାଘବ ହେବ ।

 

ବାପାଙ୍କ ମରିବାର ଚାରିମାସ କଟିଗଲା । ଦୁଃଖର ରିହ କମି ଆସିଲା । କିନ୍ତୁ ଅଭାବ ଦିନୁ ଦିନୁ ତୀବ୍ର ହୋଇ ପଡ଼ିଲା । ବାପାଙ୍କର ଅଳ୍ପ ରୋଜଗାରରେ ଆମର କୌଣସିମତେ ଦୁଇବେଳା ଦୁଇମୁଠି ଖାଇବା ଚଳୁଥିଲା । ଭବିଷ୍ୟତ ପାଇଁ ସଞ୍ଚିବାର ଉପାୟ ନ ଥିଲା । ରଖିବା ଯେ ଦରକାର ଏ କଥା ଯେପରି ବାପା ବୋଉଙ୍କ ମନକୁ ଆସି ନ ଥିଲା । ସେମାନେ ଭାବୁଥିଲେ, ମୋର ବାହାଘର ହୋଇଗଲେ ତେଣିକି ଆଉ ଦୁଃଖ ରହିବ ନାହିଁ । ଯାହା ରୋଜଗାର କରିବେ, ସେଥିରେ ଦୁଇଟି ପ୍ରାଣୀ ଦୁଃଖେ ସୁଖେ ଚଳି ଅଭାବ ଅସୁବିଧା ପାଇଁ ଭବିଷ୍ୟତକୁ ହାତରେ ଚାରିପଇସା ରଖିଯିବେ ।

 

ଦଇବ ତାଙ୍କର ବିଚାର ରଖିଲା ନାହିଁ ।

 

(୨୭)

 

ଘରେ ଖାଇବାକୁ କିଛି ନାହିଁ । ରାତିରୁ ଉପାସ । ଖରାଦିନ । ଗଛପତ୍ର ଜୀବ ଜନ୍ତୁ ଝାଉଁଳି ପଡ଼ୁଛନ୍ତି । ଆମର ଚଳେ କିପରି ? ଏତେ ବଡ଼ ଗାଁଟାରେ ଦୁଇଟା ପ୍ରାଣୀଙ୍କୁ ମୁଠାଏ ଖାଇବାର ଅଭାବ ହୁଅନ୍ତା ନାହିଁ, କିନ୍ତୁ ବିନା ସ୍ୱାର୍ଥରେ କିଏ କାହାକୁ ପଚାରିବ ନାହିଁ । ଯାହାର ସୁଝିବାର ସମ୍ବଳ ନାହିଁ ତାକୁ କେହି ଉଧାର ଦେବ ନାହିଁ । କେଉଁ ସାହସରେ ଆମେ ମାଗିବୁ ? କଟକ ଗଲାଦିନ ରାଧାଠାରୁ ଯେଉଁ ଟଙ୍କା ଧାର ଆଣିଥିଲୁ ସେତକ ଆଜିଯାଏ ସୁଝା ସରି ନାହିଁ । ସେ ଅବଶ୍ୟ କେବେ ମାଗେ ନାହିଁ । ତଥାପି, ମାଡ଼ି ମାଡ଼ି ପଡ଼େ । ସେ ବି ଆମରି ପରି ଗରିବ ।

ଦାମଭାଇ ବେଳେବେଳେ ଆସନ୍ତି । ବୋଉ ସଙ୍ଗେ ପଦେ ଅଧେ କଥାଭାଷା ହୋଇ ବାହାରୁ ବାହାରୁ ଚାଲିଯାଆନ୍ତି । ମୋ ସଙ୍ଗେ ଦେଖା କରିବାକୁ ଆଉ କେବେ ଆଗ୍ରହ ଦେଖାନ୍ତି ନାହିଁ । ଭାବନ୍ତି ବୋଧହୁଏ, ବୋଉ ତାଙ୍କୁ ସାହାଯ୍ୟ ମାଗିବ । କିନ୍ତୁ, ବୋଉ କେବେ ତାଙ୍କୁ ଆମର ଅସୁବିଧା ଅଭାବ କଥା କହେ ନାହିଁ । ଅମୁଭାଇ, ଶୁଣିଲି ସେ କଟକରେ କାମ କରୁଛନ୍ତି । ସେ କାମରେ ଛୁଟି ନାହିଁ । ବହୁଦିନ ହେଲା ତାଙ୍କ ସଙ୍ଗେ ଦେଖା ହୋଇ ନାହିଁ । ସେ ତ ସାତପର । ତାଙ୍କଠାରୁ ସାହାଯ୍ୟ ଆଶା କରିବା ଆମ ପକ୍ଷରେ ଅସମ୍ଭବ ।

ବୋଉ କହିଲା, ଗୀତା, ଘରେ ବସିଲେ ଚଳିବ ନାହିଁ । ମୁଁ ଟିକେ ରାଧା ଘରୁ ଆସେଁ । କେତେଦିନ ହେଲା ତାର ଦେଖା ନାହିଁ ।

ଖରାଟରେ ଏକୁଟିଆ ଗାଁ ଦାଣ୍ଡରେ ଯିବୁ ?

ସବୁଦିନେ ସଂସାରରେ ମାନ ରଖି ଚଳିବା ଅସମ୍ଭବ ଝିଅ, ଯେତେବେଳେ ଠାକୁରେ ଯାହାକୁ ଯେପରି ରଖିଛନ୍ତି ସେ ସେପରି ଚଳିବ ।

କିଏ କଣ କହିବ ।

ହଁ, ଲୋକେ କହିବେ । କହନ୍ତୁ । ସେଥିକି ଆମର ଚାରା ନାହିଁ ।

ସେ ରାଧା ଘରକୁ ଗଲା । ମୁଁ ଘରେ ଏକୁଟିଆ ବସି ରହିଲି । ଆକାଶ ପାତାଳ ଭାବୁଥାଏଁ । ବେଳ କେମିତି କଟିବ, କିଏ ଆମକୁ ସାହାଯ୍ୟ ହେବ ? ମନକୁ ଗୋଟିଏ କଥା ଆସିଲା । ଆଛା, ଶରତ୍‌ବାବୁ ବାପାଙ୍କର ବନ୍ଧୁ ଥିଲେ । ତାଙ୍କର ସ୍ତ୍ରୀ ଭଲଲୋକ । ତାଙ୍କ ପାଖକୁ ଲେଖିଲେ ସେ କଅଣ କିଛି ସାହାଯ୍ୟ ଦେଇ ପାରିବେ ନାହିଁ ?

ପୁଣି ଭାବିଲେ, ସେ ବି ଗରିବ । ତିନି ତିନିଟି ପୁଅ ନେଇ ଦିନରାତି ମନସ୍ତାପ କରି କଟାଉଛନ୍ତି । ସେ କାହୁଁ ପାଇବେ ?

ଆଉ ଗୋଟିଏ କଥା ମୋ ମନକୁ ଆସିଲା । ସାହାଯ୍ୟ ନ ମାଗି ଆମର ଅବସ୍ଥା ତାଙ୍କୁ ଜଣାଇ ଦେଲେ କ୍ଷତି ହେବ ନାହିଁ । ମୋର ବାହାଘର କଥା ନିଶ୍ଚୟ ସେ ବାପାଙ୍କ ମୁହଁରୁ ଶୁଣିଥିବେ-। ବାପା ଅବଶ୍ୟ ତାଙ୍କୁ ବିଧୁବାବୁଙ୍କ ଘରକଥା କହିଥିବେ । ଯଦି ଶରତ୍‌ବାବୁଙ୍କ ମନେ ପଡ଼େ କେଜାଣି ସେ ଚେଷ୍ଟା କରିପାରନ୍ତି ।

ମନେମନେ ବହୁତ ତର୍କ କରି ଶେଷକୁ ଠିକ୍‌ କଲି ଖଣ୍ଡେ ଚିଠି ଶରତ୍‌ବାବୁଙ୍କ ସ୍ତ୍ରୀଙ୍କ ପାଖକୁ ଲେଖିବି । ଦଣ୍ଡକର ଦେଖାରେ ତାଙ୍କ କୋମଳ ମନର ପରିଚୟ ପାଇଛି । ସେ କେବେ ଅନ୍ୟଥା ଭାବିବେ ନାହିଁ । କାଗଜ କଲମ ଆଣି ଭାବି ଚିନ୍ତି ଚିଠି ଲେଖିଲି ।

ଚିଠିରେ ତାଙ୍କୁ ବୋଉ ବୋଲି ସମ୍ବୋଧନ କରି ସତର୍କତାର ସହିତ ଆମର ଦୁଃଖ କଥା ଲେଖିଲି । ବୋଉ କିପରି ସବୁବେଳେ କାନ୍ଦି କାନ୍ଦି ଅସ୍ଥିର ହେଉଛି, ସେ କଥା ମଧ୍ୟ ଉଲ୍ଲେଖ କଲି । କନିଆର କ୍ଷୀରରେ ଲଫାପା ବନ୍ଦ କରି ତା ଉପରେ ଠିକଣା ଲେଖିଲି । ସବୁ ତ ହେଲା, ଚିଠି ଯିବ କିପରି ? ଟିକଟ ଲଗାଇବାକୁ ପଇସା ନାହିଁ । ଡାକଘରକୁ ନେଇ ବେରିଙ୍ଗ ପକାଇବାକୁ ବା ଲୋକ କାହିଁ ?

 

କୂଅମୂଳେ ଠିଆହୋଇ ଭାବୁଛି, ବନ୍ଧ ଉପରେ ଦୁଧ ଭାର ନେଇ ଆର ଗାଁରୁ ଗଉଡ଼ ଯାଉଥିବାର ଦେଖିଲି । ସେମାନେ ନିତି କଟକ ଯାଆନ୍ତି, ରାତି ଦି ଘଡ଼ିକି ପୁଣି ଫେରି ଆସନ୍ତି । କାହାର ନାଁ ଜାଣେ ନାହିଁ । ସମସ୍ତଙ୍କୁ ଚିହ୍ନେ । ପିଲାଦିନୁ ଦେଖି ଆସିଛି । ସେମାନେ ବି ପିଲାଦିନୁ ମତେ ଏଇଠି ଦେଖି ଆସୁଛନ୍ତି । ଲଜ୍ଜା କଅଣ ?

 

ଚାରିଆଡ଼କୁ ଚାହିଁ ବନ୍ଧ କଡ଼କୁ ଗଲି । ସେମାନେ ଯେପରି ପାଖକୁ ଆସିଲେ ଓଢ଼ଣା ଦେଇ ଚିଠିଟି ଜଣକ ଆଡ଼କୁ ବଢ଼ାଇ ଦେଲି । ପଛରେ ଯାଉଥିବା ଲୋକଟି ଚିଠି ଖଣ୍ଡି ମୋ ହାତରୁ ନେଇ ପଚାରିଲା, ଟିକଟ ଲାଗିନାହିଁ ମା ।

 

ମୁଁ କହିଲି, ବେରିଙ୍ଗ୍‌ ପକାଇ ଦେବ ।

 

ଗଉଡ଼ ଆଶ୍ଚର୍ଯ୍ୟ ହୋଇ ମା ଆଡ଼କୁ ମୁହୂର୍ତ୍ତେ ଚାହିଁଲା । ମୋର ରୂପ ଓ ଭେକ ଦେଖି ବୋଧହୁଏ ସେ ଆମର ଅବସ୍ଥା ଅନୁମାନ କଲା । ମୁଁ ତ ତାକୁ ପିଲାଦିନୁ ଦେଖି ଆସୁଛି, ନାମ ସିନା ଜାଣେ ନାହିଁ କି କେବେ କଥାଭାଷା ହୋଇ ନାହିଁ । ମୁଁ କାହାରି ଝିଅ ସେ ହୁଏତ ଜାଣିଥିବେ । ନୋହିଲେ, ଦୁଃଖରେ ମୁହଁ ଶୁଖାଇ କାହିଁକି ସେ କହିଲା, ହଉ ମା, ମୁଁ ଚିଠି ପୋଷ୍ଟଅଫିସରେ ପକାଇ ଦେବି ।

 

ସେ ଆଗେଇ ଗଲା ।

 

(୨୮)

 

ମୁଁ ବାରିଆଡ଼କୁ ଫେରିଲି । ଦେଖିଲି, ଦାମଭାଇ ଖଞ୍ଜା ଭିତରୁ ଆସୁଛନ୍ତି । ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତାଙ୍କ ଆଡ଼କୁ ।

 

ପଚାରିଲେ, ଖୁଡ଼ୀ କାହାନ୍ତି ଗୀତା, ଦାଣ୍ଡ କବାଟ ସବୁ ମୁକୁଳା । ଭାବିଲି, କୁଆଡ଼େ ଏମାନେ ଗଲେ ? ତୁ ଆସି ବାରିଆଡ଼େ ।

 

ମନରେ ଭୟ ହେଲା । ଗଉଡ଼ଙ୍କୁ ଚିଠି ଦେବା କଅଣ ଦାମଭାଇ ଦେଖିଲେ ? କଅଣ ମନେ କରିଥିବେ ? ସଙ୍କୁଚିତ ହୋଇ କହିଲି, ବୋଉ ରାଧା ଘରକୁ ଯାଇଛି ।

 

କେତେବେଳୁ ?

ଅଧଘଣ୍ଟାଏ ହେବ ।

 

ବାରିରେ ଟାଇଁଟାଇଁଆ ଖରା । ସହି ନ ପାରି ଖଞ୍ଜା ଭିତରକୁ ଆସିଲି । ଦାମଭାଇମୋ ପଛେ ପଛେ ଆସିଲେ । ପିଣ୍ଡାରେ ଖଣ୍ଡେ ସପ ପାରିଦେଲି । ସେ ବସିଲେ । ପାନ ନାହିଁ । ତାଙ୍କର ଚର୍ଚ୍ଚା । କିପରି କରିବି ? ଗୁଆ ଦି ଖଣ୍ଡ ଭାଙ୍ଗି ଗୋଟିଏ କାଚ ଥାଳିଆରେ ତାଙ୍କ ପାଖରେ ଥୋଇ ଦେଇ ଦୁଆର ବନ୍ଧୁକୁ ଆଉଜି ଠିଆ ହେଲି ।

 

ସେ କେତେବେଳେ ଯାଏ ତୁନି ହୋଇ ବସିଲେ । ମୁହଁ ଗମ୍ଭୀର ଦେଖା ଯାଉଥାଏ । କଅଣ ଭାବୁଥାନ୍ତି । ଭରସି କରି ପଚାରିଲି, ଭାଉଜ ବୋଉ କେମିତି ଅଛନ୍ତି ?

 

ମୋ ମୁଁହକୁ ଚାହିଁଲେ । ସାମନ୍ୟ ହସି କହିଲେ, ଭଲ ଅଛନ୍ତି । ଟିକିଏ ରହି ଓଲଟି ପଚାରିଲେ, ଖୁଡ଼ୀ କେତେବେଳେ ଆସିବେ ?

 

ଆସୁଥିବ, ଆପଣ ବସନ୍ତୁ ଟିକିଏ ।

ସେ ପୁଣି ମୋ ମୁହଁକୁ ଚାହିଁ ହସିଲେ । ତୁନି ତୁନି କହିଲେ, ଆପଣ ?

 

ତାଙ୍କ ହସର ଅର୍ଥ ବୁଝିଲି । ତାଙ୍କୁ ମୁଁ ଆଗେ ତମେ ବୋଲି କହୁଥିଲି । ହଠାତ୍‌ ଆଜି ମୋ ପାଟିରୁ ଆପଣ ପଦଟି ବାହାରିଗଲା । ଆଗେ ସେ ବରାବର ଆସୁଥିଲେ । ଭଲରେ ହେଉ ମନ୍ଦରେ ହେଉ ମୋ ସଙ୍ଗେ କଜିଆ କରୁଥିଲେ ।

 

ଏବେ ତ ଆଉ ଆସନ୍ତି ନାହିଁ । ଆସିଲେ ବି ମୋ ପାଖରୁ ଦୂରେଇ ରହନ୍ତି । କଥା ଭାଷା କରନ୍ତି ନାହିଁ । ଯେତେ ଆପଣାର ହେଲେ ମଧ୍ୟ ମଣିଷ ଦୂରେଇ ରହିଲେ ଡରମାଡ଼େ । ସେ ପର ହୋଇଯାଏ ।

 

ମୁଁ ଲାଜରା ହୋଇ ଘର ଭିତରକୁ ପଶି ଆସିଲି ।

ସେ ପଚାରିଲେ, ରାଧା ଘରକୁ ଦିନଟାରେ ଯାଇଛନ୍ତି କାହିଁକି ?

 

କଅଣ ଉତ୍ତର ଦେବି ଭାବି ପାରିଲି ନାହିଁ । ଯେ ସୁଖରେ ଥାଏ, ତା ଆଖିକି ଅନ୍ୟର ଦୁଃଖ ଦେଖାଯାଏ ନାହିଁ । ଭାବିଚିନ୍ତି କହିଲି, ମୁଁ ଜାଣେ ନାହିଁ ।

 

ତୁ ଜାଣୁ ନାହିଁ ?

ମିଛରେ କହିଲି, ନା – ଆଁ – ।

ପଚାରିଲେ, ଗଉଡ଼ ହାତରେ କି ଚିଠି ଦେଉଥିଲୁ ? କଟକ ?

 

ଯାହା ଡରୁଥିଲି ସେଇଆ ହେଲା । ଦାମଭାଇ ଦେଖିଛନ୍ତି । ଲୁଚାଇଲେ ଆଉ ଚଳିବ ନାହିଁ । କହିଲି, ହଁ, କଟକ ।

 

ସଙ୍ଗେ ସଙ୍ଗେ ସେ ପଚାରିଲେ, ଆଜିକାଲି ଅମର କେଉଁଠି ଅଛି କି ?

ଅମର !

 

ସେ ଭାବିଛନ୍ତି ମୁଁ ଅମର ପାଖକୁ ଚିଠି ଲେଖି ଦେଇଛି । ମୁଣ୍ଡ ଘୂରିଗଲା । ବୃଥାରେ ଚିଠି ଖଣ୍ଡି ଲେଖିଲି । ହଟହଟା ହେବାକୁ ପଡ଼ିଲା । କାନ୍ଦ ମାଡ଼ିଲା । କୋହ ଚାପି ରଖିଲି, କାଳେ ମୋର ଦୁର୍ବଳ ମନର ପରିଚୟ ପାଇବେ । ଯାହା ହେଉ, ଦାମଭାଇଙ୍କର ଯେ ମୋ ଉପରେ ମନଗଢ଼ା ସନ୍ଦେହ କେତେଦିନୁ ଜାଗି ଉଠିଛି, ଏଥିରେ ଭୁଲ ନାହିଁ । କିନ୍ତୁ ସେ ସନ୍ଦେହଟା କି ପ୍ରକାର-

 

ପଚାରିଲେ, ତୁନି ରହିଲୁ ଯେ !

କହିଲି, ଅମୁଭାଇଙ୍କ ଠିକଣା ମୋତେ ଜଣା ନାହିଁ ।

ସେ ହସି ଉଠିଲେ ।

 

ମୋତେ ବିରକ୍ତ ଲାଗିଲା । ତାଙ୍କ ଆଗକୁ ଆସି ପଚାରିଲି ରାଗିଲା ସ୍ୱରରେ, ଆପଣ ଭାବିଛନ୍ତି ମୁଁ ଅମୁଭାଇକି ଚିଠି ଲେଖିଛି ?

 

ବିବ୍ରତ ନ ହୋଇ କହିଲେ, ମୁଁ ସେ କଥା କହୁନାହିଁ ।

 

ମୁଁ ତୁନି ରହିଲି । ତାଙ୍କର ମନର ଧାରଣା ତାଙ୍କ ପାଖରେ ଥାଉ । ତାଙ୍କୁ ଜବାବ ଦେବି ନାହିଁ । ବାରିଆଡ଼କୁ ଚାଲି ଯାଉଥିଲି, ପଛରୁ ଡାକିଲେ, ଗୀତା, ଶୁଣ ।

 

ଫେରି ଆସି ପଚାରିଲି, କଅଣ ?

ରାଗିଲୁ କି ?

 

ତାଙ୍କର ନରମ ସ୍ୱର, ସହାନୁଭୂତି ପରଶଲଗା ପ୍ରଶ୍ନଟି ଶୁଣି ଉତ୍ତର ଦେଇ ପାରିଲି ନାହିଁ-। ମୋ ଆଖିରେ ଲୁହ ଢଳ ଢଳ ହେଲା ।

 

କହିଲେ, ଗୀତା, ତୋ ମନରେ ଦୁଃଖ ବା ଆଘାତ ଦେବାକୁ ମୁଁ ଆସି ନ ଥିଲି । ମୋର ଜଳିଲା ପୋଡ଼ିଲା ମନ ଆପେ ଆପେ ଅଭିମାନିଆ କଥା କେଇପଦରେ ପଦାକୁ ବାହାରି ଆସିଲା । ମନରେ ଧରିବୁ ନାହିଁ । ତୋତେ ଏକୁଟିଆ ପାଖରେ ଦେଖିଲେ ମୋର କେତେ କଥା ମନେ ପଡ଼ିଯାଏ । ମନ ପାଗଳ ହୋଇ ଉଠେ । ସେଇଥିପାଇଁ ତ ଇଆଡ଼େ ଆସେ ନାହିଁ । ଆସିଲେ ବି ତୋ ସଙ୍ଗେ କଥାଭାଷା ନ କରି ଚାଲିଯାଏ । ନିଜର ଦୁଃଖ ନେଇ ମୁଁ ଥାଏ । ତୁ ମତେ ଘୃଣା କରୁ, କିନ୍ତୁ, ମୁଁ, ନା, କହିବି ନାହିଁ । ଜାଣେ ତୁ ହସିବୁ । ଯିଏ ଯାହାକୁ ଭଲ ପାଏ, ଆଉ ସେ ଯଦି ତାର ପ୍ରତିଦାନ ନ ପାଏ, ତାଆର ମନରେ ଈର୍ଷା ହୁଏ । ମୋଓର ଈର୍ଷାକୁ ମୁଁ ମୋର ପୋଡ଼ିଲା ପାଉଁଶ ତଳେ ଘୋରାଇ ରଖିଥାଏ ।

 

ଆଖିରୁ ଲୁହ ପୋଛିଲି । ସେ ଉଠି ଠିଆ ହେଲେ । ମୋର ହାତଟି ଧରି କହିଲେ, ଯାଉଛି । ଖୁଡ଼ୀ ଆସିଲେ କହିଦେବୁ ଗୋଟାଏ ଜରୁରୀ କାମରେ ଆସିଥିଲି । ବାପା ପଠାଇଥିଲେ । ପୁଣି ସଞ୍ଜବେଳେ ଆସିବି ।

 

ମନର କୋହ ଦମନ କରି କହିଲି, ବୋଉ ଆସୁଥିବ, ବସନ୍ତୁ ।

 

ହସି ହସି ମୋର ହାତଟିକୁ ଚାପିଧରି କହିଲେ, ନିଜକୁ ଯେତେ ବୁଦ୍ଧିଆ ମଣୁଛୁ, ସେତେ ବୁଦ୍ଧିଆ ତୁ ନୋହୁ । ଘରେ ତୁ ଏକୁଟିଆ ଅଛୁ ପରା ।

 

ସତେ କି କେଡ଼େ ଅନିଚ୍ଛାରେ ଧୀରେ ଧୀରେ ସେ ମୋର ହାତଟି ଛାଡ଼ିଦେଇ ଦାଣ୍ଡ ଦୁଆରେ ମୁହଁକୁ ଗଲେ । ମୁଁ ତାଙ୍କ ପଛେ ପଛେ କବାଟ ବନ୍ଦ କରିବାକୁ ଗଲି । ଦେଖିଲି, ବିମଳା ଭାଇଙ୍କ ସ୍ତ୍ରୀ ରେଣୁର ହାତ ଧରି ଆମରି ଘର ଆଡ଼କୁ ମୋହିଁଛନ୍ତି । ଦାମଭାଇଙ୍କୁ ଦେଖି କଅଣ ପଚାରିଲେ । ଦାମଭାଇ ତାଙ୍କୁ କଅଣ ଉତ୍ତର ଦେଇ ଚାଲିଗଲେ ।

 

ତାଙ୍କୁ ଦେଖି ମୋର ପିଣ୍ଡରୁ ସତେକି ଅଧେ ପ୍ରାଣ ଉଡ଼ିଗଲା । କବାଟ ଖୋଲି ତାଙ୍କୁ ଅପେକ୍ଷା କରି ରହିଲି ।

 

(୨୯)

 

ବିମଳା ଭାଇଙ୍କ ସ୍ତ୍ରୀଙ୍କୁ ଆଦର କରି ନେଇ ପିଣ୍ଡାରେ ବସାଇଲି । ରେଣୁ ତାଙ୍କ ପାଖରେ ବସିଲା । ଭାବୁଥାଏଁ, ଅଦିନିଆ ମେଘପରି ହଠାତ୍‌ ସେ ଆମ ଘରକୁ ଆସିଛନ୍ତି କାହିଁକି ? ଦିନେ କାଳେ ତାଙ୍କର ପାଦ କାହାରି ଘରେ ପଡ଼େ ନାହିଁ । ଗର୍ବ କରିବାର କିଛି ନ ଥିଲେ ମଧ୍ୟ ଗର୍ବରେ ମନକୁ ମନ ଫୁଲି ଉଠୁଥାନ୍ତି ସବୁଦିନେ । କାହାର ଆନନ୍ଦ କି ଶିରୀ ତାଙ୍କ ଆଖିରେ ଯାଏ ନାହିଁ ।

 

ସେ ଗମ୍ଭୀର ହୋଇ ବସିଥାଆନ୍ତି । ମୁଁ ଡରି ଡରି ସରାଗହୀନ ହସ ଓଠ ଉପରକୁ ଟାଣି ଆଣି ପଚାରଲି, ଅପୂରୁବ କୁଆଡ଼େ ? ଦିନେ କାଳେ ତ ପଚାର ନାହିଁ, ଭାଉଜ ବୋଉ ।

 

କଳା ମେଘରେ ବିଜୁଳି ଖେଳିଲା ପରି ତାଙ୍କ କଳା ମିଚିମିଚି ମୁହଁରେ ଦାନ୍ତ ଦି ପାଟି ଖୋଲିଗଲା । ଆଖି ମିଟିମିଟି କରି ନାକ ଫୁଲାଇ କହିଲେ, ତମକୁ ଦେଖିବାକୁ ପରା ଆସିଲି ଗୋ, ଖୁଡ଼ୀ କାହାନ୍ତି ?

 

ସମ୍ପର୍କରେ ସେ ଥଟ୍ଟା ହେବେ । ପରିହାସ କରି ପଚାରିଲି, ଶୁଣିଥିଲ କି ଆମେ ବାଧକା ପଡ଼ିଛୁଁ ?

 

ସେମିତି କିଛି ଶୁଣି ନ ଥିଲି । ତମକୁ ଦେଖି ମନେ ହେଉଛି, ତମେ ବାଧକ ପଡ଼ିଥଲ ।

 

ରେଣୁ ତାଙ୍କ କଥାରେ କଥା ମିଶାଇ କହିଲା, ହଁ ଲୋ ଗୀତା ଅପା, ତତେ ଦେଖିଲେ ଚିହ୍ନି ହେଉ ନାହିଁ ! ତୁ ଶୁଖି ଯାଇଛୁ ।

 

ବିମଳା ଭାଇଙ୍କର ସ୍ତ୍ରୀ ପୁଣି ହସିଲେ । କହିଲେ, ଆଲୋ ତୁ ଜାଣିବୁ କଅଣ ? ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ପିଲାଟାର କଣ୍ଟା ଦୋହଲିଲାଣି । ଖୁଡ଼ୀ କାହାନ୍ତି ଗୀତା, ତାଙ୍କୁ ଗୋଟିଏ ଗୁପ୍ତ କଥା ପଚାରିବାକୁ ଆସିଥିଲି ।

 

ଗୁପ୍ତକଥା ! ବୋଉ ସଙ୍ଗେ ୟାଙ୍କର ପୁଣି ଗୋଟାଏ ଗୁପ୍ତକଥା କଅଣ ଥାଇପାରେ ? ନିଶ୍ଚୟ କିଛି କାଣ୍ଡ ଘଟିଛି । କହିଲି, ବୋଉ ରାଧା ଘରକୁ ଯାଇଛି ।

 

ରାଧା ନା ଶୁଣି ତାଙ୍କ ମୁହଁ କେଶରା ପଡ଼ିଗଲା । ସେ ଆଗ୍ରହ ଭଙ୍ଗା ସ୍ୱରରେ ପଚାରିଲେ, କାହିଁକି ?

 

କହିଲି, ଜାଣେନାହିଁ ।

କେତେବେଳେ ଆସିବେ ?

କହିଲି, କେତେବେଳୁ ତ ଗଲାଣି, ଆସୁଥିବ ।

 

ଆଶ୍ଚର୍ଯ୍ୟ ହେଲାପରି ମନକୁ ମନ କହି ଉଠିଲେ, କେତେବେଳୁ ଗଲେଣି ? ମୋଆଡ଼କୁ ଅନାଇ ପଚାରିଲେ, ଦାମ ଆସିଥିଲେ ଯେ !

 

ଉତ୍ତର ଦେବାକୁ ଭାଷା ଖୋଜି ପାଇଲି ନାହିଁ । ଯେଉଁ କଥାକୁ ଡରୁଥିଲି ତାହାହିଁ ହେଲା ଶେଷକୁ । ମୁହଁଟାଣ କରି କହିଲି, ହଁ ସେ ଆସିଥିଲେ ।

 

ଆମୋଦିତ ହୋଇ କହିଲେ, ଓ, ତାଙ୍କରି ପାଇଁ ପିଣ୍ଡାରେ ସପ ପଡ଼ିଥିଲା ପରା, କାଚ ଥାଳିଆରେ ଗୁଆ ବଢ଼ା ହୋଇଥିଲା । ତୁମେ ତାଙ୍କୁ କଥା କହ ଗୀତା, ଆଡ଼ ହୁଅ ନାହିଁ ?

 

ମୋ ମୁହଁ ଶୁଖିଗଲା । ଏତେବେଳେକେ ବୁଝିଲି ତାଙ୍କର ଉଦ୍ଦେଶ୍ୟଟା ସେତେ ଭଲ ନୁହେଁ । ମୋଓରି ମୁହଁରୁ ରେଣୁ ଆଗରେ କଥାକୁ ବଡ଼ କରି ଗାଁର ପାଞ୍ଚଜଣଙ୍କ ପାଖରେ ଦୁର୍ନାମ କରିବାକୁ ସେ ଏଡ଼େ ବ୍ୟଗ୍ର ହୋଇ ଧାଇଁ ଆସିଛନ୍ତି । ତଥାପି ଭଲରେ ଯେତେବେଳେ ପଚାରୁଛନ୍ତି, ଉତ୍ତର ନ ଦେଲେ ନ ଚଳେ । ଦୁର୍ନାମ କରିବେ ତ ମନ ଇଚ୍ଛା କରନ୍ତୁ ।

 

କହିଲି, ପିଲାଦିନୁ ତାଙ୍କୁ ମୁଁ ଆଡ଼ ହୁଏ ନାହିଁ, କଥା କହେ ।

 

ଥଟ୍ଟା କରି କହିଲେ, ଜନ୍ମରୁ କିଏ କାହାକୁ ଆଡ଼ ହୁଏ ନାହିଁ । ଝିଅ ପିଲାର ବୟସ ହେଲେ ମଣିଷର ଛାଇ ପଡ଼ିଲେ ତ ଲାଜ ମାଡ଼େ । ଗାଁରେ, ଏତେ ଲୋକ ଅଛନ୍ତି, ସମସ୍ତଙ୍କୁ କାହିଁକି ଲୁଚ, ଏକା ଏଇ ଦାମକୁ କଥା କହ ବା ?

 

ରାଗରେ ମୋର ବ୍ରହ୍ମ ଜଳି ଉଠିଲା । ମନରେ କୁତ୍ସିତ ଧାରଣା ନେଇ ସେ ଆସି ତର୍କ ତାର୍କରେ କଥା କହୁଛନ୍ତି । ତାଙ୍କୁ ମୁଁ ଉତ୍ତର ଦେବି ? କଅଣ ଗୁଡ଼ିଏ କହି ପକାଇବି ବୋଲି ଭାବିଥିଲି । ରାଗକୁ ଦମନ କରି ଥରିଲା କଣ୍ଠରେ କହିଲି, କାହିଁକି, କ୍ଷତି କଅଣ ହେଲା ? ଦାମଭାଇ ମତେ ନିଜର ଭଉଣୀ ପରି ଭଲ ପାଆନ୍ତି । ମୁଁ ତାଙ୍କୁ ସେମିତି ଭକ୍ତି କରେ ।

 

ମୋ ତୁଣ୍ଡରୁ କଥା ଛଡ଼ାଇ ନେଇ କହିଲେ, ହଁ, ହଁ, ସେଇଥିପାଇଁ ତମକୁ ବାହା ଦେବାକୁ ଦିନେ ସେ ଝୁଙ୍କ ଧରି ବସିଥିଲେ ପରା । ତମ ଦୋଷ ମୁଁ ଦେଉ ନାହିଁ ଗୀତା । ଖୁଡ଼ୀ ଭଲ ମଣିଷ । ଅନ୍ଧାର ଆଲୁଅ ତାଙ୍କ ଆଖିରେ ସବୁ ସମାନ । ହେଲେ, ତାଙ୍କ ବୁଝିବା ଦରକାର ଝୋଟକୁ ନିଆଁ ଖର, ପୋଡ଼ିଯାଏ ଫର୍‌ଫର୍‌ ।

 

ରେଣୁ କହିଲା, ତମେ ଗୀତା ଅପା ସାଙ୍ଗରେ ଏତେ ଲାଗ କାହିଁକି ? ଯୋଉଥିପାଇଁ ଆସିଥିଲ, ସେ କଥା କହୁନା ।

 

ବିମଳାଭାଇର ସ୍ତ୍ରୀ କହିଲେ, ଆଲୋ ରେଣୁ, ଗୀତା ମୋର ନଣନ୍ଦ ଲେଖା, ତା ସଙ୍ଗେ ଟିକିଏ ଥଟ୍ଟାରେ ଲଗାଇବାକୁ ମନ ହୁଏ । ଲୋକେ ପଛେ ଅବିଗୁଣ ପାଉନ୍ତୁ, ମୁଁ ଭଲ କଥା କହେ । ତୁ ସିନା ପିଲାଲୋକ, ଗୀତା କିଛି ପିଲା ଛୁଆ ନୁହଁ । ସେ କଅଣ ଜାଣେ ନାହିଁ, ନିରୋଳା ଘରେ ଟୋକାଟା ପାଖରେ ଟୋକୀ, ପରକୁ ପର, ଲାଜ ସଙ୍କୋଚ ନାହିଁ, ଡର ଭୟ ନାହିଁ । କଅଣ ହୁଏ ?

 

ହତାଶ ହୋଇ ବସି ପଡ଼ିଲି ତାଙ୍କରି ପାଖରେ । ବୋଉ ଉପରେ ରାଗ ହେଲା । ଘଣ୍ଟାଏ ହେଲା ଗଲାଣି, ଏତେବେଳଯାଏ ଫେରୁ ନାହିଁ । ସେ ଥିଲେ ବିମଳାଭାଇଙ୍କର ସ୍ତ୍ରୀ କଣ ପାଣିରେ ସର ପକାଇ ମୁହଁକୁ ଚାହୁଁ ଚାହୁଁ ଏପରି ନିନ୍ଦା କରି ଚରିତ୍ର ଉପରେ ଆଞ୍ଚ ଦେଇ କଥା କହି ପାରନ୍ତା-? ଯାହା ହେଉ, ମୋର ସହିବାର ସୀମା ଟପିଲା । ଧୈର୍ଯ୍ୟ ଭାଙ୍ଗିଲା । ଦୁର୍ନାମ ତ କଲେଣି ଆଉ ଅଧିକ କଅଣ କରିବେ ? ମୁହେଁ ମୁହେଁ ଜବାବ ଦେବି । ଆଖିରେ ଲୁହ ଅଟକାଇ ଥରିଲା ସ୍ୱରରେ ପଚାରିଲି, କଅଣ ହୁଏ ଭାଉଜ ବୋହୂ ।

 

ମୋ ଓଠରେ ହାତ ଦେଇ କହିଲେ, ଆହା ହା, ଜାଣନାହିଁ ସତେ । ତମ ଆଖି ମୁହଁ ତ କହିଦେଉଛି । ଆଗୋ ଗୀତା, ତମର କି ଦୋଷ । ବୟସ ହେଲେ ସଭିଙ୍କ ମନ ଅରମାକୁ ଧାଏଁ । ତା ଆଗରୁ ବୁଦ୍ଧିଆ ଗଉଡ଼ ଦମ୍ଭ ଖୁଣ୍ଟ ଦେଖି ଟାଣ ପଘାରେ ଗାଈକୁ ବାନ୍ଧେ । ସେତକ ନ କଲେ ଗାଈ ମାଈର ଦୋଷ ଗୁଣ ଧରିବ କିଏ ? ଆମେ କଅଣ ଝିଅ ହୋଇ ନ ଥିଲୁ କି ?

 

ତାଙ୍କୁ କିଛି କହିବା ଆଗରୁ ସେ ଉଠି ଠିଆ ହେଲେ । କହିଲେ, ରେଣୁ ଯିବା । ଖୁଡ଼ୀ ଆସୁ ଆସୁ କେତେ ଡେରି ହେବ । ଘରଧନ୍ଦାଛାଡ଼ି ଆସିଥିଲି । ଆସ ।

 

ସେ ଦାଣ୍ଡ କବାଟ ଆଡ଼କୁ ଗଲେ । ରେଣୁ ଉଠିଲା । ମୁଁ ତା ହାତ ଧରି ଅଟକାଇ କହିଲି, ତୁ ରହ ରେଣୁ, ପଛେ ଯିବୁ ।

 

ମୋ ମନର ଦୁଃଖ ରେଣୁ ବୁଝି କହିଲା, ତମେ ଯାଅ, ମୁଁ ପଛରେ ଯିବି ।

 

ମୁହଁ ବୁଲାଇ ବିମଳା ଭାଈର ସ୍ତ୍ରୀ କହିଲା, କାହିଁକି ବା ? ଗୀତା କଅଣ ତମ ସାଙ୍ଗ ସାରିସା ? ତମ ବୋଉ ଶୁଣିଲେ ଗାଳି ଦେବେ ।

 

ରେଣୁ ମୁହଁ ଫଣ ଫଣ କରି କହିଲା, ବୋଉ ତମକୁ ଚିହ୍ନେ, ମୋ ଗୀତା ଅପାକୁ ବି ଚିହ୍ନେ । ତମ ସଙ୍ଗେ ଆସିଥିଲି ଶୁଣିଲେ ସେ ବେଶୀ ଚିଡ଼ିବ ।

 

କହିଲେ, ଜାଣିଥିଲୁ ତ ଆସିଲୁ କାହିଁକି ?

 

ରେଣୁ କହିଲା, ଆସିଥିଲି କଅଣ ତମକୁ ଜଗିବାକୁ ? ଗୀତା ଅପା ପାଖକୁ ଆସୁଥିଲି । ତମ ସଙ୍ଗେ ଦେଖା ହେଲା ସିନା ।

 

କହିଲେ, ଯାଉଛି ଲୋ ତୋ ବୋଉ ଆଗେ ସବୁ କହିବି ।

ରେଣୁ କହିଲା, ହଉ ଯା – ଯା ।

 

(୩୦)

 

ରେଣୁ କବାଟ ବନ୍ଦ କରି ମୋପାଖକୁ ଫେରି ଆସିଲା । ପିଲାଟାଏ ସେ, ମୋ ମନ ଭିତରର କୁହୁଳା ଦୁଃଖ କଅଣ ବୁଝିବ ? ମୋ ଆଖିରେ ଲୁହ ଦେଖି ଏଣୁ ତେଣୁ କଅଣ ବୁଝାଇ କହିଲା, ମନେ ଚାହିଁ । ଲୁହ ପୋଛି କହିଲି, ମିଛ ଅପବାଦ ଦେଇମୋଓର ଦୁର୍ନାମ କରିବାକୁ ସେ ଆସିଥିଲେ ରେଣୁ; ହଉ, ତାଙ୍କର ମନ ବୋଧ ହେଉ ।

 

ରେଣୁ ବିରକ୍ତ ହୋଇ କହିଲା, ତୁ ଭାରି ଓଲୁ । ମୁହେଁ ମୁହେଁ ଚାରିପଦ ବତାଇ ଦେଲୁ ନାହିଁ ? ମୁଁ ହୋଇଥିଲେ ତାର ଖଣ୍ଡିଆ ଚୁଟି କେରାକ ଛିଣ୍ଡାଇ ଦେଇଥାନ୍ତି । ଭାରି କୁହାଳିଆ ହୋଇଛି ।

 

କହିଲି, ରେଣୁ, ଯାହାର କପାଳ ପୋଡ଼ା, ନ କହିଲା ଲୋକ ତାକୁ ଦେଖିଲେ ଚାରିପଦ କହିବେ । ମନରେ ଦୁଃଖ ହୁଏ, କାନ୍ଦ ମାଡ଼େ । ସେଥିକି କଅଣ କରିବା ? ବିମଳା ଭାଇର ସ୍ତ୍ରୀ ଆଜି ଏଇଥିପାଇଁ ଆସିଥିଲା ।

 

ରେଣୁ କହିଲା, ନାଇଁ ଗୀତା ଅପା, ସେ ଆସିଥିଲେ ଭିନେ କାରଣରେ । ବାଟରେ ତୋ ରୂପ ଗୁଣକୁ ପ୍ରଶଂସା କରୁଥିଲେ । କହୁଥିଲେ, ତାଙ୍କର ଗୋଟିଏ ଦୂର ସମ୍ପର୍କର ଦିଅର ଅଛନ୍ତି । ବାରଦା ଗାଁରେ ଘର । ସେହି ବିଷୟରେ ତୋରି ବାହାଘର ପ୍ରସ୍ତାବ ନେଇ ସେ ଆସିଥିଲେ ।

 

ବାରଦା ନାଁ ଶୁଣି ମୁଁ କଥାଟା ବୁଝିନେଲି । ନିଶ୍ଚୟ ଅଜୁ ଭାଇର ବାହାଘର ପ୍ରସ୍ତାବ ନେଇ ସେ ଆସିଥଲେ । ଆଖି ଆଗରେ ଅମୁଭାଇର ସୁନ୍ଦର ହସ ହସ ମୁହଁଟି ଠିଆ ହେଲା । ମନ ମଉଳିଗଲା । କଥାର ଗତି ବଦଳାଇବାକୁ ମୁଁ ଏଣୁ ତେଣୁ ପଚାରିଲି । ମୋ କଥାର ଉତ୍ତର ନଦେଇ ଗେହ୍ଲାଳିଆ କରି ପଚାରିଲା, ତୋମନକୁ କେମିତି ପାଉଛି ଗୀତା ଅପା ? ଭଲ ଘର, ଭଲ ବର । ହେଲେ ତୋ ବରଟା କଳା ମିଚିମିଚିଭୁଷୁଣ୍ଡା ଗଧ ହେବ । ମୁଁ ଦେଖିଛି ଯେ –

 

ହସି ହସି ତା ଗାଲରେ ହାତ ମାରି କହିଲି ତୁ ଭାରି ଦୁଷ୍ଟ, ରେଣୁ ।

 

ସେ ଜିଗର ଧରି ପଚାରିଲା, କହ ଅପା, ତୋ ମନକୁ କେମିତି ପାଉଛି, କଳା ମଣିଷ ଦେଖିଲେ ତୁ ପରା ଚିଡ଼ୁ ।

 

ତୁନି ତୁନି ତା କାନ ପାଖରେ କହିଲି, ରେଣୁ, ବଡ଼ ହେଲେ ବୁଝିବୁ । ଯିଏ ଯାହା ଖୋଜେ, ସେ ତା ପାଏ ନାହିଁ । ଯାହା କପାଳରେ ଥିବ ହେବ । ସେଥିକି ଆଗରୁ ଭାବ ବସିଲେ ଲାଭ ନାହିଁ ।

 

ରେଣୁ କହିଲା, କିନ୍ତୁ, କଳା ମଣିଷ.....

କହିଲି, ବାଛ ନା ଲୋ, କହା କପାଳରେ କଅଣ ଅଛି କିଏ ଜାଣେ ?

ସେ ହସି ହସି ମୋଓରି କୋଳରେ ଲୋଟି ପଡ଼ିଲା ।

ବୋଉ ଡାକିଲା ଦାଣ୍ଡରୁ, ଗୀତା..... ।

ଜବାବ ଦେଲି, ଯାଉଛି ।

 

ରେଣୁର କାନରେ କହିଲି, ତମେ ମୋରାଣ ରେଣୁ, ବିମଳା ଭାଇଙ୍କ ସ୍ତ୍ରୀ ଯାହା ସବୁ କହିଗଲେ ବୋଉକୁ କିଛି କହିବୁ ନାହିଁ । ତା ମନରେ ଦୁଃଖ ହେବ ।

 

କବାଟ ଖୋଲିଲା । ବୋଉ ଓ ରାଧା ଦୁହେଁ ଘରକୁ ଆସିଲେ । ରେଣୁକୁ ଦେଖି ରାଧା କହିଲା, କି ଗୋ ଦେଈ, ତୁମେ କୁଆଡ଼େ ?

 

ରେଣୁ କହିଲା, ଆସିଥିଲି ବିମଳାଭାଇ ଭାରିଯା ସାଙ୍ଗରେ । ବଡ଼ମାକୁ ଅପେକ୍ଷା କରି ସେ ଏଇକ୍ଷଣି ଗଲେ । ମୁଁ ରହିଛି ତୋ ସଙ୍ଗେ ଯିବି ।

 

ରାଧା ମୁହଁ ମୋଡ଼ି କହିଲା, ସେଇଟା କାହିଁକି କି ଆସିଥିଲା ବା ? ରେଣୁ ତାଙ୍କର ଆସିବା ଉଦ୍ଦେଶ୍ୟ କହିଲା । ବୋଉ କହିଲା, ଅଟକାଇଲୁ ନାହିଁ, ରେଣୁ ! ବିମଳାର ସ୍ତ୍ରୀ, ଭାରି ଭଲ ମଣିଷ ।

 

ରାଧା ଗୋଟିଏ ଟୋକେଇରେ ଚାଉଳ ଆଣିଥିଲା । ପିଣ୍ଡା ଉପରେ ଥୋଇଦେଇ କହିଲା, ନିଅ ଦେଈ । ଆଗ ରୋଷେଇ ବସେଇବଟି । କାଲି ରାତିରୁ ଉପାସ ପଡ଼ିଛ, ମତେ ଟିକିଏ ଖବର ଦେଲ ନାହିଁ ?

 

ଚାଉଳ ଟୋକେଇଟି ନେଇ ରୋଷଘରକୁ ଗଲି । ରାଧା ରେଣୁକୁ ସଙ୍ଗରେ ନେଇ ଫେରିଲା ।

 

ବୋଉ ଆସି କହିଲା, ଝିଅ ଲୋ, ଥାଳି ପଟି ବନ୍ଧା ନେଇ ଟଙ୍କା ଦି ତିନିଟା ପାଇଁ ରାଧା କେତେ ଘର ବୁଲିଲା । ମୁଁ ତାଆରି ଘରେ ଅପେକ୍ଷା କରି ରହିଲି । ସେଇଥିପାଇଁ ଡେରି ହେଲା । ଜଗବନ୍ଧୁ ବିଚରା ଥାଳିଖଣ୍ଡ ରଖି ଟଙ୍କା ଦିଓଟି ଦେଲା । ଗୋଟିଏ ଟଙ୍କା ରାଧାକୁ ଦେଲି, ନଉନ ଥିଲା, କେତେ କୁହା ବୋଲାରେ ନେଲା । ଠାକୁରେ ଏମିତି ଆଉ କେତେଦିନ ଚଳାଇବେ ମା । ବାପ ତୋର ଚାଲିଗଲେ । କେଡ଼େ ନିଦାରୁଣ ସେ ! ମୋତେ ଭଲା ସଙ୍ଗରେ ନେଇ ଯାଇଥାନ୍ତେ ।

 

ବୋଉକୁ କହିଲି, ମୁକୁଳେଇବାର ଆଶା ନାହିଁ । ବନ୍ଧା ଦେଲୁ କାହିଁକି ? ବିକ୍ରି କରି ଦେଇଥିଲେ ଭଲ ହୋଇଥାନ୍ତା ।

 

ବୋଉ କହିଲା, କିଣିବାକୁ ଏ ଗାଁରେ କେହି ରାଜି ହେଲେ ନାହିଁ ।

 

କଥାର ସୁଅ ବଦଳାଇ କହିଲି, ତୁ ଗଲାପରେ ଦାମଭାଇ ଆସିଥିଲେ । ମହନ ଜେଠା କାହିଁକି ପଠାଇ ଥିଲେ । ଅନେକ ସମୟ ଅପେକ୍ଷା କରି ସେ ଚାଲିଗଲେ ।

 

ବୋଉ ପଚାରିଲା, କାହିଁକି ପଠାଇଥିଲେ ?

କହିଲ, ମୋତେ କିଛି କହିଲେ ନାହିଁ । ସଞ୍ଜକୁ ଆସିବେ କହିଛନ୍ତି ।

 

(୩୧)

 

ସଞ୍ଜବେଳେ ଦାମଭାଇ ଆସିଲେ ।

 

ବିମଳା ଭାଇଙ୍କର ସ୍ତ୍ରୀ ସେଦିନ ମୋତେ ଯେଉଁ ଶିକ୍ଷା ଦେଇଯାଇଥିଲେ ତାଆରି ଫଳରେ ମୁଁ ଆଉ ତାଙ୍କ ପାଖକୁ ନ ଯାଇ ରୋଷଘରକୁ ଆସିଲି । ଆଡ଼ହେବା ଲୋକର ଆଗକୁ ହଠାତ୍ ଗଲେ ଯେପରି ଖରାପ ଲାଗେ, ଆଡ଼ ନ ହେବା ଲୋକ ପାଖରୁ ଦୂରେଇ ରହିଲେ ସେହିପରି ଲାଗେ । କାଳେ ସେ ପାଖକୁ ଡାକିବେ, କଅଣ ପଚାରିବେ, ଜବାବ ଦବାକୁ ତ ପଡ଼ିବ ।

 

ଦାମଭାଇ ମୋତେ ଆଉ ଡାକି ନାହାନ୍ତି । ପିଣ୍ଡାରେ ବସି ବୋଉ ସଙ୍ଗେ କଥା ଭାଷା ହେଲେ । ମୁଁ ରୋଷଘରେ ବସି ସବୁ ଶୁଣୁଥାଏଁ ।

 

ଦାମଭାଇ କହିଲେ, ଆଜି ସକାଳେ ବାପା ବୋଉ ଦୁହେଁ ମୋତେ ଡାକି ତମ ପାଖକୁ ପଠାଇଥିଲେ । ବାପା କହିଲେ, ଭୋଳିଦାଦି ତ ଚାଲିଗଲେ, ଥାଉଁ – ଥାଉଁ ଝିଅଟାକୁ ଉଠାଇ ଦେଇ ଗଲେ ନାହିଁ । ଭଲ ଘର ଭଲ ବର ଖୋଜୁଖୋଜୁ ଝିଅକୁ ଦରବୁଢ଼ୀ କଲେ । ଯାହା ହେବାର ତ ହୋଇଛି । ଏବେ ଯେ କୌଣସି ଜାଗାରେ ନିମିତ୍ୟ ଉଠାଇବାକୁ ହେବ । ଆହୁରି ଡେରି କଲେ ନାଁ ନିନ୍ଦା, ଗାଁ ନିନ୍ଦା, ବାଛନ୍ଦ ପଡ଼ିବ । ବାପା ପୁଣି କହିଲେ ଆମରି ଗୁମାସ୍ତା ହାଡ଼ିବନ୍ଧୁର ସାନଭାଇ ଜଟିଆ ବିଷୟରେ ସମ୍ବନ୍ଧ କଲେ ଭଲ ହେବ ।

 

 

ପ୍ରସ୍ତାବ ଶୁଣି ଦାମଭାଇଙ୍କ ବୋଉ କୁଆଡ଼େ ବିରକ୍ତି ହେଲେ । କହିଲେ, ଜଟିଆଟା ସଂକ୍ରାନ୍ତି ପୁରୁଷ, ଶ୍ୱାସରୋଗୀ, ପ୍ରାଣ ଯାଉଛି କି ଆଉଛି, ତହିଁରେ ପୁଣି ଗଜମୂର୍ଖ । ଚାରି ପଇସା ରୋଜଗାର କରିବାର ଶକ୍ତି ନାହିଁ । ହାଡ଼ିଆ କଅଣ ତାକୁ ସବୁଦିନେ ପୋଷିବ ?

 

ତାଙ୍କ ବାପା ଚିଡ଼ି ଉଠିଲେ । କହିଲେ, ପ୍ରସ୍ତାବ ପଡ଼ୁ ପଡ଼ୁ ତୁମେ ଆଗରୁ ଭାଙ୍ଗୁଛ କାହିଁକି-? ତାଙ୍କର ଯେଉଁ ଅବସ୍ଥା, ଝିଅର ଯେଉଁ ବୟସ, ସେଥିରେ ତାଙ୍କୁ ଆଉ ଭଲ ପାତ୍ରଟାଏ ମିଳିବ ନାହିଁ । ଭାଗ୍ୟରେ ଥିଲେ ସେଇ ଜଟିଆକୁ ପୁଣି ଦିନେ ଦେଖିବ ।

 

ତାଙ୍କ ବୋଉ ତୁନି ରହିଲେ । ତାଙ୍କ ବାପା ତାଙ୍କୁ ଡାକି କହିଲେ, ତୁ ଗୀତାବୋଉର ପାଖକୁ ଯା, ତାଙ୍କୁ ବୁଝାଇ କହିବୁ । ଏ ପ୍ରସ୍ତାବରେ ସେ ମଙ୍ଗନ୍ତୁ । ହାତରେ ଗୋଡ଼ରେ ଲାଗିବ ନାହିଁ-। ସୁରୁଖୁରୁରେ ବାହାଘର ହୋଇଯିବ ।

 

କହ ଖୁଡ଼ି, ତମର ମତ କଅଣ ?

 

ବୋଉ ଉତ୍ତର ଦେଇ ପାରିଲା ନାହିଁ । ଭାବିବାକୁ ଲାଗିଲା । ଅନ୍ଧାର ଘରେ ମୁଁ କାନ ପାରି ବସିଥାଏଁ । ବୋଉ କଅଣ କହିବ ଶୁଣିବାକୁ ଅଧୀର ପ୍ରାଣ ଟାକି ରହିଥାଏ । ସତେ ସେ ମଙ୍ଗିବ ?

 

ପଦଟିଏ ହଁରେ ମୋର ଜୀବନ ଯୌବନ, ଆଶା ଅଭିଳାଷ ପୋଡ଼ି ଛାରଖାର କରିଦେବ । ପ୍ରତିବାଦ କରି ପାରିବି ନାହିଁ । ନୀରବରେ ମଥା ପୋତି ବିନା ଦୋଷରେ ନିହିତ ଦଣ୍ଡକୁ ଗ୍ରହଣ କରିବି । ବୋଉ, ରକ୍ତ ମାଂସରେ ଦେହଟା ମୋର ଗଢ଼ିଛି ଯେଉଁ ବୋଉ, ତାର ଅବାଧ୍ୟ ମୁଁ ହୋଇ ପାରିବି ନାହିଁ ।

 

ଦୀର୍ଘଶ୍ୱାସ ଛାଡ଼ି ବୋଉ ପଚାରିଲା, ଦାମ, ମୋର ଜବାବ ମାଗିବା ଆଗରୁ ମୁଁ ତମକୁ ପଚାରୁଛି ତମେ କହ, ତମର ମନ ମାନୁଛି ? ତମର ଯଦି ମନ ମାନେ ମୋର ଆପତ୍ତି ରହିବ ନାହିଁ-

 

ଆଗ୍ରହରେ ଦାମଭାଇଙ୍କ ଉତ୍ତରକୁ ଅପେକ୍ଷା କରି ରହିଲି । ଦାମଭାଇ ପିଲାଦିନୁ ମୋତେ ଏତେ ଭଲ ପାଆନ୍ତି । ଦାମଭାଇ, ସଂସାରରେ ସେହି ଜଣକ, ଯାହାଙ୍କ ଆଗରେ ନିଃସଙ୍କୋଚରେ ମନ ପ୍ରାଣ ଖୋଲି ମୁଁ କଥା କହେ । ରାଗ ରୋଷରେ ବିରକ୍ତ ହୁଏଁ । ତାଙ୍କର ଅଶ୍ଲୀଳ ଆଶା, କୁତ୍ସିତ ଆକର୍ଷଣକୁ ନିଷ୍ଠୁର ଭାବରେ ଠେଲି ଦିଏଁ । ତଥାପି, ସେ ନିଶ୍ଚୟ ଜାଣିଥିବେ, ମୁଁ ତାଙ୍କୁ ଭଲ ପାଏଁ, ଭଲ ପାଏଁ ସେ ମୋତେ ବିରକ୍ତ କରନ୍ତି ବୋଲି ।

 

ତାଙ୍କରି ମତାମତ ଉପରେ ନିର୍ଭର କରି ବୋଉ ନିଜର ଇଚ୍ଛା ପ୍ରକାଶ କରିବ । ବୋଉ ଜାଣେ, ଦାମଭାଇ ମୋତେ ଭଲ ପାନ୍ତି । ତାଙ୍କର ପ୍ରତିଶୋଧ ନେବାର ବେଳ ଆସିଛି । ଅଜଣା ସ୍ୱାମୀର ଗୋଡ଼ ତଳେ ମୋର ଯୌବନ, ପ୍ରେମ ଉତ୍ସର୍ଗ କରିବି ବୋଲି କେତେ ଆକର୍ଷଣ, କେତେ ପ୍ରଲୋଭନକୁ ଗୋଡ଼ରେ ଦଳିଛି । ଦାମଭାଇ ଏହା ଜାଣନ୍ତି । କି ମତ ଦେବେ ଜାଣିବାକୁ ଉଦ୍‌ବିଗ୍ନ ହୋଇ ରହିଲି ।

 

ସେ ବ୍ୟସ୍ତ ହୋଇ କହିଲେ, ଖୁଡ଼ି, ମୋର ମତାମତ ପଚାର ନାହିଁ । ମୋର ମତାମତରେ କିଛି ଯାଏ ଆସେ ନାହିଁ । ଦିନେ ମୋ ମନକଥା କହିଥିଲି, ସମସ୍ତେ ଏହା ଜାଣନ୍ତି । ସମସ୍ତେ ହସିଥିଲେ ଏକା ମୁଇଁ କାନ୍ଦିଥିଲି । ବାପାଙ୍କର ଅବାଧ୍ୟ ମୁଁ ହୋଇ ନ ଥିଲି । ଲାଜ ସଂକୋଚରେ ମୁଁ ତମ ଆଗରେ ମୁହଁ ଖୋଲି କେବେ ମନର କଥା କହି ନ ଥିଲି । ସେ ସାହସ ମୋର ନ ଥିଲା । କାଳେ ତମେ, କଅଣ ଭାବିବ, କାଳେ କହିବ, ମନରେ ଅସନା ଆଗ୍ରହ ଧରି ଦାମ ଘରକୁ ଆସେ, ଗୀତାକୁ ଭଲ ପାଏ । ମନକଥା ମୁଁ କହିଥିଲେ ଏ ଘରୁ ମୋର ସ୍ୱାଧୀନ ଚଳନ ଲୋପ ହୋଇଥାନ୍ତା । ଖୁଡ଼ି, ତିଅଣ ପୋଡ଼ି ଯାଇଛି, ମନ ମରି ଯାଇଛି । ଯାହା ହେବାର ହୋଇ ସାରିଛି । ମୋର ମନର କାମନା ମୋର ଆଜିକାର ଆଗ୍ରହ ଓ ଆଶୀର୍ବାଦ ହେଉଛି, ଗୀତାଟି ଆନନ୍ଦରେ ରହୁ, ସୁଖରେ ରହୁ । ଏତିକି ଦେଖିଲେ ଜୀବନରେ ମୁଁ ଶାନ୍ତି ପାଇବି ।

 

ବୋଉ ତୁନି ରହିଲା । ଭାବିଲି, ସତେ, ଦାମଭାଇଙ୍କ ମନରେ ଏତେ ଦୁଃଖ ମତେ ସେ ଏତେ ଭଲ ପାଆନ୍ତି ?

 

ଦାମଭାଇ ପୁଣି କହିଲେ, ମୋର ମତାମତ ପଚାରୁଛ ଖୁଡ଼ି ? କହୁଛି ଶୁଣ । ଜଟିଆ ଗୀତାର ଉପଯୁକ୍ତ ନୁହେଁ । ଲୋକେ କହୁଛନ୍ତି ଗୀତାର ବୟସ ବଳେଇ ପଡ଼ିଲା, ଏଣିକି ନିନ୍ଦା ହେବ-। ବାପାଙ୍କର କଥା ମାନି ତମକୁ ମୁଁ ପଚାରିବାକୁ ଆସିଲି । ତମେ ଯାହା ଉତ୍ତର ଦେବ, ମୁଁ ତାଙ୍କୁ ସେଇଆ କହିବି ।

 

ବୋଉ କହିଲା, ଦୁନିଆଁଲୋକଙ୍କ ଆଖିରେ ଗୀତା ଦରବୁଢ଼ୀ ହୋଇପାରେ ବାପ, ମୋ ଆଖିରେ ସେ କାଲିକା ପିଲା । ବାପାଙ୍କୁ କହିବ, ଲୋକେ ନିନ୍ଦା କରିବେ ତ କରନ୍ତୁ । ଲୋକନିନ୍ଦାକୁ ଡରି ବାପ ନ ଥିଲା ଝିଅକୁ ପଙ୍କରେ ମାଡ଼ିଦେବି ନାହିଁ । ମୁଁ ଗରିବ ହେଲେ ମଧ୍ୟ ମୋ ମନ ତ ଗରିବ ନୁହେଁରେ ବାପ । ମୁଁ ରାଜା ଜମିଦାର ଚାହୁନାହଁ । ମୂଲ ଲାଗି ଚଳୁଥିବା ପିଲାଟିଏ ହେଲେ ହେଲା । ଚାରି ଅକ୍ଷର ପଢ଼ିଥିବ, ସ୍ୱାସ୍ଥ୍ୟଭଲଥବ, ଚରିତ୍ର ସ୍ୱଭାବ ଭଲ ହୋଇଥିବ, ଏମିତିକା ପିଲାଟି ହେଲେ ଗୀତାକୁ ତା ହାତରେ ଦେବି । ନ ମିଳିଲେ ଗୀତା ଅଭିଆଡ଼ୀ ରହିବ । ମୋଓର ମରଣ ହେଲେ ତମର ଯେଉଁଠି ମନ ସେଇଠି ତାକୁ ଦେବ । ଦେଖିବାକୁ ମୁଁ ନ ଥିବି । ବାପାଙ୍କୁ ଏଇଆ କହିବ ।

 

ଦାମଭାଇ ଉତ୍ତର ନ ଦେଇ ବିଦାୟ ନେଲେ ।

 

ବୋଉ ମତେ ପାଖକୁ ଡାକିଲା । ମୁଁ ପିଣ୍ଡାକୁ ଯାଇ ତା ପାଖରେ ବସିଲି । ମୋ ମୁଣ୍ଡରେ ହାତ ବୁଲାଇ ଧୀରେ ଧୀରେ କହିଲା, ଶୁଣିଲୁ ତ ମା, ଦାମର କଥା । ଆଜି ଯଦି ତୋ ବାପ ବଞ୍ଚିଥାନ୍ତେ, ସଆନ୍ତେ ଏମିତି ଅପସନ୍ଦ ପ୍ରସ୍ତାବ ପଠାଇବାକୁ ସାହସ କରି ନ ଥାନ୍ତେ । ଆମର ସାହା ଭରସା ଏକା ସେଇ ଭଗବାନ । ଯାହା ତାଙ୍କର ଇଚ୍ଛା । ତାଙ୍କୁ ହିଁ ଡାକ ।

 

ଦୁଇଧାର ଲୁହ ଗଡ଼ି ପଡ଼ିଲା ମୋ ଆଖିରୁ । ମନ କରିଲା, ଭଗବାନ ! ନିଷ୍ଠୁର ସେ ଭଗବାନ । ବାପାଙ୍କୁ ମୋର ନେଇ ଯାଇଛନ୍ତି । ଡହଳ ବିକଳ, ଛଟପଟ, ଦହଗଞ୍ଜ କରି ଆମର ହଟ ସେ ଦେଖୁଛନ୍ତି ।

 

ଦୟାମୟ ସେ ?

 

(୩୨)

 

ଆହୁରି କେତେ ଦିନ ବିତିଗଲା । ଅଭାବରେ ପଡ଼ି ଘରର ଯାବତୀୟ ଚଳନ୍ତି ପଦାର୍ଥ ପନ୍ଧା ପକାଇ କଷ୍ଟେ ମଷ୍ଟେ ବେଳ କାଟିଲୁଁ । ଏହିପରି ଆଉ କେତେଦିନ ଚଳିବ ? ବସି ଖାଇଲେ ନଈବାଲି ସରେ । ରୋଜଗାର କରି ଘରକୁ ଚାରିପଇସା ଆଣିବାକୁ କେହି ନାହିଁ । କାହା ଉପରେ ଆଶା ରଖି ଭବିଷ୍ୟତ ପାଇଁ ନିଶ୍ଚିନ୍ତ ରହନ୍ତୁ ? ଭବିଷ୍ୟତ କଥା ଭାବି ବା ଲାଭ କଅଣ ? ଯେତିକି ଆଗକୁ ଚାହେଁ, ସେତିକି ହତାଶିଆ ଲାଗେ ।

ରାଧା ଯଥାସାଧ୍ୟ ଆମକୁ ସାହାଯ୍ୟ କରେ । ଦୁଃଖୀ ସେ, ଦୁଃଖୀର ଦୁଃଖ ବୁଝେ । ମନ ଥିଲେ ବି ତା ପାଖରେ ଧନ ନାହିଁ । ସାହାଯ୍ୟ କରିବ କିପରି ? ଦେହ ପରିଶ୍ରମ କରିବା ଦ୍ୱାରା ଯାହା ହୁଏ ସେତିକି ।

ଗୋଟାଏ ଦୁର୍ନାମ ମୋ ନାମରେ ରଟି ଯାଇଛି ଗାଁ ସାରା । ଯେଉଁ ଘଟଣାଟି ସେଦିନ ଘଟିଗଲା ତାଆରି ଫଳରୁ ବିମଳା ଭାଇଙ୍କ ସ୍ତ୍ରୀ ମୋ ନାମରେ ଦୁର୍ନାମ ରଟାଇଲେ । ଯେଉଁ ବାହାଘର ପ୍ରସ୍ତାବ ନେଇ ଆସିଥିଲେ ତାକୁ ସେ ନିଜେ ଭାଙ୍ଗି ଦେଲେ ।

ରାଧା କହୁଥିଲା ବୋଉକୁ, ଶୁଣିଲଣି ବିମଳା ଭାରିଯାର ବହପ, ଗୀତା ଆଉ ଦାମ ନାମରେ ଯେଉଁ କଥାମାନ ଉଠାଇଛି ଶୁଣିଲେ କାନରେ ହାତ ଦେବ ।

ରାଧା କହେ, ବୋଉ ଶୁଣେ, ଆଖିରୁ ଲୁହ ପୋଛେ ।

କଥାଟାକୁ ସେତେ ଗୁରୁତର ବୋଲି ଭାବି ନ ଥିଲି । କେଇଟା ଘଟଣାରୁ ପରେ ମୁଁ ବୁଝି ପାରିଲି । ମିଛ ଅପବାଦ ଲୋକଙ୍କ ମନ ଉପରେ କି ପ୍ରଭାବ ପକାଏ ତାହା ମୁଁ ନିଜେ ଅନୁଭବ କଲି-

ଦାମଭାଇଙ୍କ ପୁଅର ଏକୋଇଶା ।

ଗାଁ ଯାକରଲୋକେ ନିମନ୍ତ୍ରିତ ହୋଇଛନ୍ତି । ମହନି ଜେଠା ଆନନ୍ଦରେ ଶହ ଶହ ଟଙ୍କା ଖରଚ କରୁଛନ୍ତି । କିଏ ଜଣେ ଆସି ଆମକୁ ନିମନ୍ତ୍ରଣ କରିଗଲା । ବୋଉର ଭାଳେଣି ପଡ଼ିଲା । ଦାମର ପୁଅ, ଗାଁ ମାଇପେ କେତେ ଆସିବେ, ଯାହାକୁ ଯାହା ମିଳିବ ଫଳେ ପୁଷ୍ପେ ଉପହାର ଦେଇ ପୁଅକୁ ଦେଖିବେ । ଆମର ଘରେ ଖାଇବାକୁ ନାହିଁ । କଅଣ କରିବା ?

ବୋଉ କହିଲା, ନ ଯିବା ଭଲ ।

ମୁଁ କହିଲି, ବୋଉ, ନ ଗଲେ ଭଲ ହେବ ନାହିଁ । ଦାମଭାଇଙ୍କ ମନରେ କଷ୍ଟ ହେବ । ପୁଣି ଜାଣି ଜାଣି କାହିଁକି ଗାଁ ଲୋକଙ୍କ ପାଖରୁ ଅଲଗା ରହିବା କହିଲୁ ? ଲୋକେ କଅଣ କହିବେ-? ତୁ ରାଧା ପାଖକୁ ଯା ।

ବୋଉ କହିଲା, ଅତି ଅଳପରେ ଦିଓଟି ଟଙ୍କା ନ ହେଲେ ଚଳିବ ନାହିଁ । ଘରେ କଅଣ ଅଛି ଯେ ବନ୍ଧା ଦେଇ କି ବିକ୍ରିକରି ଟଙ୍କା ଆଣିବି ?

 

କହିଲି, ଅଛି ବୋଉ, ଯେତେ ଦିନଯାଏ ଗାଁ ଠାରେ ଘର କରି ରହିଥାଇଁ, ନିଜର ମାନ ମହତ ରଖି ଚଳିବାକୁ ଚେଷ୍ଟା କରିବା । ଶେଷକୁ ଆଭାବରେ ପଡ଼ି ଯଦି ଦାଣ୍ଡରେ ଠିଆ ହେବାକୁ ପଡ଼େ, ସେତେବେଳେ ଯାହା ଭଲ ଦିଶିବ କରିବା । ଆଜହୁଁ ସେ କଥା ଭାବିବା ନାହିଁ ।

ଶହତ ବାବୁଙ୍କ ସ୍ତ୍ରୀ କଟକରେ ମୋତେ ଯେଉଁ ଦୁଲ୍ ଦିଓଟି ଦେଇଥିଲେ ତାକୁ କାନରୁ କାଢ଼ିବୋଉକୁ ଦେଲି । ଅନିଚ୍ଛାରେ ବୋଉ ସେତକ ନେଇ ରାଧା ଘରକୁ ଗଲା । ମୁଁ ଦାଣ୍ଡ କବାଟ ବନ୍ଦ କରି ଘରେ ଏକୁଟିଆ ରହିଲି ।

ଖରାବେଳ ।

ନଈକୂଳିଆଚଇତି ପବନରେ ଘରର ମଥାନ ଦୋହଲି ଉଠୁଥାଏ, ଠିକ୍ ଯେପରି ମୋ ଛାତିର କୋହ । ଖାଲି ଉପରକୁ ଚାହିଁ ମୁଁ ଘର ଭିତରେ ଶୋଇ ଥାଏ । ଅନ୍ଧାର ଭବିଷ୍ୟତ ଲମ୍ବି ଯାଇଥାଏ ମନ ଆଗରେ ସମ୍ବାଦ ପରି, କୂଳ କିନାରା କିଛି ଦିଶୁନାହିଁ । ବାରଚାଉଳିଆ ଭାବନା ମନକୁ ଆସ୍ଥିର କରୁଥାଏ ।

ଦାଣ୍ଡ କବାଟ କିଏ ଖୁଡ଼ୁଖୁଡ଼ୁ କଲା । ଚମକି ଉଠିଲି । ବୋଉ ଯିବାର ଦଶ ପନ୍ଦର ମିନିଟ୍ ହୋଇନାହିଁ । କିଏ ଆସିଲା ? ଯିଏ ହୋଇଥାଉ ଆଗ ନ ଦେଖିଲେ କବାଟ ଖୋଲିବି ନାହିଁ-। ଦିନକର ଅସାବଧାନତା ପାଇଁ ଯେତେ କାଣ୍ଡ ଘଟିଯାଇଛି ମନରେ ସେ ସବୁ ଆଜି ବି ଜାଗି ରହିଛି ।

 

କବାଟ ପାଖକୁ ଯାଇଁ ଫାଙ୍କବାଟେ ପଦାକୁ ଚାହିଁଲି । ଦେଖିଲି ଦାଣ୍ଡରେ ରଙ୍ଗିଆ ଠିଆ ହୋଇଛି । ରଙ୍ଗିଆ ଦାଶ ବାରବର୍ଷର ଭଣ୍ଡାରି ପିଲାଟିଏ । କବାଟ ଖୋଲିଲି । ଖଣ୍ଡେ ଚିଠି ଦେଇ କହିଲା ନିଅ ।

ମୁଁ କବାଟ ବନ୍ଦ କଲି ।

ଘର ଭିତରକୁ ଆସି ଚିଠି ଖୋଲିଲି । ଶରତ୍‌ବାବୁଙ୍କ ସ୍ତ୍ରୀ ଲେଖିଛନ୍ତି । ଖଣ୍ଡିଏ ମୋ ପାଖକୁ, ଆରଖଣ୍ଡି ବୋଉ ପାଖକୁ । ଖୁସି ଲାଗିଲା । ଯାହା ହେଉ, ମାଉସୀ ମୋ ଚିଠିଖଣ୍ଡି ନିଶ୍ଚୟ ପାଇଛନ୍ତି ।

ପଢ଼ିଲି । ବେଶୀ କିଛି ଲେଖା ନାହିଁ । ବୋଉ କାନ୍ଦୁଛି ଶୁଣି ସେ ବଡ଼ ବ୍ୟସ୍ତ ହୋଇଛନ୍ତି । କିପରି ବୋଉର ସେବା କରିବାକୁ ହେବ ସେ ସମ୍ବନ୍ଧରେ ମୋତେ ଉପଦେଶ ଦେଇଛନ୍ତି । ଟିକିଏ ସୁବିଧା ହେଲେ ସେ ଥରେ ଆମ ଗାଁକୁ ଆମକୁ ଦେଖିବାକୁ ଆସିବେ ବୋଲି ଇଚ୍ଛା କରିଛନ୍ତି ।

ବୋଉ ପାଖକୁ ଯେଉଁ ଚିଠିଖଣ୍ଡି ଲେଖା ହୋଇଛି ସେଇଠି ଟିକିଏ ବଡ଼ । ଅନେକ ବୁଝାଇ ସୁଝାଇ ଲେଖିଛନ୍ତି । କଅଣ ଲେଖିଥିଲେ ସବୁ ମୋର ମନେ ନାହିଁ । ଯେଉଁ କେତେ ଧାଡ଼ିପଢ଼ିମୋର ଛାତିରେ ଚମକ ଲାଗିଥିଲା ସେତିକି ଆଜିଯାଏ ଭୁଲି ପାରି ନାହିଁ ।

ସେ ଲେଖିଥିଲେ, – ମୋବଡ଼ପୁଅ ଦେବ ବିଷୟରେ ଗୀତାର ବାହାଘର କରିବାକୁ ମୁଁ ପ୍ରସ୍ତାବ ପକାନ୍ତି, ହେଲେ ସାହସ ହେଉ ନାହିଁ । କାଳେ ତମେ କଅଣ ଭାବିବ । ଦେବଟି ଭଲ ପିଲା-। ପାଠସାଠ ସିନା ହେଲା ନାହିଁ, ସ୍ୱଭାବ ଚରିତ୍ର ଭଲ । କଟକର ଗୋଟିଏ ମନୋହରୀ ଦୋକାନରେ ବିକ୍ରୀବଟା କରିବାକୁ ତା ବାପ ଦଶ ପନ୍ଦର ଦିନ ହେବ ରଖାଇ ଦେଇଛନ୍ତି । ନିହତ ଜଗି କାମ କଲେ ଭବିଷ୍ୟତରେ ଉନ୍ନତି ହେବ । ଗୀତାକୁ ଯଦି ମୁଁ ପାଆନ୍ତି, କୋଳରୁ ତାକୁ ତଳକୁ ଓହ୍ଲାଇ ଦିଅନ୍ତି ନାହିଁ । ତମର ଇଚ୍ଛା କଅଣ ମୋତେ ଲେଖି ଜଣାଇବ ।

ଚିଠିଖଣ୍ଡି ପଢ଼ି ଆମୋଦ ଅନୁଭବ କଲି । କହୁ କହୁ ମାଉସୀ କଟକରେ କହି ପକାଇଥିଲେ, ତିନି ତିନିଟା ବାଳୁଙ୍ଗା ପୁଅ ଜନ୍ମ କରିଛନ୍ତି । ବାଳୁଙ୍ଗା ! ଆଜି ବାହାଘର ପ୍ରସ୍ତାବ ପଡ଼ିବାରୁ ବାଳୁଙ୍ଗା ପିଲାଟିର ସ୍ୱଭାବ ଚରିତ୍ର ଭଲ ହୋଇଗଲା । ହସ ମାଡ଼ିଲା । ତଥାପି ଆମ ଉପରେ ତାଙ୍କର ଦୟା ଅଳ୍ପ ନୁହେଁ । ଯାହା ମନକୁ ଆସେ, ସେ ତ ଭାବିଛନ୍ତି ଭଲ ହେବ ।

ଭାବିଲି, କ୍ଷତି କଅଣ ? ମରଦ ପୁଅର ଭାଗ୍ୟ ପତର ତଳେ । ଠାକୁରେ କଲେ ସେହି ଦିନେ ସଂସାରରେ ବଡ଼ହୋଇ ଉଠିବେ । ଭଲ ପାଇବାକୁ ଇଚ୍ଛାକଲେ ମଣିଷ ସମସ୍ତଙ୍କୁ ଭଲ ପାଇପାରେ । ତେବେ ତାହାହିଁ ହେଉ । ଅନ୍ତତଃ ବୋଉର ଦୁଃଖ ଚିନ୍ତା ଘୁଞ୍ଚିଯିବ । ମୋ ପାଇଁ ତାକୁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ । ମୋର ଭବିଷ୍ୟତ କଥା ଭାବି ରାତି ରାତି ଅନିଦ୍ରା ରହିବାକୁ ପଡ଼ିବ ନାହିଁ ।

ମୋତେ ବି କୌଣସି ବିଷୟରେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ମୋ ପାଇଁ ଭାବିବେ ଅନ୍ୟମାନେ । ଶରତ୍‌ବାବୁଙ୍କ ପରି ଶଶୁର ଆଉ ତାଙ୍କ ସ୍ତ୍ରୀଙ୍କ ପରି ଶାଶୁ ପାଇ ମୁଁ ନିଜକୁ ଭାଗ୍ୟବତୀ ମଣିବି । ସ୍ୱାମୀ ଅଧା ପାଠୁଆ, କିନ୍ତୁ ସ୍ୱଭାବ ଚରିତ୍ର ତ ତାଙ୍କର ଭଲ ।

ବାଳୁଙ୍ଗା !

ଛି ! କେବଳ ଶାଶୁ ଶଶୁର, ନଣନ୍ଦ ଦିଅରଙ୍କୁ ନେଇ ରହିବାକୁ ଝିଅ ବାହା ହୁଏନାହିଁ । ଝିଅ ଚାହେଁ ସ୍ୱାମୀ !

ବିଧୁବାବୁଙ୍କ ପୁଅ ପ୍ରବୋଧବାବୁଙ୍କ ସମ୍ୱନ୍ଧରେ କିଛି ଲେଖା ନାହିଁ । ବାପାଙ୍କର ଶେଷ ଇଚ୍ଛା ସେ ଶରତ୍‌ବାବୁଙ୍କୁ କହି ନ ଥିଲେ ପରା ।

ଚିଠି ପଢ଼ିଲେ ବୋଉ ମିଛଟାରେ ଏଣୁ ତେଣୁ ଭାବିବ । କାଳେ ମାଉସୀଙ୍କ ପ୍ରସ୍ତାବରେ ହଁ ଭରିବ, ସେହି ଡରରେ ମୁଁ ତା ଚିଠି ଖଣ୍ଡି ଟିକି ଟିକି କରି ଚିରି ଖତକୁଢ଼ ଗଦାରେ ପକାଇ ଦେଇ ଆସିଲି । ଭାଗ୍ୟରେ ଯାହା ଥିବ ତ ହେବ, ଜାଣି ଜାଣି ମଣିଷ ଅଜଣା ପାଣି ଭିତରକୁ ଡେଇଁବ କାହିଁକି ?

ମନରେ ଖିଆଲ ଆସିଲା, ସେମିତି ଯଦି ଖଣ୍ଡେ ଚିଠି ମୁଁ ପ୍ରବୋଧ ବାବୁଙ୍କ ପାଖକୁ ଲେଖେଁ ତ କ୍ଷତି କଅଣ ? ସେ ଶିକ୍ଷିତ, ସେ ବୁଦ୍ଧିମାନ୍, ନିଶ୍ଚୟ ଆମର ଦୁଃଖ ବୁଝିବେ । ଛି, କଅଣ ଭାବୁଛି ? କାଳେ ସେ ଆଉ କଅଣ ମନେ କରିବେ ? କାଳେ ଭାବିବେ, ଗାଁ ଝିଅ ହୋଇ ଏଡ଼େ ସାହସରେ ଯିଏ ଅପରିଚିତ ଲୋକ ପାଖକୁ ଚିଠି ଦେଇପାରେ ସେ କେବେ ଭଲ ଝିଅ ହୋଇ ପାରେନା । ମିଛରେ ନାମ ପଡ଼ିବ ।

ବୋଉ ଫେରିଲା ।

ରାଧା ନିଜେ ଦୁଇଟଙ୍କା ଧାର ଦେଇ ମୋଦୁଲ ଫେରାଇ ଦେଇଥିଲା । ବୋଉ କହିଲା, ଗୀତା ଲୋ, ରାଧା କହିଲା ମୋ ପାଖେ ଦୁଇଟଙ୍କା ଅଛି ନିଅ । ଏବେ ଗରଜ ଚଳିଯାଉ, ପରେ ଦେଖାଯିବ ।

ଚିଠି ବିଷୟରେ ବୋଉକୁ କିଛି କହିଲି ନାହିଁ ।

 

(୩୩)

 

ସଞ୍ଜବେଳେ ଆମେ ଦିହେଁ ମହନ ଜେଠାଙ୍କ ଘରକୁ ଗଲୁ । ଆମେ ପହଞ୍ଚିଲା ବେଳକୁ ଗାଁ ମାଇପେ ତାଙ୍କ ଘରେ ରୁଣ୍ଡ ହୋଇ ସାରିଥିଲେ । ବୋଉ ଆଗ ଦାମଭାଇଙ୍କ ପୁଅକୁ ଦୁଇଟଙ୍କା ଦେଇ ଦେଖିଲା । ସମସ୍ତେ ତା ଆଡ଼କୁ ଅନାଇଲେ । କିଏ ଜଣେ ତୁନି ତୁନି କରି ମୋ ପଛଆଡ଼େ କହିଲା, ନଈପାଣି ନଈକି ଯାଉ, ମୋ ଲୁଗାଟି ଶୁଖିଯାଉ ।

 

ଜଣେ ଦି ଜଣ ହସି ଉଠିଲେ । କଥାର ଅର୍ଥ ମୁଁ ସହଜରେ ବୁଝି ପାରିଲି ନାହିଁ । ପିଲାଏ ଯେତେବେଳେ ଗାଧୋଇ ସାରି ଓଦା ଲୁଗାକୁ ମାଳ ମାଳ କରି ବାନ୍ଧି ଲୁଗା ଶୁଖାଇ ନଈରୁ ଫେରନ୍ତି, ମନ ଆନନ୍ଦରେ ଲୁଗା ହଲାଇ ଏହି କଥା ସେମାନେ କହିଥାନ୍ତି ।

 

ବୋଉ ତାର ସମବୟସୀ ମାନଙ୍କ ସଙ୍ଗରେ ଅନ୍ୟ ଘରକୁ ଚାଲିଗଲା । ମୁଁ ଦାମଭାଇଙ୍କ ସ୍ତ୍ରୀ ଥିବା ଘରେ ରହିଲି । ପିଲାଟିକୁ ଟଣାଟଣି କରି ଯିଏ ଇଚ୍ଛା ସିଏ ନେଉଥାନ୍ତି । କେତେ ଗେଲ କରୁଥାନ୍ତି । ମୁଁ ବସିଥାଏ ତୁନି ହୋଇ । ପିଲାକୁ ଧରିବାକୁ ଆଗ୍ରହ ହେଉଥାଏ କିନ୍ତୁ ବହୁଦିନ ତଳର ଗୋଟିଏ ଘଟଣା ମନେ ପଡ଼ିଗଲେ ହାତ ଚଳେ ନାହିଁ ।

 

ମନେ ମନେ ଖୋଜୁଥାଏ ରେଣୁକୁ । ଏତେ ଝିଅ ବୋହୂ ଆସିଛନ୍ତି । ଉପରେ ପଡ଼ି କାହାରି ସଙ୍ଗେ କଥା କହିବାକୁ କିପରି ସଂକୋଚ ଲାଗୁଥାଏ । କାଳେ କିଏ କଅଣ କହିବ ?

 

 

ଲେଖାରେ ଭାଉଜ ହେବ ଜଣେ, ମୋ ଓଠରେ ହାତ ଦେଇ ମୁହଁକୁ ହଠାତ୍ ଟେକି ଦେଲେ । କହିଲେ, ଦେଖମ, ଚନ୍ଦ୍ରଉଦିଆ ମୁହଁ, ସତେ କି ପୂନେଇ ଜହ୍ନ ଗୋ । ମୁଁ ଯଦି ମିଣିପ ହୋଇଥାନ୍ତି...... ।

 

ହସି ହସି ମୁହଁ ନୋଇଁଲି । ତାଙ୍କ ପାଟିରୁ କଥା ଛଡ଼ାଇ ନେଇ ଆଉ ଜଣେ କହିଲେ, ମିଣିପ ହୋଇଥିଲେ କଅଣ କରିଥାନ୍ତୁ ବଉଳ ? ଚାନ୍ଦମୁହଁରେ କାଳି ବୋଳି ଦିଅନ୍ତୁ ?

 

ଉତ୍ତର ପାଇଲେ, କାଳି ତ ଧୋଇ ଦେଲେ ଛାଡ଼ିଯିବ । ଚାନ୍ଦ ମୁହଁରେ ଠେକୁଆ ଦାଗ ଆଙ୍କି ଦିଅନ୍ତି, ଯେମିତି ଲିଭନ୍ତା ନାହିଁ । ଯିଏ ଦେଖନ୍ତା କହନ୍ତା ଦାଗୀଟାଏ ।

 

କିଛି କହିଲି ନାହିଁ । ଭାବିଲି, ଯିଏ ଯାହା କହୁ ହସିଦେଲେ ଚଳିବ । ମୁହଁ ଖୋଲିଲେ ସମସ୍ତେ ଘେରି ଯାଇ କାଉ କାଉ କରି ଖାଇଯିବେ ।

 

ତୁନି ହୋଇ ରହିଲେ ବି ନିଷ୍କୃତି ମିଳିଲା ନାହିଁ । କିଏ ଜଣେ କହିଲା, ସେହି ମୁହଁ ଦେଖି ଦାମାଟା ଦିନାକେତେ ପାଗଳ ହୋଇଥିଲା । ବେକରେ ଜୁଆଳି ପଡ଼ିଲେ ବି ବେଳେ ବେଳେ ଓଲେଇ ବଳଦ ପରି କଅଣ ମୁହଁ ନ ବଢ଼ାଉଛି ?

 

ସମସ୍ତେ ହସି ଉଠିଲେ ।

 

 

ନିରୀହ ଶିଶୁଟି ପରି ମୁଁ ଥରେ ସମସ୍ତଙ୍କ ମୁହଁକୁ ଚାହିଁଲି, ସମସ୍ତେ ଯେପରି କୌତୁହଳରେ ମୋଓରିଆଡ଼କୁ ଚାହିଁଛନ୍ତି । ଏକା ଦାମଭାଇଙ୍କ ସ୍ତ୍ରୀ, ଗମ୍ଭୀର ହୋଇ ତଳକୁ ଚାହିଁଛନ୍ତି, କଅଣ ଭାବୁଛନ୍ତି ।

 

ସହିବାର ସୀମା ପାରି ହୋଇ ଆସିଛି । ଦୁର୍ନାମ ତ ଲୋକେ କରୁଛନ୍ତି କରିବେ । ସେଥିକି ଡରି ମୁହଁ ବନ୍ଦ କରି ଅନ୍ୟମାନଙ୍କୁ ମଉଜ କରିବାକୁ ମୁଁ ସୁଯୋଗ ଦେବି ନାହିଁ । ଯିଏ ଯାହା କହୁ, ଯିଏ ଯାହା ଭାବୁ ଏଥର ମୁହେଁ ମୁହେଁ ଜବାବ ଦେବି ।

 

କିନ୍ତୁ, ଆଉ କେହି କିଛି କହିଲେ ନାହିଁ ।

ବଡ଼ମା ଆସି ଖାଇବାକୁ ଡାକିଗଲେ ।

 

ଘରେ ଯେତେ ମାଇପେ ଥିଲେ ସମସ୍ତେ ଖିଦ୍‌ଖାଦ୍ ହୋଇ ଉଠିଗଲେ ପଦାକୁ । ଦାମଭାଇଙ୍କ ସ୍ତ୍ରୀ ପିଲାଟିକୁ କୋଳରେ ଧରି ବସିଥିଲେ । ମୁଁ ତାଙ୍କର ପାଖରେ ରହିଲି ।

 

ମୋତେ କହିଲେ, ତୁମେ ଗଲ ନାହିଁ ଯେ, ଖାଇବ ନାହିଁ କି ?

ଉତ୍ତର ଦେଲି, ଯିବି ନୂଆବୋହୂ, ତମରି ସାଙ୍ଗରେ ।

 

ତାଙ୍କର ଦୁର୍ବଳ ମୁହଁରେ ହସ ଖେଳିଗଲା । କହିଲେ, ମୋ ସଙ୍ଗରେ କାହିଁକି ଯିବ ? ମୋତେ ଆଜି ଖାଇବାକୁ ମନା । ତୁମେ ଯାଅ ।

 

କହିଲି, ମୁଁ ପରେ ଖାଇବି । ନିରୋଳାରେ ତୁମ ପାଖରେ ବସି ଦି ଚାରିପଦ କଥାଭାଷା ହେବାକୁ ରହିଲି । ଆମେ ଗରିବ ବୋଲି ତୁମେ ତ ଦିନେ କେବେ ପଚାର ନାହିଁ ।

 

ସେ କହି ଉଠିଲେ, ମୋର ପଚାରିବାର ନ ପଚାରିବାରେ କଅଣ ଥାଏ ଗୀତା, ଯାହାଙ୍କର ପଚାରିବାର କଥା ସେ ତ ପଚାରୁଛନ୍ତି ।

 

କହିଲି, ଭାଉଜବୋଉ, ଦାମଭାଇଙ୍କ କଥା କହୁଛ ? ସତରେ, ସେ ପିଲାଦିନ ମତେ ଭଲ ପାନ୍ତି । ଆଗେ ବେଳେ ବେଳେ ଯାଉଥିଲେ, ଆମର ଭଲମନ୍ଦ କଥା ବୁଝୁଥିଲେ । ତମେ ଆସି କି ମନ୍ତର କଲ ଯେ ଆଜିକାଲି ତାଙ୍କର ଗୋଡ଼ ଆମ ଦୁଆରେ ପଡ଼େ ନାହିଁ ।

 

କେଡ଼େ ନିରୀହ ଭାବରେ କହିଦେଲି ସିନା, ତାଙ୍କ ମନରେ କି ଧାରଣା ହେଲା କେଜାଣି, ସେ ମୋ ମୁହଁକୁ ଚାହିଁଲେ । ଆଖିରେ ରାଗ ଓ ଘୃଣା ଫୁଟି ଉଠିଲା । ମୋ ଛାତିରେ ଚମକ ଲାଗିଲା । ହସ ମିଳାଇଲା ।

 

କହିଲେ, ମନ୍ତର ଯନ୍ତର ଆମକୁ କରିଆସେ ନାହିଁ ଗୋ । ତୁମେ ସିନା ସେସବୁ ଜାଣ । ଭଲରେ ମନ୍ଦରେ ସବୁବେଳେ ଖାଲି ତୁମରି ନାମ, ମୁଁ ତାଙ୍କ ତୁଣ୍ଡରେ ଶୁଣେ । କଥା କଥାକରେ ତମରି ରୂପ ଗୁଣର ଉପଲକ୍ଷ ଦେଇ ମୋତେ ସେ କହନ୍ତି, ମୋ ଉପରେ ବିରକ୍ତ ହୁଅନ୍ତି, ଛିଗୁଲାଇ କହନ୍ତି । ମୁଁ କହିଲି, ଯଦି ଗୀତା ତୁମ ଆଖିରେ ଏଡ଼େ ସୁନ୍ଦର, ବଡ଼ ଦିଶେ ତେବେ ପର ଝିଅର ହାତ ଧରି ଘରକୁ ଆଣି ଦହଗଞ୍ଜ କରୁଛ କାହିଁକି ? ସେହି ଗୀତାକୁ ବାହାହୋଇ ରହିଲ ନାହିଁ ?

 

ମୁଁ କହିଲି, ଭାଉଜବୋଉ, ଦାମଭାଇ ମୋତେ ପ୍ରଶଂସା କରନ୍ତି, ସେଥିପାଇଁ ତୁମେ ଏତେ ବିରକ୍ତ ହୁଅ କାହିଁକି ? ଏଇ କଥା ଯଦି ଆଗରୁ କହିଥାନ୍ତ, ମୁଁ ତ ତାଙ୍କୁ ମୋଟେ କଥା କହନ୍ତି ନାହିଁ । ତୁମର ଏଇ ଅଶାନ୍ତିର ଫଳ କଅଣ ହୋଇଛି ଜାଣ ? ଦାଣ୍ଡରେ ହାଟରେ ମୋ ନାମରେ ମିଛରେ ଦୁର୍ନାମ ରଟିଛି ।

 

କହିଲେ, ମିଛ ହେଉ, ସତ ହେଉ, ତୁମରି ଦୁର୍ନାମ ଆସି ମୋ କାନରେ ବାଜିଲା । ଲୋକେ ବାରକଥା କହିଲେ । ଆଉ କାହାର ନାମରେ ହୋଇଥିଲେ ମୁଁ କାନ ଦେଇ ନ ଥାନ୍ତି । ୟାଙ୍କରି ନାମରେ ... । ଗୀତା, ଏ ଗାଁରେ ଗୋଡ଼ଦେଲାଦିନୁ ତମରି ନାମରେ କେତେ ଦୁର୍ନାମ ଶୁଣିଛି, ମନେ ମନେ କେତେ ରାଗିଛି, ତୁମକୁ କେତେ ଘୃଣା କରିଛି ।

 

ଆଖିରେ ଲୁହ ଢଳ ଢଳ ହେଲା । କରୁଣ ସ୍ୱରରେ ପଚାରିଲି, ଭାଉଜ – ବୋଉ, ଲୋକଙ୍କ ତୁଣ୍ଡର କଥା ଶୁଣି ତମେ ସତ ମଣିଲ ?

 

ସେ ପୁଣି ହସିଲେ । କହିଲେ, କାହିଁକି ଉପରେ ପଡ଼ି ଖୋଳେଇ ଖୋଳେଇ କଥା କାଢ଼ୁଛ ? ଭଲେଇ ହୋଇ ନିଜକୁ ସତୀ ସାବିତ୍ରୀ ପ୍ରମାଣ କରିବାକୁ ? ନିଆଁ ନ ଥିଲେ ଲୋକେ ଧୂଆଁ ଦେଖନ୍ତେ କେଉଁଠୁ ? ତା ଛଡ଼ା, ଲୋକେ ବି ଆଖିରେ ଦେଖିଛନ୍ତି–

 

ଚମକି ଉଠିଲି । ଲୁହପୋଛି କହିଲି, ଆଖିରେ ଦେଖିଛନ୍ତି ? କଅଣ ଆଖିରେ ଦେଖିଛନ୍ତି-? କିଏ ଏଡ଼େ ସାହସରେ କହିଲା ? ଭାଉଜବୋଉ, ବିମଳା ଭାଇର ସ୍ତ୍ରୀ ବିନା କାରଣରେ ମୋର ଶତ୍ରୁ । ସେହି ମୋର ଦୁର୍ନାମ ରଟାଇଛନ୍ତି । ଦୁନିଆରେ ସମସ୍ତେ ପଛେ ବିଶ୍ୱାସ କରନ୍ତୁ, ତୁମେ କେବେ ବିଶ୍ୱାସ କର ନାହିଁ । ଶୁଣିବ ସେ ଦିନର ଘଟଣାଟି ?

 

କହିଲି ।

ସେ ମନଦେଇ ଶୁଣିଲେ । ପଚାରିଲେ, କିନ୍ତୁ ମୁଁ ତ ଆଉ କେତେ କଥା ଶୁଣିଥିଲି ।

 

କହିଲି, ଆଉ ଯାହା ଶୁଣିଥିଲ ସବୁ ମିଛ । ତମେ ଦାମଭାଇଙ୍କୁ ପଚାର । ସେ ଭଗବାନଙ୍କର ଶପଥ ଦେଇ କହନ୍ତୁ । ଭାଉଜବୋଉ, ମୋ କଥାରେ ତମେ ବିଶ୍ୱାସ ନ କରିପାର, କିନ୍ତୁ .....

 

କହିଲେ, କିନ୍ତୁ ତାଙ୍କ କଥାରେ ? ଏତେ ଅରୁଚା ପରୁଚା କାହିଁକି ହେବ ? ଏତେ ଲୋକ ଥାଉଁଣୁ ତୁମେ ଆସି ମୋ ଆଗରେ ଭଲେଇ ହେଉଛ । ମୁଁ ତ ତୁମକୁ କିଛି ପଚାରୁ ନାହିଁ ? ବୁଝି ପାରୁନା, ତୁମେ ଭଲ ହୁଅ, ଖରାପ ହୁଅ, ତୁମ ଭଲ ତୁମ ଖରାପ ତୁମଠିଁ । ଯିଏ ମୋର ହାତ ଧରି ଆଣିଛନ୍ତି ସେ ଯଦି ତୁମ ଘରକୁ ନିତି ଦଉଡ଼ନ୍ତି, ତୁମେ ଯଦି ନିର୍ଲ୍ଲଜୀ ପରି ତାଙ୍କ ସଙ୍ଗେ ଧରାପରା ଥଟ୍ଟା ତାମସା ଲଗାଅ, ନିଜକୁ ସାକ୍ଷୀ କରି ଯେତେ କହିଲେ ତମର ଭଲ ପଣିଆଁ କେହି ବିଶ୍ୱାସ କରିବେ ? ଥଟ୍ଟା ତାମସା ଲଗାଇବାକୁ ଏ ଗାଁରେ କଅଣ ଆଉ କେହି ଅଭିଆଡ଼ାଟୋକା ନାହାନ୍ତି ?

 

ଲାଜରେ ମୋର ମୁହଁ ଜଳିଗଲା । ଦୁଇ ହାତରେ ଆଖି ଘୋରାଇ ଭାବିଲି, ଛି, ଯାହାର ହୃଦୟ ନାହିଁ, ଯିଏ ନିଜର ସ୍ୱାମୀଙ୍କୁ ବି ଅବିଶ୍ୱାସ କରନ୍ତି, ତାଙ୍କର ଜୀବନ ଚିରଦିନ ଅଶାନ୍ତିରେ କଟିବ । ଦୁନିଆରେ କାହାଠିଁ ତାଙ୍କର ପତିଆରା ନାହିଁ । ଜୀବନର ସବୁ ଦୁଃଖ, ମନର ସବୁ ଭାବନା, ତାଙ୍କରି ଆଗରେ ହୃଦୟ ଖୋଲି କହିବି ଭାବିଥିଲି, କିଛି ଲୁଚାଇବି ନାହିଁ, କିନ୍ତୁ ମଣିଷର ଦୁଃଖ ବୁଝିବା ପାଇଁ ଯାହାର ହୃଦୟ ନାହିଁ ସେପରି ପଥର ଆଗରେ ମନ ଖୋଲିବା ଦରକାର ନାହିଁ-

 

ଏପରି କେତେ କଅଣ ଭାବିଲି । କିଏ ଜଣେ ପଛରୁ ଆସି ମୋର ଦୁଇଆଖି ବୁଜି ଧରିଲା । ଧୀରେ ଧୀରେ ତାଆର ହାତ ଖୋଲିଲା । ଚାହିଁଲି, ରେଣୁ ।

 

ଦାମଭାଇଙ୍କ ସ୍ତ୍ରୀ ମୋ ପାଖରେ ବସିଥିଲେ, କୁଆଡ଼େ ଉଠିଗଲେ ।

 

(୩୪)

 

ରେଣୁ ମୋତେ କୁଣ୍ଢାଇ ଧରି କହିଲ, ଗୀତାଅପା, ତୁ ଆସି ଏଠି ବସିଚୁ, ମୁଁ ତୋତେ ତିନି ଖଞ୍ଜା ଖୋଜି ଆସିଲିଣି । ଏଁ, ତୋ ଆଖିରେ ଲୁହ ଯେ ।

 

ତା ପାଟିରେ ହାତଦେଇ କହିଲି, ଚୁପ୍ ଚୁପ୍, ଲୁହ ନୁହେଁ ପାଣି ।

 

ଆଖି ପୋଛିଲି । ସେ ଆଣ୍ଠେଇ ପଡ଼ି ତୁନି ତୁନି ପଚାରିଲା, କହ ଅପା, କାହିଁକି କାନ୍ଦୁଛ ? ଦାମଭାଇ ସ୍ତ୍ରୀ ତୋ ପାଖେ ବସିଥିଲେ, ସେ କଅଣ ତୋତେ କହିଲେ-?

 

ମୁଁ ତା ଓଠରେ ହାତ ଦେଇ ହସି ହସି କହିଲି, ନାଇଁ ଲୋ, କେହି ମୋତେ କିଛି କହିନାହିଁ । ମୋ ମୁଣ୍ଡ ବଥାଉଛି । ଜୀବନର କେତେ ଅକୁହା ଦୁଃଖ ପାଣି ହୋଇ ଆଖିରୁ ନିଗିଡ଼ି ପଡ଼ୁଛି ।

 

ମୋ କଥା ମୋ ତୁଣ୍ଡରେ ଅଛି,ରେଣୁବୋଉ ଖୁଡ଼ୀ ଘର ଭିତରକୁ ମୁହଁ ଗଳାଇ କଠୋର କଣ୍ଠରେ ଡାକିଲେ, ରେଣୁ, ରେଣୁ–

 

ରେଣୁ ଉତ୍ତର ଦେଲା, କଅଣ ବୋଉ ।

ସେ କହିଲେ, କିଲୋ, ଗୀତା କଅଣ ତୋର ସାଙ୍ଗ ସରିସା ? ଆସୁନୁ ଏଣେ ।

ରେଣୁ ଉଠିଗଲା ।

 

ମୁଁ କାବା ହୋଇ ଚାହିଁ ରହିଲି । ସେ ବାସୁ ଦାଦାଙ୍କ ସ୍ତ୍ରୀ, ଗାଁରେ ତାଙ୍କ ଭଲପଣର ଏତେ ପ୍ରଶଂସା । ପର ଆପଣା ଭେଦ ସେ ଜାଣନ୍ତି ନାହିଁ । ମୋତେ ସେ ଏତେ ଭଲ ପାଉଥିଲେ । ଆଜି ସେ ପର କୁହାରେ ବିଶ୍ୱାସ କରିଛନ୍ତି । ମୋତେ ଘୃଣା ଚକ୍ଷୁରେ ଦେଖୁଛନ୍ତି । ସେଥିପାଇଁ ରେଣୁକୁ ମୋ ପାଖରୁ ଓଟାରି ନେଉଛନ୍ତି । ସତେ, ମୋ ଦେହର ପରଶ ଲାଗିଲେ ସେ ଅପବିତ୍ର ହେବ ।

 

ଦାମଭାଇଙ୍କ ସ୍ତ୍ରୀ ପିଲାଟିକୁ କାହାକୁ ଦେଇ ପୁଣି ସେ ଘରକୁ ଆସିଲେ । ଘୃଣାମିଶା । ଚାହାଁଣୀରେ ମୋ ମୁହଁକୁ ଚାହିଁ ଅଲଗୁଣୀ ଉପରୁ ଖଣ୍ଡେ ଲୁଗା ନେଇ ଚାଲିଗଲେ ।

 

ମୁଁ ଉଠି ଠିଆହେଲି । ବିମଳା ଭାଇଙ୍କ ସ୍ତ୍ରୀ ହଠାତ୍ ସେ ଘର ଭିତରକୁ ପଶି ଆସିଲେ । ମୋତେ ଦେଖି ଉପର ଠାଉରିଆ ଆଗ୍ରହରେ ମୋର ହାତ ଧରି କହିଲେ, କେତେବେଳେ ଆସିଲ ଗୀତା, ମୁଁ ତେଣେ କାମରେ ଲାଗିଛି, ତୁମକୁ ଦେଖି ପାରିନାହିଁ । ତୁମ ବୋଉ – ?

 

କହିଲି, ବଡ଼ମାଙ୍କ ସଙ୍ଗରେ ସେ ଯାଇଛି ।

 

ଗାଁ ମାଇପେ ଖିଆପିଆ ସାରି ପୁଣି ଆସି ସେ ଘରେ ରୁଣ୍ଡ ହୋଇଗଲେ । ସେମାନଙ୍କ ପାଟି ତୁଣ୍ଡ ହସ କୌତୁକରେ ସତେ କି ଖଞ୍ଜା ଫାଟି ପଡ଼ିବ । ବିମଳା ଭାଇଙ୍କ ସ୍ତ୍ରୀ ମୋ ହାତ ଛାଡ଼ି କୁଆଡ଼େ ଚାଲିଗଲେ ।

 

ବୋଉ ଆସି ମୋତେ ଡାକିଲା । ଅଖିଆ ଅପିଆ ଘରକୁ ଫେରିଲି ।

 

(୩୫)

 

ଦିନୁଦିନ ଯେ କି କଷ୍ଟରେ ମୋର ବେଳ କଟିଲା, କଥାରେ କହି ହେଉନାହିଁ । କୌଣସି କାମରେ ମନ ଲାଗେ ନାହିଁ । ହାତ ଚଳେ ନାହିଁ । ସବୁବେଳେ ଭାବେ, ବିନା ଦୋଷ ବିନା କାରଣରେ ଗାଁ ଲୋକଙ୍କ ଆଖିରେ ମୁଁ କଳଙ୍କିନୀ ହୋଇଛି । ମୋର ବୋଝ ଯେପରି ଗାଁ ଲୋକଙ୍କ ମୁଣ୍ଡରେ ଲଦା ହୋଇ ବେଳୁବେଳ ବଳାଇ ପଡ଼ିଛି ।

 

ଆମ ଘରକୁ ଆଉ କେହି ଆସନ୍ତି ନାହିଁ । ଏକା ରାଧାଟି ଆସେ । ତାଆର ଦୃଢ଼ ଧାରଣା ଯେ ମୋ ପରି ଝିଅ କେବେ ଖରାପ ହୋଇ ପାରନ୍ତି ନାହିଁ । ଲୋକେ ଦେଖି ନ ପାରି ନିଃସହାୟ ବୋଲି ବାରକଥା କହୁଛନ୍ତି । ରାଧା ଆସେ । ନିରୋଳାରେ ଫୁସ୍ ଫୁସ୍ କରି ବୋଉ କାନରେ କଅଣ କହି ଫେରିଯାଏ । ବୋଉ ମୁହଁ ଶୁଖାଏ । ବେଳେବେଳେ କାନ୍ଦେ, ମୋତେ କିଛି କହେ ନାହିଁ-

 

ଥରେ ଅଧେ ରାଧାର କଥା ମୁଁ କାନ ପାରି ଶୁଣିଛି । ଗାଁର କେଉଁ ଲୋକ ମୋ ନାମରେ କି ଦୁର୍ନାମ ରଟାନ୍ତି ସେହି କଥା କହେ । ବୁଝିପାରି ମୁଁ ବି ଆଉ ଶୁଣିବାକୁ ଚେଷ୍ଟା କରେ ନାହିଁ ।

 

ଦିନେ ତାଆର କଥା ଶୁଣି ବୋଉ କହିଲା, ଆଉ ହେବ ନାହିଁ ଲୋ, କେଡ଼େ ଆଣ୍ଟରେ କେତେ ଆଶା ମନରେ ଧରି ଏତେଦିନ କଟିଗଲା । ମଣିଷ ସବୁବେଳେ ଭଲ ଖୋଜେ । ଭଲ ନ ମିଳିଲେ ଭାଗ୍ୟରେ ଯାହା ମିଳେ ତାକୁହିଁ ଆଦରି ନିଏ । ଏଣିକି ଆଉ ରଖି ହେବ ନାହିଁ । ଗୀତା ବାପା ମରିବାର ବର୍ଷେ ପୂରିଲା । ଯେଉଁଠି ସମ୍ବନ୍ଧ ଆସିବ, ସେଇଠି ରାଜି ହୋଇଯିବି । ବୟସ ବଳାଇଲାଣି । ଆଉ ରଖିବା ଠିକ୍ ନୁହେଁ । ତା ଭାଗ୍ୟରେ ଯାହା ଥିବ ହେବ ।

 

ରାଧା କହିଲା, ଗାଁ ଲୋକେ ଶତ୍ରୁତା ଆରମ୍ଭ କଲେଣି । ଭଲ ଖରାପ ଯେଉଁଠି ସମ୍ବନ୍ଧ ପଡ଼ିବ ଏଣୁ ତେଣୁ ବାରକଥା କହି ଆଗରୁ ଭାଙ୍ଗି ଦେବେ । ମୁଁ କହୁଛି, ଯାହାଘରେ ମୁଠିଏ ଖାଇବାକୁ ଥିବ, ଖଣ୍ଡେ ପିନ୍ଧିବାକୁ ମିଳି ପାରିବ, ସେମିତି ଘରୁ ସମ୍ବନ୍ଧ ଆସିଲେ ମଙ୍ଗିଯିବା ଭଲ । ମରଦ ପୁଅର ରୂପ ଗୁଣ କି ବୟସ ଧରାଯାଏ ନାହିଁ ।

 

ବୋଉ କହିଲା, ସେଇଆ କରିବି ଲୋ ।

 

ସେହି ପ୍ରସ୍ତାବ କରିବା ଛଡ଼ା ଅନ୍ୟ ଉପାୟ କିଛି ନ ଥିଲା । ମୁଁ ଭାବି ସ୍ଥିର କଲି, ଏ ବିଷୟରେ ମୋର ମୁଣ୍ଡ ଖରଚ କରିବା ଠିକ୍ ନୁହେଁ । ଭଲ ହେଉ ମନ୍ଦ ହେଉ ସେମାନେ ଯାହା କରିବେ ତାହାହିଁ ତ ହେବ । ମୋର ମତାମତ କେହି କେବେ ପଚାରିବେ ନାହିଁ । ପଚାରିଲେ ବା ମୁଁ କହିବି କଅଣ ? ଏ ଗାଁରେ ଆଉ ଏକ ମୁହୂର୍ତ୍ତ ରିହିବାକୁ ମୋର ଇଚ୍ଛା ନାହିଁ । ଭାଗ୍ୟରେ ଯେଉଁଠି ଥିବ, ସେହି କର୍ମଭୂମିକୁ ଆଦରି ରହିବା ଭଲ ।

 

ଦିନେ ବୋଉକୁ କହିଲି, ବହୁଦିନ ତଳେ ବାପା ଧବଳେଶ୍ୱର ଦର୍ଶନ କରି ଯିବାକୁ ଲେଖିଥିଲେ । ଗଲେ ହୁଅନ୍ତା ନାହିଁ ବୋଉ, ମୁଁ ଧବଳେଶ୍ୱର ମହାଦେବଙ୍କୁ ଦେଖିନାହିଁ ।

 

ପ୍ରକାରାନ୍ତରେ ବିଧୁବାବୁଙ୍କ ଘର ପ୍ରସ୍ତାବ ତାର ମନେ ପକାଇଦେବା ମୋର ଉଦ୍ଦେଶ୍ୟ ଥିଲା । ମୋର ମୁଣ୍ଡରେ ହାତ ବୁଲାଇ ଦୁଃଖମିଶା ସ୍ୱରରେ ବୋଉ କହିଲା, ଯିଏ ନେଇଯିବାକୁ କହିଥିଲେ ସେତ ନାହାନ୍ତି, ଯାଇ ଆଉ ଲାଭ କଅଣ ? ଯାଉ ଆସୁଁ ପାଞ୍ଚ ଟଙ୍କା ଖରଚ ହେବ । କାହୁଁ ପାଇବା ?

 

ମୁଁ ତୁନି ରହିଲି । ମୋର ସରାଗ ଭଙ୍ଗା ମୁହଁକୁ ଚାହିଁ ଦୁଃଖରେ ସେ ସାନ୍ତ୍ୱନା ଦେଇ କହିଲା, ଠାକୁରେ ଆଇସ ଦେଇଥିଲେ ସେଡ଼େ ଭଳି କଲେ, ଥରେ କାହିଁକି ଦଶଥର ଧବଳେଶ୍ୱର ଯିବୁ ମା, ସେଥିକି ଦୁଃଖ କର ନା ।

 

ଆଶାର ପ୍ରଦୀପଟି ବୋଉର କେଇ ପଦ ସାନ୍ତ୍ୱନା ବାଣୀରେ ଏକାଥରେ ନିଷ୍ପ୍ରଭ ହେଲା-। ବୁଝିଲି, ଅସମ୍ଭବ ମଣି ତେଣିକି ହାତ ବଢ଼ାଇବାକୁ ତାର ସାହସ ପାଉନାହିଁ । ଭାବିଲି, କାହାରିକୁ କିଛି ନ କହି ଅପରିଚିତ ପ୍ରବୋଧବାବୁଙ୍କ ପାଖକୁ ଖଣ୍ଡେ ଚିଠି ଲେଖିବି । ହୁଏତ ସେ ଆଶ୍ଚର୍ଯ୍ୟ ମଣିବେ । ମୋର ଚିଠି ଖଣ୍ଡିକ ତାଙ୍କର ବନ୍ଧୁମାନଙ୍କୁ ଦେଖାଇ ପଛରେ କେତେ ଦୁର୍ନାମ କରିବେ । କରନ୍ତୁ, ମୁଁ ତ ଶୁଣିବି ନାହିଁ, ଜାଣିବି ନାହିଁ । ଦୁର୍ନାମର କେଉଁ ଅଭାବ ଅଛି ? କେଜାଣି ତାଙ୍କର ମନ ତରଳିବ । ବାପାଙ୍କର ଶେଷ ଆଶା ଜାଣି ସେ କଅଣ ପ୍ରତିକାର କରିବେ । ଫଳାଫଳ ଯାହା ହେଉ, ଚିଠି ଖଣ୍ଡେ ଲେଖିଦେଲେ ଅନ୍ତତଃ ମୋର ମନରେ ଟିକିଏ ଶାନ୍ତି ଆସିବ । ଜୀବନଟା ଅନୁତାପ କରି କଟିବ ନାହିଁ । ତେଣିକି ସବୁ ଦୁଃଖ ସୁଖ ଭାଗ୍ୟ ଉପରେ ଲଦି ନିଶ୍ଚିନ୍ତ ରହି ପାରିବି ।

 

କାଗଜ କଲମ ଧରି ଚିଠି ଲେଖି ବସିଲି । କିପରି ଆରମ୍ଭ କରିବି, କଅଣ ଲେଖିବି କିଛି ସ୍ଥିର କରି ପାରିଲି ନାହିଁ । ଧାଡ଼ିଏ ଲେଖେଁ, କେତେଥର ପଢ଼େ । ମନକୁ ଆସେ ନାହିଁ । ଲାଜ ମାଡ଼େ । ଭୟ ହୁଏ । କାଟିଦିଏ । ଶେଷକୁ ଚିଠି ଲେଖା ହୋଇ ପାରିଲା ନାହିଁ । କାଗଜ କଲମ ରଖିଦେଇ ଉଠି ଆସିଲି ବାରିଆଡ଼କୁ ।

 

ବଉଳମୂଳେ ଏକୁଟିଆ ଠିଆହୋଇ ନଈ ସେପାରି ଗଛ ଗହଳିକୁ ଚାହିଁ ରହିଲି । ଭଲମନ୍ଦ କେତେ ଗତ ଘଟଣା ମନକୁ ଆସିଲା । ଦାମଭାଇଙ୍କ କଥା ମୋର ମନେ ପଡ଼ିଲା । ଦାମଭାଇ ଅନ୍ୟର ହାତଧରି ମଧ୍ୟ ଆଜି ଅଶାନ୍ତିରେ କାଳ କାଟୁଛନ୍ତି । ସ୍ତ୍ରୀଙ୍କୁ ସେ ଭଲ ପାଆନ୍ତି ନାହିଁ । ସ୍ତ୍ରୀଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ । ସବୁବେଳେ ମୋରି କଥା କହି ତାଙ୍କର ମନରେ କଷ୍ଟ ଦିଅନ୍ତି । ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ମୋତେ ସନ୍ଦେହ କରନ୍ତି ।

 

ଦି ପହରେ ବୋଉକୁ ପଚାରିଲି, ଦାମ ଭାଇଙ୍କର ଆଜିକାଲି ଦେଖା ଦର୍ଶନ ନାହିଁ କାହିଁକି-? ନୂଆ ପୁଅ ଦେଖି ଭୁଲିଗଲେ କି ?

 

ବୋଉର ମୁହଁଟି ଦୁଃଖରେ ଝାଉଁଳି ପଡ଼ିଲା । ସେ ମୋ ମୁହଁକୁ ଏପରି ଭାବରେ ଚାହିଁଲା, କେଜାଣି କାହିଁକି ଆପେ ନଇଁଗଲା ମୋର ଦୃଷ୍ଟି । ଅସନ୍ତୁଷ୍ଟ ହୋଇ କହିଲା, ନିଜ ଦୁଃଖକୁ ହାରିଗୁହାରି ନାହିଁ, କାହାର ଗଲା ଆଇଲାରୁ ତତେ କଅଣ ମିଳିବ ?

 

ଆଉ କିଛି କହିବାକୁ ସାହସ ହେଲା ନାହିଁ । ମୋର ଧାରଣା ହେଲା, ବୋଉ ମନର କେଉଁ ଅନ୍ଧାର କୋଣରେ ସନ୍ଦେହର ତୋଫାନ ଉଠିଛି । ରାଗ ହେଲା । ଆଗରୁ ଉଠି ଆସିଲି । ମୋର ପୁରୁଣା ଗପ ବହି ଉପରେ ମୁହଁ ବୁଲାଇ ପଢ଼ିବା ବାହାନାରେ କାନ୍ଦି କାନ୍ଦି ତାଆରି ପୁରୁଣା ପୃଷ୍ଠା ଉପରେ ଦୁଃଖ ଢାଳିଦେଲି ।

 

(୩୬)

 

ଦୁଃଖ ନୈରାଶ୍ୟରେ ବେଳ ଗଡ଼ି ଚାଲିଲା ।

 

ଚଇତ୍ର ମାସର ଅଧାଅଧି । ଅଭାବରେ ପଡ଼ି ଆମର ଆଉ ଦୁଇ ବେଳା ଚୁଲି ଜଳିଲା ନାହିଁ । ଘରେ ଯାହା ଥିଲା ପେଟ ପୋଷିବାକୁ ବିକାଭଙ୍ଗା କରି ପ୍ରାୟ ସବୁ ଶେଷ ହେଲାଣି । କେତେକାଳର ପୁରୁଣା ଖଟଟି ଓ ମୋର ସେହି ଦୁଲ୍ ହଳିକ ଖାଲି ଆଖିରେ ଦିଶୁଥାଏ । ଏତକ ସରିଲେ ତେଣିକି ଆଉ କିପରି ଚଳିବ ଭାବି ପାରୁ ନାହିଁ । ତିନି ଓଳି ଉପାସରେ ଯେବେ ଯାହା ମୁଠିଏ ମିଳେ ସେ କେବଳ ରାଧାର ଦୟାରୁ । ସେର ସେର କରି କେତେ ଚାଉଳ ସେ ଧାର ଦେଲାଣି । କେବେ ସୁଝା ହେବ, କିପରି ସୁଝା ହେବ ଏକଥା ଭାବିବା ଆଗରୁ ଆଗ ମନରେ ପଶେ କାଲି ପୁଣି ଚଳିବ କିପରି ?

 

ତିନି ଓଳିରେ ସେଦିନ ମୁଠିଏ ଖାଇବାକୁ ମିଳିଥିଲା । ଅବଶ ହୋଇ ମା’ ଝିଅ ଦୁହେଁ ଦିପହରେ ଘରେ ଶୋଇଲୁ । ବୋଉ କହିଲା, ଗୀତା, ଦେଖିଲୁ ଚାଳର ଅବସ୍ଥା । ଆର ବରଷ ଛୁଆଣି ହୋଇ ପାରିଲା ନାହିଁ । ଖୁଞ୍ଚା ଦେଇ କୌଣସିମତେ ରକ୍ଷାରକ୍ଷଣ ହେଲା । ଏବର୍ଷ ଛୁଆଣି ନ କଲେ ଚଳିବ ନାହିଁ । ମାଙ୍କଡ଼ ଡେଇଁ ସବୁ ଖସିଗଲାଣି । ନଈକୂଳିଆ ପବନରେ ସେ ସବୁ ଉଲୁରି ପଡ଼ିଲାଣି । ବର୍ଷାଦିନ ଆସୁଛି । ଘର ଖଣ୍ଡି ଛୁଆଣି ନ କଲେ ମୁଣ୍ଡ ଗୁଞ୍ଜିବା କେଉଁଠି ?

 

ଦୁଃଖ ଦୁର୍ଦ୍ଦଶାର ମଝିରେ ପଡ଼ିଲେ ଚାରିଆଡ଼ ଅନ୍ଧାର ଦିଶେ । ବୋଉକୁ କି ବୁଦ୍ଧି ଦେବି ବୁଝି ପାରିଲି ନାହିଁ । ପଚାରିଲି, କଅଣ କରିବା ବୋଉ ?

 

ସେ କହିବାକୁ ଲାଗିଲା, ଜମିଦାରଙ୍କର ତିନିବର୍ଷର ଖଜଣା ବାକୀ । କେତେଥର ଲୋକ ଆସି ଫେରିଲାଣି । ଆମର ଦୁଃଖ ସୁଖ ତ ସେ ଦେଖିବେ ନାହିଁ ? ତାଙ୍କର ଖଜଣା ଗଣ୍ଡାକ ନ ଦେଲେ କେଉଁଦିନ ଆସି ଘରେ ପିଆଦା ପଶି କବାଟ ଚଉକାଠ ତାଡ଼ିବେ ।

 

କହିଲି, ବୋଉ, ମୋର ଦୁଲ୍ ହଳିକ ବିକି ଜମିଦାରଙ୍କ ଖଜଣା ଦେଇଦେ, ଘର ପଛେ ଛୁଆଣି ନ ହେଉ ।

 

ଏତେ ଦୁଃଖରେ ସୁଦ୍ଧା ସେ ହସିଲା । କହିଲା, ସେତିକି ତୋର ସମ୍ୱଳ । ସେତିକି ବିକିଲେ ସବୁ ହୋଇଯିବ, ନା ? ପାଗଳି ! ମୁଁ ଗୋଟାଏ କଥା ଭାବି ଠିକ୍ କରିଛି । ଆମର ତଳ ବାରିଖଣ୍ଡି ବନ୍ଧା ଦେବା, ନୋହିଲେ ବିକିଦେବା । ବାରିଟା ଖାଲି ପଡ଼ିଛି । କେଉଁ କାମକୁ ଆସୁନାହିଁ । କିଛି ଟଙ୍କା ମିଳିଲେ ଦିନା¬କେତେ ଚଳିଯିବ ।

 

ବାଧା ଦେଇ ପଚାରିଲି, ଏ ବର୍ଷଟା ସିନା ତଳବାରି ବିକ୍ରି କରି ସବୁ ହେବ, ଆରବର୍ଷ, ତହିଁ ଆର ବର୍ଷ ?

 

ଅନ୍ୟମନସ୍କ ହେଲାପରି ବୋଉ କଅଣ ଭାବିବାକୁ ଲାଗିଲା । କହିଲା, ଆଗକଥା ଭାବିବା ନାହିଁ, ଗୀତା । ଏତେ ଆଗକୁ ଭାବିଲେ ଚଳିବ ନାହିଁ । ଭଗବାନ କଅଣ ସବୁଦିନେ ଆମକୁ ଏପରି ରଖିଥିବେ ?

 

ଉତ୍ତର ଦେଲି ନାହିଁ ।

 

(୩୭)

 

ରାଧାର ଚେଷ୍ଟାରେ ନିତେଇ ଦାଦା ଆମର ତଳବାରି କିଣିବାକୁ ମଙ୍ଗିଲେ । ତିନିଗୁଣ୍ଠ ଜମି । ଠିକ୍ ହେଲା, ତିନିଶ ଟଙ୍କା ଦେବେ । ତା ଛଡ଼ା ରେଜିଷ୍ଟ୍ରୀ କରିବାକୁ ଓ କଟକ ଯିବା ଆସିବାକୁ ଯାହା ଖରଚ ହେବ ସେ ଦେବେ ।

 

କଟକ ଯିବାର ଦିନ ସ୍ଥିର ହେଲା । ଦୀନା ଗାଡ଼ିରେ ଆମେ ଦିହେଁ ରାଧାକୁ ସଙ୍ଗରେ ନେଇ କଟକ ଆସିଲୁ । ନିତେଇ ଦାଦା ମଧ୍ୟ ଆସିଲେ ।

 

କଟକରେ ପହଞ୍ଚି ଦିନ ଅଧଯାଏ ରେଜିଷ୍ଟ୍ରୀଖାନା ପାଖରେ ଅପେକ୍ଷା କରି ରହିଲୁ । କାମ ସରିଲେ ଆମେ ସେହି ଗାଡ଼ିରେ ଘରକୁ ଫେରିବୁ ।

 

ଡେରି ହେବାର ଦେଖି ବୋଉ କହିଲା, ରାତିଟା ଶରତ୍‌ବାବୁଙ୍କ ବସାରେ ରହିଲେ ଭଲ ହେବ ।

 

ମୁଁ ନାହିଁ କଲି । ସେଠିକି ଗଲେ ପୁଣି ତାଙ୍କର ସ୍ତ୍ରୀ ତାଙ୍କ ପୁଅ ସମ୍ବନ୍ଧରେ ମୋର ବାହାଘର ପ୍ରସ୍ତାବ ପକାଇବେ । ଚିଠି କଥା କହିବେ । ମୁଁ ସେହି ଡରରେ ବାଧା ଦେଲି ।

 

ମନେ ମନେ ଅମୁ ଭାଇଙ୍କୁ ଖୋଜୁଥାଏ । ତାଙ୍କର ଦେଖା ଦର୍ଶନ ନାହିଁ । ସେ କେଉଁଠି ଅଛନ୍ତି କେହି ଜାଣନ୍ତି ନାହିଁ । ରାଧାକୁ କହିଲି । ଧବଳେଶ୍ୱର ପରା କଟକକୁ ପାଖ, ଥରେ ଗଲେ ଭଲ ହୁଅନ୍ତା ନାହିଁ ?

 

ସେ କହିଲା, ଆଜି ଆଉ ବେଳ ପାଇବ ନାହିଁ । ରାତିଟା ଯଦି କେଉଁଠି ରହନ୍ତେ କାଲି ସକାଳୁ ଯାଇ ଦର୍ଶନ କରି ସଞ୍ଜସରିକି ଫେରି ଗାଁରେ ପହଞ୍ଚନ୍ତେ । ଚିହ୍ନା ପରିଚୟ ଲୋକ ନ ଥିଲେ ମାଇପିଙ୍କ ପାଇଁ କଟକରେ ରହିବାକୁ ଥାନ ନାହିଁ ।

 

ବୋଉ ସବୁ ଶୁଣିଲା, କିଛି କହିଲା ନାହିଁ ।

 

ସବ୍‌ରେଜିଷ୍ଟ୍ରୀ ଖାନାରେ କାମ ସବୁ ସରୁ ପ୍ରାୟ ଚାରିଟା ବାଜିଲା । ନିତେଇ ଦାଦା କହିଲେ, ଭାଉଜବୋଉ, ତମେ ସବୁ ଫେରିଯାଅ । ମୁଁ କ୍ଳାନ୍ତ ହୋଇ ପଡ଼ିଛି । ଗାଡ଼ିରେ ଥାନ ହେବ ନାହିଁ । ଚାଲି ଚାଲି ଯିବାକୁ ମୋର ବଳ ପାଉନାହିଁ । ମୁଁ ଆଜି କେଉଁଠି ରହିଯିବି । କାଲି ସକାଳୁ ଯିବି ।

 

ବୋଉ କହିଲା, ନିତେଇ, ଗୀତାକୁ କଷ୍ଟ ହେଲାଣି । ଦିନଯାକ ଉପାସ । କଟକରେ ରାତିଟିଏ ରହିବାକୁ କେଉଁଠି ଥାନ ମିଳିବ ନାହିଁ ?

 

ନିତେଇ ଦାଦା କହିଲେ, ଥାନ ନାହିଁ କାହିଁକି, ତେବେ ବଢ଼ିଲା ଝିଅକୁ ନେଇ କଟକରେ କେଉଁଠି ରହିବ ? ମୋ ବିବେଚନାରେ ଏହା ଭଲ ହେବ ନାହିଁ । ଘରକୁ ପେରିଯିବା ଉଚିତ । ଗାଁରେ ବାରଲୋକ ବାରକଥା କହିବେ । ଲୋକଙ୍କ ତୁଣ୍ଡରେ କେହି ହାତ ଦେଇ ପାରିବେ ନାହିଁ । ପରର ଦୁର୍ନାମ ରଟାଇବାକୁ କେତେ ଅଲକ୍ଷଣା ଲୋକଙ୍କର ପାଟି ଖଲଖଲ ହେଉଥାଏ । କାହିଁକି ଏ ପ୍ରାମଦ ? ହାତେ ମାପି ଚାଖଣ୍ଡକରେ ଚାଲିଲେ ଶତ୍ରୁ ବି ମୁହଁ ଖୋଲି ପାରିବ ନାହିଁ । ତୁମେ ରାତାରାତି ଗ୍ରାମକୁ ଫେରିଯାଅ ।

 

(୩୮)

 

ନିତେଇ ଦାଦା ବିଦାୟ ନେଇଗଲେ । ଆମେ ସବୁ ନଈକୂଳକୁ ଫେରିଲୁ । ମୋର ମନର କେତେ ଆଶା କେତେ ସରାଗ ଭାଙ୍ଗି ଚୂନା ହୋଇଗଲା ।

 

ଭାଗ୍ୟରେ ଯାହା ଥାଏ ତାହା ଯଦି ହୁଏ, ବୃଥାରେ ମଣିଷ ନିଜେ ତା ଜୀବନରେ ଏତେ ଅଶାନ୍ତି ଆଣେ କାହିଁକି ? ଆଶା ଅଭିଳାଷର ଭଙ୍ଗା ଗଢ଼ାର ଉତ୍ତେଜନାରେ ମଣିଷ ଛଟପଟ ହୁଏ କାହିଁକି ? କାହିଁକି ତା ମନରେ ଆଶାର ଆଲୁଅ ଜଳି ଉଠେ, ଜଳୁ ଜଳୁ ନିଷ୍‌ପ୍ରଭ ହୁଏ, ଲିଭି ଆସେ, ଲିଭୁ ଲିଭୁ ତେଜି ହୋଇ ଉଠେ ପୁଣି ଅଚାନକ ଅସୀମ ଅନ୍ଧାରରେ ଲୀନ ହେବାକୁ । ମନରେ ଛାଡ଼ିଯାଏ ସ୍ମୃତିର ପୋଡ଼ା ପାଉଁଶ, ଯାହାକୁ ଦେଖି ଆତ୍ମା ବାହୁନି ଉଠେ । ସେହି ବାହୁନାର ଅଶାନ୍ତି ଭିତରେ ଟିକିଏ ଅକୁହା ଛପିଲା ଆନନ୍ଦ ସେ ପାଏ ପରା !

 

ଦେବୀଚଡ଼ା ଘାଟ । ମୁହୂର୍ତ୍ତକ ପରେ ଗାଡ଼ି ନଈ ଭିତରକୁ ଚଡ଼ିଥାନ୍ତା । କେତେ ଆଶା ଉନ୍ମାଦନାକୁ ମନରେ ସମାଧି ଦେଇ ଗାଁକୁ ମୁଁ ଫେରି ଯାଇଥାନ୍ତି । ଯାହା ଘଟିଥାନ୍ତା ବରଣ କରି ନେଇଥାନ୍ତି । ବିନା ଆପତ୍ତିରେ । କିନ୍ତୁ ଭାଗ୍ୟର ଉପହାସ, ଅଦେଖା ହାତର ନିର୍ଦ୍ଦେଶ ଏଡ଼ିଦେଇ ଚାଲିଯାଇ ହେଲା ନାହିଁ ।

 

ଦେବୀଗଡ଼ା ଘାଟ । ସେଇଠି ଦେଖାହେଲା ଅମର ଭାଇଙ୍କ ସଙ୍ଗରେ । କାହାକୁ ଅପେକ୍ଷା କରି ରାସ୍ତା ଉପରେ ସେ ଠିଆ ହୋଇଥିଲେ । ଦୀନାକୁ ସେ ଚିହ୍ନନ୍ତି । ଦୀନା ମଧ୍ୟ ତାଙ୍କୁ ଚିହ୍ନେ ।

 

ଅମର ଭାଇ ଗାଡ଼ି ପାଖକୁ ଆସି ବୋଉକୁ ପ୍ରଣାମ କଲେ । ଆମେ କାହିଁକି କଟକ ଆସିଥିଲୁ ବୋଉ ତାଙ୍କୁ ଅଳ୍ପ କଥାରେ ବୁଝାଇ କହିଲା । ଆମେ ଯେ ବାଧ୍ୟ ହୋଇ ସେ ଦିନ ଗାଁକୁ ଫେରି ଯାଉଛୁ ଏ କଥା ଶୁଣି ଅମର ଭାଇ କହିଲେ, ଆଜି ରାତିରେ ଆମରି ବସାରେ ରହିଯାଅ, ପାହାନ୍ତାରୁ ଉଠି ଥଣ୍ଡାଏ ଥଣ୍ଡାଏ ଗ୍ରାମକୁ ଫେରିଯିବ ଯେ ବାଧା ହେବ ନାହିଁ । ରାତିବିକାଳି କ୍ଳାନ୍ତ ଦେହରେ ଫେରିଯିବା ଉଚିତ୍ ନୁହେଁ ।

 

ରାଧା କହିଲା, କାଲି ସକାଳୁ ଧବଳେଶ୍ୱର ଯାଇ ଗାଁକୁ ଫେରିଲେ ଭଲ ହେବ । ତମ ବସାରେ ମାଇପି ଲୋକ ଅଛନ୍ତି ?

 

ସେ କହିଲେ, ମାଇପି ଲୋକ କେହି ନାହାନ୍ତି । ଆମେ ତିନିଜଣ ମେସ୍ କରି ରହିଛୁ । ଜଣକର ଦେହ ଖରାପ ବୋଲି ତିନିଦିନ ହେଲା ସେ ତାଙ୍କ ଗ୍ରାମକୁ ଯାଇଛି । ବାକୀ ଜଣକ ବୁଢ଼ା ଅତି ଭଲ ଲୋକ । ଆମର ମୁରବୀ ପରିକା । ବସାରେ ଥିଲେ କିଛି ଆପତ୍ତି ନାହିଁ । ତୁମ ମାନଙ୍କୁ ଦେଖିଲେ ସେ ନିଜେ ଆଡ଼େଇ ହୋଇ ରହିବେ ।

 

ବୋଉ ପଚାରିଲା, ତମ ବସା ଏଠିକି କେତେ ଦୂର ?

 

ଅମୁଭାଇ କହିଲେ, ବେଶି ଦୂର ନୁହେଁ । ରଘୁନାଥଜୀ ମନ୍ଦିର ପାଖେ, ବିଧୁବାବୁ ମାଷ୍ଟରଙ୍କ ଘର ଆଗରେ ।

 

 

ମୋର ଛାତିରୁ ନିଆଁ ଖସି ପଡ଼ିଲା । ବିଧୁବାବୁ ମାଷ୍ଟର ! ପୁଣି କାହିଁକି ସେ ନାମଟା ମୋ କାନରେ ପଡ଼ିଲା ? ମୋର ଶୋଇଲା ଆଶା ଚେଇଁ ଉଠିଲା ପରକ୍ଷଣରେ ମୁଣ୍ଡ ନୁଆଁଇବାକୁ । ବୋଉର ଉତ୍ତରକୁ କାନ ଡେରି ରହିଲି ।

 

ବୋଉ କହିଲା, ବିଧୁବାବୁ ମାଷ୍ଟର ! ତୁମେ ତାଙ୍କୁ ଚିହ୍ନ ଅମୁ ?

 

ଅମର ଭାଇ କହିଲେ, ଚିହ୍ନେ । ବିଶେଷ ଆଳାପ ନାହିଁ । ସେ ବେଶି ବେଳ ଘରେ ରହନ୍ତି ନାହିଁ । ସବୁବେଳେ କାମରେ ବ୍ୟସ୍ତ । ତାଙ୍କ ପୁଅ ପ୍ରବୋଧ ବାବୁଙ୍କ ସଙ୍ଗେ ମୋର ଭଲ ଚିହ୍ନା ପରିଚୟ ଅଛି । ସେ ଅତି ଭଲ ପିଲା । ଯେପରି ସ୍ନେହୀ, ସେପରି ମିଳାପୀ । ଧୀର ସ୍ଥିର, ବିଚାରବନ୍ତ । ଆମେ ଗରିବ । ସେ କାହିଁ କେତେ ଉପରେ । ଲାଟସାହେବଙ୍କ ଅଫିସରେ ବଡ଼ କାମ କରନ୍ତି । ବିଦ୍ୱାନ । ତଥାପି, ସେ ଆମ ବସାକୁ ଆସନ୍ତି, ଆମ ସଙ୍ଗେ ମିଶନ୍ତି, କଥାଭାଷା ହୁଅନ୍ତି । ବଡ଼ଲୋକୀ ଟିକିଏ ନାହିଁ । ଆମର ସଙ୍ଗୀ ପରି ବ୍ୟବହାର କରନ୍ତି । ଆମର ସଂକୋଚ ପଣ ସେ ରଖାଇ ଦିଅନ୍ତି ନାହିଁ ।

 

ବୋଉ ଆଗ୍ରହରେ କହିଲା, ବଡ଼ଲୋକ ?

 

ଅମୁଭାଇ କହିଲେ, ବଳେ ବୁଝିବ ସେ କିପରି ଲୋକ । ଘଡ଼ିକରେ ପରକୁ ଆପଣାର କରି ନିଅନ୍ତି । ଆମେ ଗରିବ କିନ୍ତୁ ଦେଖା ହେଲେ କେତେ କଥା କହନ୍ତି । ସୁଖ ଦୁଃଖ ପଚାରନ୍ତି । ଶୁଣିବ, ପନ୍ଦର କୋଡ଼ିଏ ଦିନ ତଳେ ମୋତେ ଜର ହୋଇଥିଲା । ବୁଢ଼ୀ କିପରି ଶୁଣିପାରି ନିଜେ ଆସି ହାଜର । କେତେ କଥା ପଚାରିଲେ । ପୂଝାରୀ ନ ଥାଏ ବୋଲି ନିଜ ହାତରେ ବାର୍ଲି ତିଆରି କରି ତାଙ୍କ ଘରୁ ମୋ ପାଇଁ ପ୍ରବୋଧବାବୁଙ୍କ ହାତରେ ପଠାଇ ଦେଲେ । ତୁମକୁ ସବୁ ଦେଖିଲେ ସେ ବଳେ ଧାଇଁ ଆସିବେ ଯେ, ଦେଖିବ ।

 

ବୋଉ କଅଣ ଭାବି କହିଲା, ହଉ ତେବେ ଅମୁ, ଆଜି ରାତିକ ଆମେ ତୁମ ଘରେ କୁଣିଆଁ ହେବୁଁ । କାଲି ସକାଳେ ଏକା ଆମକୁ ତୁମେ ଧବଳେଶ୍ୱର ନେଇ ଦିଅଁ ଦର୍ଶନ କରାଇ ଆଣିବ । ଗୀତା ଚାରିମାସ ହେଲା ମୋ ସଙ୍ଗେ ଲଗାଇଛି, ଧବଳେଶ୍ୱର ଦେଖିବ । କଟକ ଆସିବାକୁ ଆଉ କେବେ ସୁଯୋଗ ମିଳିବ କି ନାହିଁ କିଏ ଜାଣେ ? ଝିଅଟାର ଆଗ୍ରହ ଭାଙ୍ଗିବି କାହିଁକି ?

 

ଗାଡ଼ ଫେରନ୍ତି ଚାଲିଲା ।

 

ବାଟରେ ଅମୁଭାଇ କହିଲେ, ପରଘରେ ମୁଣ୍ଡ ବିକିଲେ ମଣିଷ ଆଉ ନିଜର ହୋଇ ରହି ପାରେ ନାହିଁ । କାଶୀବାବୁ ଓକିଲଙ୍କ ସିରସ୍ତାରେ ମୋହରିର କାମ କରୁଛି । ଚଳିବା ମାନିଆଁ ରୋଜଗାର ହେଉଛି । ଓକିଲଙ୍କ ଠାରୁ ଛୁଟି ନ ନେଲେ ଧବଳେଶ୍ୱର ଯାଇ ପାରିବି ନାହିଁ । ତାଙ୍କୁ କହିବି । ଦେଖାଯାଉ କଅଣ ହେଉଛି ।

 

ରାଧା କହିଲା, ଦେଖାଯାଉ କହିଲେ ଚଳିବ ନାହିଁ, ଅମୁବାବୁ । ତୁମରି ଭରସାରେ ଆସିଛୁ । ଆମ ପାଇଁ ଦିନଟିଏ କଷ୍ଟ କରିବାକୁ ହେବ ।

 

ଅମୁଭାଇ ହସିଲେ, କହିଲେ, ଆଛା ।

 

ବୋଉ କଅଣ ଭାବୁଥିଲା, ହଠାତ୍ ପଚାରିଦେଲା, ଅମୁ, ବିଧୁବାବୁଙ୍କ ପୁଅର କଅଣ ବାହାଘର ଠିକ୍ ହେଲାଣି ?

Unknown

 

ଅମର ଭାଇ କହିଲେ, ପାତ୍ରିଟିଏ ଖୋଜୁଥିଲେ ତ । କେତେ ଜାଗାରେ ସମ୍ବନ୍ଧ ପଡ଼ିଥିଲା-। କେଉଁଠି ଠିକ୍ ହୋଇଛି କି ନାହିଁ ମୁଁ ଜାଣେ ନାହିଁ । କାହିଁକି ? ଓ, ବୁଝିଲି । ସତେ, ଗୀତା ଯଦି ପ୍ରବୋଧ ବାବୁଙ୍କ ହାତ ଧରନ୍ତା କେଡ଼େ ଭଲ ହୁଅନ୍ତା । ମୁଁ ନିଜେ ପଚାରିବି । ତୁମେ ରହ । ଠାକୁରଙ୍କ ଉପରେ ଭରସା ରଖ ।

 

ମୁଣ୍ଡର ଲୁଗାଟିକୁ ଟାଣି ଅନ୍ୟମନା ହେଲାପରି ରାଧାକୁ କହିଲି, ଧବଳେଶ୍ୱର ପରା ଡଙ୍ଗାରେ ଯାଆନ୍ତି ?

 

ରାଧା ମୋତେ ଚିମୁଟି ଦେଇ କହିଲା, ରହ, ଧବଳେଶ୍ୱର କଥା କାଲି ସକାଳେ ବୁଝିବା-

 

ବୋଉ କହିଲା, ବଡ଼ଲୋକ ସେମାନେ ।

 

ଅମୁଭାଇ କହିଲେ, ସେ ଧନ ଖୋଜନ୍ତି ନାହିଁ । ସେ ଚାହାନ୍ତି ବୋହୂଟିଏ । ସୁନ୍ଦର, ଗୁଣର, ଠିକ୍ ଆମ ଗୀତା ପରି । ଠାକୁରଙ୍କର ଯାହା ବରାଦ ଥିବ ହେବ । ମଣିଷର କି ଚାରା ? ଦେଖାଯାଉ ପ୍ରସ୍ତାବ ପକାଇବା । ଗୀତାକୁ ସେମାନେ ଆଗ ଦେଖନ୍ତୁ । ସେମାନଙ୍କର ମନ ମାନୁ । ସେଇଠୁ ଯେଉଁ କଥା ।

 

ବୋଉ ତୁନି ରହିଲା ।

 

ଭାବିଲି, ପରୀକ୍ଷା, ପରୀକ୍ଷାର ବେଳ ଆସିଛି, ଭାଗ୍ୟର ଖେଳ । ସେ ଚାହାନ୍ତି ବୋହୂଟିଏ, ସୁନ୍ଦର, ଗୁଣର, ଠିକ୍ ମୋଓରି ପରି ! ଅମୁଭାଇଙ୍କ ଆଖିରେ ଗୀତା ସୁନ୍ଦର, ଗୀତା ଗୁଣର । ଯେଉଁମାନେ ତାଆର ପରୀକ୍ଷକ, ତାଙ୍କ ଆଖିକୁ ଗୀତା କିପରି ଦିଶିବ ?

 

(୩୯)

 

ଅମର ଭାଇଙ୍କ ବସାଟି ଛୋଟ । ବାଟ ଘରକୁ ଛାଡ଼ିଦେଲେ ଆଉ ଦିଓଟି ଖଞ୍ଜା ଭିତରକୁ କବାଟ । ରାସ୍ତା ଆଡ଼କୁ ଗୋଟିଏ କରି ଝରକା । ଅଗଣା ଭିତରେ କୂଅ । କୂଅକୁ ଲାଗି ନୁଆଁଣିଆ ରୋଷାଇ ଘର ।

 

ବାଟଘରକୁ ଲାଗି ଯେଉଁ ଘରଟି ସେଇଥିରେ ଅମର ଭାଇ ରହନ୍ତି । ସେପାଖ ଘରଟି ଟିକିଏ ବଡ଼ । ତେଣୁ ଆର ଦି ଜଣ ସେଥିରେ ରହନ୍ତି । ଆମର ରହିବା ପାଇଁ ଅମର ଭାଇ ପ୍ରଥମ ବଖରାଟି ଛାଡ଼ିଦେଲେ ।

 

ରାସ୍ତା ପାଖ ଝରକାକୁ ଲାଗି ଖଟ ପଡ଼ିଛି । ଏ ପାଖ କାନ୍ଥକୁ ଲାଗି ଯେଉଁ ବେଞ୍ଚ, ତା ଉପରେ ଖଣ୍ଡିଏ ଟ୍ରଙ୍କ, ଗୋଟିଏ, ବସ୍ତାନୀ ଓ କେତେ କାଗଜପତ୍ର, ନଥି ରଖା ହୋଇଛି । ଅଲଗୁଣୀରେ ଦି ତିନି ଖଣ୍ଡ ଲୁଗା ଓ ସତରଞ୍ଜି ।

 

ମୁଁ କ୍ଳାନ୍ତ ହୋଇଥିଲି । ଖଟ ଉପରେ ଯାଇଁ ବସିଲି । ବୋଉ ଓ ରାଧା ଅମରଭାଇ ସଙ୍ଗେ ଖଞ୍ଜା ଭିତରେ ବୁଲି କେଉଁଠି କିଏ ରହେ, କେତେ ଘର ଭଡ଼ା ଇତ୍ୟାଦି ଖବର ବୁଝିଲେ । ଦଶ ବାର ବର୍ଷର ଟୋକାଟିଏ ଭୀମା, ସେମାନଙ୍କର ରୋଷାଇ କରେ । ଅମର ଭାଇଙ୍କ କହିବା ମତେ ସେ ନଲଟଣ ଜଳାଇ ମୋ ଥିବା ଘର ବେଞ୍ଚ ଉପରେ ଥୋଇ ଦେଇଗଲା ।

 

ସମସ୍ତେ ସେଇ ଘରକୁ ଫେରି ଆସିଲେ । ଅମର ଭାଇ ବୋଉକୁ କହିଲେ, ଦିନଯାକ ଉପାସ ପଡ଼ିଛି, ଭୀମା ରୋଷାଇ ବସାଉ । ଦିନାକୁ ସଙ୍ଗରେ ନେଇ ମୁଁ ବଜାରକୁ ଯାଉଛି, ପରିବା ପତ୍ର କିଣି ତା ହାତରେ ପଠାଇ ଦେବି । ମୁଁ ଟିକିଏ ଓକିଲ ବାବୁଙ୍କ ଘରକୁ ଯିବି । ଆସୁ ଆସୁ ଡେରି ହୋଇପାରେ ।

 

ସେ ବଜାରକୁ ବାହାରିଲେ । ଦୀନା ତାଙ୍କ ସଙ୍ଗରେ ଗଲା । ଆମକୁ ଦେଖି ଅମୁଭାଇ ଯେଉଁ ବୁଢ଼ାବାବୁଙ୍କ କଥା କହୁଥିଲେ, ସେ ମଧ୍ୟ କୁଆଡ଼କୁ ଚାଲିଗଲେ । ଭୀମାକୁ ରୋଷାଇରେ ସାହାଯ୍ୟ କରିବାକୁ ବୋଉ ଗଲା ରୋଷଘରକୁ । ରାଧା ମୋ ପାଖରେ ରହିଲା ।

 

ମୁଁ କହିଲି, ରାଧା, ଭାରି କ୍ଳାନ୍ତ ଲାଗୁଛି, ଶୋଇବାକୁ ଇଚ୍ଛା ହେଉଛି ।

ରାଧା କହିଲା, ଶୋଇ ପଡ଼ୁନୁ । ଉଠ, ମୁଁ ପାରିଦିଏଁ ।

ଖଟ ଉପରେ ସତରଞ୍ଜି ଖଣ୍ଡି ପାରିଦେଲା । ମୁଁ ବାହୁ ଉପରେ ମୁଣ୍ଡ ଦେଇ ଶୋଇଲି ।

କହିଲା, ତମେ ଏକୁଟିଆ ଥା ଦେଈ, ଡରିବ ନାହିଁ । ମୁଁ ବୋଉଙ୍କ ପାଖକୁ ଯାଏଁ ।

 

କହିଲି, ମୁଁ କଅଣ ପିଲାଛୁଆ ହୋଇଛି କି ଡରିବି ? ନଲଟଣ କମାଇଁ ଦେଇ ତୁ ଯା, ମୁଁ ଶୋଉଛି ।

 

ନିଦ ହେଲା ନାହିଁ । ମଶାଙ୍କ ଦାଉରେ ଛଟପଟ ହୋଇ ଏକର ସେକର ହେବାକୁ ଲାଗିଲି । ଝରକା ବାଟେ ପଦାକୁ ଚାହିଁଲି । ରାସ୍ତା ସେ ପାଖେ ଏ ଘର ସାମନାରେ ବିଧୁବାବୁଙ୍କର ଘର ! ଉଚ୍ଚ ଏକମହଲା କୋଠା । ରାସ୍ତା ଉପରେ ବିଜୁଳି ଆଲୁଅରେ ଦେଖା ଯାଉଥାଏ । ଝରକା ଗୁଡ଼ିକ ସବୁ ବନ୍ଦ ହୋଇଛି । ଜଣା ଯାଉଛି, ଯେପରି କେହି ନାହିଁ ।

 

ଭାବିଲି, ଯାହା ଅସମ୍ଭବ ସେ କଥା ମନକୁ ଆଣି ବୃଥାରେ କାଉଳି ହେବା ଉଚିତ ନୁହେଁ-। ତଥାପି କେଜାଣି କାହିଁକି ମନ ହେଉଥାଏ, ଥରେ ପ୍ରବୋଧବାବୁଙ୍କୁ ଦେଖନ୍ତି କି ! ଦେଖନ୍ତି ଦୂରରୁ..., କିନ୍ତୁ କାହିଁକି ? ସଂସାରରେ କେତେ ଧନୀ, କେତେ ବିଦ୍ୱାନ୍ ଅଛନ୍ତି । ପ୍ରବୋଧବାବୁଙ୍କୁ ଦେଖିଲେ ବେଶି କଅଣ ହେବ ?

ଅମର ଭାଇ ପାଗଳ । କେଉଁ ଆଶାରେ, କି ସାହସରେ ସମ୍ବନ୍ଧ ପକାଇବେ ? ଲୋକହସା ହେବେ । ମୋଓରି ପାଇଁ ଲୋକହସା ହେବେ କାରଣ, ସେ ମୋତେ ଭଲ ପାଆନ୍ତି ? ଚମକି ପଡ଼ିଲି ନିଜର ଚିନ୍ତାରେ । ସେ ମୋତେ ଭଲ ପାଆନ୍ତି ନାହିଁ । ତା ହୋଇଥିଲେ ଅନ୍ୟ ଜଣକ ବିଷୟରେ ସମ୍ବନ୍ଧ ପକାଇବାକୁ ଆଗ୍ରହ ଦେଖାନ୍ତେ ନାହିଁ ।

ବୋଉ ଆସି ଡାକିଲା । ମୁଁ ଜବାବ ଦେଲି । ସେ କହିଲା, ଗୀତା, ଆ ଯିବା ରଘୁନାଥଜୀ ମନ୍ଦିରକୁ, ଦିଅଁ ଦର୍ଶନ କରି ଆସିବା ।

ରାଧା କହିଲା, ନାଇଁ, ସେ ଶୋଇଥାଉ, ଆସ ଆମର ଯିବା । ଘରେ ତ ଭୀମା ଅଛି । ମନ୍ଦିର ତ ପାଖରେ ।

ବୋଉ କଅଣ ଭାବି କହିଲା, ହଉ ତେବେ ଥା । ଗୀତା, ତୁ ଥା, ଆମେ ଆସୁଛୁ ।

ମୁଁ ରହିଲି । ସେମାନେ ଚାଲିଗଲେ । ମଶା ଉତ୍ପାତରୁ ରକ୍ଷା ପାଇବାକୁ ମଶାରିଟା ପକାଇ ଶୋଇବାକୁ ଚେଷ୍ଟା କଲି ।

କେତେବେଳେ ମୋତେ ନିଦ ହୋଇଗଲା ମୋର ଖିଆଲ ନାହିଁ ।

 

(୪୦)

 

ଜୀବନର କେଉଁ ମୁହୂର୍ତ୍ତରେ କଅଣ ଘଟେ ସବୁ ମନେ ରହେ ନାହିଁ । ଭୁଲା ଅତୀତ ଆଡ଼କୁ ଆଖି ଫେରାଇଲେ ଯେଉଁ ଦୃଶ୍ୟ ମଣିଷର ଆଖିରେ ପଡ଼େ, ସେ ସତ ହେଲେ ବି ସ୍ୱପ୍ନ ପରି ମନେ ହୁଏ । ଦୁଃଖ ଆସେ କି ସୁଖ ଆମେ କହିପାରିବା ନାହିଁ । ତେବେ, ମୋର ମନେହୁଏ, ବର୍ତ୍ତମାନ ଅବସ୍ଥା ଉପରେ ଅତୀତ ସ୍ମୃତିର ସୁଖ ଦୁଃଖ ନିର୍ଭର କରେ ।

 

କଟକରେ ଗୋଟିଏ ରାତି ।

 

ଯାହା ଯାହା ଘଟିଗଲା ଆଜି ଭାବିଲେ ମନେହୁଏ ସେ ସବୁ ଯେପରି ବାସ୍ତବ ନୁହେଁ, କେବଳ ସ୍ୱପ୍ନ । ଯାହା ଘଟିଥିଲା, ପର ଜୀବନ ଉପରେ ତାର ଛାଇ, ତାର ପ୍ରଭାବ ପଡ଼ିଥିଲେ ମଧ୍ୟ ପର ଜୀବନର ଗତିକୁ ବଦଳାଇ ପାରି ନାହିଁ । ଯେତିକି ଭାବେ, ଭାଗ୍ୟ ବା ନିୟତି ବା କେଉଁ ଅଦେଖା ହାତର ଚାଳନା ଉପରେ ବିଶ୍ୱାସ ସେତିକି ଦୃଢ଼ ହୁଏ । କ୍ଷଣକର ବ୍ୟବଧାନରେ ଜୀବନର ଗତି ବଦଳି ଯାଏ, ସୁଖ ଦୁଃଖ ଓଲଟ ପାଲଟ ହୋଇଯାଏ ।

 

ସ୍ୱପ୍ନ ପରି ଜଣା ଯାଉଥିଲା ମତେ କିଏ ଯେପରି ମୋର ମଶାରି ପାଖରେ ଠିଆହୋଇ ଡାକୁଛନ୍ତି, ଅମର, ଅମର, ସଞ୍ଜବେଳଟାରେ ଶୋଇଛ କାହିଁକି ? ଦେହ ପୁଣି ଖରାପ ହେଲା କି ?

 

ନିଦ ମୋର ଭାଙ୍ଗୁଥାଏ, ପୁଣି କ୍ଳାନ୍ତ ଆଖିପତା ମାଡ଼ିହୋଇ ପଡ଼ୁଥାଏ । ଅପରିଚିତ କାହାର ସ୍ୱର ! ଉଠି ବସିବାକୁ ଇଚ୍ଛା ହେଉଥାଏ । ଅବଶ ଦେହ ଉଠୁ ନ ଥାଏ ।

 

କାହା ହାତର ସ୍ପର୍ଶ ମୋର କପାଳରେ ଲାଗିଲା । ଉଠି ବସିଲି । କାହାର ହାତଟିଏ ମଶାରି ଭିତରୁ ପଦାକୁ ବାହାରିଗଲା । ଚମକି ଚାହିଁଲି । କିଏ ? ଘର ଭିତରେ କମା ହୋଇଥିବା ନଲଟଣଟି ତେଜା ହୋଇ ଉଜ୍ଜ୍ୱଳ ଭାବରେ ଜଳୁଛି । ମଶାରି ପାଖରେ ଜଣେ କିଏ ଠିଆ ହୋଇଛନ୍ତି-। ଭୟରେ ଦେହ ଥରି ଉଠିଲା । ଡରି ଡରି ମଶାରି ଟେକି ପଦାକୁ ବାହାରି ଆସିଲି । ଅପରିଚିତ ଭଦ୍ରଲୋକଟି ଅପ୍ରସ୍ତୁତ ହୋଇ ପଛକୁ ଘୁଞ୍ଚିଗଲେ । ମୁଁ ଟ୍ରଙ୍କକୁ ଆଉଜି ଠିଆ ହେଲି ।

 

ଥରଟିଏ ତାଙ୍କ ମୁହଁକୁ ଚାହିଁଛି, ଥରଟିଏ । ମନରେ କିପରି ଧାରଣା ହେଲା, ସେଇ ସେ ପ୍ରବୋଧବାବୁ, ଯାହାଙ୍କ କଥା ମୁଁ ଶୁଣିଥିଲି, ଯାହାଙ୍କ ସମ୍ବନ୍ଧରେ କେତେ ରାତି ଊନ୍ନିଦ୍ର ହୋଇ ଆଖି ଲୁହରେ ହାତ ଓଦା କରିଥିଲି । ଆହୁରି ଥରେ ଚାହିଁବାକୁ ପ୍ରବଳ ଇଚ୍ଛା ହେଉଥାଏ । ଭୟରେ, ସଂକୋଚରେ ଆଖି ଟେକି ପାରିଲି ନାହିଁ ।

 

ସେ ଫେରିପଡ଼ି ଦ୍ୱାରମୁହଁକୁ ଗଲେ । ଥରିଲା କଣ୍ଠରେ ଡାକିଲେ, ଭୀମା !

ଜବାବ ଦେଇ ଭୀମା ପାଖକୁ ଆସିଲା । ପଚାରିଲେ ଧୀରେ, କିଏରେ ?

ଭୀମା ଉତ୍ତର ଦେଲା, ଅମରବାବୁଙ୍କ ଘରୁ କିଏ ସବୁ ଆସିଛନ୍ତି ।

 

ଓଃ, କହି କଣେଇ ଚାହିଁଲେ ମୋ ଆଡ଼କୁ । ମୁଁ ଆଡ଼େଇ ଗଲି । ସେ ଦାଣ୍ଡ ଘରଆଡ଼େ ଯାଉଣୁ କହିଲେ, ଭୀମା, ବାପା ବୋଉ କୁଆଡ଼େ ଯାଇଛନ୍ତି କହିପାରିବୁ କିରେ ? ଆମ ଚାକରଟା ତ ଯେପରି ଓଲୁ ତୁ ଜାଣୁ, କିଛି କହିପାରୁ ନାହିଁ ।

 

ଭୀମା କହିଲା, ଦିନ ରତ ରତ ହେଉଥିଲା, ଘୋଡ଼ାଗାଡ଼ି ଚଢ଼ି ସେମାନେ କୁଆଡ଼େ ଗଲେ । ମୁଁ ଦାଣ୍ଡରେ ବସିଥିଲି ଦେଖିଛି ।

 

କହିଲେ, ଏତେବେଳଯାଏ ଆସି ନାହାନ୍ତି । ଆଚ୍ଛା, ଅମର ?

ସେ ଯାଇଛନ୍ତି ବଜାରକୁ ।

 

ତା ପରେ ତୁନି ତୁନି କଅଣ ପଚାରିଲେ । ଭୀମା କଅଣ ଉତ୍ତର ଦେଲା ମୁଁ ଶୁଣିପାରିଲି ନାହିଁ । ସେ ଫେରିଗଲେ । ମୁଁ ଝରକା ବାଟେ ପଦାକୁ ଚାହିଁଲି । ସାଇକେଲ୍‍ ଚଢ଼ି ସେ ସଙ୍ଗେ ସଙ୍ଗେ କୁଆଡ଼େ ଚାଲିଗଲେ ।

 

ମୋର ଦେହ ଗୋଟାଛାଏଁ ଥରୁଥାଏ । ଭୀମାକୁ ପାଖକୁ ଡାକି ପଚାରିଲି, ସେ କିଏ ଭୀମ ?

କହିଲା, ଆମ ବସା ଆଗରେ ବାବୁଙ୍କ ଘର । ଅମରବାବୁଙ୍କୁ ଖୋଜୁଥିଲେ ।

ମୁଁ ରହି ରହି ରହି ପଚାରିଲି, ତୁନି ତୁନି କଅଣ ପଚାରୁଥିଲେରେ ?

ସେ ହସିଲା । କିଛି କହିଲା ନାହିଁ ।

ଗେହ୍ଲେଇ ପଚାରିଲି, କହୁନୁ ଭୀମ ?

ଭୀମ କହିଲା, ପଚାରିଲେ, ସେ ଘରେ ଯେଉଁ ଝିଅଟି ଅଛି ସେ କିଏ ?

ମୁଁ କହିଲି, ସେ ଅମରବାବୁଙ୍କର କଣ ହୁଅନ୍ତି ।

ଭୀମା ରୋଷାଇଘରକୁ ଗଲା ।

 

ମୁଁ ପୁଣି ମଶାରି ଟାଣି ଖଟ ଉପରେ ଶୋଇଲି । ଭାବିଲି, କଅଣ ସେ ମନେ କରିଥିବେ-? କେତେ ଚିନ୍ତା ମନକୁ ଆସିଲା । ସବୁ ଯେପରି ଗୋଳମାଳିଆ ହୋଇଗଲା । ଦୁଇଆଖି ଉଛୁଳି ଲୁହଧାର ଗଡ଼ି ଆସିଲା ।

 

(୪୧)

 

ସୁକ୍ଷଣରେ କି କୁକ୍ଷଣରେ ଜାଣେ ନାହିଁ, ଯାହାଙ୍କୁ ମୁଁ ମନେ ମନେ ଖୋଜୁଥିଲି ସେହି ପ୍ରବୋଧବାବୁଙ୍କ ସଙ୍ଗେ ମୋର ଅନହୁତି ଦେଖା ହେଲା । ସେ ମଧ୍ୟ ମୋତେ ଦେଖିଲେ, କିନ୍ତୁ ସେ ଜାଣିଲେ ନାହିଁ ମୁଁ କିଏ । ବୁଝିଲେ ନାହିଁ ମୋ ମନର ଗୋପନ ବେଦନା । ତାଙ୍କ ହାତର ଥରଟିଏ ସ୍ପର୍ଶ ମନରେ ଯେଉଁ ଆଶା ଉନ୍ମାଦନାର ଢେଉ ଖେଳାଇ ଦେଇଥିଲା, ତାରି ପ୍ରଭାବରେ ଆଉ ମୋର ନିଦ ହେଲା ନାହିଁ । କି ଆଶାରେ କେଜାଣି ମୋର ମନ ଉଲସି ଉଠିଲା ।

 

ବୋଉ ଓ ରାଧା ଫେରି ଆସିଲେ । ଅମର ଭାଇ ମଧ୍ୟ ଫେରିଲେ । ମୋ ଥିବା ଘରକୁ ଆସି ପଚାରିଲେ ବୋଉକୁ, ଗୀତା ଶୋଇ ପଡ଼ିଛି ?

 

ବୋଉ କହିଲା, ହଁ ।

 

ଅମରଭାଇ କହିଲେ, ଏତେବେଳଯାଏ ବିଧୁବାବୁ କି ତାଙ୍କ ସ୍ତ୍ରୀ ଫେରି ନାହାନ୍ତି । ପ୍ରବୋଧବାବୁ ଆସି ମୋତେ ଖୋଜୁଥିଲେ । ଭୀମା କହୁଛି, ସେ କୁଆଡ଼େ ଗୀତାକୁ ଦେଖି ଯାଇଛନ୍ତି-

 

ବୋଉ କାଳେ କଅଣ କହିବ ବୋଲି ମୁଁ ଭୟରେ ସବୁ ଶୁଣି ତୁନି ହୋଇ ମିଛରେ ଶୋଇଥାଏ ।

 

ଭୀମା ଆସି କହିଲା, ସେ ଏଇ ଦୁଆର ମୁହଁକୁ ଆସି ଦେଈଙ୍କି ଦେଖି ଫେରିଗଲେ । ମୁଁ ରୋଷଘରେ ଥିଲି । ସେତ ଜାଣନ୍ତି ନାହିଁ, ଆପଣଙ୍କ ଘରୁ କିଏ ସବୁ ଆସିଛନ୍ତି ବୋଲି ।

 

ଭୀମାକୁ ରୋଷଘରକୁ ପଠାଇ ଦେଇ ଅମର ଭାଇ କହିଲେ, ଭଲ ହେଲା । ମୁଁ ନିଜେ ପ୍ରବୋଧବାବୁଙ୍କୁ କହିବି । ସେ ଯଦି ମଙ୍ଗନ୍ତି ତାଙ୍କର ବାପା ମା ଖୁସି ହେବେ ।

 

ଘଣ୍ଟାକ ପରେ ଗୋଟିଏ ଘୋଡ଼ାଗାଡ଼ି ଆସି ପ୍ରବୋଧବାବୁଙ୍କ ଘର ଆଗରେ ଠିଆ ହେଲା । ଗାଡ଼ିରୁ ଓହ୍ଲାଇ କିଏ ସବୁ ଘର ଭିତରକୁ ଗଲେ । ମୁଁ ଝରକା ବାଟେ ଚାହିଁ ରହିଥାଏ । କିଛି ସମୟ ପରେ ତାଙ୍କ ଘରର ଝରକା ସବୁ ଖୋଲିଗଲା । ବିଜୁଳି ଆଲୁଅରେ ଘର ଭିତରେ ଉଜ୍ଜ୍ୱଳ ଦେଖାଗଲା ।

 

ଅମରଭାଇ ତାଙ୍କ ଘରକୁ ଗଲେ । ପ୍ରାୟ ଅଧଘଣ୍ଟାକ ପରେ ଫେରି ଆସିଲେ । ମୁଁ ପିଣ୍ଡାରେ ବସିଥାଏଁ । ସେ ବୋଉକୁ ଘର ଭିତରକୁ ଡାକି ନେଇଗଲେ । ରାଧା ମଧ୍ୟ ମୋ ପାଖରୁ ଉଠିଗଲା । ଘଟଣାଟି ବୁଝିବାକୁ ଆଗ୍ରହରେ କାନ ଡେରି ରହିଲି ।

 

ଅମର ଭାଇ କହିଲେ, ଭାଗ୍ୟରୁ ବଳି ବଡ଼ କିଛି ନାହିଁ । ସ୍ୱାମୀ ସ୍ତ୍ରୀ ଦୁହେଁ ଯାଇଥିଲେ ଆମରି ଓକିଲଙ୍କ ଘରକୁ–କାଶୀବାବୁଙ୍କର ଗୋଟିଏ ଝିଆରୀ ଅଛି ଯେ ତାକୁ ଦେଖିବାକୁ ।

 

ବୋଉ ପଚାରିଲେ, କଅଣ ଦେଖିଲେ ?

 

ଅମୁଭାଇ ଦୁଃଖିତ ହୋଇ କହିଲେ, ଝିଅଟିକୁ ମୁଁ ଦେଖିଛି । ସେତେ ସୁନ୍ଦର ନୁହେଁ, ତେବେ ସେ ପାଠ ପଢ଼ିଛି । ବାଳିକା ସ୍କୁଲକୁ ଯାଏ । ଭଲ ଗୀତ ବୋଲି ଜାଣେ । ବୁଣାବୁଣି କାମ ଜାଣେ ।

 

ରାଧା କହିଲା, ଝିଅପିଲାର ଏ ସବୁ ଜାଣି ଲାଭ ନାହିଁ । ଯେତେ ଯାହା ଜାଣିଲେ ଝିଅ ଜନମ ଚୁଲିମୁଣ୍ଡକୁ ।

 

ଅମର ଭାଇ କହିଲେ, ଯାହାର ଯେପରି ରୁଚି । ବୁଢ଼ାବୁଢ଼ୀ ଦିହେଁ ଆଜି ସ୍ଥିର ଜବାବ ଦେଇ ଆସିଛନ୍ତି । ଛାଡ଼, ଯାହାର ଭାଗ୍ୟ ଯେଉଁଠି । କାହିଁ ଗୀତା, ଆଉ କାହିଁ ନମିତା ।

 

ମନରେ ଦୁଃଖ ହେଲା । ସେ ଦୁଃଖ ବେଶୀ ବେଳ ରହିଲା ନାହିଁ । ଆଶା ଉତ୍ତେଜନାର ଭଙ୍ଗା ଗଢ଼ା କେତେ ତ ସହିଛି । ଏଇ ସାମାନ୍ୟ ଘଟଣାରେ ବିବ୍ରତ ହେବି କାହିଁକି ? ତଥାପି, ପ୍ରବୋଧବାବୁଙ୍କ ହାତର ଉଷୁମ ପରଶର ସ୍ମୃତି ମୋର ମନ ବିଚଳିତ କରେ । ତାଙ୍କର ଥରଟିଏ ବାଙ୍କୁଲା ଚାହାଣୀ ମୋ ଆଖି ଆଗରେ ପୁଣି ପୁଣି ଦିଶିଯାଏ । ଛାତିରେ ସ୍ପନ୍ଦନ ଦୃତ ହୁଏ ।

 

(୪୨)

 

ଯେତେ ଚେଷ୍ଟା କଲି ଭାଗ୍ୟ ବା ନିୟତିର ଦ୍ୱାହି ଦେଇ ନିଶ୍ଚିନ୍ତ ରହିବି, ଅବୋଧ ମନ ମାନିଲା ନାହିଁ । ଏଣୁ ତେଣୁ କେତେ ଚିନ୍ତା ମନରେ ପଶିଲା । ଅମର ଭାଇ କହିଗଲେ, ପ୍ରବୋଧ ବାବୁଙ୍କର ବାହାଘର କେଉଁ କାଶୀବାବୁ ଓକିଲଙ୍କ ଝିଆରୀ ବିଷୟରେ ସ୍ଥିର ହୋଇଗଲା । ସେଥିରେ ମୋର କଅଣ ଥାଏ ? ଦୁନିଆରେ କେତେ ପ୍ରବୋଧବାବୁ ଅଛନ୍ତି, କେତେ ନମିତା ଅଛନ୍ତି, ଆଉ ମୋରି ପରି କେତେ ଦରିଦ୍ର ଗୀତା ମଧ୍ୟ ଅଛନ୍ତି । କାହା ଭାଗ୍ୟରେ ବିହି କଅଣ ଲିହିଛି ଆଗରୁ କହିହେବ ନାହିଁ ।

 

ବୋଉ ଓ ରାଧା ବିଧୁବାବୁଙ୍କ ଘରକୁ ବୁଲି ଯିବେ ବୋଲି ଆଗରୁ ପ୍ରସ୍ତାବ କରିଥିଲେ, କିନ୍ତୁ ଅମର ଭାଇଙ୍କ କଥା ଶୁଣି, ସେ ପ୍ରସ୍ତାବ ବନ୍ଦ ରହିଲା । ଅମର ଭାଇ କହିଥିଲେ, ବିଧୁବାବୁଙ୍କ ସ୍ତ୍ରୀ ଆମକୁ ଦେଖିବାକୁ ଧାଇଁ ଆସିବେ । କାହିଁ ଆସିଲେ ନାହିଁ ତ !

 

କଥା ହେଲା, ପାହାନ୍ତାରୁ ଉଠି ଆମେ ଧବଳେଶ୍ୱର ଯିବୁ । ଖରା ଟାଣ ହେବା ଆଗରୁ ଦିଅଁ ଦର୍ଶନ କରି ତେଣେ ତେଣେ ଗାଁକୁ ଫେରିବୁ ।

 

ଖିଆପିଆ ସାରି ସମସ୍ତେ ଶୋଇଲେ । ରାସ୍ତାପାଖ ଝରକାକୁ ଲାଗିଥିବା ଖଟଉପରେ ମୁଁ ଶୋଇଲି । ଖଣ୍ଡେ ସତରଞ୍ଜି ପାରି ତଳେ ଶୋଇଲା ବୋଉ, ଦୁଆର ମୁହଁ ପାଖକୁ ରାଧା । ମଶା କାମୁଡ଼ାରୁ ଉଦ୍ଧାର ପାଇବାକୁ ଅମୁଭାଇ ଟ୍ରଙ୍କ ଉପରେ ମଶାମାରି ବତୀଟିଏ ଜାଳିଦେଇ ଯାଇଥାନ୍ତି-। ସେ ଶୋଇଥାନ୍ତି ବାଟଘରେ ।

 

ବୋଉ ଓ ରାଧାକୁ ସଙ୍ଗେ ସଙ୍ଗେ ନିଦ ହୋଇଗଲା । ମୋ ମୁଣ୍ଡ କିପରି ଗରମ ହୋଇ ଯାଇଥିଲା । ଏକଡ଼ ସେକଡ଼ ହୋଇ ଖାଲି ଛଟପଟ ହେଉଥାଏ । ବେଳେ ବେଳେ ଉଠି ବସୁଥାଏ । ଘର ଭିତରେ ଅନ୍ଧାର କିନ୍ତୁ ରାସ୍ତା ଉପରେ ଦୂର ବିଜୁଳି ଆଲୁଅର ଫିକା ପରଶ ଲାଗିଥାଏ । ବିଧୁବାବୁଙ୍କ ଝରକା ଗୁଡ଼ିକ ଉଜ୍ଜ୍ୱଳ ଦିଶୁଥାଏ । ଶୁଏ, ଛଟପଟ ହୋଇ ପୁଣି ଉଠି ବସେ । ପଦାକୁ ଘଡ଼ିଏ ଅନାଏଁ, ପୁଣି ଶୋଇବାକୁ ଚେଷ୍ଟା କରେ ।

 

ଦୂରରୁ ଘଣ୍ଟାର ଶବଦ ଶୁଭିଲା । ଦଶଟା ବାଜିଲା । ଆଖି ବୁଜି ମୁହଁମାଡ଼ି ବିଛଣାରେ ପଡ଼ି ରହିଲି । କିଏ ଜଣେ ଦାଣ୍ଡ କବାଟ ଖଡ଼୍‍ ଖଡ଼୍ କରି ଡାକିଲେ, ଅମର, ଅମର ।

 

ମୋର ଛାଇ ନିଦ ଭାଙ୍ଗିଗଲା । ଆଖି ଖୋଲି କାନ ଡେରିଲି । ପୁଣି ସେହି ଡାକ, ଦୁଇ ତିନି ଘଣ୍ଟା ପୂର୍ବେ ଯେଉଁ ଡାକ ଅତି ପାଖରେ ମୁଁ ଶୁଣିଥିଲି । ଯାହାଙ୍କର ହାତର ଅମୃତ ପରଶ ମୋର କପାଳରେ ଲାଗିଥିଲା । ସେ ପ୍ରବୋଧବାବୁ । ଉଠି ବସିଲି । ଭାବିଲି ପୁଣି କେଉଁ ଉଦ୍ଦେଶ୍ୟରେ ରାତି ଅଧରେ ଆସି ସେ ଡାକୁଛନ୍ତି ? ମୁଣ୍ଡ ନୁଆଁଇ ମୁଁ କାନ ପାରି ରହିଲି ।

 

ପ୍ରବୋଧବାବୁ କହିଲେ, ଅମର, ସଞ୍ଜବେଳେ ତମକୁ ଖୋଜିବାକୁ ଆସି ଯେଉଁ ଓଲାମି କରିଛି କଅଣ କହିବି । ଅଫିସରୁ ଆସି ଦେଖିଲି ଘରେ ବାପା ବୋଉ କେହି ନାହାନ୍ତି । ଭାବିଲି, ତମରି ବସାରେ ବସି ଗଳ୍ପ କରି ଘଣ୍ଟାଏ ଅଧେ କଟାଇ ଦେବି, କିନ୍ତୁ.....

 

ସବୁ କହିଲେ । ଏଣେ, ଘର ଭିତରେ ମୁଁ ଗୋଟାଛାଏଁ ଥରୁଥାଏ । ଅମର ଭାଇ କଅଣ ଭାବିଥିବେ । ଏ ସବୁ କଥା ମୁଁ ବୋଉଠାରୁ ଲୁଚାଇ ରଖିଛି । ସେ ଶୁଣିଲେ କଅଣ କହିବ । ଛି ।

 

ପ୍ରବୋଧବାବୁ ପଚାରିଲେ, ସେ ତୁମର କଣ ହୁଅନ୍ତି ? ମୁଁ ପ୍ରଥମେ ଭାବିଥିଲି….., କିନ୍ତୁ ତୁମେ ତ ବାହା ହୋଇ ନାହଁ ବୋଲିମୋର ଧାରଣା ଥିଲା । ଭୀମାକୁ ପଚାରିଲାରୁ ସେ କହିଲା ।

 

ଅମର ଭାଇ କହିଲେ, ସେ ମୋର ପିଉସୀ ଘର ଲେଖାରେ ଭଉଣୀ ହେବ । ଧବଳେଶ୍ୱର ଦର୍ଶନ କରିବାକୁ ଆସିଛନ୍ତି । ସକାଳେ ଚାଲିଯିବେ ।

 

କହିଲେ, ରାତି ଅଧରେ ତୁମକୁ ଉଠାଇ ଏ ସବୁ କହିବାର କାରଣ ହେଉଛି କାଳେ ତୁମେ କଅଣ ଭାବିବ ?

 

ଅମର ଭାଇ କହିଲେ, ଭାବିବି ? ମୁଁ କଣ ଆପଣଙ୍କୁ ଚିହ୍ନେ ନାହିଁ ପ୍ରବୋଧବାବୁ ? ଗୀତା ମୋର ଭଉଣୀ ସେ କଅଣ ଆପଣଙ୍କର ଭଉଣୀ ନୁହେଁ ?

 

ସେ ଉତ୍ତର ଦେଲେ ନାହିଁ । ଦିହେଁ ହାତ ଧରାଧରି ହୋଇ ଆଗକୁ ଗଲେ । ନିଜ ଉପରେ ବିରକ୍ତି ଆସିଲା । କାହିଁକି ମୁଁ ଅନିଦ୍ରାରେ ବସି ଛଟ୍‌ପଟ୍ ହେଉଛି, କାହିଁକି ବା ଭବିଷ୍ୟତ କଥା ଭାବି ଅଶାନ୍ତିରେ କାଟୁଛି ? ଭାଗ୍ୟରେ ଯାହା ଥିବ ହେବ, ଆଉ, ଯାହା ହେବ, ଜୀବନରେ ତାହାକୁ ବରଣ କରି ଅଦେଖା – ହାତର ନିର୍ଦ୍ଦେଶରେ ବାଟ ଚାଲିବାକୁ ହେବ ।

 

ଶୋଇଲି । ସପନ ଦେଖିଲି । ବେଦି ଉପରେ ବାପାଙ୍କ ପାଖରେ ବସିଛି । ଶଙ୍ଖ ମହୁରି ବାଜୁଛି । ଦୁଇଟି ହାତକୁ ଏକାଠି ବାନ୍ଧି ପୁରୋହିତ ମନ୍ତ୍ର ଉଚ୍ଚାରୁଛନ୍ତି ।

 

ସପନ ଦେଖିଲି, ବିଜୁଳି ଆଲୁଅ ସେ ଜାଳିଲେ । ମୁଣ୍ଡରୁ ଓଢ଼ଣା ଘୁଞ୍ଚାଇ ତୁନି ତୁନି କହିଲେ ହସି ହସିକା, ଚିହ୍ନି ପାରୁଛ ?

 

ହସିଲି ।

 

ସେ ଯେ ପ୍ରବୋଧ ବାବୁ । ସେ ହସି ହସି ମୁହଁ ନୋଇଁଲେ । ଓଠର ମଧୁର ମୂର୍ଚ୍ଛାଳିଆ ପରଶରେ ଆଖି ବୁଜିଲି । ଦେହକୁ ଆଉଜାଇ ନେଲେ, ଛାତି ଉପରକୁ । ଆଖି ଖୋଲିଲେ । ମୁଣ୍ଡଟେକି ମୋର ଜୀବନ ସର୍ବସ୍ୱଙ୍କର ହସ ହସ ମୁହଁକୁ ଚାହିଁଲି ।

 

ଚମକି ଉଠିଲି । ସେ ପ୍ରବୋଧବାବୁ ନୁହଁନ୍ତି, ସେ ଦାମଭାଇ । ତାଙ୍କୁ ଠେଲି ଦେଇ ପଛକୁ ଘୁଞ୍ଚି ଆସିଲି । ବୋଉକୁ ଡାକ ଛାଡ଼ିଲି ।

 

ନିଦ ଭାଙ୍ଗିଲା । ସପନ ଅପସରିଲା । ଦେହଟା ବରଡ଼ାପତ୍ର ପରି ଥରୁଥାଏ । ପାହାନ୍ତା ହେଲାଣି । କେତେବେଳୁ ବୋଉ ଓ ରାଧା ଉଠି ସାରିଲେଣି ।

 

(୪୩)

 

ରାତି ପାହାନ୍ତାରୁ ଆମେ ଧବଳେଶ୍ୱର ବାହାରିଲୁ । ବିଧୁବାବୁଙ୍କ ଧଳା ଡେଙ୍ଗା କୋଠାରୁ ଅନାଇଁ ମୋର ନୀରବ ବିଦାୟ ଜଣାଇଲି । ବାପାଙ୍କର ଶେଷ ଇଚ୍ଛାର ସମାଧି ସେଇଠି । ଧବଳେଶ୍ୱର ଯିବା ଆଉ ଦରକାର ନ ଥିଲା । ମୋର ଇଚ୍ଛା ଓ ଆଗ୍ରହ ଭାଙ୍ଗି ଯାଇଥିଲା । ଘରକୁ ଫେରିଲେ ଭଲ ହୁଅନ୍ତା । ପୁରୁଣା ପରିସ୍ଥିତି ମଝିରେ ଆବଦ୍ଧ ରହିଲେ ନୈରାଶ୍ୟର ଦୁଃଖ ଓ ସପନର ଉତ୍ତେଜନା ଦୂର ହୁଅନ୍ତା । ନିତିଦିନିଆ ଆଲୁଅ ଛାଇର ଜୀବନ ଚାଲନ୍ତା ତାର ମଡ଼ାବାଟ ଧରି ।

 

ଧବଳେଶ୍ୱର ଯିବାକୁ ହିଁ ହେବ । ଆଗରୁ ଯେଉଁଥିପାଇଁ ଏତେ ଆଗ୍ରହ ଦେଖାଇଛି, ଆଜି ମନା କରି ହେବ ନାହିଁ ।

 

ଭଲ ଲାଗିଲା । ବାଟରେ କେତେ ନୂଆ ନୂଆ ଦୃଶ୍ୟ ଦେଖି ମୋର ଆଖି ସେଥିରେ ଲାଖି ରହିଲା । କଟକ ସହରର ବଡ଼ ବଡ଼ କୋଠାବାଡ଼ି, ସହର ସେ ପାଖେ ବୁଦିବୁଦିକା ଜଙ୍ଗଲ, ଶଗଡ଼ଗୁଳା ଲମ୍ବି ଯାଇଛି, ମହାନଦୀର ପଠା, ବାଲି, ଆଖି ପାଉନାହିଁ ।

 

ସକାଳ ହେଲା । କଅଁଳ ଖରାରେ ମହାନଦୀର ବତୁରା ବାଲି ଚିକ୍‍ ଚିକ୍ ଦିଶିଲା । ବାଲି ସେପାଖେ ପାଣିର ଧାର ଆଖିକୁ ଶୀତଳ ଲାଗୁଥାଏ ।

 

ଅମୁ ଭାଇ କହିଲେ, ଏଇ ମନ୍ଦିର ଦିଶୁଛି । ବାଲିରେ ଆଉ ଗାଡ଼ି ଚକ ଗଡ଼ିବ ନାହିଁ । ଏଇଠି ସମସ୍ତେ ଓହ୍ଲାଅ । ଚାଲି ଚାଲି ଯିବା ।

 

ଗାଡ଼ି ରହିଲା । ଆମେ ଓହ୍ଲାଇଲୁ । କେତେ ଲୋକ ଯା ଆସ କରୁଥନ୍ତି । ଆମରି ଆଡ଼କୁ ଥରେ ଥରେ କଣେଇଁ ଚାହାନ୍ତି, ଚାଲନ୍ତି ଆଗକୁ । ଆମେ ପଛରେ ପଡ଼ୁ । ବୋଉ ଚାଲି ପାରୁ ନ ଥାଏ । ଅମର ଭାଇ ଆଗେ ଆଗେ ଯାଉଥାନ୍ତି । ଆମେ ପଛରେ ପଡ଼ିଲେ ସେ ଅଟକି ରହନ୍ତି । ଅପେକ୍ଷା କରନ୍ତି । ଆମେ ଯାଇଁ ମିଶି ଯାଉ ତାଙ୍କ ସଙ୍ଗରେ ।

 

ନଈଧାର ପାଖରେ ହେଲୁ । ଏଇଠି ପାରି ହେଲେ ଧବଳେଶ୍ୱର ମନ୍ଦିର । ଆଗରୁ କେତେ ଲୋକ ନଦୀ ଏପାଖେ ଅପେକ୍ଷା କରି ରହିଛନ୍ତି । ଡଙ୍ଗା ମଝି ନଈରେ, ସେ ପାଖକୁ ଯାଉଛି-। ବସିଲା ଲୋକଙ୍କୁ ଛାଡ଼ି ଫେରି ଆସିଲେ ଆମ ଦଫାକୁ ପାରି କରିବ । କେତେ ଡେରି ହେବ କେଜାଣି କଅଁଳ ଖରା ଟାଣ ହୋଇ ଆସୁଛି । ଆମେ ସବୁ କ୍ଲାନ୍ତ ହୋଇ ପଡ଼ିଥିଲୁ । ଅଣଆଡ଼ିଆହୋଇ ପାଣି କୂଳରେ ବସି ସେପାରିକି ଚାହିଁ ରହିଲି ।

 

ଡଙ୍ଗା ଫେରିଲା । ଅମର ଭାଇ ପଚାରିଲେ, ତୁମେ ସବୁ କଅଣ ଏଣୁ ଗାଁକୁ ଫେରିବ ? ଆମ ବସା ବାଟେ ଗଲେ ହେବ ନାହିଁ ?

 

ବୋଉ କହିଲା, ଏଇଠୁ ଫେରିଯିବୁ ବାପା, ଦୀନା ବ୍ୟସ୍ତ ହେଉଛି । କେତେ କାମ ତାଆର ମାରା ହେବଣି । ତମ ବାଟେ ଫେରିଲେ ବୃଥାରେ ଡେରି ହେବ ।

 

ଅମର ଭାଇ କହିଲେ, ବିଧୁବାବୁଙ୍କ ସ୍ତ୍ରୀଙ୍କୁ ସଙ୍ଗେ ଦେଖା କରିବ ନାହିଁ ?

 

ବୋଉ କହିଲା, ଆଉ ଦରକାର ନାହିଁ । ସେମାନେ ପାଠୋଇବୋହୂଧନୀଘର ଝିଅ ଚାହାନ୍ତି । ଅନ୍ୟଠାରେ ଜବାବ ଦେଇ ସାରିଲେଣି । ନେଡ଼ି ଗୁଡ଼ କହୁଣୀକୁ ବହି ଯାଇଛି ।

 

ଅମର ଭାଇ ଗମ୍ଭୀର ହୋଇ କହିଲେ, ହଁ, ନେଡ଼ି ଗୁଡ଼ କହୁଣୀକୁ ବୋହିଛି । ତେବେ,......

 

କଥା ଅପୂର୍ଣ୍ଣ ରହିଗଲା । ଦୂରକୁ ଚାହିଁଲେ । ଆଖି ଉଜ୍ଜ୍ୱଳ ଦିଶିଲା । କହିଲେ, ହେଇ, ପ୍ରବୋଧବାବୁ ଆସୁଛନ୍ତି । ଆଜି ତାଙ୍କର ଆସିବାର କଥା ଥିଲା ।

 

ସାଇକଲ୍ ଖଣ୍ଡି ଘାଟ ଘରକୁଆଉ ଯାଇ ପ୍ରବୋଧବାବୁ ଆମ ପାଖକୁ ଆସିଲେ । ଅମର ଭାଇ ଉଠିଗଲେ ତାଙ୍କ ଆଗକୁ । କହିଲେ, ଆପଣ ଥକି ଯାଇଛନ୍ତି ।

 

ପକେଟରୁ ରୁମାଲ କାଢ଼ି ମୁହଁରୁ ଝାଳ ପୋଛି ସେ କହିଲେ, ହଁ, ବାଲିରେ ସାଇକଲ ଠେଲି ଆସିବା କେଡ଼େ ମଜା ! ଅତି କଷ୍ଟ ।

 

କଣେଇଁ ଚାହିଁଲି । ତାଙ୍କର କ୍ଳାନ୍ତ ମୁହଁରେ ମନପୁଲକା ହସ ।

 

ସପନ ପ୍ରତିମା ! ଜୀବନଟା ଖାଲି ସପନ ହୋଇଥିଲେ ସବୁ ଦୁଃଖ ଦୂରେଇ ରହନ୍ତା ? ନା । ସୁଖର ସପନ ମଝିରେ ଦାମଭାଇ ଆସି ଉଭା ହୋଇଥିଲେ !

 

କାହିଁକି ସେ ଆମରି ପଛେ ପଛେ ଗୋଡ଼ାଇ ଆସିଛନ୍ତି ମୁଁ ବୁଝି ପାରିଲି ନାହିଁ । ଆଖି ତାଙ୍କୁ ଭଲ କରି ଦେଖିଲି । କେତେ ଲୋକ ଯା ଆସ କରୁଛନ୍ତି । ସମସ୍ତେ ଅପରିଚିତ । ସେ ମଧ୍ୟ ସେହିପରି ଅପରିଚିତ । ଲାଜ ସଂକୋଚରେ ଆଡ଼ହୋଇ ରହିବା ମନେ କଲିନାହିଁ । ଜୀବନରେ ଯାହାଙ୍କ ସଙ୍ଗେ ଦିନଟିଏ ଦେଖା, ଯାହାର ସ୍ୱାର୍ଥ ସଙ୍ଗେ ମୋର କୌଣସି ସମ୍ବନ୍ଧ ନାହିଁ, ଦୁନିଆର ଶହ ଶହ ଅଜଣା ଅଶୁଣାଙ୍କ ଭିତରୁ ଯେ ଜଣେ, ତାଙ୍କୁ ଆଡ଼ହୋଇ ରହିବା ଆବଶ୍ୟକ ମଣିଲି ନାହିଁ-। ଯିଏ ଯାହା ମନେ କଲେ କରୁ ପଛେ ।

 

ସେ ଆସି ବୋଉକୁ ପ୍ରଣାମ କଲେ । କହିଲେ, ଆପଣ ଅମରର ଆତ୍ମୀୟ, ତେଣୁ ମୋର ମାଉସୀ ।

 

ମୁଣ୍ଡ ଉପରକୁ ଓଢ଼ଣା ଟାଣିଲି । ବୋଉ ଲାଜ ହୋଇଓଢ଼ଣା ଟାଣିଲା ।

 

ଅମର ଭାଇ ବୋଉକୁ କହିଲେ, ବିଧୁବାବୁଙ୍କ ପୁଅ ପ୍ରବୋଧବାବୁ ପରା ସେ ତ ତମ ପୁଅ ପରି, ତାଙ୍କୁ ଆଡ଼ ହେଉଛ କଅଣ ?

 

ମୋତେ କହିଲେ, ପ୍ରଣାମ କର ଗୀତା ।

ରାଧା ଆଗ୍ରହରେ ଚାହିଁଲା ।

 

ଅମର ଭାଇଙ୍କର କଥା ମାନିଲି । ଲାଜ ଲାଜ ହୋଇ ଦୁଇ ହାତଯୋଡ଼ି ମୁଣ୍ଡରେ ଲଗାଇଲି । ମୁଣ୍ଡ ନୁଆଁଇ ପ୍ରଣାମ କଲି । ତୁଣ୍ଡ ଖୋଲିଲି ନାହିଁ ।

 

ତାଙ୍କର ମୁହଁରେ ରଙ୍ଗ ଉକୁଟିଲା । ସେ ପ୍ରତିନମସ୍କାର କରି ବୋଉକୁ କହିଲେ, ଆପଣମାନେ ଧବଳେଶ୍ୱର ଆସିବେ ବୋଲି ଅମୁବାବୁ କହୁଥିଲେ ।

 

ବୋଉ ହସିଲା । ଉତ୍ତର ଦେଲାନାହିଁ ।

 

(୪୪)

 

ଦୁଇ ତିନିଘଣ୍ଟା ଆମେ ଧବଳେଶ୍ୱରରେ ରହିଲୁ । କେତେଆଡ଼ ବୁଲିଲୁଁ । ସେ ପାଖରେ ଜଙ୍ଗଲ । ଗଛକୁ ଗଛ ଲଟା ଛନ୍ଦାଛନ୍ଦି । ଆବଡ଼ ଖାବଡ଼ା ଉଠାପଡ଼ା ଗଳିବାଟ । ବୋଉ ଚାଲି ପାରିଲା ନାହିଁ । ପ୍ରବୋଧବାବୁ ବୋଉର ହାତ ଧରି ବାଟକଢ଼ାଇ ନେଲେ । କେତେ କଅଣ କହିଲେ-। ବୋଉ ଉତ୍ତର ଦେଲାନାହିଁ ।

 

ମତେ ଖୁସି ଲାଗୁଥାଏ । ଏପରି ଅଭିଜ୍ଞତା ମୋର ତରୁଣୀ ଜୀବନରେ ଅଟକି ଯାଉଥାଏ । ରାଧାର ହାତ ଧରି ଯାଉଁଯାଉଁ ପଛକୁ ଫେରି ଚାହେଁ, ତାଙ୍କର ହସ ହସ ମୁହଁ, ଉଜ୍ଜ୍ୱଳ ଆଖି ଦେଖିବାକୁ । ହାତ ଥରି ଉଠେ । ଭୟ ଓ ପୁଲକର ଉବ୍ଦେଳନରେ ଛାତି ଭିତରେ କିପରି କଅଣ ଅନୁଭବ କରେ ପ୍ରକାଶ କରିବାକୁ ଭାଷା ଖୋଜି ପାଉ ନାହିଁ । ଝୁଣ୍ଟି ପଡ଼ୁ ପଡ଼ୁ ରାଧାର ହାତ ଧରି ଅଟକି ରହେ । ରାଧା ମୋର ମନର ମଧୁର ବିଚଳିତ ଭାବ ଜାଣେ । ମୋ ମୁହଁକୁ ଚାହିଁ ସାମାନ୍ୟ ହସେ । ହସୁ ହସୁ ମୁହଁ ମୋର ମଉଳି ଯାଏ । ଆଖି ତଳକୁ କରି ମୁଁ ଆଡ଼କୁ ଚାଲେ ।

 

ଅମର ଭାଇ କେତେ ଦୂରରେ ହେଲେଣି । ବୋଉ ଆସି ମିଶି ଗଲାଣି ଆମ ସାଙ୍ଗରେ ।

 

ମନ୍ଦିର ପାଖରୁ ଫେରିଲା ବେଳକୁ ଖରା ଟାଣ ହୋଇଥିଲା । ପ୍ରବୋଧବାବୁ ବୋଉ ସଙ୍ଗେ ଆତ୍ମୀୟତା କରିନେଲେଣି । ବୋଉ ନିଃସଙ୍କୋଚରେ ତାଙ୍କ ସଙ୍ଗେ କଥା ଭାଷା ହୋଇ ଚାଲିଛି । ଅମର ଭାଇ ମଧ୍ୟ ତାଙ୍କ ସଙ୍ଗେ ସଙ୍ଗେ ଚାଲିଛନ୍ତି । ମୁଁ ଓ ରାଧା ପଛରେ ପଡ଼ି ଗଲୁଣି ।

 

ମୋର ଭାବନା କେଉଁ ଅଜଣା ସମୁଦ୍ରର ସଙ୍ଗେ ଉଠି ପଡ଼ି ଧାଇଁଥାଏ । ହତାଶା ଭିତରେ କେଉଁ କ୍ଷୀଣ ଆଶା ଆଲୁଅର ସନ୍ଧାନ ପାଇଥାଏ କହି ପାରିବି ନାହିଁ । ତାଙ୍କ ଆଡ଼କୁ ଚାହିଁ ମୁଁ ଚାଲିଥାଏ । ଅବଶ ଦେହ, ଉଦ୍ଦାମ ଭାବନା । ଅଜଣା ମୋହରେ ନିଜକୁ ଭୁଲି ଯାଇଥିଲି ।

 

ଝୁଣ୍ଟିଲି । ଖଣ୍ଡେ ଗୋଜା ପଥରରେ ଗୋଡ଼ ବାଜିଲା । ରାଧା ମୋ ବାହୁ ଧରି ଅଟକାଇ ନେଲା । କହିଲା, ତଳକୁ ଚାହିଁ ଚାଲୁନା ଦେଈ, ଦେଖେଁ କଅଣ ହେଲା ।

 

ସମସ୍ତେ ମୋଆଡ଼କୁ ଚାହିଁଲେ । ଲାଜରେ ମୋ ମୁହଁ ଜଳିଗଲା । କହିଲି, କିଛି ହୋଇନାହିଁ ।

ଦେଖିଲି, ମୋରବୁଢ଼ା ଆଙ୍ଗୁଠିର ନଖ ଦିଫାଳହୋଇ ରକ୍ତ ବାହାରୁଛି ।

 

ରାଧା ଦେଖି କହି ଉଠିଲା, ଗଲା, ନଖଟା, ଇସ୍, କେତେ ରକ୍ତ ବୋହୁଛି । ପଥୁରିଆ ବାଟ, ସାବଧାନ ହୋଇ ନ ଚାଲିଲେ ଏଇ ଦଶା ହୁଏ । କଅଣ କରିବିଟି ।

 

ସମସ୍ତେ ଫେରି ଆସିଲେ ମୋ ପାକକୁ । ଲାଜରେ ମୁଁ ମୁଣ୍ଡ ନୁଆଁଇଲି ।

ଅମର ଭାଇ ବ୍ୟସ୍ତ ହୋଇ ପଚାରିଲେ, କଅଣ ହେଲା ?

ପ୍ରବୋଧବାବୁ ଦୁଃଖିତ ହୋଇ ପଚାରିଲେ, କଅଣ ହେଲା ?

ଲାଜ ଲାଜହୋଇ ଦୁଇଜଣକୁ ଉତ୍ତର ଦେଲି, ଝୁଣ୍ଟିଲି, କିଛି ହୋଇ ନାହିଁ ।

ରାଧା କହିଲା, କିଛି ହୋଇନାହିଁ ? ନଖ ଫାଟି ରକ୍ତ ଝରୁଛି ।

 

ପ୍ରବୋଧବାବୁ ପକେଟରୁ ଖଣ୍ଡେ ରୁମାଲ ଟାଣିଲେ । ଫର୍ କରି ଚିରି କାହାରିକୁ ଅପେକ୍ଷା ନ କରି ହାତରେ ମୋର ପାଦ ଧରି ଉଠାଇଲେ । ରକ୍ତ ପୋଛି ଚିରା ରୁମାଲରେ ବୁଢ଼ା ଆଙ୍ଗୁଠିକୁ ବାନ୍ଧିଲେ । କନାଟିକୁ ଜୋରରେ ଭିଡ଼ୁଣୁ ମୋ ମୁହଁକୁ ଚାହିଁ କଁଳେଇ ପଚାରିଲେ, କାଟୁଛି କି ?

 

ସେହି ତ ମୋ ଜୀବନର ଗୋଟିଏ ଛାତିଥରା, ମନ ଦୋହଲା, ଆମୋଦ ଓ ଉତ୍ତେଜନାଭରା ଅଭୁଲା ମୁହୂର୍ତ୍ତ ! ତାଙ୍କ ହାତରେ ପରଶରେ ସାରା ଶରୀରରେ ବିଜୁଳିର ତରଙ୍ଗ ଖେଳିଗଲା । ମନରେ ଅକୁହା କୋହ । ସୁନେଲି ସପନ ସତ ହେବ କି ? କେଉଁ ଦେବତାର ଦୟାରୁ ତାଙ୍କରି ଅମୃତ ହାତର ସରାଗ ବୋଳା ପରଶ ସେମିତି ଲାଗି ରହିଥାଆନ୍ତା କି, ସମୟରେ ଢେଉ ଦେହରେ ବାଜି ଦୂରରୁ ଦୂରକୁ ମାଡ଼ିଯାଉଥାଆନ୍ତି, ମାସ ବର୍ଷ ଯୁଗ ଭାସି ଯାଉଥାନ୍ତା ସେହି ତରଙ୍ଗରେ, ମୋର ରକ୍ତାକ୍ତ ପାଦଟି ତାଙ୍କର ହାତ ପାପୁଲିରେ ସେମିତି ଦୁଃଖରେ, ବ୍ୟସ୍ତ ହୋଇ ସେ ପଚାରୁଥାଆନ୍ତେ, କାଟୁଛି କି ?

 

ମୋର ଦୁଇ ଆଖିରୁ ଲୁହଧାର ଝରି ପଡ଼ିଲା, ଥରି ଉଠିଲା ମୋର କଣ୍ଠସ୍ୱର, ଥଙ୍ଗେଇ ଥଙ୍ଗେଇ କହିଲି, ନାଇଁ ତ ।

 

ମୁହଁରେ ହସ ଫୁଟାଇ, ମୋର ମୁହଁକୁ ବିସ୍ମୟ ଓ ସ୍ନେହମିଶା କଅଁଳ ଦୃଷ୍ଟିରେ ଆଉଁସି କହିଲେ, ନାଇଁ ତ ? ଆଖିରେ ତୁମର ଲୁହ ଯେ !

 

 

ଆଖିରେ ଲୁହ ! କଅଣ ବୁଝନ୍ତେ ସେ ପୁରୁଷ ହୋଇ, କାହିଁକି ଆମେ କାନ୍ଦୁ, କାହିଁକି ଆମେ ହସୁ । ଓଠ ଉପରେ ମୋର ଚମକି ଉଠିଥିଲା ଅବାଧ୍ୟ ବିଜୁଳି, ହତାଶର ବାଦଲ ଭିତରେ ପୁଣି ହଜିଯିବାକୁ ।

 

ରକ୍ତବୋଳା ହାତକୁ ଆଉ ଖଣ୍ଡେ ରୁମାଲରେ ସେ ପୋଛିଲେ । ରୁମାଲଟି ଛାତି ପକେଟରେ ରଖିଲେ । ହସି ହସି ବୋଉକୁ କହିଲେ, ମାଉସୀ, ତମ ଗୀତାର ଧବଳେଶ୍ୱର ଆସିବା ଘଟଣା ଦିନାକେତେ ମନେ ରହିବ ।

 

ବୋଉ କହିଲା, ହଁ ପୁଅ, ମନେ ରହିବ । ଧବଳେଶ୍ୱର ଆସିବ ବୋଲି ସେ ଚାରିମାସ ହେଲା ମୋ ସଙ୍ଗେ ଲଗାଉଛି । ଅଥରପୀଟା ।

 

ବୋଉର ମନ୍ତବ୍ୟ ମୋତେ ଭଲ ଲାଗିଲା ନାହିଁ । କହିଲି, ଦିଅଁଙ୍କ ଦର୍ଶନ କରିବାକୁ ତୋର ମୋଟେ ମନ ନ ଥିଲା ପରା !

 

ପ୍ରବୋଧବାବୁ ମୋ ମୁହଁକୁ ଚାହିଁ ମୁଡ଼ୁକେଇ ହସିଲେ । ଲାଜରାହୋଇ ମୁଁ ଦୃଷ୍ଟି ନୁଆଁଇଲି ।

 

ରାଧା କହିଲା, ମନ ଥିଲା ଯେ ତମ ପରି ତ ଆଉ ସେ ତାଙ୍କର ଆଙ୍ଗୁଠି ଖଣ୍ଡିଆ କରି ନାହାନ୍ତି ? ହଉ, ତୁମେ ଏଥର ମୋ ପଛେ ପଛେ ଧୀରେ ଧୀରେ ଆସ । ଆବୁଡ଼ା ଖାବୁଡ଼ା ଟାଆଁସିଆ ବାଟ, ତଳକୁ ଦୃଷ୍ଟି ଦେଇ ଚାଲ ।

 

ରାଧାର ପଛେ ପଛେ ମୁଁ ଚାଲିଲି ସିନା, ଗୋଡ଼ ଅବାଟକୁ ମାଡ଼ି ଯାଉଥାଏ । ମୋ ପଛରେ ପ୍ରବୋଧବାବୁ ଚାଲି ଥାଆନ୍ତି । ଅମର ଭାଇ ସବା ଆଗରେ । ବୋଉକୁ କଅଣ ତୁନି ତୁନି କହୁ ଥାଆନ୍ତି ।

 

(୪୫)

 

ନଈକୂଳ ।

 

ଡଙ୍ଗା ପାଖକୁ ଆସି ପ୍ରବୋଧ ବାବୁ ବୋଉକୁ ପ୍ରଣାମ କଲେ । କହିଲେ, ଯାଅ ମାଉସି, ମୁଁ ଏଇଠି ସଞ୍ଜଯାଏ ରହିବି । ତମକୁ ଆଉ କେବେ ଦେଖି ନ ଥିଲି, କିନ୍ତୁ ତମର ସ୍ନେହରେ ମୁଁ ନିଜକୁ ପାଶୋରି ଯାଇଥିଲି ।

 

ବୋଉ କହିଲା, ତମ ପରି ପୁଅର ସଂସାରରେ ପର ହୋଇ କେହି ରହି ପାରିବେ ନାହିଁ ବାପା, ଠାକୁରେ ତମକୁ ଦୀର୍ଘାୟୁ କରନ୍ତୁ, ସୁଖରେ ରଖନ୍ତୁ ।

 

ମୋ ଆଖି ଛଳ ଛଳ ହେଲା ।

ବୋଉ ଅମର ଭାଇଙ୍କୁ କଣ ତୁନି ତୁନି କହିଲେ ।

ଡଙ୍ଗା ଛାଡ଼ିଲା ।

 

ସତେ କି ଗୋଟିଏ ଅତି ମୂଲ୍ୟବାନ ପଦାର୍ଥ ଛାଡ଼ି ଯାଇଛି । କୂଳକୁ ଚାହିଁଲି । ଦେଖିଲି, ତାଙ୍କର ଆଗ୍ରହଭରା ଆଖି ଦିଓଟି । ଚାହିଁଲି ଏକଦୃଷ୍ଟିରେ । ଆଖି ଲୁହରେ ତାଙ୍କ ରୂପଟି ଛପି ଯିବାଯାଏ ଅନାଇଁ ରହିଲି ।

 

ଆଉ ଦିନଟିଏ କଟକରେ ରହି ବିଭିନ୍ନ ସ୍ଥାନ ଦେଖିବାକୁ ଅମର ଭାଇ ବୋଉକୁ ଅଟକାଉ ଥିଲେ । ବୋଉ କେଜାଣି ରାଜି ହୋଇଆାଆନ୍ତା । ରାଧା ବୋଧହୁଏ ଆପତ୍ତି କରି ନ ଥାନ୍ତା । କିନ୍ତୁ ଗାଡ଼ିବାଲା ଦିନା ମଙ୍ଗିଲା ନାହିଁ । ଅଗତ୍ୟା ଖରାଏ ଖରାଏ ଆମେ ଗ୍ରାମକୁ ଫେରିଲୁ ।

 

ବାଟରେ ବୋଉ ତାଙ୍କୁ କେତେ ପ୍ରଶଂସା କଲା । କହିଲା, ଅତି ମେଳାପି ପିଲାଟି ପ୍ରବୋଧ, ପର ଆପଣା ଭେଦଭାବ ନାହିଁ । ବଡ଼ଲୋକୀ ଢଙ୍ଗ ମୋଟେ ନାହିଁ । ଅଳପ ସମୟ ଭିତରେ ସତେ କି ମୋତେ କିଣି ନେଲା ଲୋ, ମୁଁ ବି ସତେ କି ମଣିଲି ସେ ମୋର ନିଜ ଭଉଣୀର ପୁଅ ମୋର ପୁତୁରାଟିଏ ।

 

ରାଧା କହିଲା, । କେଡ଼େ ସୁନ୍ଦର, ଗୁଣର । ଗୀତାଟି ସତେ ଯେପରି ତା ନିଜ ଭଉଣୀ । ସେମିତି ବ୍ୟବହାର ସେ କଲା । ସଂସାରର ମାୟା ସାଆନ୍ତାଣି, ମୁହୂର୍ତ୍ତକରେ ପର ପୁଣି ମୁହୂର୍ତ୍ତକରେ ଆପଣାର । ଯାହାର ଭାଗ୍ୟ ଯାହା । ଗୀତାଟି ଜନମ ଦୁଃଖୀ । ସେଇଆ ତ କଟକ ଆସିବା ହେଲା, ଦିନକ ଆଗରୁ ଆସିଥିଲେ କଅଣ ହୋଇ ନ ଥାନ୍ତା ? ବିଧୁବାବୁ ଜବାବ ଦେଇ ସାରିଲେଣି । ଭାଗ୍ୟ ବାଟ କଢ଼ାଉଛି । ଯାହା ହାଣ୍ଡିରେ ଯିଏ ଚାଉଳ ପକାଇବ ଆଗରୁ କପାଳରେ ବିହି ଲେଖି ରଖିଛି । ଦଇବ ବିଧାନ କେ କରିବ ଆନ । କହନ୍ତି ପରା, ଯେଣେ ମନ ତେଣେ ଯା, ଭାଗ୍ୟ ଘେନି ବୁଲୁଥା ।

 

ବୋଉ କହିଲା, କିଏ ଜାଣିଥିଲା, ମଣିଷର କି ଚାରା ? ସତେଲୋ, ଠାକୁରେ ଯାହା ଭାଗ୍ୟରେ ଯାହା ଲେଖିଛନ୍ତି । ପୂର୍ବଜନ୍ମ ତପସ୍ୟାର ଫଳ ଭୋଗ କରିବାକୁ ହେବ । କେହି ଅନ୍ୟଥା କରି ପାରିବ ନାହିଁ ।

 

ଅମର ଭାଇ କହିଲେ, ବିଧୁବାବୁ ସିନା ଜବାବ ଦେଇଛନ୍ତି, ଯଦି ପ୍ରବୋଧବାବୁ କାଶୀବାବୁଙ୍କ ଝିଆରୀ ବିଷୟରେ ମତ ନ ଦିଅନ୍ତି, ସେ ପ୍ରସ୍ତାବ ଭାଙ୍ଗି ଦେବେ । ମୋର ଧାରଣା, –

 

କଥାଟି ଅଧା ରଖିଲେ ।

 

ଭାବିଲି, ପ୍ରବୋଧବାବୁ କଅଣ କହିବେ ? ବାପା ବୋଉଙ୍କର ଇଚ୍ଛା ବିରୁଦ୍ଧରେ ମତ ପ୍ରକାଶ କରିବେ ? ଆଗରେ ଉଭାହେଲା ତାଙ୍କର ହସିଲା ମୁହଁ, ଦିଶିଗଲା ତାଙ୍କର ଉଜ୍ଜ୍ୱଳ ଆଖି । ସେହି ଉଜ୍ଜ୍ୱଳ ଆଖି ଦିଓଟିରେ ଯାହା ମୁଁ ଦେଖିଥିଲି ମୋର ମନେ ହେଲା, ମୋ ପ୍ରଶ୍ନର ଉତ୍ତର ମୁଁ ପାଇଲି ।

 

ବୋଉ କହିଲା, ବାବୁ, ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବାକୁ ସମୟ କି ସମ୍ବଳ ମୋର ନାହିଁ । ଗୀତାର ବାପାଙ୍କ ବରଷିକିଆ ପୂରିଲେ ଯେଉଁଠୁ ଆଗ ସମ୍ୱନ୍ଧ ଆସିବ ସେଇଠି ମୁଁ ଜବାବ୍ ଦେବି । ଭଲମନ୍ଦ ଖୋଜିବାକୁ ଆଉ ବେଳ ନାହିଁ । ଝିଅ ଘିଅ ସମାନରେ ଅମୁ, ରହିଲେ ଗନ୍ଧ ।

 

ଟିକିଏ ଭାବି ବୋଉ ପଚାରିଲା ଅଜୁ ସମ୍ୱନ୍ଧରେ ବିମଳାର ସ୍ତ୍ରୀ ପ୍ରସ୍ତାବ ପକାଇବାକୁ ଆସିଥିଲା । କଅଣ ଭାବି କେଜାଣି ସମ୍ୱନ୍ଧ ଆଉ ପକାଇଲା ନାହିଁ । ରାଧା ହାତରେ କେତେଥର ଖବର ପଠାଇଲି । ସେ କହି ପଠାଇଲା,ତା ପାଇଁ ଆଉ କେଉଁଠି ଠିକ୍ ହେଲାଣି ।

 

ରାଧା କହିଲା, ହଁ, ମତେ ସେଇଆ ସେ କହିଲେ । ତମେ ଜାଣିଥିବ, କେଉଁଠି ତମ ଭାଇର ବାହାଘର ଠିକଣା ହେଲା ।

 

ଅମର ଭାଇ କହିଲେ, ମୁଁ କିଛି ଜାଣେ ନାହିଁ । ବିମଳା ଭାଇ କଅଣ କରୁଥିବେ ସେ ଜାଣନ୍ତି । ବ୍ୟସ୍ତ ହେଉଛ କାହିଁକି ? ଭାଗ୍ୟରେ ଥିଲେ ଗୀତାର ବାହାଘର ଏଇଠି ହେବ, ଦେଖିବ ରହ ।

 

ଅମର ଭାଇ ତାଙ୍କର ବସାକୁ ଯିବାକୁ ଆମକୁ ପୁଣି କେତେ ଅନୁରୋଧ କଲେ । ବୋଉ ଆଉ ମଙ୍ଗିଲା ନାହିଁ । ଗାଡ଼ିବାଲା ଦୀନା ତ୍ରୀବ ପ୍ରତିବାଦ କଲା, କହିଲା, ତାର କେତେ କାମ ମାରା ହେବ । ତା ସାନ ପୁଅକୁ ଜର । ଯେମିତି ହେଉ ସଞ୍ଜ ଆଗରୁ ଘରେ ପହଞ୍ଚିବାକୁ ହେବ ।

 

ଦେବୀଗଡ଼ା ଘାଟ ପାଖରେ ଆମକୁ ବିଦାୟ ଦେଇ ଅମର ଭାଇ ତାଙ୍କ ବସାକୁ ଫେରିଗଲେ ।

 

ଗାଡ଼ି ନଈ ଭିତରକୁ ଗଡ଼ିଲା ।

 

(୪୬)

 

ଘର ଛୁଆଣି ହେଲା । ଜମିଦାରଙ୍କର ଖଜଣା ଦିଆଗଲା । ଦିନ କେଇଟି ବେଶ୍ ଆନନ୍ଦରେ କଟିଲା । ନିତେଇ ଦାଦା ଆମର ବାରି ଚାରିପାଖେ ନିବୁଜବାଡ଼ ପକାଇ ଦେଲେ । କୂଅ ମୂଳକୁ ପାଣି ପାଇଁ ଗଲେ କି ସଜନା ଗଛରୁ ଛୁଇଁ ତୋଳିବାକୁ ଗଲେ ବାରିଟି ଆଖିରେ ପଡ଼େ । ମନରେ ଦୁଃଖ ହୁଏ ।

 

ବଉଳ ଗଛଟି, ତେବେ ସ୍ମୃତି ଘେନି ଠିଆ ହୋଇଛି । ସତେ କି ମୋର ଟିକିଏ ସ୍ପର୍ଶ ପାଇଁ କଅଁଳ ପବନରେ ହାତ ଠାରି ଡାକୁଛି । ଆଉ, ସେ ଦରଫୁଟିଲା ଚମ୍ପା କଢ଼ିଟି, ଜୁଳୁଜୁଳୁ କରି ଚାହିଁଛି ମୋଓରି ଆଡ଼କୁ । ସେ ସବୁ ଆଉ ଆମର ହୋଇ ରହିନାହିଁ । ସବୁ ହୋଇଛି ନିତେଇ ଦାଦିଙ୍କର ।

 

ଆଖିରେ ଲୁହ ଆସେ । ମନେ ପଡ଼ିଯାଏ କଟକରେ ସେହି ରାତିଟିର କଥା । ଅପରିଚିତ ପ୍ରବୋଧବାବୁଙ୍କ ହାତରେ ମୃଦୁଚାପ ମୋର କପାଳ ଉପରେ । ମନେପଡ଼େ, ସୁଖ ଦୁଃଖର ସପନ । ପୁଣି, ମୋର ରକ୍ତବୋଳା ପାଦରେ ତାଙ୍କ ହାତର ପରଶ । ବିଦାୟ ବେଳର ଭାବଭରା ଆଖି ଦିଓଟି ଦିଶିଯାଏ ।

 

ଆଙ୍ଗୁଠିର କ୍ଷତ ଭଲ ହୋଇ ଗଲାଣି, ଚିହ୍ନି ରହିଛି । ଛାତି ଭିତରର କ୍ଷତ ପୋଡ଼ି ଉଠେ-

ମନେପଡ଼େ କଟକ, ମନେପଡ଼େ ଧବଳେଶ୍ୱର ।

ଆଖିରେ ଲୁହ ଆସେ ।

 

ଗାଁରେ ଦୁର୍ନାମର ହାଟ ବସିଗଲା । ଲୋକେ କହିଲେ, ବଢ଼ିଲା ଝିଅକୁ ନେଇ ବେହିଆ ପରି କଟକ ସହରରେ ଦୁଇଦିନ କାଳ ବୁଲାଇଲେ । ନିଜର ମାନମହତ୍ତ୍ୱ ନାହିଁ ସିନା, ଲୋକମୁଖରେ ଦୁର୍ନାମ ରଟୁଛି । ଗାଡ଼ିବାଲା ଦୀନାଠାରୁ କଥା ନେଇ ତିଳକୁ ତାଳ କରି ଲୋକ ପ୍ରଚାର କଲେ ।

 

ବୋଉ ଶୁଣିଲା, ତୁନି ରହିଲା । ରାଧା ବୃଥାରେ କେତେ ଲୋକଙ୍କ ସଙ୍ଗେ ଝଗଡ଼ା କଲା-। ଫଳ ହେଲା, କଥା ମାଜିଲେ ମୋଟେ ।

 

(୪୭)

 

ଦିନେ ବିମଳାଭାଇର ସ୍ତ୍ରୀ ଧାଇଁ ଆସିଥିଲେ ଆମ ଘରକୁ । ଏକା ନୁହେଁ ସଙ୍ଗରେ ଆହୁରି ଦୁଇଜଣ ଗାଁ ମାଇପେ ଥିଲେ । ବୋଉ ତାଙ୍କୁ ଆଦର କରି ଘରେ ବସାଇଲା । ମୁଁ ପାନ ଭାଙ୍ଗି ବସିଲି । ଛାଇ ନେଉଟା ବେଳ ।

 

ମୁଣ୍ଡରେ ଓଢ଼ଣା ଦେଇ ବିନା ଅବତରଣିକାରେ ସେ ଆରମ୍ଭ କଲେ, ଖୁଡ଼ୀ, ଅଜୁର ବାହାଘର ଠିକଣା ହୋଇଗଲାଣି । ଏଇ ବୈଶାଖ ମାସରେ ହେବ ।

 

ଆଗ୍ରହ ଦେଖାଇ ବୋଉ କହିଲା, ସତେ, କେଉଁଠି ଠିକ୍ ହେଲା ?

 

ବିଶଳପଡ଼ାରେ । ଭଲ ଝିଅଟିଏ । ବୟସ ଷୋଳ କି ସତର ହେବ । ଦେବା ନେବା ଭଲ କରିବେ ।

 

ଅଜୁଭାଇର ବାହାଘର ସମ୍ବନ୍ଧରେ କଥା ଉଠାଇବାର କାରଣ ମୁଁ ଅନୁମାନ କରି ପାରିଲି ନାହିଁ । ତେବେ, ତାଙ୍କର ଯେ ବାହାଘର ସ୍ଥିର ହୋଇଛି ଏକଥା ଶୁଣି ଖୁସି ଲାଗିଲା । ଅମୁଭାଇଙ୍କ ହସ ହସ ମୁହଁ ଆସି ଆଗରେ ଉଭା ହେଲା ଆଉ ତା ପଛରେ ପ୍ରବୋଧ ବାବୁଙ୍କର ଆଖିଦିଓଟି, ଉଜ୍ଜ୍ୱଳ, ଭାବଭରା । ଗୁଆ କାଟୁ କାଟୁମୋ ହାତ ବନ୍ଦ ହୋଇଗଲା ।

 

କହିଲେ, ବାହାଘର ସିନା ଠିକ୍ ହେଲା ଖୁଡ଼ୀ, ଟଙ୍କା ପଇସା କାହିଁର କିଛି ଠିକ୍ ନାହିଁ । ଅଜୁ ତ ଘରେ, ନ ପାରିଲା ଲୋକ ପରି । ଅମୁ କୁଆଡ଼େ ଭଲ ରୋଜଗାର କରୁଛି । ହେଲେ, କୁସଙ୍ଗରେ ପଡ଼ି ପଇସା ଉଡ଼ାଉଛି । ଅବ୍ୟାଜରେ ଖରଚ କରୁଛି । ପାଞ୍ଚ ଖଣ୍ଡି ଗାଁର ଗଲା ଆଇଲା ଲୋକଯାଇଁ ତା ବସାରେ ପଶୁଛନ୍ତି । ସେ ସରଳିଆ ପିଲା । ଯିଏ ଯାହା ମାଗିଲେ ଦେଲା । ଟଙ୍କା ଏମିତି ଉଡ଼ୁଛି । ଘରକୁ ପଠାଇବ କଅଣ, ବାହାଘର ହେବ କିପରି ?

 

କଥାର ମର୍ମ ବୁଝିଲି । ତାଙ୍କ ବସାରେ ଯେ ଆମେ ରାତିଟିଏ କଟାଇଥିଲୁ ସେଥିପାଇଁ ବିମଳା ଭାଇର ସ୍ତ୍ରୀ ମନେ କରିଛନ୍ତି ନିଶ୍ଚୟ ଅମୁଭାଇ ଆମକୁ ଶହେ କି ଷାଠିଏ ଅଜାଡ଼ିଦେଇଚନ୍ତି-

 

ହସିଲି ।

 

ବୋଉ ତାଙ୍କର ଉଦ୍ଦେଶ୍ୟ ବୁଝି ପାରିଲା ନାହିଁ । କହିଲା, ହୋଇଥିବ ଲୋ ମା, ତମେ ତାକୁ ଜାବତା କରି ଚିଠି ଲେଖିଦିଅ । କାହିଁକି ସେ ଅବ୍ୟାଜରେ ଖରଚ କରିବ, କାହିଁକି ତାର ଦୁଃଖରେ ଅରଜିଲା ଧନ ପରଙ୍କ ପିଛା ଉଡ଼ାଇବ ?

 

ବିମଳା ଭାଇର ସ୍ତ୍ରୀ କହିଲେ ଆଜିକାଲିର ଟୋକାଟୋକୀ କାହାରି ଜାବତା ମାନୁନାହାନ୍ତି-। ନିଜ ହାତରେ ନିଜେ ଚଉଦ ପା । ଯାହା ଥିବ ତାଙ୍କ କପାଳେ । ଟିକିଏ ରହି ପଚାରିଲେ, ଗୀତା ପାଇଁ କେଉଁଠି ପାତ୍ର ଠିକଣା କଲ ? ଆଉ କେତେଦିନ ଧରି ବସିବ ?

 

ବୋଉ କହିଲା, ତା ବାପାଙ୍କର ଚାଲିଯିବାର ବରଷ ନ ପୂରିଲେ ବାହାଘର ହୋଇ ପାରିବ ନାହିଁ । ବରଷ ପୂରୁ, ଯେଉଁଠି ଦେଖି ଉଠାଇ ଦେବି ଲୋ ମା । ଗୀତା ସିନା ମୋର ଝିଅ, ତାଆର ବାପ ଭାଇ କେହି ନାହିଁ ଯେ ତା ପାଇଁ ଭାବିବ, ତମେ ସବୁ ତ ଅଛ । ଯେଉଁଠି କହିବ ସେଇଠି ହେବ ।

 

ବିମଳା ଭାଇର ସ୍ତ୍ରୀ କହିଲେ, ବରଷ ପୂରିବାକୁ ଅନାଇଁ ବସିଲେ ଆଉ ଚଳିବ ନାହିଁ । ଏଇ ବର୍ଷ ବୈଶାଖ କି ଜ୍ୟେଷ୍ଠ ମାସରେ ନିମିତ୍ୟ ଉଠାଇ ଦିଅ । ଦିନୁଦିନୁ ଝିଅ ବାଛନ୍ଦ ପଡ଼ିବ ।

 

ଯାହା ତା ଭାଗ୍ୟରେ ଥିବ ।

 

ବିମଳାଭାଇଙ୍କ ସ୍ତ୍ରୀ ଆଉ କେତେ କଣ କହିଥାନ୍ତେ । ଦାଣ୍ଡରୁ ରାଧାର ଡାକ ଶୁଣି ଧୀରେ ଧୀରେ ଉଠି ଚାଲିଗଲେ । ତାଙ୍କର ସାଙ୍ଗ ଦୁଇଜଣ ମଧ୍ୟ ତାଙ୍କର ଅନୁଗମନ କଲେ । ରାଧା ଆସି ବୋଉଠୁଁ ସବୁ ଶୁଣିଲା । ଆଖି ନାଲି କରି କହିଲା, ସତେ, ତାଙ୍କର ଅମରବାବୁଙ୍କୁ ଏତେ ପଇସା ମିଳେ ? ଭାରି କୁହାଳିଆ ପଡ଼ିଛି ବିମଳା ଭାରିଜା । କଅଁଳ ଲୁହା ବିଲେଇ କାମୁଡ଼େ ପରା-। ଭଲେଇ ହେବାକୁ ଆସିଥିଲା । ମହନି ସାଆନ୍ତଙ୍କ ଘରେ ସଭା ବସିଛି, ଶୁଣି ଆଇଲି, ବିମଳା ପାଟି କରି କହୁଛି, ଖାଲି ଗୀତାର ଦୁର୍ନାମ । ଆଉ କି ଚିନ୍ତା ତାଆର ? ସତେ ଯେମିତି ଗୀତାର ବୋଝ ତାଆରି ମୁଣ୍ଡରେ ଲଦା ହୋଇଛି । ଅଲାଜୁକ ।

 

ବୋଉ ଉଦ୍‌ବିଗ୍ନ ହୋଇ ପଚାରିଲା, କଅଣ ଶୁଣିପାଇଲୁ ? କଅଣ ସେମାନେ କହୁଛନ୍ତି-?

 

ରାଧା କହିଲା, ଶୁଣିବାକୁ ରହିଲି ନାହିଁ । ଦାମ ବାଧା ଦେଇ ପଦେ କହିଲା ବୋଲି ଲୋକେ ତାକୁ କାଉ ପରି ବେଢ଼ିଯାଇ ଶୋଧୁଛନ୍ତି । ମହନି ସାଆନ୍ତଙ୍କ ତୁଣ୍ଡରୁ ନ ବାହାରିବା କଥା ବାହାରୁଛି । ଗାଁ ଲୋକେ ପ୍ରସ୍ତାବ କରିଛନ୍ତି, ବୈଶାଖର ମଝି ତିଥିରେ ଗୀତାକୁ ଯେଉଁଠି ପାରି ସେଠି ବାହା ଦେବେ ।

 

ବୋଉ ହତାଶ ହୋଇ କାନ୍ଦିବାକୁ ଲାଗିଲା । ରାଧା ବୁଝାଇ କହିଲା, ତମେ ବ୍ୟସ୍ତ ହୁଅନାହିଁ । କେଉଁ ପାଣି କେଉଁ ସୁଅରେ ଯାଉଛି ଦେଖ । ଉପରେ ଧର୍ମ ଅଛି, ଭଲମନ୍ଦ ଦେଖୁଛି, ତମେ ହତାଶ ହୁଅନାହିଁ ।

 

ରାଧା ଚାଲିଗଲା ।

 

କବାଟ ବନ୍ଦ କରି ବୋଉ ମୋ ପାଖକୁ ଆସି ମୋତେ ଧରି କାନ୍ଦିବାକୁ ଲାଗିଲା । କହିଲା, ମାଲୋ, ସମସ୍ତେ ଏକାଠି ହୋଇ ତତେ ବୁଡ଼ାଇ ଦେବାକୁ ବସିଛନ୍ତି । ମୁଁ କଅଣ କରିବି ଲୋ ?

 

ବୋଉର ଦୁଃଖ ଦେଖି ମୋର ଦୁଃଖ ବଳେଇ ପଡ଼ିଲା । ଇଚ୍ଛା ହେଉଥିଲା ବୁଝାଇ କହିବାକୁ, ତୁ କାନ୍ଦ ନା ବୋଉ, ରାଜ୍ୟ ଯାକର ଲୋକେ ଏକାଠି ହେଲେ ବି କାହାରି ଭାଗ୍ୟ କେହି ବଦଳାଇ ପାରିବେ ନାହିଁ ।

 

ବୋଉକୁ କିଛି କହି ହେଲା ନାହିଁ ।

 

(୪୮)

 

ସେହିଦିନ ସଞ୍ଜରେ–

 

ସଞ୍ଜବତୀ ଲାଗିଲାବେଳକୁ ମହନି ଜେଠା ଆସି ମୋ ନାଁ ଧରି ଡାକ ଛାଡ଼ିଲେ । ଛାତି ଭୟରେ ଥରୁଥାଏ । ନଲଟଣ ଲଗାଇ ପିଣ୍ଡାରେ ଥୋଇ କବାଟ ଖୋଲିଲି । ଆଡ଼ହୋଇ ଭିତରକୁ ଆସିଲି । ବୋଉ ମଧ୍ୟ ଆଡ଼ହୋଇ ଘର ଭିତରକୁ ଆସିଲା ।

 

ମହନି ଜେଠା ଖଞ୍ଜା ଭିତରେ ପଶିଲେ । ତାଙ୍କ ପଛେ ପଛେ ଆହୁରି କେତେଜଣ ଲୋକ ଆସି ଦୁଆରେ ଠିଆ ହେଲେ । ବାସୁ ଦାଦା ଓ ଗୋକୁଳି ଭାଇ ଦୁହେଁ ଆସିଲେ ଦୁଆରବନ୍ଧକୁ ।

 

ବାସୁ ଦାଦା କହିଲେ, ଭାଉଜ ବୋଉ, ଆମେ ସବୁ ଆସିଛୁ ତମରି ପାଖକୁ । ମହନି ଭାଇ ବି ଆସିଛନ୍ତି ।

 

ବୋଉ ପଚାରିଲା, କାହିଁକି ?

 

ବାସୁ ଦାଦା କହିଲେ, ଗୀତା ବାହାଘର ପ୍ରସ୍ତାବ ନେଇ । ତମେ ନିରାଶ୍ରୟ ଲୋକ । ଭୋଳି ଭାଇ ଅସମୟରେ ଅନାଥ କରି ଚାଲିଗଲେ । ଯାହା ହେଉ, ଗୀତାର ବାହାଘର ତ ପୁଣି ହେବ । ହାତରେ ଧନ ନ ଥାଇ ବଡ଼ଘର ଖୋଜିବା, କି ସତର ଜାଗାରେ ଚାଖିବା ଠିକ୍ ନୁହେଁ ।

 

ଗୋକୁଳି ଭାଇ କହିଲେ, ଯଦି ବେଳ ବୟସ ଥାଆନ୍ତା, ସେ କଥା ସୁନ୍ଦର ଦିଶନ୍ତା । ଗୀତାକୁ ଏକୋଇଶି ପୂରିବାକୁ ବସିଲାଣି । ବାଇଶି ପଶିବା ଆନକୁ ଯେମିତି ହେଲେ ତାର ବାହାଘର କରିବାକୁ ହେବ ।

 

ବିମଳା ଭାଇ ଦୁଆରୁ ଡାକି କହିଲେ, ନୋହିଲେ ଏ ଗାଁରେ ଆଉ କେହି ଝିଅ ବାହାଘର କରିପାରିବେ ନାହିଁ । ଯେଉଁ ଗାଁରେ, ଯେଉଁ ଝିଅର ପ୍ରସ୍ତାବ ପଡ଼ୁଛି ଲୋକେ ଭାଙ୍ଗିଦେଇ କହୁଛନ୍ତି, ଛି ଛି, ନରାଙ୍ଗ ଗାଁର ଝିଅଗୁଡ଼ା ଦରବୁଢ଼ୀ । ଆହୁରି ଯାହା କହନ୍ତି, କାନରେ ହାତ ଦେବ ।

 

ବୋଉ ସମସ୍ତଙ୍କୁ ଶୁଣାଇ କହିଲା, ପରଝିଅବୋଲି ଗୀତାକୁ ଉଡ଼ାଇ ଦିଅ ନା ଗୋକୁଳି, ତାକୁ ଊଣେଇଶି ବର୍ଷ ଚାଲିଛି । ଏଇ ଗାଁରେ ମୋ ଦେଖାନ୍ତିରେ କେତେ ଝିଅ ଚବିଶି ପଚିଶିରେ ବାହା ହେଇଛନ୍ତି । ସେଇ ବୟସର ଝିଅମାନେ ତ ବୋହୂହୋଇ ଆସୁଛନ୍ତି । ଆଜି ଗୀତାର ବାପ ନାହିଁ ବୋଲି ତା ବିଷୟରେ ମିଛ କହିବାକୁ ଲୋକେ ସାହସ କଲେ । ବାପ ନାହିଁ ସିନା, ତମେ ମାନେ ତ ଅଛ, ତା ଚିନ୍ତା ପୁଣି ତମମାନଙ୍କୁ ଲାଗିଛି –

 

ମହନି ଜେଠା ଖୁସି ହୋଇ ଦୁଆରୁ କହିଲେ, ଗୀତା ବୋଉଙ୍କୁ ମୁଁ ଆରମ୍ଭରୁ ଜାଣେ । ସେ ଭଲ ମଣିଷ, ଭଲ କଥା ଶୁଣନ୍ତି । ବୁଢ଼ାହେଲିଣି, ତାଙ୍କର ଛାଇ ଦିନେ ଦେଖି ନାହିଁ । ଗୀତାର ଭାର ସେ ତମ ଉପରେ ଦେଲେ । ତମେ ଏଥର ବୁଝିସୁଝି । ତାକୁ ଉଠାଇ ଦିଅ ।

 

ବୋଉ ତାଙ୍କ କଥାରେ କାନ ନ ଦେଇ କହିଲା ଅତି ସାହସରେ, ତମମାନଙ୍କ ଝିଅ ପାଇଁ ପାତ୍ର ଜୁଟୁନାହାନ୍ତି, ପର ଗାଁର ଲୋକେ ବାରକଥା କହୁଛନ୍ତି, ସେଥିପାଇଁ ମୁଁ ଦାୟୀ ନୁହେଁ କି ଗୀତା ଦାୟୀ ନୁହେଁ ଗୋକୁଳି,ଦାୟୀ ତମେମାନେ । ତମରିମାନଙ୍କ ଦୋଷ ମୁଁ ଦେଉଛି ।

 

କିଏ ଜଣେ ପଚାରିଲା, କାହିଁକି ?

 

ବୋଉ ଉତ୍ତେଜିତ ହୋଇ କହିଲା, ଗୀତାର ବୟସ କଅଣ ପରଗାଁର ଲୋକଙ୍କୁ ଜଣାଥିଲା ? ଗୀତାର ଜନ୍ମ ଜାତକ କିଏ ଜାଣେ ? ସମସ୍ତେ ତମେ ତିଳକୁ ତାଳ କରି କହିଛ । ଲୋକଙ୍କ ଆଗରେ ନିନ୍ଦା କରିଛ । ଗୀତାର ହାନୀଲାଭ, ଭଲମନ୍ଦ କେହି କେଭେ ବୁଝିଛ ଭଲା ? ଯିଏ ଦୟା ପାଇ ପଦେ ପଚାରିଲା, ଓଲଟି ତା ନାମରେ ଉଠାଇଛ ଦୁର୍ନାମ ।

 

ସମସ୍ତେ ତୁନି ହେଲେ ।

 

ମହନି ଜେଠା ତୁଣ୍ଡ ଖୋଲିଲେ, ଛାଡ଼, ସେ ସବୁ ବାଜେ କଥାରୁ କଅଣ ମିଳିବ ? ମୁଁ କହୁଛି, ଗୀତାର ବାହାଘର ଆସନ୍ତା ବୈଶାଖ ମାସରେ କରିବାକୁ ହେବ । ଭୋଳି ମରିବାର ବର୍ଷ ପୂରିବାଯାଏ ଅପେକ୍ଷା କରି ହେବ ନାହିଁ । ତାକୁ ତମ କହିବା ମତେ କୋଡ଼ିଏ ବର୍ଷ ଚାଲିବ । ଯୋଡ଼ା ବର୍ଷରେ ବାହାଘର ହୋଇ ପାରେ ନାହିଁ । ମିଛଟାରେ ଡେରି ଡେରି ହୋଇଯିବ ।

 

ଗୋକୁଳିଭାଇ କହିଲେ, ଅସମୟରେ ନିୟମ ଧରି ବସିଲେ ଚଳିବ ନାହିଁ । ସବୁ ବିଷୟରେ ସର୍ବମଙ୍ଗଳ ଜଗନ୍ନାଥ କରିବା ଭଲ ।

 

ବୋଉ କହିଲା, ମୋର ମତାମତ ପଚାରୁଛ କାହିଁକି ? ଯାହା ତୁମମାନଙ୍କୁ ଭଲ ଦିଶୁଛି କର । ତାଆର ବାପ ନାହିଁ, ତୁମେମାନେ ତାର ବାପା, ଦାଦି, ବଡ଼ବାପ । ତୁମର ସବୁ ବି ଝିଅ ଅଛନ୍ତି । ଆଉ ଅଧିକ ମୁଁ କଅଣ କହିବି ?

 

ଆଖିରୁ ଲୁହ ପୋଛିଲା ।

 

ମହନି ଜେଠା କହିଲେ, ଭଲ ପାତ୍ରଟିଏ ସ୍ଥିର କରିବାର ଦାୟିତ୍ୱ ଆମର ରହିଲା । ଗୀତାବୋଉ ନିଶ୍ଚିନ୍ତ ରହନ୍ତୁ । ଆସରେ ପିଲାଏ ।

 

(୪୯)

 

ଗାଁ ଲୋକେ ଫେରିଗଲେ ।

 

ବୋଉ କିଛି ନ କହି ଡିବିରି ଲଗାଇ ରୋଷଘରକୁ ଗଲା । ମୁଁ ତୁନି ହୋଇଶୋଇ ଏଣୁତେଣୁ ବାରକଥା ଭାବିବାକୁ ଲାଗିଲି । କଟକ ଓ ଧବଳେଶ୍ୱର ଘଟଣା ଗୁଡ଼ିକ ମନକୁ ଆସୁ ଆସୁଭଙ୍ଗାବଉଦର ଚଳନ୍ତି ଛାଇ ପରି କୁଆଡ଼େ ଉଭେଇ ଗଲା । ଲାଗିଲା ଗୋଟିଏ ସ୍ୱପ୍ନ ପରି । କାହିଁକି ଆଉ ସେ ଆଶା ? କାହିଁକି ସେ ବିଷୟରେ ଭାବନା ?

 

ଖାଇ ପିଇ ମା ଝିଅ ଦିହେଁ ସହଳ ଶୋଇ ପଡ଼ିଲୁ । କାହାରିକୁ ନିଦ ହେଲା ନାହିଁ । ଦିହେଁ ନିଜ ନିଜ ଭାବନାରେ ବୁଡ଼ିରହିଲୁଁ ।

 

ଚାରିଘଡ଼ିଆ ଜହ୍ନ କେତେବେଳୁ ବୁଡ଼ି ଗଲାଣି । ଅନ୍ଧାର ଘୋଟି ଗଲାଣି ଦୁନିଆଁ ସାରା । ଖୋଲା ଝରକା ବାଟେ ବାଟବଣାହୋଇ ନଈକୂଳିଆ ପବନ ତୁହାଇ ତୁହାଇ ଭିତରକୁ ପଶି ଆସୁଛି-। ଏ ପାଖ ସେ ପାଖ ଖୋଜିଚୋରପରି ଛପି ଛପି ଫେରି ଯାଉଛି ।

 

କିଏ ବାରି କବାଟ ଧଡ଼ଧଡ଼ କରି ଡାକିଲା, ଖୁଡ଼ୀ, ଖୁଡ଼ୀ, ଗୀତା, ଗୀତା–

 

ଦାମଭାଇଙ୍କର ପାଟି ପରି ଶୁଭିଲା । ଚମକି ଉଠିଲି । ଦିନେ ନାହିଁ, କାଳେ ନାହିଁ, ହଠାତ୍ ରାତି ଅଧରେ ଆସି ଏପରି ଡାକିବାରେ କାରଣ କଅଣ ? ନିଶ୍ଚୟ ଗୋଟାଏ ଗୁରୁତର ଘଟଣା ନେଇ ସେ ଆସିଛନ୍ତି ।

 

ବୋଉ କହିଲା, ଦାମର ପାଟିପରି ଶୁଭୁଛି ।

ମୁଁ କହିଲି, ହଁ ବୋଉ ଦାମଭାଇ ।

 

ବୋଉ ମନକୁ ମନ କହିଦେଲା, ଏତେ ରାତିରେ କାହିଁକି ଆସିଛି, ବୁଝେଁ । ମୋତେ କହିଲା, ତୁ ଶୋଇଥାଲୋ, ଉଠିବା ଦରକାର ନାହିଁ ।

 

ନିଜେ ଉଠିଗଲା । ଦାମଭାଇ ଆସି ସେହି ଅନ୍ଧାରରେ ପିଣ୍ଡାରେ ବସିଲେ, ବୋଉ ପାଖରେ । ଘଟଣା କଅଣ ଭଲ କରି ବୁଝିବାପାଇଁ ମୁଁ ଗୋଡ଼ ଚିପି ଚିପି କବାଟ ପାଖକୁ ଯାଇ କାନ ପାରିଲି ।

 

ଦାମଭାଇ କହିଲେ, ଖୁଡ଼ୀ, ମୋତେ ଦେଖି ତମେ ଆଶ୍ଚର୍ଯ୍ୟ ହେଉଛ ପରା । ଲୋକେ ମିଛରେ ବାରକଥା କହୁଛନ୍ତି ବୋଲି ମୁଁ ଆଜିକାଲି ଆଉ ଏଣେ ଆସେ ନାହିଁ । ତୁମର କିଛି ଲାଭ ନାହିଁ । ବୃଥାରେ ମୋ ପାଇଁ ଅପବାଦ ଶୁଣିବ କାହିଁକି, ଅପମାନ ପାଇବ କାହିଁକି ?

 

ବୋଉ ଉତ୍ତର ଦେଲା ନାହିଁ ।

 

ଦାମଭାଇ କହିବାକୁ ଲାଗିଲେ, ଆଜି ଗୋଟାଏ ଘଟଣା ଘଟିଲା ଖୁଡ଼ୀ, ଯେଉଁଥିପାଇଁ ମୁଁ ସାବଧାନ କରିଦେବାକୁ ଅସମୟରେ ଆସିବାକୁ ବାଧ୍ୟ ହେଲି । ମୋର ଦେହ ସହିଲା ନାହିଁ । ଆମରି ଘରେ ବସି ଗାଁ ଲୋକେ ବିଚାର କରୁଛନ୍ତି, ବୈଶାଖ ଏକୋଇଶି ଦିନ ଜଟିଆ ସଙ୍ଗରେ ଗୀତାର ବାହାଘର କରିବେ । କାଲି ସକାଳେ ତମର ମତାମତ ପଚାରିବାକୁ ଆସିବେ । ଇଚ୍ଛା ହେଉଥିଲା, ମୁଁ ସେଇଠି ପ୍ରତିବାଦ କରିବି; କିନ୍ତୁ ଭାବିଲି ମୋ କଥା କେହି ଶୁଣିବେ ନାହିଁ । ଲୋକେ ହସିବେ । ତେଣୁ, ତମକୁ ସାବଧାନ କରିଦେବାକୁ ଆସିଲି । କାଲି ଯଦି କେହି ଆସି ତମର ମତାମତ ମାଗେ, ତମେ ସଫା ନାଁ କରିଦେବ ।

 

ତାଙ୍କର ପ୍ରତି କଥା ଭିତରୁ ଉଦ୍‌ବିଗ୍ନତା ଫୁଟି ବାହାରୁଥିଲା ।

ବୋଉ ପଚାରିଲା, ଏଥିରେ ତମ ବାପାଙ୍କର ମତ ଅଛି ?

 

ଦାମଭାଇ କହିଲେ, ଲୋକେ ତାଙ୍କର ମୁଣ୍ଡ ବିଗାଡ଼ି ଦେଇ ସାରିଛନ୍ତି । ତାଙ୍କର ମତାମତ ମୂଲ୍ୟ କଅଣ ? ସେହି ତ ଏ ପ୍ରସ୍ତାବ ପ୍ରଥମେ ଉଠାଇଥିଲେ । ମନେ ନାହିଁ, ସେ ଦିନ ତାଙ୍କର ଆଦେଶରେ ମୁଁ ତୁମକୁ ପଚାରିବାକୁ ଆସିଥିଲି ?

 

ବୋଉ ଥଙ୍ଗେଇ ଥଙ୍ଗେଇ କହିଲା, ମନେ ଅଛି ।

ଦାମଭାଇ କହିଲେ, ତେବେ, ତାଙ୍କର ମତାମତ ଶୁଣି ଲାଭ ନାହିଁ ।

 

ବୋଉ କହିଲା, ସେମାନଙ୍କୁ କଥାରେ ମୁଁ ଆଉ ବାଧା ଦେଇ ପାରିବି ନାହିଁ ଦାମ, ମୋର ସେ ସାହସ ନାହିଁ, ବଳ ନାହିଁ ।

 

ଦାମଭାଇ ଉତ୍ତେଜିତ ହୋଇ କହିଲେ, ବାଧା ଦେଇ ପାରିବ ନାହିଁ ? ଜାଣୁ ଜାଣୁ ଗୀତାକୁ ଦରିଆ ମଝିକୁ ଠେଲିଦେବ !

 

ବୋଉ କହିଲା, ଯାହା ଥିବ ତା ଭାଗ୍ୟରେ । ଜାଣି ଜାଣି ଯଦି ଗାଁ ଲୋକେ ତାକୁ ଦରିଆକୁ ଠେଲି ଦେବେ ଦେଉନ୍ତୁ । ତାଙ୍କର ଧର୍ମ ତାଙ୍କଠି । ଗାଁ ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଠିଆହୋଇ ଗୀତାକୁ ବାହା କରିପାରିବି ନାହିଁ । ଦୁର୍ନାମର ବୋଝ ମୁଣ୍ଡରେ ବୋହି ଚଳିବି କେତେ ଦିନ ?

 

ଦାମ ଭାଇ କହିଲେ, ତା ବୋଲି ତାକୁ ଯେଉଁଠି ପାରି ସେଠି– ।

 

ବାଧା ଦେଇ ବୋଉ କହିଲା, ବାବୁ, ଗୀତାର ଅଭିଆଡ଼ୀ ଦୋଷ କଟିବ । ତା ବୋଝ ଆଉ ମୋତେ ଲାଗିବ ନାହିଁ । ତା ନାମରେ ଅପବାଦ ରଟିବ ନାହିଁ । ତା ପାଇଁ ଆଉ ପଞ୍ଚଟା ଝିଅ ବାଛନ୍ଦ ପଡ଼ିବେ ନାହିଁ ।

 

ବୋଉସ୍ୱର ଥରି ଉଠିଲା । ବୁଝିଲି ତାର ପ୍ରାଣ କାନ୍ଦି ଉଠୁଛି । ଚାରି ଆଡ଼ ଅନ୍ଧାର ଦୁଶୁଛି-। ସେହି ଅନ୍ଧାର ଭିତରେ ଟିକିଏ ଆଲୋକ ଖୋଜୁଛି । ଆଲୁଅ ମୋର ବିଭାଘର, ଯେଉଁଠି ହେଉ ପଛେ ।

 

ଦାମଭାଇ ଗମ୍ଭୀର ହେଲେ । ପୁଣି କହିଲେ, ଗୀତା ଆଉ ଜଟିଆ ! ଜଟିଆ ମୂର୍ଖ । ପ୍ରାଣ ଯାଉଛି କି ଆସୁଛି । ଶ୍ୱାସରୋଗୀ । ଚାରିପଇସା ରୋଜଗାର କରିବାର ଶକ୍ତି ନାହିଁ । ଜଟିଆ ସଳଖ ହୋଇ ଠିଆ ହୋଇ ପାରେ ନାହିଁ । ମୁହଁକୁ ଚାହିଁ କଥା କହିପାରେ ନାହିଁ । ଖୁଡ଼ୀ ଜାଣି ଜାଣି ଗୀତାକୁ ଏପରି ଅପାତ୍ରରେ ଦେବା ଆଗରୁ ତାକୁ ଜହର ଦେଇ ମାରିଦେଉନା, ନିଶ୍ଚିନ୍ତ ହେବାକୁ ଚାହୁଁଚ ତ ? ସେମିତି ବି ତା ନେଇ ତମେ ନିଶ୍ଚିନ୍ତ ହେବ ।

 

ବୋଉ ଉତ୍ତର ଦେଲା, ଜଟିଆ ଯଦି ମୋର ପୁଅ ହୋଇଥାଆନ୍ତା ମୁଁ କଅଣ କରନ୍ତି ? ମରଦ ପୁଅର ରୂପ ଗୁଣ ବି ବାଛିବି ନାହିଁ ।

 

ଦାମ ଭାଇ କହିଲେ, ଜଟିଆ ତୁମର ପୁଅ ନୁହେଁ । ଜଟିଆ ତୁମର ପୁଅ ହୋଇଥିଲେ ଏପରି ହୋଇ ନ ଥାନ୍ତା ।

 

ବୋଉ କହିଲା, ବାପା, ଭାଗ୍ୟରୁ ବଳି ବଡ଼ ଆଉ କେହି ନାହିଁ । ଭାଗ୍ୟରେ ଯଦି ଥିବ,ଜଟିଆ ହେବ ମୋର ପୁଅ, ଆଉ ସେହି ଜଟିଆକୁ ଦିନେ ଲୋକେ ଧନ୍ୟ ଧନ୍ୟ କହିବେ । ଯିଏ ଯାହା କରିବାର କରୁ ମୁଁ ଆଉ ଆପତ୍ତି କରି ପାରିବି ନାହିଁ କି ବାଧା ଦେବି ନାହିଁ ।

 

ଦାମଭାଇ ପଚାରିଲେ, ଗୀତା କଣ ଶୋଇ ପଡ଼ିଛି ? ଅନେକ ଦିନ ହେଲା ତା ସଙ୍ଗରେ ଦେଖା ହୋଇନାହିଁ ।

 

ଗୀତା ଶୋଇପଡ଼ିଛି ।

ଉଠେଇଲେ ଉଠିବ ନାହିଁ ?

ତା ଦେହ ଭଲ ନାହିଁ ।

 

ଦାମ ଭାଇ ଦୀର୍ଘ ନିଃଶ୍ୱାସ ଛାଡ଼ି ଉଠିଲେ । କବାଟ କିଳି ବୋଉ ଆସି ତୁନି ହୋଇମୋ ପାଖରେ ଶୋଇଲା । କିଛି କହିଲା ନାହିଁ କି ପଚାରିଲା ନାହିଁ ।

 

(୫୦)

 

କେତେ ଦିନ କଟିଗଲା । ଗାଁ ଲୋକଙ୍କର ଦେଖା ଦର୍ଶନ ମିଳିଲା ନାହିଁ । ଜଟିଆ ସମ୍ୱନ୍ଧ ନେଇ ଦାମଭାଇ ଯାହା କହିଲେ ମିଛ ସତ ବୁଝିବାକୁ ଉପାୟ ରହିଲା ନାହିଁ ।

 

ଦିନ ଦିପହରେ ରାଧା ଆସିଲା । ବ୍ୟସ୍ତ ଦେଖାଯାଉ ଥାଏ । ବୋଉ ବାରିଆଡ଼କୁ ଡାକି ନେଲା । ସେମାନେ କଅଣ କଥାଭାଷା ହେଲେ ମୁଁ ଜାଣିପାରିଲି ନାହିଁ । ବାଁରେଇ ହୋଇ କାମ ବାହାନାରେ ବାରିଆଡ଼କୁ ଗଲି । ଦେଖିଲି, ରାଧା ହାତ ହଲାଇ କଣ କହୁଛି, ଆଉ ବୋଉ ଆଖିରୁ ଲୁହ ପୋଛୁଛି ।

 

ଫେରି ଆସିଲି । ଆଖି ଲୁହରେ ଧୁଆ ମୋ ଜୀବନ, ଆଖି ଲୁହ ଦେଖି ଅସ୍ଥିର ହେବି କାହିଁକି ?

 

ବୋଉ ଓ ରାଧା ଫେରି ଆସିଲେ ଖଞ୍ଜା ଭିତରକୁ । ବୋଉ ଘର ଭିତରକୁ ଗଲା । ରାଧା ମୋ ପାଖକୁ ଆସି ଆଖି ଛଳଛଳ କରି ମୋ ଓଠ ଧରି ତୁନି ତୁନି କହିଲା, ଦେଈ, ଦାମର ସ୍ତ୍ରୀ ଆଜି କନିଅର ମଞ୍ଜି ବାଟି ଖାଇବାକୁ ବସିଥିଲା, ଧରା ପଡ଼ିଲା । ବାର କଥା ଲାଗିଛି । କେତେ ଅରୁଚା ପରୁଚା ହେଉଛି ।

 

ଦାମଭାଇଙ୍କ ସ୍ତ୍ରୀ କନିଅର ମଞ୍ଜି ବାଟି ଖାଇବାକୁ ବସିଥିଲେ । ତା ସଙ୍ଗେ ବୋଉ ବା ରାଧା ଆଖିରେ ଲୁହର କି ସମ୍ୱନ୍ଧ ଅଛି, ମୁଁ ବୁଝିପାରିଲି ନାହିଁ । ଡରି ଡରି ପଚାରିଲି, କାହିଁକି ଲୋ ରାଧା ?

 

ରାଧା କହିଲା, ସ୍ୱାମୀ ସ୍ତ୍ରୀ ଭିତରେ କଜିଆ । ଦାମ ତ ତେଢ଼ାଲୋକ, ଆଉ ତା ସ୍ତ୍ରୀ ବି ବଡ଼ ଅବୁଝା । ଦେଈ ଗୋଟିଏ କଥା କହୁଛି ମନେ ରଖିବ, ଦାମ କି ଆଉ କେହି ଆସିଲେ ତମେ ତାଙ୍କ ଆଗରେ ଠିଆ ହେବ ନାହିଁ ।

 

ଭାବିଲି, ବୋଧହୁଏ ମୋଓରି ନେଇ ତାଙ୍କ ଘରେ କିଛି କାଣ୍ଡ ଘଟିଛି । ଘଟୁ । ସେଥିରୁ ମତେ କଅଣ ମିଳିବ ।

 

(୫୧)

 

ବୋଉ ଯେତେ ଗମ୍ଭୀର ହେବାକୁ ଚେଷ୍ଟା କଲେ ବି ତା ପେଟରେ କଥା ଛପି ପାରେ ନହିଁ । ଅତି କଷ୍ଟରେ ଦି ତିନି ଦିନ ତୁନି ରହେ । ଶେଷକୁ ନିଜ ମନକୁ ସେ ସବୁ କହି ପକାଏ । ପରଦିନ ଘଟଣାଟା ସେ ମୋତେ ବୁଝାଇ ଦେଲା ।

 

ଦାମଭାଇ ସେଦିନ ରାତିଅଧରେ ଆମ ଘରୁ ଫେରିଲେ । ସେଥିପାଇଁ ତାଙ୍କ ସ୍ତ୍ରୀ ଆଗରେ ତାଙ୍କୁ ଜବାବ୍‌ ଦେବାକୁ ପଡ଼ିଲା । ଯେତେ ବୁଝାଇଲେ ସେ ବୁଝିଲେ ନାହିଁ । ବୃଥାରେ ଝଗଡ଼ା ସୃଷ୍ଟି କଲେ । ଅଶାନ୍ତିରୁ ରକ୍ଷା ପାଇବାକୁ ତାଙ୍କୁ ସବୁ କଥା ସତ ସତ କହିଗଲେ । ବାହାରକୁ ଅଶାନ୍ତିଟା ଅବଶ୍ୟ କମିଗଲା, କିନ୍ତୁ ତାଙ୍କ ସ୍ତ୍ରୀ ମନରେ ସନ୍ଦେହ ନିଆଁ ଜଳିବାକୁ ଲାଗିଲା-। ଶେଷକୁ ଏହି କୀର୍ତ୍ତି କରି ବସିଲେ ।

 

ଫଳରେ ମୋହନି ଜେଠା ସ୍ଥିର କରିଛନ୍ତି ଯେ କୌଣସିମତେ ଏଇ ବୈଶାଖରେ ଜଟିଆ ସଙ୍ଗେ ମୋର ବାହାଘର ଦେବେ । କାହାରି ବାଧା ମାନିବେ ନାହିଁ । ଆଉ ଯଦି କେହି ବାଧାଦିଏ, ସେ ତାର ସର୍ବନାଶ କରିବେ ।

 

ସେଇଦିନ ସଞ୍ଜବୁଡ଼େ ମହନି ଜେଠା ଆମ ଘରକୁ ଆସିଲେ । ତାଙ୍କ ସଙ୍ଗେ ତାଙ୍କ ଗୁମାସ୍ତା ହାଡ଼ିବନ୍ଧୁ, ବିମଳା ଭାଇ ଓ ନିତେଇ ଦାଦା ଆସିଥିଲେ । କେଜାଣି କିପରି ଆଗରୁ ଖବର ପାଇ ରାଧା ଆସି ପହଞ୍ଚିଲା । ବୋଉର କହିବାମତେ ବାବୁମାନଙ୍କୁ ସେ ବାରଣ୍ଡାରେ ବସାଇଲା । ନଲଟଣ ଲଗାଇ ପାଖରେ ଥୋଇଦେଲା ।

 

ମୁଁ କବାଟ କଣରେ ଲୁଚିଲି । ବୋଉଆଡ଼ହୋଇ ଦୁଆର ବନ୍ଧ ପାଖେ ରାଧା ପଛରେ ଠିଆ ହେଲା ।

 

ନିତେଇ ଦାଦା କହିଲେ, ଭାଉଜବୋଉ, ମହନିଭାଇ ଗୀତାର ବାହାଘର କଥା ତୁମକୁ ପଚାରିବାକୁ ଆସିଛନ୍ତି । ହାଡ଼ିବନ୍ଧୁର ସାନଭାଇ ଜଟକୁ ତମେ ଦେଖିଥିବ । ବରପକ୍ଷର ରାଜି । ତମର ମତ ଜାଣିଲେ ଏଇ ବୈଶାଖରେ ବାହାଘରର ଆୟୋଜନ କରାହେବ ।

 

ବିମଳ ଭାଇ କହିଲେ, ଜଟଟି ଭଲପିଲା ସ୍ୱଭାବ ଚରିତ୍ର ଭାରି ଉତ୍ତମ । ମୋ ମତରେ ସେଇଠି ହେଲେ ଗୀତା ଭଲରେ ରହିବ ।

 

ମହନି ଜେଠା କହିଲେ, ଶୁଣ ହେ ହାଡ଼ିବନ୍ଧୁ, ଗରିବ ହେଲେ କଅଣ ହେଲା, ବାପ ମାଆଙ୍କର ଆଖିର ପିତୁଳା ଗୀତା । ଭୋଳି ଆଜି ନୁହିଁ, କିନ୍ତୁ ଯେତିକି ଦିନ ବଞ୍ଚିଥିଲା, ଗୀତାକୁ ଅତି ଗେଲବସର କରି ବଢ଼ାଇଥିଲା । ତମେ ତାକୁ ପିଲାଦିନୁ ଦେଖୁଛ; ତାର ଢ଼ଙ୍ଗଢ଼ାଙ୍ଗ ସ୍ୱଭାବ ଚରିତ୍ର ସବୁ ଜାଣ । ତାର ଯେପରି ଅସୁବିଧା ନ ହୁଏ, ସେ ଯେପରି ଦୁଃଖରେ ନ କାନ୍ଦେ, ସେତକ ଦେଖିବ-

 

ହାଡ଼ିବନ୍ଧୁ କହିଲେ, ଆପଣ ମୋର ଅନ୍ନଦାତା । ଆପଣଙ୍କ ଆଗରେ ବଡତି କରି କହିବି ନାହିଁ । ସୁନା ମୋର ଝିଅ କିନ୍ତୁ ଗୀତା ଦେଈ ମୋ ଘରକୁ ଗଲେ ସେ ହେବ ମୋର ଆଗ । ତା ପରେ ଆଉ ଗୋଟିଏ କଥା କହିବାକୁ ମୋର ସାହାସ ହେଉନାହିଁ ।

 

ବିମଳା ଭାଇ କହିଲେ, କହ କହ । ବାହା ନିମିତ୍ୟ ବିଷୟରେ ସବୁ ସନ୍ଦେହ ଆଗରୁ ତୁଟାଇ ଦେବା ଭଲ ।

 

ହାଡ଼ିବନ୍ଧୁ କହିଲେ, ଜଟିର ବାହାଘର ହୋଇଗଲେ, ମାଉସୀ ଏଠି ଚଳିବେ କିପରି ? ଘରେ ସମ୍ପତ୍ତିବାଡ଼ି କିଛି ନାହିଁ । ମୁଁ କହୁଛି ମୋର ମା ନାହିଁ, ମାଉସୀଙ୍କ ଯଦି ଆପତ୍ତି ନ ଥାଏ ସେ ଯାଇ ତାଙ୍କ ଝିଅ ପାଖେ ରହିବେ ।

 

ମହନି ଜେଠା କହିଲେ, ଆହା, ସେ ସବୁ କଥା ଏତେ ଆଗରୁ ଭାବିବା ବା କହିବା ଦରକାର ନାହିଁ ହାଡ଼ିବନ୍ଧୁ । ତାଙ୍କର ଯଦି ଇଚ୍ଛା ହୁଏ, ତମର ଯଦି ଶ୍ରଦ୍ଧା ଥାଏ, ଯେପରି ଭଲ ହେବ ସେପରି କରିବ । ନୋହିଲା ଯଦି ଲୌକିକତାକୁ ଅନାଇ ସେ ତମ ଘରକୁ ଯିବାକୁ ରାଜି ନ ହୁଅନ୍ତି, ତେବେ କଅଣ ଭାବିଛ, ଗୋଟିଏ ପେଟ ଏ ଗାଁରେ ଅପୋଷା ରହିଯିବ ? ମୁଁ ବଞ୍ଚିଥିବା ଯାଏ ତା କେବେ କରାଇ ଦେବି ନାହିଁ ।

 

ସମସ୍ତେ ତୁନି ରହିଲେ । କିଛି ସମୟ ପରେ ମୋହନି ଜେଠା ପୁଣି କହିଲେ, ଆଲୋ ରାଧା,ବୋହୂଙ୍କୁ ପଚାର, ସବୁ କଥା ତ ଶୁଣିଲେ । ଯଦି ତାଙ୍କର ଇଚ୍ଛା ଥାଏ, ଜଟି ବିଷୟରେ ଜବାବ ଦେଉନ୍ତୁ । ଟିପଣା ଶୁଝାଇବା ଦରକାର ନାହିଁ । ବାହାଘର କିପରି ହେବ ଟଙ୍କା କେଉଁଠୁ ଆସିବ ସେ ବିଷୟରେ ଭାବିବା ଆବଶ୍ୟକ ନାହିଁ । ତାଙ୍କର ଜବାବ ପାଇଲେ ସବୁ ଠିକ୍‌ ହୋଇଯିବ ।

 

ବୋଉ କଅଣ କହିବ ଶୁଣିବାକୁ ମୁଁ କାନଡେରି ରହିଲି । ତାଆରି ପଦଟିଏ କଥା ମୋର ଭବିଷ୍ୟତ ଜୀବନର ସୁଖଦୁଃଖ ସ୍ଥିର କରିବ । ସତେ ସେ ଏତେ ଲୋକଙ୍କପଦ୍ମତୋଳାରେ ଭୁଲି ଫଣା ନୁଆଇଁବ ?

 

ସେ କହିଲା, ସାଆନ୍ତଙ୍କୁ କହ, ମୋର ମତାମତ ପଚାରୁଛନ୍ତି କାହିଁକି ? ଗୀତା ତାଙ୍କର ଝିଅ । ସେ ଯାହା କରିବେ ସେଇଆ ହେବ । ମହନି ଜେଠା କହିଲେ, ଗୀତା ସୁଖରେ ରହିବ, ଏ ଧାରଣା ଯଦି ମୋର ନ ଥାନ୍ତା, ମୁଁ ନିଜେ ଆଜି ସମ୍ବନ୍ଧ ନେଇ ଧାଇଁ ଆସି ନ ଥାନ୍ତି ।

 

ବୋଉ କହିଲା, ମନ ଯାହା ଲୋଡ଼େ ସବୁବେଳେ ପାଏ ନାହିଁ । ସାଆନ୍ତେ ଯଦି ନିମିତ୍ୟର ବୋଝ ମୁଣ୍ଡକୁ ନେଇ ନିର୍ବନ୍ଧ କରିବେ କରନ୍ତୁ ।

 

ବୋଉ ଜବାବ ଦେଲା ।

 

ମୋତେ ହତାଶିଆ ଲାଗିଲା । ପିଣ୍ଡରୁ ପ୍ରାଣ ଛାଡ଼ିଗଲା ପରି ସେଇ କବାଟ କଣରେ କାନ୍ଥ ଉପରକୁ ଢଳି ପଡ଼ିଲି । କିଏ କଣ କହିଲା, କେତେବେଳେ ସେମାନେ ଆମ ଘରୁ ଗଲେ, ମୁଁ ଜାଣେ ନାହିଁ ।

ରାଧା ଯେତେବେଳେ ହାତ ଧରି ଉଠାଇଲା, ମୋର ଜ୍ଞାନ ହେଲା । ଚାହିଁଲି, ଘର ମଝିରେ ନଲଟଣ ଜଳୁଛି । ବୋଉ ଗମ୍ଭୀର ହୋଇ କାନ୍ଥକୁ ଆଉଜି ଠିଆ ହୋଇଛି ।

 

ରାଧା ମୋତେ ଛାତିକୁ ଆଉଜାଇ ପିଠିରେ ହାତ ବୁଲାଇ କହିଲା, ଝିଅ ହୋଇ ଜନ୍ମ ହେଲେ ସମସ୍ତଙ୍କୁ ଦିନେ ପରଘରକୁ ଯିବାକୁ ପଡ଼େ । ସେଥିପାଇଁ ମନରେ ଦୁଃଖ କଲେ ଚଳିବ ନାହିଁ । ଏମିତି ଅଧୀର ହୁଅନା ।

 

ଉତ୍ତର ଦେଲି ନାହିଁ । ମୋ ଆଖିରୁ ଲୁହ ପୋଛି ରାଧା ପୁଣି କହିଲା, ଛି, କାନ୍ଦୁଛ, ତୁନି ହୁଅ । ତମେ ଯଦି ଏପରି ଅଧୀର ହୁଅ ତମ ବୋଉଙ୍କ ମନ କଅଣ ହେବ ବୁଝୁଛ ତ ? ତମର ଆଖିର ଲୁହ ସେ ସହିପାରିବେ ଟି ?

 

ବୁଝିଲି । ଗାଁ ଝିଅଙ୍କର ସ୍ୱାର୍ଥପାଇଁ, ଦାମଭାଇଙ୍କ ସ୍ତ୍ରୀର ଜୀବନ ପାଇଁ, ସୁଖ ପାଇଁ, ପୁଣି ଗାଁକୁ ଦୁର୍ନାମରୁ ରକ୍ଷା କରିବା ପାଇଁ ମୋଓରି ବାହାଘର ହେଉଛି । ଭଲ ହେଉ ମନ୍ଦ ହେଉ, ମୁଁ ସୁଖରେ ରହେ କି ଦୁଃଖରେ ରହେ, ମୋର ଇଚ୍ଛା ଥାଉ କି ନ ଥାଉ, ମୋତେ ବାହାହେବାକୁ ପଡ଼ିବ-। ଆଖିର ଲୁହରେ ମଧ୍ୟ ମୋର ଅଧିକାର ନାହିଁ, ବୋଉର ଦୁଃଖ ହେବ, ବୋଉ ଭାଙ୍ଗି ପଡ଼ିବ ।

 

(୫୨)

 

ଦାମଭାଇ କେଉଁଠୁ ଆସି ଆମରି ଆଗରେ ଠିଆ ହେଲେ ।

 

ତାଙ୍କୁ ଦେଖି ମୁଁ ଚମକି ଉଠିଲି । ରାଧାର କଡ଼କୁ ଘୁଞ୍ଚିଯାଇ ବଲବଲ କରି ତାଙ୍କରି ମୁହଁକୁ ଅନାଇ ରହିଲି । ବୋଉ ବ୍ୟସ୍ତ ହୋଇ ଉଠିଲା । କଅଣ କହିବାକୁ ଯାଉଥିଲା, ତାଙ୍କର ଲୁହ ଢ଼ଳଢ଼ଳ ଆଖିକୁ ଚାହିଁ ପଛେଇ ଠିଆ ହେଲା ।

 

ଦାମଭାଇ ମୁହୂର୍ତ୍ତେ ଅପେକ୍ଷା କରି ଥରିଲା ସ୍ୱରରେ କହିଲେ, ଖୁଡ଼ୀ, ଶେଷକୁ ଏଇଆ କଲ, ଜଟିଆ ବିଷୟରେ ଜବାବ ଦେଲ ? ତମକୁ ବିଷ ମିଳିଲା ନାହିଁ ?

 

ତାଙ୍କ ଆଖିରୁ ଲୁହଧାର ଗଡ଼ି ପଡ଼ିଲା ।

 

ବୋଉ ସେ ଦିଗକୁ ନିଘା ନ ଦେଇ କହିଲା, ଦାମ, ମୋତେ ଆଉ ହଟହଟା କର ନାହିଁ । ତମେ ଯାଅ ଏଠୁଁ । ଗୀତାକୁ ମୁଁ ଜନ୍ମ ଦେଇଛି । ତାର ସୁଖ ଦୁଃଖ, ତାର ଭଲ ମନ୍ଦ ମୁଁ ବୁଝିବି । ମୋ କୁହା ମାନ । ତମେ ଏଠୁଁ ଚାଲିଯାଅ ।

 

ଥଟ୍ଟା କଲାପରି ସେ କହି ଉଠିଲେ, ଗୀତାକୁ ତମେ ଜନ୍ମ କରିଛ, ତାର ସୁଖ ଦୁଃଖକୁ ହାତରେ ଧରି ଖେଳ କର ନାହିଁ । ଖୁଡ଼ୀ, ମୋର ସାନକୁହା ମାନ । ଏବେ ବି ନାହିଁ କରିବାର ବେଳ ଅଛି । ତମେ ନାହିଁ କରି ପଠାଅ ।

 

ବୋଉ କହିଲା, ନାହିଁ କରିବାର ବେଳ ଅଛି, କିନ୍ତୁ ତା ପରେ ? ଗୀତାର ବାହାଘର ହେବ କିପରି ? ହେବ କେଉଁଠି ? ତାର ବାପ ଦାଦି କି ଭାଇ କେହି ନାହାନ୍ତି ଯେ ଭଲ ଘର ଭଲ ବର ଦେଖି ତାକୁ ଦେବେ । ଗାଁ ଲୋକେ ମନେ କରୁଛନ୍ତି ଗୀତା ସେମାନଙ୍କ ମୁଣ୍ଡରେ ବୋଝହୋଇଛି । ଯାହା ସେମାନେ କରୁଛନ୍ତି, କରନ୍ତୁ । ତା ପାଇଁ ଉପରେ ଭଗବାନ ଅଛନ୍ତି ।

 

ଦାମଭାଇ କହିଲେ, ଭଗବାନଙ୍କ ଉପରେ ବିଶ୍ୱାସ ଅଛି ତ ଅପେକ୍ଷା କର । ଏଡ଼େ ତରତର କାହିଁକି ? ବରଂ ସେ ଅଭିଆଡ଼ୀ ରହୁ ।

 

ବୋଉ କହିଲା, ଆଉ ମୋ ଉପରେ ମୁହଁ ତଳକୁ ହେଉ ? ତୁମେ ହସ, ଭଗାରୀ ହସନ୍ତୁ, ଦୁର୍ନାମ ରଟୁ, ତୁମର ସ୍ତ୍ରୀ ଜୀବନ ହାରିବାକୁ ଚେଷ୍ଟା କରନ୍ତୁ । ତୁମେ ଭଲ କି ମନ୍ଦ, ଗୀତା ଭଲ କି ମନ୍ଦ, ଦୁନିଆଁର ଲୋକେ ତ ଜାଣିବେ ନାହିଁ ଦାମ, ସେମାନେ ତୁମର ଆତଯାତ ହେବା ଦେଖିବେ । ଆମର ଭାଗ୍ୟ ଧରି ଉପାସ ଭୋକରେ ଆମେ ବେଳ କାଟୁଛୁଁ । ତୁମ ପାଖେ କେବେ ହାତ ପାତି ନାହୁଁ । କେଉଁ କଥାରେ କାହାର ଧାରୁଆ ହୋଇନୁ । ନାକରେ ନିଶ୍ୱାସ ଥିବାଯାଏ ନିଜ କଥା ନିଜେ ବୁଝିବାକୁ ଚେଷ୍ଟା କରୁଛୁ । ଘରଟା ଭାଙ୍ଗି ପଡ଼ିଥାନ୍ତା । ଖଜଣା ପାଇଁ ଡିହ ନିଲାମ ହୋଇଥାନ୍ତା । ବାସନ କୁସନ ବିକିଲୁଁ । ବାରି ବିକିଲୁଁ । ଢ଼ୋକେ ପିଇ ଦଣ୍ଡେ ଜୀଉଁଛୁ । ଆଜି ଯେଉଁମାନେ ମୁରବିବୋଲି ରଡ଼ିଛାଡ଼ୁଛନ୍ତି, ଭଲେଇହୋଇ ଉପଦେଶ ବାଢ଼ୁଛନ୍ତି, ଅନାଥିନୀ ବିଧବା ସ୍ତ୍ରୀର ଆଖିର ପିତୁଳାକୁ ପାଣିକି ଠେଲି ଦେବାକୁ ଚକ୍ରାନ୍ତ କରିଛନ୍ତି, ସେମାନେ ଥିଲେ କେଉଁଠି ବାପ, କେଉଁକଥା ବୁଝୁଥିଲେ ? ତାଙ୍କର କଥା ରହୁ । ତୁମର ଅଲଣା ସ୍ନେହ ତୁମରି ପାଖରେ ଥାଉ । ମୋତେ ଆଉ ହଟହଟା କର ନାହିଁ । ଗୀତର ଦୁର୍ନାମର ବୋଝ ଆଉ ବଢ଼ାଅ ନାହିଁ । ସମସ୍ତେ ଲୋକହସା ହେବା-

 

ବୋଉର ଧୈର୍ଯ୍ୟ ଭାଙ୍ଗିଲା । ସେ କାନ୍ଦିପକାଇଲା ।

 

ରାଧା କହିଲା, ତୁମେ ଯାଅ ଦାମ ସାଆନ୍ତେ । ଏତିକି କଣ ବୁଝି ପାରୁନା, ଗୀତାର ଯଦି ସର୍ବନାଶ ହେଉଥାଏ ତେବେ ସେତକ ହେଉଛି କେବଳ ତୁମରି ଅଲଣା ସୋଗ ପାଇଁ । ନିଜ ଧନ୍ଦାରେ ନିଜେ ଯାଅ ସାଆନ୍ତେ, ନିଜଘର କଥା ବୁଝ । ପର ଘର କଥାରେ ମୁଣ୍ଡ ଗଳାଅ ନାହିଁ । ନେହୁରା ହୋଇ କହୁଛି ।

 

ଦାମଭାଇ ନିର୍ବାକ ହୋଇ ଶୁଣିଲେ । ମୁଣ୍ଡ ନୁଆଁଇ ପଦାକୁ ବାହାରିଗଲେ ।

 

ବାହାଘର ସ୍ଥିର ହୋଇହୋଇଗଲା । ଦି ଚାରି ଦିନରେ ମହାପ୍ରସାଦ ନିର୍ବନ୍ଧ ମଧ୍ୟ ସରିଯିବ ।

 

କେତେ ଆକାଶ କୁସୁମ ତୋଳୁଥିଲି ମନେ ମନେ । ସବୁ ଖୁଖି ଯାଇଛି । ଝଡ଼ି ପଡ଼ିଛି । କାହାରିକୁ କିଛି କହେ ନାହିଁ । କେଉଁଠି ବସେ ଅନ୍ୟମନସ୍କ ହୋଇ କେତେ ଭାବେ । ଗତ ଜୀବନର ଦିନ ଦିନକର ଛୋଟଛୋଟ ଘଟଣା ଗୁଡ଼ିକ ମନେ ପଡ଼େ । ଆଖିରୁ ଲୁହ ଧାର ଗଡ଼ିଆସେ । ଯେତେ ଲୁଚାଇବାକୁ ବସିଲେ ମଧ୍ୟ ବୋଉ ଜାଣେ । କିଛି କହେ ନାହିଁ ।

 

ସେ ବୁଝେ, ବାହାଘର ସ୍ଥିର ହେଲେ ସଂସାରର ଝିଅମାନେ କାନ୍ଦନ୍ତି । ମୁଁ ମଧ୍ୟ ସେପରି କାନ୍ଦୁଛି । ସେଇ କାନ୍ଦଣାରେ ନୂଆ କିଛି ନାହିଁ । ବାପଘରେ ଝିଅ ଜନ୍ମ ହୋଇ ସୁଖ ଦୁଃଖରେ କେତୋଟି ବର୍ଷ କାଟି ଯେତେବେଳେ ସ୍ୱାର୍ଥ ଓ ମମତା ଛାଡ଼ି ଅଜଣା ସ୍ଥାନ, ନୂଆ ଲୋକ, ଅପରିଚିତ ମଣିଷଙ୍କ ମଝିକି ଯିବାକୁ ବସେ, ଭାବୀ ପରିବର୍ତ୍ତନର ଆଶଙ୍କାରେ ତା ମନରେ ଦୁଃଖ ଆସେ । ସେ କାନ୍ଦେ ।

 

କାହିଁକି କାନ୍ଦେ, ବୁଝିବ କିଏ ? ତା ଆଖିର ପ୍ରତି ବୁନ୍ଦା ଲୁହରେ କେତେ ସ୍ମୃତି ମିଶି ରହିଛି । ଭବିଷ୍ୟତର କେତେ ଚିନ୍ତା ସେ ଲୁହ ବୁନ୍ଦାକୁ ଗରମ କରିଛି ! ଲୋକେ ଦେଖନ୍ତି, ଝିଅ କାନ୍ଦେ ।

 

ତାର ମନର ଅନ୍ଧାରିଆ ଗୁହାର କବାଟ କେବେ ଖୋଲେ ନାହିଁ । ନିବିଡ଼ ଅନ୍ଧାର । କେହି ଦେଖନ୍ତି ନାହିଁ, କେହି ଜାଣନ୍ତି ନାହିଁ, ସେହି କିଟିମିଟି ଅନ୍ଧାର ଭିତରେ କଅଣ ଅଛି, କଅଣ ରହେ । ବାହାରର ଆଲୁଅ ପଡ଼େ ବାହାରେ । ଅନ୍ଧାର ଘୁଞ୍ଚେ ନାହିଁ । ଅନ୍ୟର ଆଖିରେ ସବୁ ଦିଶେ ପରିଷ୍କାର, ଉଜ୍ଜ୍ୱଳ ।

 

ମନଗହନରେ ଛପି ରହିଥାଏ ଅନ୍ଧାରି ଗୁହାଟି, କେତେ ସ୍ମୃତି, କେତେ ବେଦନା, ପୋଡ଼ିଲା ଜଳିଲା ଆଶା ଉତ୍ତେଜନାର ପାଉଁଶ ପେଟରେ ଭରି । ସେହି ବାଟରେ ଧୀରେ ଚାଲେ ଭାବନା । ଅତୀତ କବାଟର କିଳିଣୀ ଖୋଲି ଉଙ୍କିମାରେ । ଚମକି ଉଠେ । ଥରି ଥରି ଚାଲେ ଆଗକୁ । ଝରିପଡ଼େ ଆଖିରୁ ମେଘ । ଦେଖନ୍ତି ସମସ୍ତେ । ବୁଝନ୍ତି ନାହିଁ କେହି । କହନ୍ତି, ଝିଅ କାନ୍ଦେ ।

 

(୫୪)

 

ଦଳ ଦଳହୋଇ ଗାଁ ମାଇପେ ମୋତେ ଦେଖିବାକୁ ଆସିଲେ । କିଏ କେତେ ପ୍ରକାର ମନ୍ତବ୍ୟ ଦେଇଗଲେ । ଶୁଣେ, ଦେହରେ ଛୁରି ଚାଲିଯାଏ, ତୁନି ତୁନି କାନ୍ଦେ, ପାଟି ଖୋଲେ ନାହିଁ ।

 

ମହନି ଜେଠା ବିମଳାଭାଇଙ୍କୁ ସଙ୍ଗରେ ନେଇ ଆସନ୍ତି । ବିମଳାଭାଇ ବୋଉ ସଙ୍ଗେ ତୁନି ତୁନିକଥାଭାଷା ହୁଅନ୍ତି, ଫେରନ୍ତି ।

 

ଦିନେ ବିମଳାଭାଇ ସକାଳେ ଆସି ଆମ ଘରେ ବସିଲେ । ବୋଉ ସଙ୍ଗେ ସୁଖ ଦୁଃଖ ହେଲେ । ରୋଷଘର ମଝି କବାଟ ପାଖରେ ମୁଁ ପରିବା କାଟୁଥିଲି । ବେଳ ନଅଟା ହେବ ।

 

ବୋଉ କହିଲା, ପୁଅ, ବାହାଘର ସଙ୍ଗେ ସଙ୍ଗେ ମୁଁ ତାଙ୍କ ଘରକୁ ଯାଇ ପାରିବି ନାହିଁ । ଲୋକହସା ହେବି । ସୁବିଧା ହେଲେ ଯିବି, ନୋହିଲେ ନାହିଁ । ଏଇ କୁଡ଼ିଆ ଖଣ୍ଡିରେ ମୋର ଜୀବନ କାଳ କଟାଇବି । ତା ପରେ ଯାହା ହେବାର ହେଉଥାଉ ।

 

ପାଟିରୁ କଥା ଛଡ଼ାଇ ବିମଳାଭାଇ କହିଲେ, ସେଥିପାଇଁ ତମେ ଏତେ ଭାବ ନାହିଁ । ନିମିତ୍ୟ ଉଠିଗଲେ ହାଡ଼ିବନ୍ଧୁ ତୁମକୁ ଏଠି ରଖାଇ ଦେବେ ନାହିଁ । ଘରଟା ତମର କଅଣ ହେବ ? ଯଦି ତମେ ଏଠି ରୁହ, କେହି ତମକୁ ବାଧାଦେଇ ପାରିବେ ନାହିଁ । ଜୀବନ ଥିବାଯାଏ ତମେ ଭୋଗ ଦଖଲ କରୁଥିବ । ତମ ଅନ୍ତେ ନିତେଇ ଦାଦା ଦଖଲ କରିବେ । ଏଇ କାଗଜରେ ସେଇ କଥା ଲେଖା ହୋଇଛି । ତମେ ଗୋଟାଏ ଦସ୍ତଖତ୍‌ କରିଦେଲେ ନିତେଇ ଦାଦା ଦି ଶହ ଟଙ୍କା ମହନି ଜେଠାଙ୍କ ମାରଫତ୍‌ଦେବେ । ମହନି ଜେଠା ଗାଁର ମୁରବି, ତମର ମୁରବି । ତେଣିକି ତମର ଖର୍ଚ୍ଚ, ବାହାଘରର ଖର୍ଚ୍ଚ ସେ ତୁଲାଇବେ । ଏଇ କାଗଜଟା ଦସ୍ତଖତ୍‌ହୋଇ ନାହିଁବୋଲି ସବୁ ଡେରି ଡେରିହୋଇ ଯାଉଛି । କେହି ଟଙ୍କା କାଢ଼ୁ ନାହାନ୍ତି ।

 

ସେ ତୁନି ହେଲେ । ବୋଉର ପାଟି ବି ଆଉ ଶୁଭିଲା ନାହିଁ । କାଗଜଟାର କଥା ଶୁଣି ମୋ ମନରେ ସନ୍ଦେହ ହେଲା । ମୁଁ ଠିଆ ହୋଇ କବାଟ ଜଳାବାଟେ ଚାହିଁଲି । ବିମଳା ଭାଇ ଫରଦେ ଧଳାକାଗଜ ମେଲାଇ ବୋଉ ଆଗରେ ଧରିଛନ୍ତି । ବୋଉ କଲମଟି ଧରି ତାଆରିଆଡ଼କୁ ଚାହିଁ ରହିଛି ।

 

ମୋର ଛାତି କଅଣ ହୋଇଗଲା । ନିଶ୍ଚୟ ଏହା ଭିତରେ ଗୋଟାଏ ଷଡ଼ଯନ୍ତ୍ର ରହିଛି-। ବାହାଘର ଆଶା ଦେଖାଇ ସମସ୍ତଙ୍କ ମନ୍ତ୍ରଣାରେ ନିଃସହାୟ ସ୍ତ୍ରୀଟିଏ ଦେଖି ସେମାନେ ଆମର ସର୍ବନାଶ କରିବାକୁ ବସିଛନ୍ତି ।

 

ମୋତେ ଚାରିଆଡ଼ ଅନ୍ଧାର ଦିଶିଲା । ସାତ କଥାରେ ସତୀ ଭୁଲେ । ବୋଉ ଏହିସବୁ ମାରାତ୍ମକ ପ୍ରକୃତିର ଲୋକଙ୍କଉପରେ ବିଶ୍ୱାସ କରି କଅଣ କରିବାକୁ ଯାଉଛି ?

 

ବୋଉ ଦୁଆତରେ ପର କଲମଟି ବୁଡ଼ାଇ ସ୍ୟାହି ଝାଡ଼ି ଲେଖିବାକୁ ମୁଣ୍ଡ ନୁଆଁଇଲା । ମୁହୂର୍ତ୍ତକରେ ସର୍ବନାଶ ହେବ । କଅଣ କରିବି ? ନିଜେ ଯାଇପାରୁ ନାହିଁ । ବିମଳାଭାଇଙ୍କୁ ଆଡ଼ ହୁଏ । ମୋର ପୁଣି ବାହାଘର ଲାଗିଛି । କିଛି ଉପାୟ ନ ଦେଖି କଂସାଖଣ୍ଡ ହାତରୁ ଖସାଇ ପକାଇଲି । ଶବ୍ଦ ହେଲା । ଭାବିଥିଲି ବୋଉର ଦୃଷ୍ଟି ଟାଣିଆଣି ପାରିବି । କିନ୍ତୁ, ଫେରି ଚାହିଁଲେ ବିମଳା ଭାଇ ।

 

ସେ ବୋଉଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ଫେରାଇ କହିଲେ, ଦିଅ, ନାମଟା ଲେଖିଦିଅ ।

 

ବୋଉ ଦସ୍ତଖତ କରି କାଗଜଖଣ୍ଡି ତାଙ୍କ ହାତକୁ ଫେରାଇ ଦେଲା । ସେ ସଙ୍ଗେ ସଙ୍ଗେ ଉଠି ପଦାକୁ ଚାଲିଗଲେ ।

 

ଅସ୍ଥିର ହୋଇ ମୁଁ ବୋଉ ପାଖକୁ ଗଲି । ପଚାରିଲି, ବୋଉ, ଯେଉଁ କାଗଜରେ ତୁ ନାମ ଲେଖିଦେଲୁ, ସେଥିରେ କଅଣ ଲେଖା ହୋଇଥିଲାପଢ଼ିଛୁ ?

 

ବୋଉ କହିଲା, ପଢ଼ି ପାରିଲି ନାହିଁ । ବିମଳା ଯାହା କହୁଥିଲା ସେଇଆ ତ ଲେଖା ହୋଇଥିବ ।

 

କହିଲି, ବୋଉ, ଆଉ କାହାକୁ ଟିକେ ଦେଖାଇଲୁ ନାହିଁ ?

 

ସେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଲା । ପଚାରିଲା, ତୋର ବିମଳା କଥାରେ ବିଶ୍ୱାସ ହେଉ ନାହିଁକି ମା ? ସେ ସେମିତିକା ଲୋକ ନୁହେଁ । ତୁ ପର ଘରକୁ ଗଲେ ମୋର ଏ ଘର ଲୋଡ଼ା ହେବ ନାହିଁ । ବଞ୍ଚିବାଯାଏ ଚଳୁଥିବି, ମରିଗଲେ ଯିଏ ହେଲେ ତ ନବ । ନିତେଇ ଏବେ ଆଜିଠୁଁ ନେଉନ୍ତୁ । ନିମିତ୍ୟ ସୁରୁଖୁରୁରେ ଉଠିଯାଉ ।

 

ବୋଉ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ମୁଁ ଥକ୍‌କା ହୋଇ ତା ମୁହଁକୁ ଚାହିଁ ରହିଲି । ମୋ ମନରେ ଆହା ଆହାର କୋହ ଉଠିଲା । ଛାତି ଥରାଇ ଖରଶ୍ୱାସ ଛୁଟିଲା । ଧୈର୍ଯ୍ୟଧରି କୋହକୁ ଅଟକାଇ ଆର ଘରକୁ ଚାଲି ଆସିଲି ।

 

(୫୫)

 

ମହାପ୍ରସାଦ ନିର୍ବନ୍ଧ ହୋଇଗଲା ।

 

ନିଜେ ମୋହନି ଜେଠା ମହାପ୍ରସାଦ ଟେକିଲେ । ସେ କଅଣ ଭାବିଥିବେ କେଜାଣି, ଗାଁ ଲୋକେ ଅବଶ୍ୟ ଭାବିଥିବେ ଯେ ସେ ଗୋଟିଏ ପୁଣ୍ୟକାମ କରିଛନ୍ତି । ଖାଲି ମୋରି ହାତଟା ନେଇ କାଠ ପଥର ଯାହା ହାତରେ ଛନ୍ଦିଦେଲେ ନିଜେ ସେ ସ୍ୱର୍ଗଗାମୀ ହେବେ, ଗାଁ ଲୋକଙ୍କୁ ସବୁ ଦୁର୍ନାମ ଓ ଅପମାନରୁ ରକ୍ଷା କରିବେ । ବୋଉ ମୁଣ୍ଡରୁ ବୋଝ ଖଲାସ କରି ମୋର ଅଭିଆଡ଼ୀ ଦୋଷ ଭାଙ୍ଗିବେ ।

 

ଯେଉଁଦିନ ମୋର ମହାପ୍ରସାଦ ନିର୍ବନ୍ଧ ହେଲା, ସେହିଦିନ ରାତି ଅଧରେ ରାଧା ଆମ ଘରକୁ ଆସିଲା । ବୋଉ ଆଗେ କେତେ କଥା ଗପିଲା ।

 

ସେ କହିଲା, ଆଜି ମହନି ସାଆନ୍ତଙ୍କ ଘରେ ଉଚ୍ଚବାଚ ଲାଗିଛି । ମହାପ୍ରସାଦ ନିର୍ବନ୍ଧ ଖବର ଶୁଣି ଦାମ ଆପତ୍ତି କରି କଅଣ ସବୁ କହିଥିଲା । ବୁଢ଼ା ରାଗିଯାଇ ଦାମକୁ ଶୋଧିଲେ । ନାନା ପ୍ରକାର ଅକଥା କହିଲେ । ଦାମ କଡ଼ା ଜବାବ ଦେଲା । କହିଲା, ମୁଁ ଯଦି ଏ ଗାଁରେ ଥିବି ଜଟିଆ ସଙ୍ଗେ ଗୀତାର ବାହାଘର କରାଇ ଦେବି ନାହିଁ କି ନିତେଇ ବାବୁ ତାଙ୍କର ଦ୍ୱାର ମୁହଁମାଡ଼ି ପାରିବେ ନାହିଁ । ଦାମକୁ ଏପରି ରାଗିବାର କେହି କେବେ ଦେଖି ନ ଥିଲେ । ବୁଢ଼ା ଧିକ୍‌କାରିଲାରୁ ସେ ପୁଣି କହିଲା, ବାପା, ଆପଣ ଓ ଆପଣଙ୍କ ଗାଁ ଲୋକେ ମିଛରେ ମୋର ଦୁର୍ନାମ ରଟାଇଛନ୍ତି । ଆପଣଙ୍କ ସମ୍ମାନକୁ ଜଗି ମୁଁ ତୁନି ହୋଇ ରହିଛି । ସେଥିପାଇଁ ମୋର ଦୁଃଖ ନାହିଁ । କିନ୍ତୁ, ଆଗରୁ ସାବଧାନ କରି ଦେଉଛି, ନିଆଶ୍ରୀ ବିଧବା ଓ ତାର ଝିଅଟିର ସର୍ବନାଶ କରନ୍ତୁ ନାହିଁ । କଲେ ଭଲ ହେବ ନାହିଁ ।

 

ବୋଉ ପଚାରିଲା, ଦାମ ଏପରି ବାଧା ଦେଉଛି କାହିଁକି, ଏପରି ଶତ୍ରୁତା ସାଧୁଛି କାହିଁକି-?

 

ରାଧା କହିଲା, ଶତ୍ରୁତା ସେ କରୁ ନାହିଁ । ଗୀତାକୁ ସେ ଭଉଣୀଠାରୁ ବଳି ଅଧିକ ଭଲ ପାଏ । ମହନି ସାଆନ୍ତେ ବଞ୍ଚିଛନ୍ତି । ତେଣୁ ଦାମ ନିକର୍ତ୍ତବ୍ୟ । ସେ ସବୁବେଳେ ଗୀତାର ଭଲ କରିବାକୁ ମନ କରେ । ସାଆନ୍ତଙ୍କ ଦାଉରେ କିଛି କରିପାରେ ନାହିଁ ।

 

ଟିକିଏ ରହି ରାଧା ପୁଣି କହିଲା, ଶୁଣ କଅଣ ହେଲା । ମହନି ସାଆନ୍ତେ ରାଗିଲେ । ସାଆନ୍ତାଣୀ ଯେତେ ବୁଝାଇଲେ ସେକି ମାନିବା ଲୋକ ? ଯାହା ମାନି ଥାଆନ୍ତେ, ତାଙ୍କ ବୋହୂଙ୍କ କାନ୍ଦଣା ଶୁଣି ସେ ଏକାଥରେ ପାଗଳ । ଯାହା ପାଟିକୁ ଆସିଲା ଦାମକୁ ଗୁଡାଏ ବକିଲେ । ତ୍ୟାଜ୍ୟପୁତ୍ର କରିବେ ବୋଲି ଧମକ୍‌ଦେଲେ ।

 

ଦାମ ରାଗରେ ଘରୁ ବାହାରି ଗଲା । କହିଗଲା, ଆପଣ ଯାହା କରୁଛନ୍ତି ଭଲକରି ଭାବିଚିନ୍ତି କରନ୍ତୁ । ମୋଦ୍ୱାରା ଯଦି ଆପଣଙ୍କର ଉଦ୍ଦେଶ୍ୟରେ ବାଧା ପଡ଼ୁଛି ତ ମୁଁ ଯାଉଛି । ଗୀତାର ବାହାଘର ସରିଲେ ମୁଁ ଗ୍ରାମକୁ ଫେରିବି । ମନେ ରଖନ୍ତୁ, ଉପରେ ଧର୍ମ ଅଛି । ବାପ ନ ଥିଲା ନିଃସହାୟ ଗରିବ ସରଳ ନିଷ୍କପଟ ଝିଅଟିର ଯଦି ସର୍ବନାଶ କରିବେ ତ ଦଇବ କେବେ ସହିବ ନାହିଁ ।

 

ଦାମ ଆଉ କହିପାରିଲା ନାହିଁ ସାନ୍ତାଣୀ, ଆଖି ଛଳଛଳ କରି ଦିହେ ଦିହେ ବାହାରିଗଲେ । ତଥାପି, ବୁଢ଼ାଗର୍ଜି ଉଠିଲେ ।

 

ବୋଉ ପଚାରିଲା, ସେ କୁଆଡ଼େ ଗଲା ?

ରାଧା କହିଲା, କେଜାଣି ?

 

ବୋଉ କହିଲା, ଯାହା ଭାଗ୍ୟରେ ଯାହା ଥିବ ନିଶ୍ଚୟ ହେବ । ଆମେ ଯେତେ ଟାଣି ଓଟାରି ହେଲେ ଭାଗ୍ୟ ବଦଳାଇ ହେବ ନାହିଁ ଲୋ । ସାଆନ୍ତେ ଯଦି ଆମ ପାଇଁ ଗାତଖୋଳୁଥିବେ ଦେଖିବୁ ରହ ରାଧା, ନିଜେ ସେଇ ଗାତରେ ପଡ଼ିବେ । ହଉ, କିଏ କଅଣ କହୁଛି କହୁ, କିଏ କଅଣ କରୁଛି କରୁ । ଆମର ସାହା ଏକା ଭଗବାନ ।

 

ବୋଉ ଆଦର କରି ମୋତେ ପଚାରିଲା ଗୀତା ତୁ ପିଲା ଛୁଆ ନୁହେଁ, ସବୁ ବୁଝୁଛୁ ସବୁ ଶୁଣୁଛୁ, କହିଲୁ ମା ଲୋକଙ୍କ କଥାରେ ବିଶ୍ୱାସ କରି ମୁଁ ଯାହା କରୁଛି, ସବୁ ଭୁଲ୍‌ ? ସତରେ କଣ ଛାଇ ଦେଖି ମୁଁ ଭୁଲୁଛି ମା ?

 

ଏହି କଥା ଯଦି ସେ ମୋତେ ଆଗରୁ ପଚାରି ଥାଆନ୍ତା ମୁଁ ତାର ଠିକ୍‌ଉତ୍ତର ଦେଇପାରି ଥାଆନ୍ତି । କେଜାଣି ବା ମୋ ଜୀବନର ଗତି ବଦଳି ଥାଆନ୍ତା । ସବୁ କାମ ସରିଛି । ମନ ଖୋଲି କହିଲେ ଆଉ ଲାଭ ନାହିଁ । ଜନ୍ମ ଦେଇ କେତେ ଦୁଃଖ କଷ୍ଟ ସହି ବଢ଼ାଇ କିଛି ନ ବୁଝି ନ ଶୁଝି ହାଣ କଟୁରୀ ବେକକୁ ଆଣି ସାରିଛି । ତୁଣ୍ଡ ଖୋଲି ଶେଷ ବେଳରେ ପ୍ରତିବାଦ କଲେ ତାର ଦୁଃଖ ବଢ଼ିବ, ସେ ଭାଙ୍ଗି ପଡ଼ିବ । ହତାଶ ହୋଇବାଇଆଣୀ ପରି କଅଣ ନାହିଁ କଅଣ କରିବସିବ ।

 

ବୋଉ କଥାରେ ଜବାବ ଦେଲି ନାହିଁ । ମନ କୋହରେ କାନ୍ଦିବାକୁ ଲାଗିଲି ।

 

ସେ କଅଣ ବୁଝିଲା କେଜାଣି, କହିଲା, ମା, ଅନ୍ୟ ଉପାୟ ଅନ୍ୟ ଗତି ଆଉ ଆଉ ନାହିଁ-। ଭାଗ୍ୟରେ ଯାହା ଥାଏ ହୁଏ । ଆମେ ସିନା ମିଛରେ ଧନ୍ଦିହେଉଁ-। ଜୀବନରେ ଯାହା ଘଟିବ, ଧୈର୍ଯ୍ୟ ଧରି ଠାକୁରଙ୍କ ଉପରେ ନିର୍ଭର ରଖି ଆନନ୍ଦରେ ତାହା ନିଜର କରି ସହିନେବା ଭଲ ।

 

ତା ଛାତି ଉପରୁ ମୁଣ୍ଡ ଆଡ଼େଇ ଲୁହଭରା ଆଖିରେ ଥରିଲା ସ୍ୱରରେ କହିଲି ବୋଉ, ଶେଷକୁ ଏଇଆ କରିବୁ ବୋଲି ଏତେ ସ୍ନେହ ଆଦରରେ ମୋତେ ବଢ଼ାଇ ଥିଲୁ ?

 

ବେଶୀ କହିପାରିଲି ନାହିଁ । ଭାବିଥିଲି ଯେତିକି କହିଲି ସେତିକିରୁ ସେ ମୋ ମନର କଥା ବୁଝିବ ।

 

ସେ କିଛି ନ ବୁଝିଲା ପରି ପଚାରିଲା, ମୋର ଆଉ କି ଚାରା ଅଛି କହ ମା, କଅଣ ଆଉ କରିଥାନ୍ତି ?

 

ମନ ହେଉଥିଲା କହି ଦେବାକୁ, ସହଜରେ, ହାତ ପାହାନ୍ତିରେ ଯାହା ହୋଇ ପାରିଲା ତାହାହିଁ କଲୁ, କେବଳ ଗୋଟାଏ ଦାୟିତ୍ୱରୁ ଗୋଟାଏ ବୋଝରୁ ଉଦ୍ଧାର ପାଇପାରିବୁ ।

 

ପ୍ରବୋଧବାବୁଙ୍କ କଥା ମନେ ପଡ଼ିଲା । ଯାହାଙ୍କ ଆଡ଼କୁ ଦିନେ ମନ ଢଳିଥିଲା, ତାଙ୍କର ସ୍ମୃତି ଏଥର ମନରୁ ପୋଛି ଦେବାକୁ ହେବ । ତାଙ୍କ ବିଷୟରେ ଦିନେ କେବେ ବୋଉ କଥା ପକାଇ ନାହିଁ ।

 

ନିରୁତ୍ତର ରହିଲି ।

 

ବୋଉ କହିଲା, ଜଟିଟି ଭଲ ପିଲା । ହାଡ଼ି ବନ୍ଧୁ ଯାହା କହୁଥିଲେ ତୁ ଶୁଣିଛୁ । ଗାଁ ଲୋକେ ସମସ୍ତେ ମିଶି ତୋତେ ଭସାଇ ଦେଉଛନ୍ତି ଏପରି ଧାରଣା କେବଳ ଦାମ ତୋ ମନରେ ଆଣି ଦେଇଛି ।

 

ଦାମ ଭାଇ ନିନ୍ଦା ସହିପାରିଲି ନାହିଁ । କହିଲି, ବୋଉ, ଦାମଭାଇଙ୍କ ଉପରେ ତୋର ଏତେ ରାଗ କାହିଁକି ?

 

ଦିନେ ତାକୁ ଭଲ ପାଉଥିଲି । ମୋ ଆଖିରେ ସେ ଦୁଶୁଥିଲା ଆଗ, ଆଉ ତୁ ପଛ ମା ।

ଆଜି ତୋର ମନ ବଦଳିବାର କାରଣ ?

 

ଏ କଥା ତୁ ମତେ ପଚାରୁଛୁ ? ଜାଣୁନାହଁ କି ସେ ହେଉଛି ତୋ ନିନ୍ଦାର କାରଣ ? ମୋ ଉପରେ ମୁହଁ ସେ ତଳକୁ କରିଛି ।

Unknown

 

ରାଗ ହେଲା । କହିଲି, ବୋଉ, ଭାବିଥିଲି ତୋ ମନ ଅତି ନିର୍ମଳ । କିନ୍ତୁ ଦେଖୁଛି, ସେଥିରେ ବି କଳଙ୍କ ଲାଗିଛି । ଦାମ ଭାଇକିକୁ ସନ୍ଦେହ କରନା ବୋଉ, ଭଗବାନଙ୍କ ପାଖରେ ତୁ ଦ୍ରୋହୀ ହେବୁ । ତାଙ୍କୁ ସନ୍ଦେହ କରିବା ଆଗରୁ ତୁ ମନ ଖୋଲି ମତେ କହ, ତୋର କଅଣ ଧାରଣା ଯେ ତୋ ଝିଅଟା ବି ଖରାପ ? ସେଥିପାଇଁ ନ ବୁଝି ନ ଶୁଝି ଯେଉଁଠି ପାରି ସେଠି ମୋତେ ମାଡ଼ିଦେଇ ନିଶ୍ଚିନ୍ତ ହେବାକୁ ଚାହୁଁଛୁ ?

 

ଆଉ କହିପାରିଲି ନାହିଁ । କଇଁକଇଁ ହୋଇ କାନ୍ଦି ଉଠିଲି ।

ବୋଉ ନିର୍ବାକ୍‍ ହୋଇ ତଳକୁ ଚାହିଁ ବସି ରହିଲା । ଜାଣେ ନାହିଁ, ସେ କଅଣ ଭାବୁଥିଲା ।

 

କାନ୍ଦଣାସ୍ୱରରେ କହିଲି,ବୋଉ, ଦାମ ଭାଇଙ୍କୁ ମୁଁ ଭାଇଠୁଁ ବଳି ଭଲପାଏଁ । ତାଙ୍କୁ ମୁଁ ବିଶ୍ୱାସ କରେ । ଲୋକେ ଦେଖି ନ ପାରି ବାରକଥା କହନ୍ତି । ଲୋକେ ବିଶ୍ୱାସ କରନ୍ତି, ବିଶ୍ୱାସ କଲୁ-। କିନ୍ତୁ ବୋଉ, ଦିନ କେବେ ରାତି ହୋଇ ପାରିବ ନାହିଁ । ଦାମଭାଇ ମୋତେ ନିଜର ଭଉଣୀ ପରି ଭଲ ପାନ୍ତି । ତୁ ସିନା ବୁଝିବୁ ନାହିଁ, ମୁଁ ଜାଣେ ତାଙ୍କର ଭଲ ପାଇବା ଭିତରେ ସ୍ୱାର୍ଥ ନାହିଁ । ସେଥିପାଇଁ ସେ ମୋର ଭବିଷ୍ୟତ କଥା ଭାବନ୍ତି ।

 

ଆଉ କେତେ କଅଣ କହିଥାଆନ୍ତି । ବୋଉ କଠୋର କଣ୍ଠରେ କହି ଉଠିଲା, ଗୀତା... !

 

ମୁଁ ଚମକି ଉଠିଲି ତୋର ଡାକରେ । ମନେ ହେଲା ସେହି ଡାକ ଭିତରେ ଗୋଟାଏ ନିଆଁ ଖୁଣ୍ଟା ଲୁଚି ରହିଥିଲା । କହିଲା ତୁନି ହ, ମୁଁ ପିଲାଛୁଆ ନୁହେଁ !

 

ମୋର ମୁହଁ ସେତିକି ଜଳିଗଲା । ବୋଉର କଥା କେଇପଦମୋର ଛାତିରେ ଯେଉଁ ଚିଆଁ ଦେଇଥିଲା, ମରିବାଯାଏ ମୁଁ ଭୁଲିପାରିବି ନାହିଁ ।

 

(୫୭)

 

ବୈଶାଖ ଏକୋଇଶ ଦିନ ମୋର ବାହାଘର ହେବ ବୋଲି ସ୍ଥିର ହୋଇଥାଏ । ଦିନ ପାଖେଇ ଆସିଲା । ଦିନୁଦିନ ଆମ ଘରେ ଗହଳ ଚହଳ ବଢ଼ିଲା । ସବୁବେଳେ ଲୋକ ଯା ଆସ, ଦିଆ ନିଆ ଲାଗିଥାଏ । ମହନି ଜେଠା, ନିତେଇ ଦାଦା, ବିମଳ ଭାଇ, ରାଧା ଭିନ୍ନ ଭିନ୍ନ କାମର ଭାର ନେଇଥାନ୍ତି । ଆମର ଚାଳିଘରଟି ସଫାସୁତୁରା କରି ଜିନିଷପତ୍ର ସେଇଠି ରଖା ହୋଇଥାଏ । ଲିପାପୋଛା ହୋଇ ଘରଦ୍ୱାର ସତେ କି ମୁରୁକିହସା ଦେଉଥାଏ ।

ବୋଉ ବ୍ୟସ୍ତ ଥାଏ କାମରେ । ମୋ ପାଖକୁ ଆସିବାକୁ ବେଳ ପାଏ ନାହିଁ । ମୋ ପାଖରେ ସବୁବେଳେ କେହି ନା କେହି ଥାଆନ୍ତି । ଗାଁ ଯା ଆସ କରୁଥାନ୍ତି । ମୋତେ ଦେଖି କିଏ କେତେ ପ୍ରକାର କହନ୍ତି, ଫେରନ୍ତି । ଭଲହେଉ, ମନ୍ଦହେଉ, ସବୁ ଶୁଣେ ତୁନି ହୋଇ ରହେ । ମୋର ମନଟା ପଥୁରିଆ ପଡ଼ି ଯାଇଥାଏ । ଯିଏ ଯାହା କହିଲେ ସେଥିରେ ପଶିପାରେ ନାହିଁ ।

ବେଳେ ବେଳେ ରେଣୁ ଆସେ, ସଞ୍ଜବେଳ ଯାଏ ରହେ । କେତେ ରହସ୍ୟ କଥା କହେ-। ନିଜେ ଖୁସି ହୁଏ, ମତେ ଖୁସି କରେ, ସଞ୍ଜ ଆଗରୁ ଫେରିଯାଏ । ତା ସଙ୍ଗେ ଏଣୁ ତେଣୁ କଥାଭାଷା ହେବାକୁ ଡର ଲାଗେ । ମନେ ପଡ଼ିଯାଏ, ଦାମଭାଇଙ୍କ ଘରେ ସେ ଦିନ ରାତିର ଘଟଣା-

କାମରୁ ଫୁରୁସତ୍‌ ମିଳିଲେ ବୋଉ ମୋ ପାଖକୁ ଆସେ । ଆଖିରେ ଲୁହଭରି ଏଣୁତେଣୁ କଅଣ ପଦେ ପଚାରି ଦିଏ । ମୁଁ କେବେ ଉତ୍ତର ଦେଲେ ଦିଏ ନୋହିଲେ ନାହିଁ । ବାହାରୁ ତାକୁ କିଏ ଡାକ ଛାଡ଼େ, ସେ ପୁଣି ଚାଲିଯାଏ-

ଦିନ ଦିପହରେ ନୋହିଲେ ରାତିରେ ଅଧରେ କେବେ କିପରି ନିରୋଳା ହେଲେ ବୋଉ ମୋତେ ବୁଝାସୁଝା କରେ । ପର ଘରେ ପରକୁ ଆପଣାର କରି କିପରି ଚଳିବାକୁ ହେବ ସେ କଥା ଶିଖାଏ । ସବୁ ଶୁଣେ ଉତ୍ତର ଦିଏ ନାହିଁ । ସେ କାନ୍ଦେ ମୁଁ କାନ୍ଦେ । କେହି କାହାର ମନର ଦୁଃଖ ବୁଝୁନାହିଁ । ରାତିରେ ତା ପାଖରେ ଶୁଏ ।

 

(୫୮)

 

ବାହାଘର ଦଶଦିନ ଅଛି । ଉଦୁଉଦିଆ ଦି ପହର । ବୈଶାଖୀ ଖରାର ତାଉ ସେ ଦିନ ନ ଥାଏ । ପାଗ ମେଘୁଆ ହୋଇଥାଏ । ଯିଏ ଯୁଆଡ଼େ ନିଜ ନିଜ ଘରକୁ ଗଲେଣି । ମୋ ପାଖେ ଏକା ବସିଥାଏ ରେଣୁ । କେତେ ନବରଙ୍ଗ ଥଟ୍ଟା ନକଲ ଲଗାଉଥାଏ । ବୋଉ ଆସି ଖଣ୍ଡେ ଲଫାପା ଚିଠି ଦେଇ କହିଲା, ପଢ଼ିଲୁ ମା, ଚିଠି କିଏ ଦେଇଛି । ସେ ପାଖରେ ବସିଲା ।

 

ରେଣୁ ଲଫାପା ଟାଣି ନେଇ ଛିଣ୍ଡାଇଲା । ବୋଉ ତାକୁ ବାଧା ଦେଲା ନାହିଁ । କଅଣ ଲେଖା ହୋଇଛି ଶୁଣିବାକୁ ଆଗ୍ରହରେ ଅନାଇ ରହିଲା । ମୁଁ ବା ବାଧା ଦିଅନ୍ତି କାହିଁକି ? ଲଫାପା ଭିତରୁ ଦୁଇଖଣ୍ଡ ଚିଠି କାଢ଼ି ଖଣ୍ଡେ ଆଣ୍ଠୁତଳେଯାକି ଦେଇ ଆର ଖଣ୍ଡିକ ପଢ଼ିଲା–

 

ମାଉସି,

 

ମୋର ପ୍ରଣାମ ନେବେ । ସେ ଦିନ ତମ ସାଙ୍ଗେ ଧବଳେଶ୍ୱରରେ ମୋର ଦେଖା ହେଲା, ସେତିକିରେ ମୋତେ ଆପଣାର କରିନେଲ । ତମର ଆଦର ସ୍ନେହ କଥା ସବୁବେଳେ ମନେ ପଡ଼େ । ଇଚ୍ଛା ହୁଏ, ଥରେ ଯାଇ ଦେଖି ଆସିବି । କାମର ଭିଡ଼ । ତର ହୁଏ ନାହିଁ । ଗୀତାକୁ କଲ୍ୟାଣ କହିବ । ତାର ଆଙ୍ଗୁଠି ଘା ଭଲ ହେଲାଣି ତ ? ଉତ୍ତର ଦେବ । ଇତି ।

 

ସ୍ନେହାଧୀନ,

ପ୍ରବୋଧ

 

ଚିଠି ପଢ଼ିସାରି ରେଣୁ ଆବାକାବା ହୋଇବୋଉ ମୁହଁକୁ ଚାହିଁଲା । ମୁଁ କଣେଇ ଚାହିଁଲି । ଦେଖିଲି, ସେ ଗମ୍ଭୀର ହୋଇ ଉଠିଲା । ବିନା ଦୋଷରେ ମଧ୍ୟ ମୋତେ ସଙ୍କୋଚ ଲାଗିଲା । ପ୍ରବୋଧବାବୁ ଚିଠି ଦେଇଛନ୍ତି ବୋଉ ପାଖକୁ ! ଆର ଖଣ୍ଡିକ ତା ହେଲେ କଅଣ ମୋ ପାଖକୁ ଲେଖିଛନ୍ତି ? ଅସ୍ଥିର ଲାଗିଲା ।

ରେଣୁ ଚିଠି ଖଣ୍ଡି ତଳେ ଥୋଇବୋଉକୁ ପଚାରିଲା, ପ୍ରବୋଧ କିଏ ବଡ଼ ମା ?

ବୋଉର ମୁହଁରେ ଶୁଖିଲା ହସ ଖେଳିଗଲା । ଚିଠି ଖଣ୍ଡି ତଳୁ ଉଠାଇଧରି କହିଲା, ସେ ମୋ ପୁତୁରା ଲେଖା ହୁଏ ।

ରେଣୁ ପଚାରିଲା, ଗୀତା ଅପା ଗୋଡ଼ରେ ଘା ହୋଇଥିଲା କି ?

ବୋଉ କହିଲା, ଘା ନୁହେଁ ଯେ, ଧବଳେଶ୍ୱରରେ ଝୁଣ୍ଟି ପଡ଼ିଥିଲା । ନଖ ଟିକିଏ ଖଣ୍ଡିଆ ହୋଇ ଯାଇଥିଲା । ସେଇ କଥା ସେ ଲେଖିଛି ।

ରେଣୁ ଆଣ୍ଠୁତଳୁ ଆର ଚିଠି ଖଣ୍ଡିକ କାଢ଼ିଲା । କେଜାଣି କାହିଁକି ରେଣୁ ପଢ଼ିବା ଆଗରୁ ବୋଉ ଚିଠି ଖଣ୍ଡିକ ଟାଣି ନେଇ କହିଲା, ଦେ ଲୋ, ଚିଠି ଶୁଣିବାକୁ ମୋର ତର ନାହିଁ । ପଛେ ପଢ଼ିବି । ଚିଠି ଦି ଖଣ୍ଡି ଅଣ୍ଟାରେ ଖୋସିବୋଉ ଚାଲିଗଲା । ମୁଁ ନିଶ୍ୱାସ ମାରିଲି ।

ରେଣୁର ମନ ମାନିଲା ନାହିଁ । ତୁନି ତୁନି ମୋତେ ପଚାରିଲା, ଗୀତା ଅପା, ପ୍ରବୋଧବାବୁ କିଏ ? ତାଙ୍କ ନାଁ ଆଗରୁ ମୁଁ କେବେ ତୋ ଠାରୁ ଶୁଣି ନାହିଁ ? କଟକରେ ସେ କଅଣ କରନ୍ତି କି ?

 

କହିଲି, ମୁଁ ଜାଣି ନାହିଁ । ବୋଉ ତାଙ୍କୁ ଚିହ୍ନେ । ତାକୁ ପଚାର ।

 

ରେଣୁ କଅଣ ଭାବିଲା ମନକୁ ମନ କହିଲା, ତୋ କଥା ସେ ଲେଖିଛନ୍ତି ଆଉ ତୁ ତାଙ୍କୁ ଚିହ୍ନି ନାହୁଁ । ମତେ ଲୁଚାଇଛୁ, ନାଁ ।

 

କହିଲି, ଜାଣିଥିଲେ ଲୁଚାନ୍ତି କାହିଁକି ଲୋ, ତୁ କଅଣ ଭାଗବଣ୍ଟା ନେବୁ କି ?

 

ରେଣୁ ଆଜିକାଲି ଚଲାଖ ହୋଇଗଲାଣି । ମୁହଁ ଶୁଖାଇ କହିଲା, ସେଇ ଡର ଅଛି କି ଗୀତା ଅପା, ନୋହିଲେ ବଡ଼ମା ଆର ଚିଠିଖଣ୍ଡି ଏମିତି ନେଇ ପଳାନ୍ତେ କାହିଁକି ? ମୁଁ ସବୁ ଜାଣେ ଲୋ, ରାଧା ପରା ସେ ଦିନ ବୋଉ ଆଗେ କହୁଥିଲା ।

 

ରାଧା କଅଣ କହୁଥିଲା, ଜାଣିବାକୁ ବ୍ୟଗ୍ର ହୋଇ ପଡ଼ିଲି । ସେପରି ଆଗ୍ରହ ଦେଖାଇଲି ନାହିଁ । ଭାବିଥିଲି, ରେଣୁ ମନକୁ ମନ ସବୁ କହିବ । କିନ୍ତୁ ସେ କିଛି କହିଲା ନାହିଁ । ମୋ ମୁହଁକୁ ଚାହିଁ ହସିବାକୁ ଲାଗିଲା ।

 

କେତେବେଳେକେ କହିଲା, ମତେ ଲୁଚାଉଛୁ ନାଲୋ ? ତୁ ଭାରୀ କପଟି । ଗୀତା ଅପା, ରାଧା କହୁଥିଲା, କଟକରେ କୁଆଡ଼େ କେଡ଼େ ବଡ଼ଘରେ ତୋ ବାହାଘର ଲାଗିଲା । ତମେ ସବୁ ତାଙ୍କୁ ଧବଳେଶ୍ୱରରେ ଦେଖିଥିଲ । କେତେ ପ୍ରଶଂସା କରୁଥିଲା । ପ୍ରବୋଧ ବାବୁ ସେଇ ହେବେ କି କଅଣ । ମତେ ଲୁଚାଉଛୁ କାହିଁକି ? ଦିହିଁକି ବାହା ହବୁ କି ?

 

ସ୍ନେହରେ ତାକୁ ଚାପୁଡ଼ା ମାରି କହିଲି, ଭାରି ଦୃଷ୍ଟ । ଏତେ ଲୋକଙ୍କ କଥାରେ ତୁ କାନ ଦେଉ କାହିଁକି ?

 

ରେଣୁ ସଞ୍ଜବେଳେ ତାଙ୍କ ଘରକୁ ଫେରିଲା ।

 

ମୁଁ ଏକୁଟିଆ ବସି ଭାବିବାକୁ ଲାଗିଲି, ସେଦିନ ଧବଳେଶ୍ୱରରେ ଯାହା ଘଟିଥିଲା ରାଧା କେତେ ଲୋକଙ୍କ ଆଗରେ ଗପିଥିବ । ମୋର ନିନ୍ଦା ହେବ ବା ଅନିଷ୍ଟ ହେବ ଏପରି ଧାରଣା ଥିଲେ ସେ ପର ଆଗରେ ମନ ଖୋଲି ଏପରି କହି ନ ଥାନ୍ତା । ଖୁସିରେ, ସରାଗରେ ମଣିଷ ମନକଥା ପର ଆଗରେ ଖୋଲିଦିଏ । ସେଥିପାଇଁ ତାକୁ ପରେ ଅନୁତାପ କରିବାକୁ ପଡ଼େ । କଥା ନହସରେ ଯାହା ସେ ଗପି ଯାଇଥାଏ ପରେ ଅନୁତାପ କଲେ ଆଉ ଫେରେ ନାହିଁ ।

 

(୫୯)

 

ଦୋଷ ଗୁଣ ଧରିବାକୁ ବେଳ ନ ଥିଲା । ମନ ଛଟପଟ ହେଉଥାଏ କିପରି ଆର ଚିଠିଖଣ୍ଡି ହାବୁଡ଼େ ପଡ଼ିଲେ ପଢ଼ିବି । ବୋଉ ତାକୁ ସଦାବେଳେ ଅଣ୍ଟାରେ ଖୋସି ବୁଲିବ ନାହିଁ । ଶେଷକୁ ଆଣି ଠଣାରେ ଥୋଇଦେଇ ଯିବ । ସୁବିଧା ପାଇଲେ ନିଶ୍ଚୟ ପଢ଼ିବି ।

ସେ ମୋ ପାଖକୁ କଅଣ ଲେଖିଥିବେ ଅନୁମାନ କରିବାକୁ ଚେଷ୍ଟା କଲି । କେତେ ଭାବନା ମନକୁ ଆସିଲା । କେତେ ଦୃଶ୍ୟ ଆଖି ଆଗରେ ଭାସିଗଲା । ବୃଥାରେ ମୋ ଚିନ୍ତା ଉତ୍ତଳାହୋଇ ଧାଇଁଗଲା ଦୂରକୁ ଦୂରକୁ । କଅଣ ମୁଁ ଭାବୁଚି ? ଛି, କାହିଁକି ଆଉ ଆକାଶର ଫୁଲ ଆଡ଼କୁ ହାତ ବଢ଼ାଉଛି ?

ପାଣିର ଛାତିରେ ଆକାଶ ତାରାର ଛାଇ ପଡ଼େ । ଧୀର ପବନରେ ଦୋହଲି ଉଠେ ଲହଡ଼ି, ନାଚି ଉଠେ ଛାଇ । ତାରା କେବେ ନାଚେ ନାହିଁ । ସେମିତି ଦୃଢ଼, ସେମିତି ସ୍ଥିର ହୋଇ ଆକାଶ ଉପରେ ବସି ଚାହିଁଥାଏ ତଳକୁ ।

କେତେ ଦୂରରେ ସେ ଅଛନ୍ତି । ସ୍ମୃତିର ଛାଇଟି ପଡ଼ିଛି ମୋର ଏ ଅଧୀର ଛାତି ଉପରେ-। ଦୋହଲି ଉଠୁଛି, କିନ୍ତୁ କାହାନ୍ତି ସେ !

ବାହାରର ପବନ ଲାଗି ଭାବନା ଅସ୍ଥିର ହୋଇ ଉଠେ । ଆପେ ଆପେ ସ୍ଥିର ହୋଇଯାଏ । ସପନପୁରୀରୁ ଫେରିଆସେ ବାସ୍ତବ ଦେଶକୁ, ବର୍ତ୍ତମାନର ଆଖି ଆଗକୁ ।

ଅପସରି ଯାଏ ସ୍ମୃତି ।

 

(୬୦)

 

ଅଧିକ ବେଳ ଏକୁଟିଆ ରହିପାରିଲି ନାହିଁ । କିଏ ଜଣେ ନଲଟଣ ଲଗାଇ ମୋ ଘରେ ରଖିଦେଇ ଗଲା । ସଙ୍ଗେ ସଙ୍ଗେ ଦଳେ ଗାଁ ମାଇପେ ଆସି ପହଞ୍ଚିଗଲେ । ମୋର ଭାବନା ଭାଙ୍ଗିଲା । ନୂଆ ବୋହୂ ପରି ଓଢ଼ଣା ଟାଣି ତୁନି ହୋଇ ବସିଲି । କିଏ କେତେ କହିଲେ ମୋର ମନେ ନାହିଁ ।

 

ସେମାନେ ଫେରିଲେ ।

ବୋଉ ଆସି କହିଲା, ଗୀତା, କିଛି ଖାଇବୁ ନାହିଁ ? ଆ, ଗଣ୍ଡାଏ ଖାଇଦେଇ ଆସିବୁ ।

 

ପ୍ରତିବାଦ ନ କରି ରୋଷଘରକୁ ତା ସଙ୍ଗେ ଗଲି । ଦରଖିଆ ହୋଇଛି, ରାଧା ଆସି କହିଲା, ବିମଳା ଭାରିଯା ଆସିଛି ଗୋ, ରାତି ଅଧରେ କାହିଁକି ଆସିଛି କେଜାଣି ?

 

ବିମଳାଭାଇଙ୍କ ସ୍ତ୍ରୀ ଆସିଛନ୍ତି ଶୁଣି ମୋର ଆଉ ଖାଇବାକୁ ମନ ହେଲାନାହିଁ । ଦରଖିଆ ହୋଇ ହାତ ଧୋଇ ଉଠି ଆସିଲି ଏ ଘରକୁ । ବିମଳା ଭାଇଙ୍କ ସ୍ତ୍ରୀ ଯେତେବେଳ ଯାଏ ରହିଲେ ରାଧା ମୋର ପାଖେ ପାଖେ ଥାଏ । ପଦେ କିଛି ପଚାରିଲେ ସେ ତାର ଜବାବ ଦିଏ । ସେ ବି ଡରି କରି ସେପରି କିଛି କହିଲେ ନାହିଁ ।

 

ଗଲାବେଳକୁ କହିଗଲେ, ଆଲୋ ରାଧା, ସବୁ ଭଲ ଯେ, ହେଲେ ଜଟିଆ କଅଣ ଆଉ ଗୀତା ଲାଖି ? ହଉ, ଠାକୁରେ ଆଇସ ନିହତ ଦେଉନ୍ତୁ ।

 

ରାଧା ଭଲେଇ ହୋଇ କହିଲା, ଯାହା କହିଲ ଠିକ୍ । ହେଲେ ଜଟିଆ ତ ମରଦ ପିଲା । ରୂପଗୁଣ କଅଣ ବାଛିବା ? ସବୁ କପାଳ । ବିମଳା ଯେତେବେଳେ ବାହାହେଲେ, କେତେ ଲୋକ କେତେ କଥା କହିଲେ । ଭାଗ୍ୟ ସୁନ୍ଦର ହେଲେ ସବୁ ସୁନ୍ଦର । ଠାକୁରେ ଆଇସ ଦିଅନ୍ତୁ ।

 

(୬୧)

 

ରାତିରେ କାମଦାମ ସାରି ବୋଉ ମୋ ପାଖରେ ଶୋଇବାକୁ ଆସିଲା । ମୁଁ ଶୋଇ ନ ଥାଏ । ରାଧା ମୋ ପାଖରେ ବସି ଏଣୁ ତେଣୁ ଗପ କହୁଥାଏ । ବୋଉ ଅଣ୍ଟାରୁ କାଢ଼ି ଚିଠି ଦି ଖଣ୍ଡି ଠଣା ଉପରେ ରଖିଦେଇ ଆମ ପାଖରେ ବସିଲା । କେତେବେଳେ ଶୋଇ ପଡ଼ିଲି ।

 

ରାତି ନ ପାହୁଣୁ ଉଠିଲି । ବୋଉ କି ରାଧା କାହାରି ନିଦ ଭାଙ୍ଗି ନ ଥାଏ । ଠଣାରୁ ଚିଠି ଦି ଖଣ୍ଡି ନେଇ ପିଣ୍ଡାକୁ ଆସିଲି । ପଢ଼ିବାକୁ ଚେଷ୍ଟା କଲି । ପାହାନ୍ତା ପହରର ଫିକା ଆଲୁଅ ଆସି ନ ଥାଏ । ଚାଉଁଚାଉଁଆ ଡର ଲାଗୁଥାଏ–କାଳେ ବୋଉର ନିଦ ଭାଙ୍ଗିଯିବ । ସେ ଦେଖିଲେ କଅଣ ମନେ କରିବ ? ଚିଠି ଦିଖଣ୍ଡି ଭାଙ୍ଗି ଭୁଙ୍ଗି ହାତରେ ଧରିଲି । ଘର ଭିତରକୁ ଆସିଲି । ବୋଉର ନିଦ ଭାଙ୍ଗି ନାହିଁ । ପଦାକୁ ଆସୁଛି, ରାଧା କର ଲେଉଟାଇ ଚାହିଁଲା । ମୋତେ ଦେଖି ପଚାରିଲା, ଗାଧୋଇ ଯିବ ଦେଈ, ପାଣି ଦେବି ?

 

ଅପ୍ରସ୍ତୁତ ହୋଇ କହିଲି, ନାଇଁ, ରାତି ପାହୁ ।

 

ଭାବୁଥିଲି, ସେ ପୁଣି ଆଖି ବୁଜିବ କିନ୍ତୁ ସେ ଉଠି ବସିଲା । ତା ପଛେ ପଛେ ବୋଉ ମଧ୍ୟ ଉଠିଲା । ଚିଠି ପଢ଼ିବାର ସୁବିଧା ପାଇଲି ନାହିଁ । କିପରି ତାକୁ ଯଥା ସ୍ଥାନରେ ରଖିଦେବି ସେଇ ଓର ଉଣ୍ଡୁଥାଏ । ପାହାନ୍ତାର ଥଣ୍ଡା ଆଲୁଅ ଝରକାବାଟେ ଘରେ ପଶିଲା । ବୋଉ ଗେହ୍ଲେଇ କହିଲା, ଗାଧୋଇ ଯା ମା, ଦିନ ହୋଇଗଲେ ଲୋକବାକ ଆସିବେ ।

 

ବାଆଁରେଇ ହୋଇ ଝରକା ପାଖକୁ ଆସି ପଦାକୁ ଚାହିଁଲି । ବୋଉ ରାଧା ଦିହେଁ ପଦାକୁ ଗଲେ । ମୁଁ ଠଣା ପାଖକୁ ଆସି ଚିଠି ଦି ଖଣ୍ଡି ରଖିଦେଲି । ମନେହେଲା ଯେପରି ମୁଣ୍ଡ ଉପରୁ କେଡ଼େ ବଡ଼ ବୋଝଟାଏ ଓହ୍ଲାଇ ଗଲା ।

 

 

(୬୨)

 

ସେଦିନ ଆଉ ଚିଠି ପଢ଼ିବାର ସୁବିଧା ପାଇଲି ନାହିଁ । କଅଣ ସେ ଲେଖିଥିଲେ ଜାଣିବାକୁ ଆଗ୍ରହ ହେଉଥାଏ । ବେଳେ ବେଳେ ନିରୋଳା ହେଲେ ଉଠି ଠଣାକୁ ଚାହେଁ । କାଳେ କିଏ ଆସିଯିବ ବୋଲି ଭୟରେ ତୁନି ହୋଇ ବସେ । ସଞ୍ଜବେଳେ ଦାମଭାଇଙ୍କବୋଉ ଓ ସ୍ତ୍ରୀ ବୁଲିବାକୁ ଆସିଲେ । ବଡ଼ମାଙ୍କୁ ଚାହିଁ ମୋତେ ଭାରି କାନ୍ଦ ମାଡ଼ିଲା । ଏଇ ବଡ଼ମା, ପିଲାଦିନେ କେତେ ଭଲ ପାଉଥିଲେ, କେତେ ପ୍ରଶଂସା କରି କହୁଥିଲେ । ବିନା ଦୋଷରେ ସେହି ପୁଣି ଓଲଟି ପଡ଼ିଲେ । ଲୋକଙ୍କ କଥାରେ ବିଶ୍ୱାସ କରି ଜାଣି ଜାଣି ମତେ ବୁଡ଼ାଇ ଦେବାକୁ ବସିଛନ୍ତି । ତାଙ୍କ ଗୋଡ଼ ଧରି ନୀରବରେ କେତେ ଲୁହ ଢ଼ାଳିଦେଲି ।

 

ଆଖି ତାଙ୍କର ଲୁହରେ ଭରିଗଲା । ମନର କଥା ବୁଝିବେ ପରା । ହାତରେ ମୋ ଆଖିରୁ ଲୁହ ପୋଛିଦେଲେ । କଅଣ କହିବେ କହିବେ ବୋଲି ତାଙ୍କର ଓଠ ଥରି ଉଠିଲା । କିଛି କହି ପାରିଲେ ନାହିଁ । ବୋଉ ପାଖକୁ ଆସିଲା । ବୋଉକୁ ସେ କହିଲେ, ଝିଅଟାର କଣ୍ଟା ଦୋହଲି ଗଲାଣି ଗୀତାବୋଉ । ତମେ ତ ତେଣେ କାମଦାମରେ ବ୍ୟସ୍ତ ରହିଲ, ତାର ଖିଆପିଆ ଖବର ବୁଝୁନା ପରା ।

 

ବୋଉ କହିଲା, ଗୀତା ଆଜିକି କେଇଦିନ ହେଲା ଖିଆପିଆଛାଡ଼ିଲାଣି । ଯେତେ ରାଣ ନିୟମ ପକାଇଲେ କଅଣ ପେଟ ପୁରାଇ ଖାଉଛି ? ଗୁଣ୍ଡାଏ ଦି ଗୁଣ୍ଡା ନେଇ ଉଠୁଛି । ସବୁବେଳେ ଭାବୁଛି, ସବୁବେଳେ କାନ୍ଦୁଛି ।

 

କହୁ କହୁ ବୋଉ କାନ୍ଦି ପକାଇଲା ।

 

ବଡ଼ମା କହିଲେ, ମାଆଟା ମୋର । କଅଣ ହେଲୁଣି ଲୋ, ଚନ୍ଦ୍ରଉଦିଆ ମୁହଁ କଳାକାଠ ପଡ଼ିଗଲାଣି । ସବୁବେଳେ କାନ୍ଦୁଛୁ କାହିଁକି ? ମୋରାଣ ତୁନି ହ । ମାଆଲୋ, ଝିଅ ଜନ୍ମ ହୋଇଥିଲେ ଦିନେ ସବୁ ମାୟା ମମତା କାଟି ପରଘରକୁ ଯିବାକୁ ପଡ଼େ । ଆମେ ତ ପୁଣି ଦିନେ ଝିଅ ହୋଇଥିଲୁ ।

 

ତାଙ୍କର ସାନ୍ତ୍ୱନା କଥା କେଇ ପଦରେ ମୋ ମନର କୋହ ତୁହାଇ ଉଠିଲା । ଆଣ୍ଠୁ ଉପରେ ମୁଣ୍ଡ ରଖି କଇଁ କଇଁହୋଇ କାନ୍ଦିଲି । ସେ ମୋର ପିଠି ଆଉଁସି କେତେ କଅଣ ବୁଝାଇ କହିଲେ ଖିଆଲ ନାହିଁ । ମୋତେ ଦାମଭାଇଙ୍କ ସ୍ତ୍ରୀଙ୍କ ପାଖରେ ଛାଡ଼ିବୋଉଙ୍କ ସଙ୍ଗରେ ଭଣ୍ଡାର ଘରକୁ ଗଲେ ।

 

ଦାମଭାଇଙ୍କ ସ୍ତ୍ରୀ ପିଲାଟିକୁ କୋଳରେ ଧରି ମୋ ପାଖରେ ବସି ଥାଆନ୍ତି । ତାଙ୍କ ମୁହଁକୁ ଚାହିଁଲେ ମୋର ଛାତି ଭିତରେ କିପରି କୋହ ଉଠୁଥାଏ । ସେ ମୋତେ କିଛି କହୁ ନ ଥାନ୍ତି-। ଆଗ ବଳିପଡ଼ି ତାଙ୍କୁ ମୁଁ କଅଣ କହିବି ଭାବି ସ୍ଥିର କରି ପାରିଲି ନାହିଁ । ଯାହା ହେବାର ତ ହୋଇଛି । ଆଉ ମନରଖା କଥା କାହିଁକି ? ଦିନେ ତାଙ୍କ ଆଗରେ ମନର ବ୍ୟଥା ଖୋଲିକହିଥିଲି । ପଥର ଆଗରେ କହିଥିଲେ ସେ ହୁଏତ ତରଳି ଥାଆନ୍ତା । ଦାମଭାଇଙ୍କ ସ୍ତ୍ରୀ, କେଡ଼େ ଟାଣ ତାଙ୍କର ଛାତି, ସବୁ ଶୁଣି ଶେଷକୁ ମୋତେ ଅପମାନ ଦେଲେ । ସନ୍ଦେହରେ ଭରି ରହିଛି ଯାହାର ମନ, ତା ଆଗରେ ପ୍ରାଣର କଥା କହନ୍ତି କାହିଁକି ?

 

ବଡ଼ମା ଫେରି ଆସିଲେ । ଦାମଭାଇଙ୍କ ସ୍ତ୍ରୀଙ୍କୁ ଯିବାକୁ ଡାକିଲେ । ସେ ଉଠିଯିବା ଆଗରୁ ମୋ ହାତ ଧରି କହିଲେ, ଯାଉଛି ଗୀତା ।

 

ତାଙ୍କ ହାତକୁ ମୁଠାଇ ଧରି ଢଳଢଳ ଆଖିରେ କହିଲି, ଆଉ ଟିକିଏ ବସ ନୂଆବୋହୂ ।

କହିଲେ, ବୋଉ ଯିବାକୁ ଡାକିଲେଣି ।

 

ଭାଉଜଙ୍କର ଦୁଇ ଆଖି ଲୁହରେ ଭରିଗଲା । ସେ ମୋ ମୁହଁକୁ ଅନାଇଁ ରହିଲେ । ଦୁଇଧାର ଲୁହ ଗାଲ ଉପରେ ଗଡ଼ି ଆସିଲା । ନିଜ ଅଂଚଳରେ ମୋ ଆଖିର ଲୁହ ପୋଛିଦେଲେ । ସେ ଯେପରି କଅଣ କହିବାକୁ ମନ କରୁଥିଲେ, କିନ୍ତୁ ପେଟର କଥାକୁ ତୁଣ୍ଡରେ ଅଟକାଇ ରଖିବାକୁ ଅଦମ୍ୟ ଚେଷ୍ଟା କରୁଥିଲେ । ତାଙ୍କର ଓଠ ଦିଫାଳ ଓ ନାକପୁଡ଼ା ଥରି ଉଠୁଥାଏ । କିଛି ପ୍ରକାଶ ନ କରି ସେ ଧୀରେ ଧୀରେ ଉଠି ଘର ଭିତରୁ ପଦାକୁ ବାହାରି ଗଲେ ।

 

(୬୩)

 

ଆର ଚିଠିଖଣ୍ଡି ଅମରଭାଇବୋଉକୁ ଲେଖିଥିଲେ । ପରଦିନ ଦି ପହରରେ ସୁଯୋଗ ପାଇ ତର ତର କରି ମୁଁ ପଢ଼ି ଦେଇଥିଲି । କେତେ କଅଣ ଲେଖା ହୋଇଥିଲା, ଆଜି ମୋର ମନେ ନାହିଁ । ଚିଠିଟିରେ ପ୍ରଧାନ ବିଷୟ ଥିଲା, ପ୍ରବୋଧ ବାବୁଙ୍କ ଘରକଥା । ମୋତେ ବିବାହ କରିବାକୁ ତାଙ୍କର ଆଗ୍ରହ ଓ ବିଧୁବାବୁଙ୍କର ପ୍ରତିବାଦ । ଶେଷକୁ ତାଙ୍କ ସ୍ତ୍ରୀଙ୍କର ସଙ୍କଳ୍ପ ଯେ ମତେ ଦିନେ ଓଳିକରେ ଦେଖିବାକୁ ଆସିବେ । ଯଦି ତାଙ୍କର ମନକୁ ପାଏ, ସ୍ଥିର ଜବାବ ଦେଇଯିବେ । ତାଙ୍କ ପୁଅର ଆନନ୍ଦ ଓ ସୁଖ ପାଇଁ ଦରକାର ପଡ଼ିଲେ ନମିତା ବିଷୟରେ ସ୍ଥିର ହୋଇଥିବା ସମ୍ବନ୍ଧ ସେ ଭାଙ୍ଗି ଦେବେ । ସେଥିପାଇଁ ଯଦି କେହି ନିନ୍ଦା କରେ ସେ ସହିବେ । ଗୋଟିଏବୋଲି ପୁଅ । ବାହାଘର, ଜୀବନ ସୌଦା, କାହାର ମନ ରକ୍ଷା କରିବାକୁ ଯାଇ ବା ନିନ୍ଦା କି ଦୁର୍ନାମକୁ ଡରି କି ଦେବା ନେବା ଉପରେ ଆଖି ରଖି ପିଲାଟାକୁ ସାରା ଜୀବନ ଅଶାନ୍ତି ସେ କରିବେ ନାହିଁ ।

 

ଅମରଭାଇ ମୋର ପ୍ରଶଂସା କରି ଲେଖିଥିଲେ । ସବୁ ପ୍ରଶଂସା ପ୍ରବୋଧବାବୁଙ୍କ ମୁହଁରୁ ବାହାରିଥିଲା । ତାଙ୍କ ପାଖକୁ ଚିଠି ଲେଖିବାକୁ ବୋଉକୁ ସେ ଅନୁରୋଧ କରିଥିଲେ । ବୋଉଠାରୁ ଖଣ୍ଡେ ଚିଠି ପାଇବାକୁ ସେ ଚାତକ ପରି ଚାହିଁ ରହିଛନ୍ତି ।

 

ଚିଠିଖଣ୍ଡି ପଢ଼ୁପଢ଼ୁ ଭାବିଲି, ବୋଉ ନିଷ୍ଠୁର ହେଲା କାହିଁକି ? ଯାହାକୁ ସେ ଆକାଶ – କୁସୁମ ମନେ କରିଥିଲା, ନିଜେ ସେ ଆସି ହାତରେ ଧରା ଦେଉଛନ୍ତି । ତଥାପି, ତାର ବିଶ୍ୱାସ ହେଉନାହିଁ ?

 

ପ୍ରବୋଧବାବୁ ମୋତେ ଭଲ ପାଆନ୍ତି । ତାଙ୍କର ପରଶ ଓ ତାଙ୍କ ଆଖିର ନିବିଷ୍ଟ ଚାହାଁଣୀରେ ମୁଁ ତାର ସୂଚନା ପାଇଥିଲି । ମୋର ମନ ବି ତାଙ୍କରି ଆଡ଼କୁ ଢଳି ପଡ଼ିଥିଲା । ଏ କଥା ସେ ଅନୁଭବ କରିଥିବେ । କିନ୍ତୁ ଲୌକିକତାର ବାଡ଼ ଡେଇଁ ପରସ୍ପର ସ୍ନେହମମତା ମିଶି ଏକାକାର ହୋଇପାରେ ନାହିଁ ।

 

(୬୪)

 

ଲୌକିକତାର ବାଡ଼ ।

 

ଏଡ଼େବଡ଼, ଏଡ଼େ ପ୍ରଖର ତାର ପ୍ରଭାବ ମଣିଷ ଜୀବନ ଉପରେ ! ମିଳନମୁଖୀ ଦୁଇଟି ଜୀବନକୁ ଦୁଇ ଆଡ଼କୁ, ଅଜଣା ଅଶୁଣା ସ୍ଥାନକୁ ଠେଲିଦିଏ, ଯେଉଁଠି ପଡ଼ି ଅନ୍ୟ ବନ୍ଧନୀ ଭିତରେ ରହି ଛଟପଟ ହୁଏ ଆତ୍ମା । ଦୁଇଟି ଆତ୍ମା ବନ୍ଧନୀ ଭିତରେ ନିଜକୁ ହଜାଇ ଦିଏ ନାହିଁ, ଅନ୍ୟକୁ ଅବଲମ୍ୱନ କରେ ।

 

ଲୌକିକତାର ଦୁର୍ଭେଦ୍ୟ ବନ୍ଧନୀ ?

 

ତାଆରି ଭିତରେ ସେ ତାର ଅବଲମ୍ୱନକୁ ପୂଜା କରେ ମନର ଦେବତା କରି । ଏଇ ମୋର ସେଇ କୃଷ୍ଣ ! ଚେତନାର ଆଖିପତା ମୁଦି ହୋଇଥାଏ । ଯେତେବେଳେ ଖୋଲେ, ଚମକି ଉଠି ଚିତ୍କାର କରେ, କାହିଁ ମୋର ପ୍ରାଣର କୃଷ୍ଣ ? ହତାଶରେ ବୁଜି ହୋଇଯାଏ ଆଖିପତା । ଆଲିଙ୍ଗନ କରେ ଅବଲମ୍ୱନକୁ । ଏଇ ମୋର କୃଷ୍ଣ ! ଏଇ ! ଲୌକିକତାର ବନ୍ଧନୀ ଭିତରେ ଗଢ଼ି ହୋଇଯାଏ ସ୍ୱାର୍ଥର ଅଟ୍ଟାଳି । ଲିଭିଯାଏ ନାହିଁ, ହଜିଯାଏ ମନର ଆଲୁଅ ।

 

ସେତେବେଳେ ଏତେ କଥା ବୁଝି ନ ଥିଲି । ଅନ୍ଧାର ରାତିରେ ଏକୁଟିଆ ବାଟୋଇ ଗଛ ଗହଳି ଭିତରେ ଚିରୁଗୁଣୀ ଆଲୁଅକୁ ଲକ୍ଷ୍ୟ କରି ବାଟ ଭାବି ଅବାଟରେ ଧାଏଁ । ବାଟ ପାଏ ନାହିଁ । ଅରମାରେ ପଶେ । ତଥାପି ସେ ଧାଏଁ ।

 

ଆଶାର ଆଲୁଅ ପଛରେ ମନ ଉତଳା ହୋଇ ଧାଇଁଥିଲା, ମାନି ନ ଥିଲା ଅରମା । ଆକାଶର ତାରା ହସି ଉଠିଥିଲା । ପରିସ୍ଥିତି ହସି ଉଠିଥିଲା ସେହିପରି । ତଥାପି ଭାବିଥିଲି, ଦିନେ ଓଳିକରେ ସେ ଆସିବେ, ସାଙ୍ଗରେ ଥିବେ ତାଙ୍କର ବୋଉ । ସବୁ ଓଲଟ ପାଲଟ ହୋଇଯିବ ?

ପ୍ରବୋଧ ବାବୁ !

କେତେ ଗାଁ ଗଣ୍ଡା, ବିଲ, ନାଳ ସେପାରିରେ ସେ ଅଛନ୍ତି । ମନ ଉଡ଼ିଗଲା, ରଘୁନାଥଜୀ ମନ୍ଦିର ପାଖ ସେଇ ବଡ଼କୋଠାଘର, ବିଜୁଳି ଆଲୁଅ, ନଈ ମଝି ଧବଳେଶ୍ୱର ମନ୍ଦିର ପଛର ଜଙ୍ଗଲ, ଆବଡ଼ା ରାସ୍ତା । ନଈ ମଝିରେ ଡଙ୍ଗା ।

ପ୍ରବୋଧ ବାବୁ !

ବୋଉ ପାଖକୁ ସେ ଯେଉଁ ଚିଠି ଖଣ୍ଡିକ ଲେଖିଥିଲେ ତାକୁ କେତେଥର ପଢ଼ିଲି । ସତେ ତ, ଥରଟିଏ ଦେଖାରେ କେଡ଼େ ଆପଣାର ସେ ହୋଇଗଲେ । ମୋତେ ପୁଣି କଲ୍ୟାଣ କହିଛନ୍ତି । ମନେ ହେଲା, ସେଇ ଚିଠି ବକଟକରେ ଯେପରି ସେ ଲୁଚି ରହିଛନ୍ତି । ବାହା ହେବାକୁ ବସିଛି, କାହିଁକି ପର ମଣିଷର ହାତଲେଖା ଚିଠିଖଣ୍ଡିକୁ ଆଖି ଲୁହରେ ଭିଜାଇ ଦେଲି । କାହିଁକି ନିର୍ଜୀବ ଚିଠିଟିକୁ ନିର୍ବୋଧ ପରି ଛାତିରେ ରଖିଲି ? ସତେ ସେ ମୋର ଆତ୍ମାର ଡାକ ଶୁଣିବେ, ଛାତିର ସ୍ପନ୍ଦନ ଅନୁଭବ କରିବେ ?

ଗୋଟିଏ ଖିଆଲରେ ଚିଠିଟିକୁ ଲୁଚାଇ ରଖିଲି । ଦିନେ ଓଳିକରେ ସେ ତ ନିଶ୍ଚୟ ଆସିବେ । ସବୁ ଓଲଟିଯିବ । ଲୁହ ଝରି କାଳି ବିଲିବିଲି ହୋଇଥିବା ଚିଠିଖଣ୍ଡ ତାଙ୍କୁ ଦିନେ ଦେଖାଇବି । ପଚାରିଲେ କହିବି, ସବୁ କହିବି ।

 

ସେ ଆସିବେ, ଏହି ଚିନ୍ତାରେ, କେଡ଼େ ଉଦ୍‌ବିଗ୍ନତାରେ ମୋର ବେଳ କଟିଗଲା । ଦିନ ପରେ ଦିନ, ରାତି ପରେ ରାତି ବିତିଲା । କାହିଁ, ଆସିଲେ ନାହିଁ ତ ! ରାତିରେ ସମସ୍ତେ ଶୁଅନ୍ତି; କିନ୍ତୁ ମୁଁ କାହାର ପ୍ରତୀକ୍ଷାରେ ଉଜାଗର ହୋଇ ଚାହିଁ ରହିଥାଏ ? ଛାତିରେ ସେହି ନିର୍ଜୀବ ଚିଠିଟି ଯେପରି ଜୀବନ୍ତ ହୋଇ ଉଠେ । ନିଦ ଆସିଲେ ମନ ସପନ ରାଇଜରେ ଭ୍ରମେ । ଫୁଲ ବଗିଚାରେ ସୁନେଲୀ ସଞ୍ଜରେ ମୋର ହାତ ଧରି ସେ ବୁଲୁଛନ୍ତି । ଭଅଁର ପରି ଗୁଞ୍ଜରି ଉଠୁଛନ୍ତି, ଗୀତା, ମୁଣ୍ଡରେ ଓଢ଼ଣା ଦେଇଛ କାହିଁକି, କେହି ତ ନାହିଁ ।

 

କହେଁ, ଜଣେ ଅଛି ଉପରେ ।

କିଏ ଗୀତା ?

କହେଁ, ଚାନ୍ଦ ମାମୁଁ ।

ଜୀବନଟା ଯଦି ଖାଲି ସପନ ହୋଇଥାନ୍ତା !

 

ଆଜି ଭାବୁଛି, ଜୀବନ ତ ସତେ ଗୋଟିଏ ସପନ, ଆଲୁଅ ଅନ୍ଧାରର ଖେଳ । ଜହ୍ନମାମୁଁ ପରି ନିୟତି ଚାହିଁ ରହିଛି । କେବେ ହସୁଛି, କେବେ ମୁହଁ ଛପାଦେଇ ରହୁଛି ।

 

(୬୬)

 

ମଙ୍ଗନ ଆଉ ପାଞ୍ଚଦିନ ରହିଲା । ପ୍ରାଣ ମୋର ଉଚ୍ଛନ୍ନ ହେଲା ଘଡ଼ିକିଘଡ଼ି । ସେମାନେ ଆସିଲେ ନାହିଁ । ଆସିବେ ନାହିଁ । ଯାହା ଆସୁଛି ତାକୁ ହିଁ ମତେ ଅବଲମ୍ବନ କରିବାକୁ ହେବ । ନିୟତିର ନିର୍ଦ୍ଦେଶ ମୁଣ୍ଡ ପାତି ସହିବାକୁ ହେବ । ମୋର ମନ ଆକୁଳ ହୋଇ ଉଠେ ।

 

କନିଆଁ ଡାକରା କରି ଗାଁରେ ବନ୍ଧୁ କୁଟୁମ୍ବ ଡାକି ନିଅନ୍ତି । ଆଦର କରି କେତେ କଥା କହନ୍ତି । କାନରେ ସବୁ ବାଜେ, ମନରେ ପଶେ ନାହିଁ । ଦାମ ଭାଇଙ୍କର ସ୍ତ୍ରୀ ସେ ଦିନ ମନ ଖୋଲି କଥା କହିଲେ । ଭଲ ମନ୍ଦ କଅଣ କାନେ କାନେ ଶିଖାଇଲେ ।

 

କହିଲେ, ଗୀତା, ମନେ ରଖିଥା, କେବେ କଥା କହିବ ନାହିଁଟି ସେଦିନ ରାତିରେ ।

 

କାନ୍ଦିଲି । କାହାକୁ କଥା କହିବି ନାହିଁ, କାହାକୁ ? ସତେ କଅଣ ଜଟିଆର ହାତ ଧରିବାକୁ ହେବ ? ଜଟିଆ, ସେଇ ହେବ ମୋର ସ୍ୱାମୀ, ମୋର ଦେବତା ! ଇହକାଳ ପରକାଳର ଗତି ମୁକ୍ତି । ଭାଗ୍ୟରେ ଏହାହିଁ ଅଛି ?

 

ଦାମଭାଇଙ୍କର ସ୍ତ୍ରୀଙ୍କ କୋଳରେ ମୁଣ୍ଡ ରଖି ମନଇଚ୍ଛା କାନ୍ଦିଲି । ତାଙ୍କ ପାଖରେ ଏଇ ମୋର ଶେଷ କାନ୍ଦଣା, ଶେଷ ଅଳି । ମୋ ପାଇଁ ଆଉ ତାଙ୍କର ମନରେ ଅଶାନ୍ତି ନାହିଁ । ଦାମଭାଇଙ୍କୁ ଆଉ ସେ ସନ୍ଦେହ କରିବେ ନାହିଁ । ବିଦାୟ ନେଉଛି । କାହିଁକି ଆଉ ସଙ୍କୋଚ, କାହିଁକି ଆଉ ଭୟ ?

 

ସେ ମଧ୍ୟ କାନ୍ଦିଲେ । ଆଦର କରି ମୋ ଆଖିରୁ ଲୁହ ପୋଛି କଁଳେଇ କହିଲେ, ଛି, କାନ୍ଦନା । ତୁମ ମନରେ ମୁଁ ନ ଜାଣି କେତେ କଷ୍ଟ ଦେଇଛି । ସବୁ ଭୁଲିଯିବ, ଗୀତା ।

 

ବେଳୁବେଳ ମୋର କୋହ ବଢ଼ିଲା । ସତେ ଦାମଭାଇଙ୍କ ସ୍ତ୍ରୀ ଆଜି ବଦଳି ଗଲେ ? ନିଜର ଭୁଲ ବୁଝି ପାରିଲେ ?

 

ତାଙ୍କର ହାତକୁ ଚାପି ଧରି ଲୁହଧୁଆ ଆଖିରେ କହିଲି, ସବୁ ଭୁଲିଯିବ ନୂଆବୋହୂ, ଖାଲି ତମର ଏଇ ମିଠା ମନଖୋଲା କଥା ପଦିକ ମରିବାଯାଏ ଭୁଲି ପାରିବି ନାହିଁ । ନୂଆବୋହୂ, ଚିରଦିନ ମତେ ଘୃଣାକରି ଆସିଛ, ଅବିଶ୍ୱାସ କରି ଆସିଛ । ତୁମର ଘୃଣା ଓ ଅବିଶ୍ୱାସର ବୋଝ ମୁଣ୍ଡରେ ବହି ମୁଁ ସେ ପୁରକୁ ଯାଇଥାନ୍ତି । ଆଜି ଅବେଳରେ କାହିଁକି ମୋତେ ଭଲ ପାଇଲ ? କାହିଁକି ମୋ ପାଇଁ ଆଖିରୁ ଲୁହ ପୋଛିଲ ?

 

କହିଲେ, ତୁମେ ପାଗଳୀ ହେଲ କି ? କେବେ ତୁମକୁ ଘୃଣା କରିଥିଲି ? ଭୁଲ ବୁଝ ନା ଗୀତା । ଯିଏ ମୋର ହାତ ଧରିଛନ୍ତି ସେ ଅବହେଳା କଲେ ବାରତୁଣ୍ଡରୁ ବାର କଥା ଶୁଣିଲେ ମନ କଅଣ ହୁଏ ? ସ୍ତ୍ରୀ ଜନ୍ମ ପାଇଛ, ବେଳ ପଡ଼ିଲେ ବଳେ ବୁଝିବ ।

 

ଅବାଧ୍ୟ ଲୁହ ବାରଣ ମାନିଲା ନାହିଁ । କେରା କେରା ହୋଇ ଆଖିରୁ ଝରି ପଡ଼ିଲା ।

 

କହିଲି, ନୂଆବୋହୂ, ଗରିବ ଘରେ ଝିଅ ହୋଇ ଜନମ ହେବା ଯଦି ଅପରାଧ ହୋଇଥାଏ, ସେଇ ଅପରାଧ ମୁଁ କରିଛି । ଗରିବ ସଦାବେଳେ ସ୍ନେହ କାଙ୍ଗାଳ । ଅନ୍ୟମାନେ ନାକ ଟେକିଲାବେଳେ ଦାମଭାଇ ଟିକିଏ ଆଦର ସ୍ନେହ କରୁଥିଲେ । ଭାଇର ସ୍ନେହ କଅଣ ମୁଁ କେବେ ଜାଣି ନ ଥିଲି । ମା ପେଟରୁ ଜନମିଲା ଭାଇ ପରି ତାଙ୍କୁ ମୁଁ ସ୍ନେହ ଭକ୍ତି କରି ଆସିଛି, ପିଲାଟି ଦିନୁ-। ବଡ଼ ହେଲାରୁ ଆଡ଼େଇ ରହିନାହିଁ । ଏହା ନ୍ୟାୟ କି ଅନ୍ୟାୟ ମୁଁ ଜାଣେ ନାହିଁ । ଯେଉଁ ଗୀତାକୁ ପିଲାଦିନୁ କାଖେଇ କୁଣ୍ଢାଇ ଗେଲକରି ଆସିଥିଲେ, ବଡ଼ହୋଇ ଦୂରେଇ ରହିଲାରୁ ତା ପ୍ରତି ଯଦି ତାଙ୍କ ମନରେ ଅଲଗା ଧାରଣା ଜନ୍ମିଥାଏ, ସେଥିକି ଗୀତା ଦୋଷୀ ହେବ ନାହିଁ । ଦାମଭାଇ ଚିରଦିନ ମୋର ଭାଇ । ଏତିକି ତୁମେ ବିଶ୍ୱାସ କର ନୂଆବୋଉ, ଏତିକି ତୁମ ପାଖରେ ଶେଷ ମାଗୁଣି । ମନ କଥା ମୁଁ କହି ଦେଇଛି । ସେମାନେ ମତେ ହାଣମୁହଁକୁ ଟାଣି ନେଉଛନ୍ତି । ନେଉନ୍ତୁ । ମନା କରିବି ନାହିଁ, ଅଝଟ ହେବି ନାହିଁ, ହାଣ ମୁହଁକୁ ଚାଲିଯିବି; ବେକ ଦେଖାଇବି । ସେମାନେ ସୁଖୀ ହେଉନ୍ତୁ, ତୁମେ ସୁଖୀ ହୁଅ, ନିଶ୍ଚିତ ହୁଅ ନୂଆବୋଉଁ –

 

ମୋ କଥା ଶୁଣି ସେ ଥକ୍‌କା ହୋଇ ମୋ ମୁହଁକୁ ଚାହିଁ ରହିଲେ । ଆଖିରେ ଲୁହ ଛଳ ଛଳ ହେଲା । କହିଲେ, ଗୀତା– !

 

ଆଉ କହି ପାରିଲେ ନାହିଁ । ମୋର ବେକକୁ ବେଢ଼ାଇ ଧରି ସେ କଇଁ କଇଁହୋଇ କାନ୍ଦି ଉଠିଲେ ।

 

(୬୭)

 

ପରଦିନ ସଞ୍ଜବେଳ, ନିତେଇ ଦାଦାଙ୍କର ବାରିଆଡ଼ ବଉଳ ମୂଳ, ଚାନ୍ଦିନୀ ତଳେ ଅରୁନ୍ଧତୀ ପାଖେ ବସିଛି । କେତେ କଥା ସେ ଗପୁଛି । ସୁଖର କଥା, ତା ଜୀବନର ଆନନ୍ଦର କଥା-। ଅଜଣା ମଣିଷ ଯେତେବେଳେ ସ୍ୱାମୀର ଅଧିକାର ପାଇ, ଆଗ୍ରହ, ଆନନ୍ଦରେ ପ୍ରେମର ଅର୍ଘ୍ୟ ନେଇ ଅପରିଚିତା ସ୍ତ୍ରୀ ପାଖକୁ ଆସେ, ସେତେବେଳେ କଅଣ କରିବାକୁ ହୁଏ ।

 

ଏଇ ଅଜଣା ମଣିଷକୁ ପାଇବା ପାଇଁ ପରା ଉପାସୀ ଆତ୍ମା କେତେ ଉଦ୍‌ବିଗ୍ନ ହୋଇ ଚାହିଁ ରହିଥାଏ ? ତଥାପି, କାହିଁକି ମୁହଁ ଟେକି ଭଲ କରି ଥରେ ଚାହିଁବାକୁ ଲାଜ ମାଡ଼େ । ଯାହାର ପରଶ ପାଇଁ ପ୍ରାଣ ମନ ଝୁରି ମରୁଥାଏ, ତାଙ୍କରି ପଦଟିଏ କଥା କାନରେ ବାଜିଲେ ଲାଜକୁଳୀ ଲତାଟି ପରି ଝାଉଁଳି ପଡ଼େ । ଯାହାର ଆତ୍ମାରେ ଆତ୍ମା ମିଳାଇ ଦେବାକୁ ସ୍ଥୂଳ ଦେହର ବନ୍ଧନୀ ଉପରେ ଦିନେ ବିରକ୍ତି ଆସେ, ତାଙ୍କରି ପାଖରୁ ଇଚ୍ଛା ବିରୁଦ୍ଧରେ ଅପସରି ରହିବାକୁ ହୁଏ, ଟିକିଏ, ଲାଜ ଟିକିଏ ସଙ୍କୋଚ ପାଇଁ । ଆଲୁଅର ଉପସ୍ଥିତି ସହି ହୁଏ ନାହିଁ ।

 

ଦୀପ ଲିଭେ ।

 

ଜହ୍ନ ଆଲୁଅ ଚାରିଆଡ଼େ ବିଞ୍ଚି ହୋଇ ପଡ଼ିଥାଏ । ଅବଶ ମୁହଁରେ, ହାତ ବୋଳି ଦେଇ ଯାଉଥାଏ ଥଣ୍ଡା ପବନ । କହିଲି, ଅରୁ, ମନେ ରଖିଥିବୁ ଲୋ, କେତେ ତ ଆଶା ଥାଏ, ଦିନେ ସବୁ ଜଳି ପୋଡ଼ି ଅଙ୍ଗାର ହୁଏ ।

 

ଅରୁନ୍ଧତୀମୋର ହାତ ଧରି ପଚାରିଲା, ଏପରି କାହିଁକି କହୁଛୁ ଗୀତା ଅପା ? ସ୍ୱାମୀ ସ୍ତ୍ରୀର ସମ୍ବନ୍ଧ ଭିତରେ ଧନ ଦଉଲତ ଠିଆ ହୋଇ ପାରେ ନାହିଁ । ଅଭାବ ଅସୁବିଧା କିଛି ରହେ ନାହିଁ ।

 

ଆଖିରୁ ଲୁହ ପୋଛି କହିଲି ଭଙ୍ଗାସ୍ୱରରେ, ମନର ଦେବତା ଯଦି ମନନାଖି ନ ହୁଏ ?

 

ବାଧା ଦେଇ ସେ କହିଲା, ମନ ନାଖି ନ ହେବ କାହିଁକି ? ଦେବତା ଯଦି ଅଜଣା, ଯେ ଆସିବେ ସେ ହେବେ ମନନାଖି । ମନକୁ ସଫା ରଖିଥିଲେ ହେଲା । ମନ ଯଦି ଝୁରି ମରୁଥିବ ଆଉ କାହା ପାଇଁ, ଜୀବନରେ ଶାନ୍ତି ମିଳିବ ନାହିଁ ।

 

ପ୍ରତିବାଦ କରିବାର ବେଳ ନ ଥିଲା, ଇଚ୍ଛା ବି ହେଲା ନାହିଁ । ବନ ପୋଡ଼ିଲେ ସମସ୍ତେ ଜାଣିବେ, ମନ ପୋଡ଼ିଲେ କେହି ଜାଣିବେ ନାହିଁ ।

 

(୬୮)

 

ସେଇ ରାତିରେ ନିତେଇ ଦାଦାଙ୍କ ଘରୁ ବିମଳା ଭାଇଙ୍କ ଘରକୁ ଯାଉଥାଉଁ । ସଙ୍ଗରେ ମୋର ରାଧା ଥାଏ । ଆଉ ବି ଜଣେ ଦିଜଣ କିଏ ପଛେ ପଛେ ଆସୁଥାଆନ୍ତି ମୋର ମନେ ନାହିଁ । ନିମନ୍ତ୍ରଣ, କନିଁଆ ଡାକରା । ଠାକୁର ଭୋଗ ଖାଇଲା ପରି ଦିନକୁ କେତେ ଘର ବୁଲି ନିମନ୍ତ୍ରଣ ରଖିବାକୁ ହେବ । ସମସ୍ତଙ୍କର ମାୟାମମତା କାଟି ପରଘରକୁ ଯିବାକୁ ପଡ଼ୁଛି । ଆଉ ତ କୌଣସି ସମ୍ପର୍କ ରହିବ ନାହିଁ, ଶତ୍ରୁ ହେଲେ ବି ତା ମନ ତରଳିବ ।

ବିମଳା ଭାଇଙ୍କ ଘରକୁ ଯିବାକୁ ଗୋଡ଼ ଚଳୁ ନ ଥାଏ । ଡର ଡରମାଡ଼ୁଥାଏ । ତାଙ୍କ ସ୍ତ୍ରୀ ଯେପରି ଲୋକ, କାଳେ କଅଣ କହିବେ ?

ବିମଳା ଭାଇ ସ୍ତ୍ରୀଙ୍କର ସେ ଦିନର ବ୍ୟବହାର ଦେଖି ଗତକଥା ସ୍ୱପ୍ନ ପରି ଲାଗିଲା । କେତେ ଆଦର ଯତ୍ନ, କେଡ଼େ ଗେହ୍ଲାଳିଆ କଥା । ଯେଉଁ ଅଧଘଣ୍ଟାଏ ତାଙ୍କ ଘରେ ରହିଲି, ଦେଖିଛି, ଆନନ୍ଦରେ କିପରି ତାଙ୍କର ଗୋଡ଼ ତଳେ ଲାଗୁ ନ ଥାଏ । କଥା କଥାରେ ମୋରି ରୂପ ଗୁଣ, ବୁଦ୍ଧିର ପ୍ରଶଂସା କରି କେତେ କହୁଥାନ୍ତି । ସତେ, ନାରଙ୍ଗ ଗାଁରେ ଗୀତା ପରି ସର୍ବସହଣୀ ଝିଅ କିଏ ଆଉ ହେବ ? ମାଛିକୁ ମ କହେ ନାହିଁ, ଶତ୍ରୁ ମିତ୍ର ସମସ୍ତେ ତା ପାଖେ ସମାନ । ଯେତେ ଛଳେଇ କହିଲେ ଅବିଗୁଣ ପାଏ ନାହିଁ, ଓଲଟି ଜବାବ ଦିଏ ନାହିଁ ।

ରାଧା କଅଣ କହିଥାନ୍ତା, ମୁଁ ତାକୁ ଆଗରୁ ରାଣ ପକାଇ ମନା କରିଥିଲି । କାହା କଥାରୁ କଅଣ ମିଳିବ ? ଲୋକେ ସତରେ ମିଛରେ ଗୁଡ଼ାଏ କହିବେ । କେହି କାହାର ଭାଗ୍ୟ ଓଲଟାଇ ପାରିବେ ନାହିଁ । କହିବା ଲୋକବଡ଼ ନୁହେଁ, ସହିବା ଲୋକ ହିଁ ବଡ଼ ।

 

ମୋ କଥା ଶୁଣି ସେ ତୁନି ରହିଥିଲା । କିନ୍ତୁ, ତୁନି ରହିବା ତାର ପ୍ରକୃତି ନୁହେଁ । ଯାହା ଶୁଣେ, ତା ମନକୁ ନ ଆସିଲେ ନବାବ୍‌ପୁଅ ହେଲେ ବି ମୁହଁରେ ଜବାବ୍‌ଦିଏ । ଖାଲରେ ପଡ଼ୁ କି ଢିପରେ ପଡ଼ୁ ସେ ଦିଗକୁ ନଜର ଦିଏ ନାହିଁ ।

 

ଜହ୍ନରାତି ।

 

ଦୁଆରେ ଖଣ୍ଡେ ସପ ପଡ଼ିଥାଏ । ସେଇଠି ଆମେ ବସିଥାଉଁ । ଡେଙ୍ଗା ନଡ଼ିଆ ଗଛର ଛାଇ ପଡ଼ିଥାଏ ଦୁଆର ମଝିରେ । ରାଧା ସେଇଠି ତୁନି ହୋଇ ବସି ସବୁ କଥା ଶୁଣୁଥାଏ ଆଗ୍ରହରେ । ବିମଳା ଭାଇଙ୍କ ସ୍ତ୍ରୀ ପଦେ କଅଣ କହିଲେ ସେ ଅସ୍ଥିର ହୋଇ ଉଠେ । ଦୀର୍ଘଶ୍ୱାସ ପକାଇ କହେ, ଦେଇ, ଉଛୁର ହେଉଛି, ଯିବ ନାହିଁ କି ?

 

କଁଳେଇ କରି ବିମଳା ଭାଇଙ୍କ ସ୍ତ୍ରୀ କହନ୍ତି, ରହ ବା, ଏମିତି ଉଚ୍ଛନ୍ନ ହେଉଛୁ କାହିଁକି ? ଆଉ ଏମିତି ରାତି କେବେ ଆସିବ ? ଆଲୋ କିଏ କେତେ ଦିନ ରହିବ ? କିଛି ରହେ ନାହିଁ ଲୋ, ଏଇ ସ୍ନେହ ଶରଧାଟା ମଲାଯାଏ ମନେ ରହେ ।

 

ସମ୍ଭାଳି ନ ପାରି ରାଧା କହିଲା, ହଁ ସାଆନ୍ତାଣୀ, ମଲାଯାଏ ମନେ ରହିବ । ଯିଏ ଯାହାର ଭଲ ମନାସେ, ଭଲ କରେ, ସୁଖରେ ରହିଲେ ମଣିଷ ତାକୁ ଭୁଲିଯାଏ ସିନା, ଯିଏ ଯାହାର ଶିରୀ ଦେଖି ପାରେ ନାହିଁ, ପଛଆଡ଼ୁ ଗୋଛି କାଟେ, ସୁଖରେ ଦୁଃଖରେ ସବୁବେଳେ ସେ ମନେପଡ଼େ ।

 

ଏତିକି କହି ସେ ଉଠିଗଲା ଦାଣ୍ଡକୁ । କହିଗଲା, ମୁଁ ଦାଣ୍ଡରେ ଅଛି । ଗପ ସାରି ତମେ ଶୀଘ୍ର ଆସ, ଗୀତା ଦେଈ । ବୋଉ ତେଣେ ଚାହିଁ ବସିଥିବେ ।

 

ତାର ଅନୁପସ୍ଥିତି ବିମଳାଭାଇଙ୍କ ସ୍ତ୍ରୀ ଖୋଜୁଥିଲେ । ସେ ଦାଣ୍ଡକୁ ଚାଲିଯିବାରୁ, ମୋର ହାତଧରି ଅଟକାଇ କେତେ ଶିଖାଇଲେ । କିପରି ପର ଘରେ ଚଳିବାକୁ ହେବ, କିପରି କଅଣ କରିବାକୁ ହେବ ଇତ୍ୟାଦି । ଶେଷକୁ ଥଟ୍ଟାରେ ଥଟ୍ଟାରେ କହିଲେ, ଆଡ଼ ହେବ ନାହିଁ, ମୁହଁ ଲୁଚାଇ ମେଦଟିଏ ହୋଇ ଘର କୋଣରେ ବସିବ ନାହିଁ ସେଦିନ ରାତିରେ । କଥା କହିବ ଆଲୁଅରେ । ଚାହିଁଥିବ ଆଖିକି । ପଚାରିଲେ ଜବାବ୍‌ ଦେବ । ତା ହେଲେ, କଟିଯିବ ଦିନ ପରେ ଦିନ, ରାତି ପରେ ରାତି, ମନ ଦୁଃଖରେ ନୁହେଁ, ଆନନ୍ଦରେ ।

 

ଶୁଣିଲି । ଲାଜ ମାଡ଼ିଲା । ଉଠି ଆସିଲି ଦାଣ୍ଡକୁ । ସେ ମୋ ପଛେ ପଛେ ଦାଣ୍ଡକୁ ଆସିଲେ । କହିଲେ, ଗୁରୁମନ୍ତ୍ର ନେଲ ଗୀତା ଦେଈ, ଗୁରୁଙ୍କୁ ପଛେ ଭୁଲିଯାଅ, ମନ୍ତ୍ର ଭୁଲିବ ନାହିଁ ।

 

ରାତି ଅଧରେ ରାଧା ସାଙ୍ଗରେ ଫେରିଲି ।

 

(୬୯)

 

ନିଶୂନ୍‌ ଗାଁ ଗୋହରୀ ।

 

ଦୁଇପାଖେ କଞ୍ଚା ବାଡ଼ । ଛାପିଛାପିକା ଜହ୍ନଆଲୁଅ ଧୂଳି ବାଟ ଉପରେ ମେଞ୍ଚା ମେଞ୍ଚା ହୋଇ ଛିଣ୍ଡି ପଡ଼ିଥାଏ । ନଈକୂଳ ଆଡ଼ୁ ଥଣ୍ଡା ପବନ ବହି ଆସୁଥାଏ ଥିରିଥିରି । ବାଡ଼ ଗହଳି ଓ ଲୁଗା ପଣତ ଭିତରେ ଲୁଚକାଳି ଖେଳିବାକୁ ତାର ଆଗ୍ରହ । ଆଗରେ ଚାଲିଥାଏ ରାଧା, ପଛରେ ମୁଁ-। ପବନ ପରଶରେ ମନଟା ହାଲୁକା ହୋଇ ଉଠିଲା ।

 

ଗାଁ ଦାଣ୍ଡ କଦମ୍ବ ମୂଳ, ଯେଉଁଠି ଗାଁ ଠାକୁରାଣୀ ଥାଆନ୍ତି ତାଆରି ପାଖରେ ରାଧା କହିଲା, ଡେରି ହେଲାଣି ଦେଈ, ଚାଲ ସିଧା ସିଧା ନଈ ବନ୍ଧକୁ ଉଠିଯିବା । ବନ୍ଧେ ବନ୍ଧେ ଗଲେ ଅଳ୍ପବାଟ ପଡ଼ିବ । ଟିକିଏ ରହି ପୁଣି କହିଲା, ଏ ବିମଳା ଭାରିଯାଟା କେଡ଼େ ଖରାପ ଲୋକ । ଚାକରଟାକୁ ସାଙ୍ଗେରେ ଟିକେ ପଠାଇଥିଲେ ହୋଇ ନ ଥାନ୍ତା ?

 

ପରର ନିନ୍ଦା ଶୁଣିବାକୁ ଆଉ ଭଲ ଲାଗିଲା ନାହିଁ । କହିଲି, ଭଲ ମନ୍ଦ ଦୁନିଆରେ କଅଣ ? ଭାଗ୍ୟ ନେଇ ସବୁ ଫଳେ । ଭାଗ୍ୟରେ ଥିଲେ ଭଲଲୋକ ବି ଖରାପ ହୁଏ, ମିତ୍ର ହୁଏ ଶତ୍ରୁ, ନୋହିଲେ ସବୁ ଓଲଟିଯାଏ । ବିମଳା ଭାଇର ସ୍ତ୍ରୀ ଖରାପ ନୁହଁ, ଖରାପ ମୋ ଭାଗ୍ୟ ।

 

ଛୋଟ ହୁଁ ଟିଏ କହି ସେ ତୁନି ରହିଲା ।

 

ନଈବନ୍ଧକୁ ଉଠିଲୁଁ । ନଈଆଡ଼କୁ ଚାହିଁଲା ବେଳକୁ ଖାଁ ଖାଁ ନିଛାଟିଆ ଲାଗୁଥାଏ । ଜହ୍ନ ଆଲୁଅରେ ନଈପଠା, ନଈବାଲି ସୁନ୍ଦର ଦିଶୁଥାଏ କିନ୍ତୁ ତାଆରି ଭିତରେ କିପରି ହତାଶାର ସୂଚନା ପାଉଥାଏ ।

 

ନଈ ଉପର ଝଙ୍କା କୋଚିଲା ଗଛ, ଯାହା ଭିତରେ ପିଲାଦିନେ କେତେ ଲୁଚକାଳି, ବୋହୂ ବୋହୂକା ଖେଳିଥିଲୁଁ । ଆଖି ଆଖିକୁ କିପରି ଅନ୍ଧାରିଆ ଭୂତ ବସିଲା ପରି ଦିଶୁଛି ।

 

ପବନ ଜୋର୍‌ରେ ବହିଲା । ରାଧା କହିଲା, ଦେଈ, ଦେଖିଲ, ଆର ଗାଁର ଗଛ ଗହଳି ଦୂରକୁ କେଡ଼େ ଅନ୍ଧାରିଆ, ଭୟଙ୍କାରିୟା ଦିଶୁଛି । ପାଖରେ ତ ଏମିତି ଦିଶେ ନାହିଁ ।

 

କହିଲି, ଦୂରକୁ ସବୁ ସେମିତି ଦିଶେ । ପାଖକୁ ଆସିଲେ ସବୁ ଭୟଭ୍ରାନ୍ତି ଚାଲିଯାଏ ।

 

ଘର ପାଖେଇ ଆସିଲା । ରାଧାକୁ ଆଜି ଏକୁଟିଆ ପାଖରେ ପାଇଛି । ତା ଆଗରେ ଯଦି ମନକଥା ଖୋଲି ନ କହେ ଆଉ କେବେ କାହାରି ପାଖରେ କହିବାର ସୁବିଧା ପାଇବି ନାହିଁ । ତା ଉପରେ ମୋରବିଶ୍ୱାସ । ଜାଣି ଜାଣି କେବେ ସେ ମୋ ମନରେ ଦୁଃଖ ଦେଇ ନାହିଁ । କିଛି କରିବାର ଅଧିକାର ବା ଶକ୍ତି ନ ଥିଲେ କଅଣ ହେବ, ସାନ୍ତ୍ୱନା ଦେଇ ଦିପଦ କହିପାରିବ ।

 

କିପରି କଅଣ ଆରମ୍ଭ କରିବି ଭାବୁ ଭାବୁ ଆହୁରି ଖଣ୍ଡେଦୂର ଚାଲି ଆସିଲି । ଅନ୍ୟ ଉପାୟ ସ୍ଥିର କରି ନ ପାରି ତା ହାତ ଧରି ଅଟକାଇ ରଖି ଡାକିଲି, ରାଧା !

 

ସେ ବୁଲିପଡ଼ି ମୋ ଆଡ଼କୁ ଚାହିଁ ପଚାରିଲା, କଅଣ ଦେଈ ?

 

ମୋର ତୁଣ୍ଡ ଖୋଲିଲା ନାହିଁ । ତା ହାତକୁ କୋହଳାଇ ଦେଇ ଥଙ୍ଗେଇଥଙ୍ଗେଇ କହିଲି, କିଛି ନାହିଁ, ଚାଲ ।

 

ସେ ମୋ ମନକଥା ବୁଝି ପାରିଲା । ଗେହ୍ଲେଇ ପଚାରିଲା, କଅଣ କହିବାକୁ ବସିଥିଲ କହୁନା, ମୋ ଉପରେ ତୁମର ଅବିଶ୍ୱାସ ହେଉଛି ?

 

ଅବିଶ୍ୱାସ କାହିଁକି ହେବ ?

 

ତେବେ ଆଉ କଅଣ ? ଦେଈ, କେବେ ମନ ଖୋଲି ତୁମେ ମତେ କିଛି କହିନାହଁ । ମୁଁ ସିନା ବଳେଇ ପଶେ, ତୁମେ ମତେ ଆଡ଼େଇ ଯିବାକୁ ଚାହଁ । ତୁମର ସାଙ୍ଗ ସରିସା ହେବାର ବହପ ମୋର ନାହିଁ । ତେବେ କି ମନରେ ଦୁଃଖ ହୁଏ ।

 

ତୁ ଅନ୍ୟଥା ଭାବିବୁ ନାହିଁ । ତତେ କହିବାକୁ ମତେ ଲାଜ ମାଡ଼େ, ମନରେ ସଙ୍କୋଚ ଆସେ । କହିବି କହିବି ହୋଇ କହି ପାରେ ନାହିଁ । ସୁବିଧା ବି ମିଳେ ନାହିଁ ।

 

କେତେ ଗୋଳେଇହୋଇ ସେ ମତେ ପଚାରିଲା । ମୁଁ ମନ ଖୋଲି ସବୁ କଥା ତା ଆଗରେ କହିଲି । ଚିଠି ଖଣ୍ଡି ଅଣ୍ଟାରୁ କାଢ଼ି ତାକୁ ଦେଖାଇଲି । ମୋ ମନର ଦୁଃଖ କେତେ ପରିମାଣରେ କମି ଆସିଲା ।

 

ସେ କହିଲା, ଦେଈ ସବୁ ଠିକ୍‌ହୋଇ ଯାଇଛି । ଇଆଡ଼େ ଚେଷ୍ଟା କରିବା କି ଅପେକ୍ଷା କରି ରହିବାକୁ ଆଉ ବେଳ ନାହିଁ । ତୁମ ବୋଉଙ୍କୁ ଏ କଥା କହିଲେ କି ବୁଝାଇଲେ ସେ ମାନିବେ ନାହିଁ । ଆକାଶର ଫୁଲ ତୋଳିବାକୁ ସେ ଆଉ ହାତ ବଢ଼ାଇବେ ନାହିଁ ।

 

ତା ମୁହଁରୁ ନିରାଶର କଥା ଶୁଣିବ ବୋଲି ମୁଁ ଆଶା କରି ନ ଥିଲି । ଭାବିଥିଲି, ନିଶ୍ଚୟ ସେ ଗୋଟାଏ ଉପାୟ ବତାଇବ । ମୁଁ ମର୍ମାହତ ହୋଇ କହିଲି, ଯାହାର କପାଳ ପୋଡ଼ା, ତା ପାଇଁ ସମସ୍ତେ ନିଷ୍ଠୁର ହୁଅନ୍ତି । ଯାହାକୁ ଭଲପାଏ, ଯାହାଙ୍କ ଆଡ଼କୁ ମନ ଧାଏଁ, ତାଙ୍କର ସେବା କରିବାର ଅଧିକାର ଜୀବନରେ ପାଇବି ନାହିଁ । ଯାହାକୁ ମୁଁ ଘୃଣା କରେଁ, ଯାହାର ହାତ ଧରିବାକୁ ମୋର ଇଚ୍ଛା ନାହିଁ, ତାଆରି ହାତରେ ମୋତେ ଦେଇ ତମେମାନେ ନିଶ୍ଚିତ ହେବ ମନେ କରିଛ । କିନ୍ତୁ, ତମ ମନକଥା ମନରେ ରହିବ .... ।

 

ତାର ତୁଣ୍ଡ ଖୋଲିଲା ନାହିଁ । ଖୁଣ୍ଟା ପରି ସେଇ ନଈବନ୍ଧ ଉପରେ ଠିଆ ହୋଇ ମୋଆଡ଼କୁ ଚାହିଁ ରହିଲା ।

 

ମୁଁ ଆଖିରୁ ଲୁହ ପୋଛି କହିଲି ଭଙ୍ଗା କଣ୍ଠରେ, ଚାଲ ରାଧା ।

ଦେଈ ।

ଚାଲ, ଡେରି ହେଉଛି ।

 

ନୀରବରେ ଆଗେ ଆଗେ ଚାଲିଲା । ହାତରେ ଧରିଥିବା ଚିଠି ଖଣ୍ଡି ଟିକି ଟିକି କରି ବନ୍ଧ ଉପରେ ପକାଇ ଦେଲି । ରାଧାର ପଛେ ପଛେ ଚାଲିଲି ।

 

ସେ କଅଣ ଭାବୁଥିଲା କେଜାଣି, ମୁଁ ଭାବୁଥିଲି, ଦୁନିଆଁଟା ଖାଲି ଉତ୍ତେଜନାର ଖେଳ । ମନରେ କେତେବେଳେ କେଉଁ କାରଣରୁ କି ଭାବନା ଆସେ, ମନକୁ ଅସ୍ଥିର କରେ । ତାଆରି ଶେଷ ଫଳ ଭଲ ହୁଏ କି ମନ୍ଦ ହୁଏ ଆଗରୁ ଜାଣି ହୁଏ ନାହିଁ ।

 

ଦୁର୍ଯୋଗରେ ଧବଳେଶ୍ୱରରେ ତାଙ୍କ ସଙ୍ଗେ ମୋର ଦେଖା ହୋଇଥିଲା । ମନରେ ଦୁଃଖ ସୁଖର ଲହଡ଼ି ଉଠିଥିଲା । ସବୁ ବୃଥା, ସବୁ ମିଛ । ମଣିଷଙ୍କ ଜୀବନକୁ ନିୟତିର ଏପରି ନିର୍ମମ ପରିହାସ । ଯାହା ହେବାର ନୁହେଁ, ସେଥିପାଇଁ ଏତେ କଲବଲ ହୁଏ ଜୀବନ !

 

ଘର ପାଖରେ ହେଲୁଁ । ବନ୍ଧ ଉପରୁ ଗଡ଼ି ବାରି ଗୋହରୀ ବାଟେ ଯିବାର କଥା । ହଠାତ୍‌ରାଧା ଅଟକି ଯାଇ କହିଲା, ଦେଈ, ତମେ ଏତେ ଅସ୍ଥିର ହୁଅ ନାହିଁ । ଭାଗ୍ୟରେ ଯାହା ଥାଏ ତା ଘଟେ । ମଣିଷ ମିଛରେ ମନ ଖରାପ କରେ । ସୁନାଟି, ଏଣୁ ତେଣୁ ଆଉ ଭାବ ନାହିଁ । ଯାହା ଆସୁଛି ଆନନ୍ଦରେ ତାକୁ ନିଜର କରିନିଅ ।

 

ମୋର ଓଠରେ ହାତ ଦେଇ ସେ ଆହୁରି କେତେ କଅଣ କହି ବୁଝାଇଲା ଆଜି ମୋର ମନେ ନାହିଁ । ତାଆରି କାନ୍ଧ ଉପରେ ମୁହଁ ରଖି ନୀରବରେ ଲୁହ ଢାଳିଦେଲି ।

 

କେତେବେଳକେ ମୁଣ୍ଡ ଟେକି କାନ୍ଦମିଶାସ୍ୱରରେ କହିଲି, ରାଧା ବୋଉକୁ କିଛି କହିବୁ ନାହିଁ ।

 

କହିଲା, କାହିକିଁ କହିବି ? କହିଲେ ସେ କଅଣ ପରି ପାରିବେ ?

ରାତିରେ ନିଦ ହେଲା ନାହିଁ ।

 

ଭାବିଲି, ଏମିତି ହୀନ କପାଳୀ କରି ଭଗବାନ ମୋତେ ଜନ୍ମ ଦେଇଛନ୍ତି । ଯେଉଁ ଗଛକୁ ଆଉଜିଲେ ସେ ଗଛ ଟଳି ପଡ଼ୁଛି । ନିର୍ଲଜହୋଇ ମନର କଥା ନ କହିଲା ଲୋକଙ୍କ ଆଗରେ କହିଲେ ମଧ୍ୟ ଲାଭ ନାହିଁ । ବୃଥାରେ ମନରେ ଅଶାନ୍ତି ଆସୁଛି, ଉତ୍ତେଜନା ବଢ଼ୁଛି ଭାଗ୍ୟର ଲେଖା ବଦଳାଇବାର ଶକ୍ତି ଯଦି ମଣିଷର ନାହିଁ, ବୃଥାରେ ମନକୁ ଛଟପଟ କରି କି ଲାଭ ମିଳିବ ?

 

ଭାବିଲି, କାହାକୁ କିଛି ନ କହି ପ୍ରବୋଧ ବାବୁ କି ଅମରଭାଇଙ୍କ ନିକଟକୁ ବୋଉ ନାମରେ ଖଣ୍ଡେ ଚିଠି ଲେଖିବି । ମୋର ବାହାଘର ଯେ ସ୍ଥିର ହୋଇ ଯାଇଛି । ଏ ବିଷୟ ତାଙ୍କୁ ଜଣାଇ ଦେବି । ତେଣିକି ସେମାନଙ୍କର ଯଦ କିଛି କରିବାର ଥାଏ କରିବେ, ନୋହିଲେ ନାହିଁ । ଏକାଥରେ ଅନ୍ଧାର ପୁରୁଷର ଅଦେଖା ହାତ ଉପରେ ନିର୍ଭର କରି ଅନିଶ୍ଚିତତା ଭିତରେ ଅଣ୍ଡାଳି ହେଲେ ଅନୁତାପ ଆସିବ ।

 

କାହାକୁ ଲେଖିବି ? ଅମର ଭାଇ ନିଶ୍ଚୟ ମୋର ହସ୍ତାକ୍ଷର ଚିହ୍ନିବେ । ପରେ ହୁଏତ ପ୍ରଘଟ ହେବ । ପୁଣି, ଦୁର୍ନାମର ନିଆଁ ଜଳି ଉଠିବ । ବରଂ ପ୍ରବୋଧ ବାବୁଙ୍କ ପାଖକୁ ଲେଖିଲେ ଭଲ ହେବ । ଏହି ବିଷୟ ଭାବି ଭାବି ରାତି ପାହିଲା, ଆଖି କଷା ପଡ଼ିଲା ନାହିଁ ।

 

ପରଦିନ ଦି ପହରେ ସୁବିଧା ପାଇ ପ୍ରବୋଧ ବାବୁଙ୍କ ପାଖକୁ ଚିଠି ଲେଖି ବସିଲି । ତାଙ୍କ ପାଖକୁ ଚିଠି ଲେଖୁଛି । ଆନନ୍ଦରେ ଛାତି ନାଚି ଉଠୁଥାଏ କିନ୍ତୁ, ଭୟରେ ହାତ ଥରି ଉଠେ । ଅକ୍ଷର ଗୁଡ଼ାକ ବଙ୍କା ବଙ୍କାହୋଇଯାଏ । ତଥାପି, ଲେଖିଲି । ହୃଦୟର ସବୁ ଉତ୍ତେଜନା, ମନର ସବୁ ଆଶା ଏକାଠି କରି ଚିଠି ଲେଖିଲି । ଅବନତ ଆତ୍ମା ମୋରଢ଼ଳି ପଡ଼ିଥିଲା ପ୍ରତ୍ୟେକ ପଦରେ-। ଆଖି ଲୁହରେ ଓଦା ହୋଇଥିଲା ଛୋଟ କାଗଜ ଖଣ୍ଡି ।

 

ସାହସ ହେଲା । ଯେତେ ଲୁଚାଇଲେ ଲୁଚିବ ନାହିଁ । ସେ ନିଶ୍ଚୟ ବୁଝିବେ, ଚିଠିଟି କିଏ ଲେଖିଛି । କେତେ ଜାଗାରେ କଟା କଟି ହୋଇଛି । ବୋଉ ନାମରେ ଲେଖୁ ଲେଖୁ ଠାଏ ଠାଏ ଗୀତା ପରିବର୍ତ୍ତେ ମୁଁ ଲେଖି ତାକୁ କାଟି ପୁଣି ଗୀତା କରିଛି । ଯାହା ହେଉ, ଆଉ ଥରେ ଉତାରିବାକୁ ବେଳ ନାହିଁ, କିଏ କାଳେ ଆସିଯିବ ।

 

ଚିଠିଖଣ୍ଡ ଲେଖିସାରି ହାତ ତିଆରି ଖଣ୍ଡେ ଲଫାପା ଭିତରେ ରଖିବା ଆଗରୁ ଲୁହଭରା ଆଖିରେ ଥରେ ପଢ଼ିଗଲି–

 

ସ୍ନେହର ପ୍ରବୋଧ,

 

ତମର ଚିଠି ପାଇ ଖୁସି ଲାଗିଲା । ସତେ ଏକା ଧବଳେଶ୍ୱରରେ ଥରଟିଏ ଦେଖା, ସେତିକିରେ ଆପଣାର କରିନେଲ । ଆମକୁ ଦେଖିବାକୁ ଏତେ ଆଗ୍ରହ ହୁଏ ? ଆମେ ଦରିଦ୍ର ବୋଲି ଆସିବାକୁ ବେଳ ମିଳେ ନାହିଁ ପରା !

 

ଗୀତା ତମର ସ୍ନେହ ଭୁଲିପାରି ନାହିଁ । ସେ ଦିନ ତା ଗୋଡ଼ ଆଙ୍ଗୁଠିରେ ରୁମାଲ ବାନ୍ଧି ଦେଇଥିଲ । ନିଜର ଭାଇ ହୋଇଥିଲେ କଅଣ ଏପରି କରି ପାରି ଥାଆନ୍ତା ?

 

ଗୀତାର ବାହାଘର ଠିକ୍‌ହୋଇ ସାରିଛି । ଏଇ ମାସରେ ହେବ । ହୀନ କପାଳୀର ବାପ ଭାଇ ନାହାନ୍ତି ଯେ ତା ପାଇଁ ଭଲମନ୍ଦ କରିବେ । ଗାଁ ଲୋକେବୋଝ ଉଠାଇବାକୁ ବାହାଘର କରି ଦେଉଛନ୍ତି । ମୋର କି ଚରା !

 

ତମର କଅଣ ବେଳ ହେବ ଆସିବାକୁ ? ମୁଁ ବା କି ସାହସରେ କହିବି । ଚିଠି ଲେଖିଥିଲ ବୋଲି ଜବାବ୍‌ଦେଲି । କଲ୍ୟାଣ ନେବ । ତମର ବାପା ବୋଉଙ୍କୁ ଯଥାବିଧି ଜଣାଇଁ ଦେବ । ଗୀତା ପ୍ରଣାମ କହିଛି । ଫେରନ୍ତା ଡାକରେ ବେଉରା ଦେବ । ଇତି,

 

ତୁମର

ମାଉସୀ

 

ଚିଠିଖଣ୍ଡି ବନ୍ଦକରି ପାଖରେ ଲୁଚାଇ ରଖିଲି । ଲଫାପା ଉପରେ ମନକୁ ଯାହା ଆସିଲା ଠିକଣା ଲେଖିଦେଲି । ଯାହାଙ୍କ ଉଦ୍ଦେଶ୍ୟରେ ଚିଠିଟି ଲେଖା ହୋଇଛି ସେ ପାଇବେ କି ନାହିଁ, ଠିକ୍‌ବେଳରେ ପାଇବେ କି ନାହିଁ, ଜାଣେ ନାହିଁ । ପାଉନ୍ତୁ ବା ନ ପାଉନ୍ତୁ, ମନର ରିହ ମେଣ୍ଟାଇବାକୁ ଚିଠି ଲେଖୁଛି । ଏଣିକି ଭାଗ୍ୟରେ ଯାହା ଘଟିବ ବିନା ଆପତ୍ତି ଅଭିଯୋଗରେ ମୁଣ୍ଡପାତି ସହିବାକୁ ହେବ । ମନ ସିନା ଚାହେଁ ଗଙ୍ଗା, ଅଜଣା ପୁରୁଷର ଅଦେଖା ହାତ କେଉଁ ଅପନ୍ତରାକୁ ଟାଣିନିଏ ।

 

ମାଇସଞ୍ଜ ବେଳକୁ ରାଧାକୁ ସଙ୍ଗରେ ନେଇ ବାରିଆଡ଼କୁ ଗଲି । ତଳ ବାରିର ଗୋଟିକିଆ ଆମ୍ବଗଛ ମୂଳେ ତାକୁ ନିରୋଳାରେ ପାଇ ମନକଥା ଖୋଲି କହିଲି । ସେ ସବୁ ଶୁଣିଲା । ତା ମୁହଁରେ ଭାବ ପରିବର୍ତ୍ତନର କୌଣସି ଚିହ୍ନ ଦେଖିପାରିଲି ନାହିଁ । ଭୟ ହେଉଥାଏ, କାଳେ ସେ ମୋ ପ୍ରସ୍ତାବରେ ରାଜି ନ ହେବ, କାଳେ ସେ ମୋ ଉଦ୍ଦେଶ୍ୟରେ ବାଧା ଦେବ ।

 

ସବୁ ଶୁଣି ସେ ଦୀର୍ଘଶ୍ୱାସ ପକାଇ କହିଲା, ଦେଈ, ମିଛଟାର ମନରେ ନିଆଁ ଜାଳି ସନ୍ତୁଳି ହୁଅନାହିଁ । ମଣିଷ ଯେତିକି ଆଶା କରେ ତାର ଦୁଃଖ ସେତିକି ବଢ଼େ । ତୁମେ ଆଜି ଚିଠି ଲେଖୁଛ, ଚିଠି ଯଦି ସେ ନ ପାଆନ୍ତି କି ଚିଠି ପାଇ ଯଦି କିଛି ନ କରନ୍ତି ?

 

ଚମକି ଉଠିଲି । ଚିଠି ନ ପାଇବା ତ ଭିନ୍ନେ କଥା, ଚିଠି ପାଇ ଯଦି ସେ କିଛି ନ କରନ୍ତି-!

 

ମୋର ଆଖି ଆଗରେ ତାଙ୍କର ସୌମ୍ୟ ସୁନ୍ଦର ମୂର୍ତ୍ତିଟି ଆସି ଠିଆହେଲା । ସେଦିନ ସେଇ ନଈକୂଳରେ ତାଙ୍କର ଉଜ୍ଜ୍ୱଳ ଆଖି ଦିଓଟିରେ ଯାହା ମୁଁ ଦେଖିଥିଲି ସେଥିରେ ଏପରି ସନ୍ଦେହରେ ଚିହ୍ନ ପାଇନ ଥିଲି । ସେ ମୋତେ ଭଲ ପାଆନ୍ତି, ସେ ନିଶ୍ଚୟ କିଛି କରିବେ । ମୋର ଦୃଢ଼ବିଶ୍ୱାସ, ନିଶ୍ଚୟ ସେ–କିନ୍ତୁ, କଅଣ କରିପାରିବେ ଶେଷ ବେଳରେ ? ଦିନ ପାଖେଇ ଆସିଲା-

 

ଦୁଇଆଖି ଲୁହରେ ଭରିଗଲା । ହାତ ପାପୁଲିରେ ଲୁହ ପୋଛି ଆକୁଳ ହୋଇ କହିଲି, ଚିଠି ଯଦି ସେ ନ ପାଆନ୍ତି, ଚିଠି ପାଇ ଯଦି ସେ କିଛି ପ୍ରତିକାର ନ କରନ୍ତି, ତେବେ କଅଣ ଭାବୁଛ, ଯାହା ଆସିବ ତାକୁ ମୁଁ ଆଖି ବୁଜି ସହିଯିବି ? କାହିଁକି ସହିବି ଲୋ ? ସହିବାର ଆଉ କଅଣ ବାକି ଅଛି ? ପିଲାଦିନୁ ସହି ସହି ଆସିଛି, କେତେ ଦୁଃଖ, କେତେ କଷ୍ଟ, କେତେ ଅପମାନ, ସବୁ ଭବିଷ୍ୟତ ଆଶାରେ । ତୁମେମାନେ ମୋର ଭବିଷ୍ୟତକୁ ଜାଣି ଜାଣି ପୋଡ଼ିଜାଳି ଦେବାକୁ ବସିଛ, କେଉଁ ଦୁର୍ନାମରୁ ରକ୍ଷା ପାଇବ ବୋଲି ।

 

ଉତ୍ତେଜିତ ହୋଇ ପଡ଼ିଥିଲି ।

 

ରାଧା ମୋର ଆଖିରୁ ଲୁହ ପୋଛି ଦେଲା । ଆର୍ଦ୍ର କଣ୍ଠରେ କହିଲା, ତମେ ପାଗଳ ହୋଇଛ ଦେଈ ?

 

ପାଗଳ କାହିଁକି ହେବି ? ତୁମେମାନେ ଚାହୁଁଛ ଦୁର୍ନାମରୁ ରକ୍ଷା ପାଇବ । ଦେଖ୍‌ ରାଧା, ଆମ୍ବ ଗଛର ଏଇ ଡାଳଟି କିପରି ତଳକୁ ନଇଁ ଆସିଛି । ଦଉଡ଼ି ଖଣ୍ଡେ ମତେ ମିଳିବ ନାହିଁ କି ? ତେବେ ତ ତୁମେ ସବୁ ମୋ ନେଇ ନିଶ୍ଚିତ ହୋଇ ପାରିବ ?

 

ମୋ ପାଟିରେ ହାତ ଦେଇ ସେ କହିଲା, ଛି ଦେଈ, ତୁମେ କଅଣ କହୁଛ ?

ତାର ହାତ ଥରି ଉଠିଥିଲା ।

କହିଲି, ମିଛ କହୁନାହିଁ । ମନର କଥା ତୋ ଆଗରେ ଖୋଲି କହିଲି ।

 

ତା ଆଖିରେ ଲୁହ ଦେଖିଲି । ସେଦିନ ସଞ୍ଜର ମହଳନ ଆଲୁଅରେ ମୋତେ ସେ ଛାତି ଉପରକୁ ଟାଣି ନେଇଥିଲା । ମୋର ପିଠି ମୁଣ୍ଡ ଆଉଁସି ତୁନି ତୁନି କାନପାଖରେ କହିଲା, ମଣିଷ ଯାହା ଖୋଜେ, ପାଏ ନାହିଁ ଦେଈ, ଯାହା ପାଏ ସେଇଆକୁ ଆପଣାର କରିନେଲେ, ମନ ଶାନ୍ତିରେ ବେଳ କାଟେ । ନ ପାଇଲା ଚିଜକୁ ଝୁରିହେଲେ ଲାଭ ନାହିଁ । ମୁଁ ଆଜି ପୋଇଲୀ । ପର ଦୁଆରେ ପାଇଟି କରି ପେଟ ପୋଷେ । ଦିନେ ଖାଇଲେ ଦି ଦିନ ଉପାସ । ଆଗକୁ ପଛକୁ ହାତ ବଢ଼ାଇଲେ କେହି ନାହିଁ । କହିଲ ଦେଈ, ଏଇଆ ମୁଁ ଚାହୁଁଥିଲି ? ମୋ ମନରେ ବଡ଼ ଆଶା କେବେ ପଶି ନ ଥିଲା ?

 

ସବୁ ମଣିଷ ଏ ଦିଗରେ ସମାନ । ସମସ୍ତଙ୍କର ଆଶା ଥାଏ, ଇଚ୍ଛା ଥାଏ । ସମସ୍ତେ ସୁଖରେ ରହିବାକୁ ଚେଷ୍ଟା କରନ୍ତି । କିନ୍ତୁ, ସମସ୍ତଙ୍କ କପାଳ ସମାନ ନୁହେଁ । କାହା ଭାଗ୍ୟରେ କଅଣ ଥାଏ । ତଥାପି ଦେଈ, ଯାହା ଆସେ, ସେଇଆକୁ ନେଇ ବେଳ କାଟିବାକୁ ପଡ଼େ । ଯେଉଁ ଅବସ୍ଥାରେ ପଡ଼ିଲେ ସୁଦ୍ଧା ମୁହଁର ହସ ବାହାରେ । ମନ ଖୁସିରେ ମୁହୂର୍ତ୍ତେ ହେଲେ କଟେ । ଆଉ ଦହଗଞ୍ଜିଆ ଦୁଃଖରେ ଜୀବନରେ ସେହି ସୁଖ, ଆନନ୍ଦରେ ମୁହୂର୍ତ୍ତଟି ବଡ଼ ।

 

ସବୁଦିନେ ରାତି ନ ଥାଏ । ଆଉ, ସବୁ ରାତିରେ ବି ଅନ୍ଧାର ହୁଏ ନାହିଁ । ଅନ୍ଧାର ଭିତରେ ଜହ୍ନ ହସେ । ରାତି ଯାଇ ଦିନ ଆସେ । ଭାଗ୍ୟରେ ଥିଲେ ସେଇ ଜଟକୁ ନେଇ ଚିର ଦିନ କାଚ ସିନ୍ଦୂର ଧରି ସୁଖରେ ବେଳ କାଟିବ । ଯେଉଁମାନେ ଶତ୍ରୁତା ସାଧିବାକୁ ବସିଛନ୍ତି, ସେହିମାନେ ପୁଣି ଦିନେ ଝୁରିବେ, ଦେଖିବ ରହ । ଆଜିଠାରୁ ଏଡ଼େ ହତାଶ ହେଉଛ କାହିଁକି ?

 

ଗୀତା ଦେଈ, ସୁନା ଭୁଣୀଟି, ଆଉ ଏଣୁ ତାଣୁ ଭାବି ମନ କଷ୍ଟ କର ନାହିଁ । ସାନକୁହା ମାନ । ଭଗବାନଙ୍କ ଉପରେ ନିର୍ଭର କରି ଯାହା ଆସୁଛି, ଆନନ୍ଦରେ ଗ୍ରହଣ କରିନିଅ । ଚିଠିଖଣ୍ଡ ଲେଖିଛ । ମୋତେ ଦିଅ । ମୁଁ ତାକୁ ପଠାଇ ଦେବି । ମନର କ୍ରୋଧ ଶାନ୍ତ ହେବ ।

 

ମୋ ହାତରୁ ଚିଠି ଖଣ୍ଡ ସେ ଟାଣିନେଲା ।

 

ରାଧାର ଛାତି ଉପରୁ ମୁଣ୍ଡ ଟେକି ତାଆରି ମୁହଁକୁ ଚାହିଁଲ । କେତେ ସହାନୁଭୂତି, କେତେ ବ୍ୟଥା ଭରି ରହିଥିଲା ତହିଁରେ ।

 

(୭୧)

 

ଦିନ କେଇଟି ଗହଳ ଚହଳରେ କଟିଗଲା । ଯେଉଁ ଚିଠି ଖଣ୍ଡି ପ୍ରବୋଧ ବାବୁଙ୍କ ପାଖକୁ ଲେଖିଥିଲି, ଯାହାକୁ ରାଧା ମୋ ହାତରୁ ଟାଣି ନେଇଥିଲା, ତାର କି ଗତି ହେଲା ମୁଁ କେବେ ତାକୁ ପଚାରି ନାହିଁ ।

 

ମଙ୍ଗନ ଦିନ ସକାଳେ ।

 

ଖଞ୍ଜାରେ ଲୋକଭିଡ଼ । ଆଜି ସାତ ମାଇପେ ଆସିବେ, ମଙ୍ଗଳ ହାଣ୍ଡି ବସାଇବେ । ସେଇଥିପାଇଁ ଆଗରୁ ବୋଉ ଯୋଗାଡ଼ କରିବାରେ ବ୍ୟସ୍ତ । ଗାଁ ମାଇପେ ମୋତେ ଘେରି ବସିଛନ୍ତି-। ବେଳେ ବେଳେ ପଞ୍ଝା ପଞ୍ଝାହୋଇ ଆସୁଛନ୍ତି । ମୋତେ ଦେଖି ଫେରି ଯାଉଛନ୍ତି । ଏକା ବସି ରହିଥାଏ ରେଣୁ । କଅଣ କହିବାକୁ ହୁଏ, ସୁବିଧା ନ ପାଇ ତୁଣ୍ଡ ଖୋଲି ପାରେ ନାହିଁ । ପାଖରେ ବସି ଗୋଳେଇ ହେଉଥାଏ ।

 

ଟିକିଏ ସୁବିଧା ପାଇ ମୋର ଆଙ୍ଗୁଠି ଫୁଟାଇ ଏଣିକି ତେଣିକି ଚାହିଁ ସେ କହିଲା, ଗୀତା ଅପା, ଗୁପ୍ତ କଥାଟିଏ କହନ୍ତି ଯେ ଡର ମାଡ଼ୁଛି, କାଳେ–

 

କଥାଟି ଅଧା ରଖି ମୋ ମୁହଁକୁ ଚାହିଁଲା ।

ତୁନି ତୁନି କହିଲି, କହିବୁ ଯଦି କହୁନୁ, କାଳେ ପୁଣି କଅଣ ?

କାଳେ ତୋ ମନ କଷ୍ଟ ହେବ ।

 

ହସି ହସି କହିଲି, ଏମିତି କି କଥା ଯେ ମୋ ମନ କଷ୍ଟ ହେବ ଲୋ ରେଣୁ । କେତେ ଶୁଣିଲାଣି, ସବୁ ମତେ ଆରେଇ ଗଲାଣି । କହ ।

 

ଟିକିଏ ଭାବି କହିଲା, କାଲି ବାପା ବୋଉ ଦୁହେଁ ତୁନି ତୁନିତୁନି କଥାଭାଷା ହେଉଥିଲେ, ମୁଁ ଉହାଡ଼ରେ ଥାଇ ଶୁଣିଛି । ତୋ ବର କୁଆଡ଼େ ଗୁଲି ଖାଏ । ଆଉ, ସେଇଥିପାଇଁ ତାକୁ ତା ଭାଇ ଭାଉଜ ପଚାରନ୍ତି ନାହିଁ । ଘର ଭିତରେ ପଶିଲେ ତା ଭାଉଜ ତାକୁ ସବୁବେଳେ ଆଖିଏ ଆଖିଏ ରଖିଥାନ୍ତି । ଗୋଡ଼େ ଗୋଡ଼େ ଜଗିଥାନ୍ତି । କେତେବେଳେ କୁଆଡ଼େ ଛଟକରେ –

 

ତା ତୁଣ୍ଡରେ ହାତ ଦେଇ କହିଲି, ତୁନି ହ ରେଣୁ, ଆଉ କିଛି କହ ନା ।

 

ଆଉ ସେ କଅଣ କହିବାକୁ ଯାଉଥିଲା, ଶୁଣିବାକୁ ଇଚ୍ଛା ମୋର ନ ଥିଲା । ସତ ହେଉ, ମିଛ ହେଉ, ଏଣୁ ତେଣୁ ଶୁଣି ମନ କଷ୍ଟ କରିବିନାହିଁ ।

 

ରେଣୁ ତୁନି ହେଲା ନାହିଁ । କହିଲା, ଶୁଣମ ଗୋଟାଏ ମଜାର କଥା । ଥରେ କୁଆଡ଼େ ସେ କାହା ଘରୁ କଅଣ ଚୋରି କରି ବିକି ଗୁଲି ଖାଉଥିଲା ଯେ ପରେ ଧରାପଡ଼ିଲା । ମାଡ଼ ଖାଇଲା, ହାତ ଗୋଡ଼ ବାନ୍ଧି ତିନିଦିନ କାଳ ଉପାସରେ ଗୁହାଳ ଘରେ ପକାଇ ଦେଲେ ।

 

ଆଉ ସହି ପାରିଲି ନାହିଁ । କହିଲି, ରେଣୁ, ତୁ ବି ମୋତେ ଜାଳିପୋଡ଼ି ମାରିବାକୁ ବସିଛୁ-? ଏଗୁଡ଼ା କାହିଁକି ମୋ ଆଗରେ କହୁଛୁ ? ପର ମଣିଷର ଦୋଷ ଗୁଣ ଭଲମନ୍ଦ ଶୁଣିବାକୁ ମତେ ଭଲ ଲାଗେ ନାହିଁ । ସେ ସବୁ କଥାରେ ମୁଁ କାନ ଦିଏ ନାହିଁ ।

 

ରେଣୁ କହିଲା, ହାତଗଣ୍ଠି ନ ପଡ଼ୁଣୁ ତୋର ଏତେ ସୋଗ ଲାଗିଗଲାଣି ଗୀତା ଅପା ? ଜଟାଧାରୀଙ୍କର ନିନ୍ଦା ସହି ପାରୁନୁ ? ସେ ଶିବକୁ ତୁ ତ ହେବୁ ସତୀ ପାର୍ବତୀ । ଭାରି ଭଲ ହେବ । ଖାଲି ବଡ଼ମା ଗୋଟାଏ ହଡ଼ା ଦାନ ଦେଲେ ସାଜିବ ।

 

ହସି ହସିଲୋଟି ପଡ଼ିଲା ।

 

ପ୍ରକୃତିସ୍ଥ ହୋଇ କହିଲି, ସେତକ କିଣିବାକୁ ତ ବୋଉ ପାଖେ ଖଡ଼ା ବି ନ ଥିବ । ତମର ଛଡ଼ାଟିକୁ ସାତମଙ୍ଗଳା ବାସିଯାଏ ଭଡ଼ା ଦେବାକୁ ଖୁଡ଼ୀ ମଙ୍ଗିବେ ?

 

ମନ ଦୁଃଖରେ ପୁଣି ହସିଲି ।

କହିଲା, କଥାଟା ମନକୁ ପାଇଲା ପରା । ହସୁଛୁ ଯେ ?

 

ତା ଗାଲରେ ସରୁ ଚାପଡ଼ା ମାରି କହିଲି, ହସିବି ନାହିଁ ତ କଅଣ କାନ୍ଦିବି ? ଆଲୋ ରେଣୁ, ଆଜି ମୋର ମଙ୍ଗନ, କାଲି ମୋର ବାହା । କହିଲୁ, ମନ ଖୁସିରେ ଆଜି ଟିକିଏ ହସିବି ନାହିଁ ତୋ ଆଗରେ ? ଜୀବନରେ ଆଉଥରେ ମଙ୍ଗନ ଆସିବ କି ? ଆଉ ଥରେ ବାହାଘର ହେବ କି ? ସରିଯିବ । କିଏ କଅଣ, କିଏ ଗୁଲି ଖାଇଲା କି ଚୋରି କରି ମାଡ଼ ସହିଲା, ସେଥିରୁ ମତେ କିଛି ମିଳିବ ନାହିଁ । ସେ ସବୁ କଥା ଶୁଣି ସେ ବିଷୟରେ ଭାବି, ଜୀବନର ଏହି ଶୁଭଦିନଟି ନଷ୍ଟ କରିବି ନାହିଁ ।

 

ରେଣୁ କାବା ହୋଇ ମୋ ମୁହଁକୁ ଚାହିଁଲା । ଥଙ୍ଗେଇ ଥଙ୍ଗେଇ ପଚାରିଲା, ଯାହାର ହାତ ଧରି ଯାହାର ସଂସାରକୁ ଯିବୁ ତା ସମ୍ବନ୍ଧରେ ଦି ପଦ ଶୁଣିବାକୁ ଆଗ୍ରହ ହେଉ ନାହିଁ ? ତାର ସ୍ୱଭାବ ଚରିତ୍ର, ଭଲମନ୍ଦ ଜାଣିବାକୁ ଇଚ୍ଛା ହେଉ ନାହିଁ ? ଯେ ତୋଓର ସର୍ବସ୍ୱ, ଯେ ତୋଓର ଦେବତା –

 

କହିଲି, ଭୋକ କରେ ପୁଣି ଭୋକ ମରିଯାଏ । ଆଗ୍ରହ ଆସେ, ଆଗ୍ରହ ଭାଙ୍ଗିଯାଏ । ରେଣୁ, ତୁ ଯାହା କହିଲୁ, ସେ ସବୁ ପର ଜୀବନର କଥା । ଆଜି ମୋର ମଙ୍ଗନ, କାଲି ମୋର ବାହା, ଆନନ୍ଦର ଦିନ ଦିଓଟି । ଭବିଷ୍ୟତକୁ ବଦଳାଇବାର ଶକ୍ତି ମୋର ନାହିଁ । ଭବିଷ୍ୟତ ମୋର ହାତରେ ନାହିଁ । କାହିଁକି ମୁଁ କାନ୍ଦିବି, ରେଣୁ ? କାନ୍ଦିବାର ବେଳ ପାଖେଇ ଆସୁଛି । ଆଜି ମୋତେ ହସିବାକୁ କହ । ପ୍ରାଣ ଭରି ଆଜି ଏ ଶୁଭଦିନରେ ତୋ ପାଖରେ ମୁଁ ହସେ, ମନ ଇଚ୍ଛା ହସେ । ତୁ ବି ମୋ ସାଙ୍ଗରେ ହସ ରେଣୁ, ଆଉ ସାଙ୍ଗ ହୋଇ ହସିବାର ବେଳ ଏ ଜୀବନରେ ମୋର ଆଉ ଆସିବ ନାହିଁ ।

 

ଗାଲ ଉପରେ ତତଲା ଲୁହର ଧାର ।

 

ରେଣୁ କହିଲା, ଏଇ ତୋର ମନଖୁସି ହସ, ଗୀତାଅପା ? ଏଇଥିପାଇଁ ମୁହଁଟାଣ କରି କଥା କହୁଥିଲୁ ?

 

ପଣତରେ ଆଖିରୁ ଲୁହ ପୋଛିଲି । ବୋଉ ଘର ଭିତରକୁ ପଶିଆସିଲା । ତା ପଛେ ପଛେ ରାଧା ।

 

(୭୨)

 

ବାହାଘର ଦିନ–

 

ଗହଳ ଚହଳ । ଖଞ୍ଜା ଫାଟି ପଡ଼ୁଥାଏ । ରାତି ପାହାନ୍ତାକୁ ବର ଆସି ପହଞ୍ଚିଲା । ଆଲୁଅ, ବାଜା, ବାଣ । ନାରଙ୍ଗ ଗାଁରେ ଧନ୍ୟ ଧନ୍ୟ ପ୍ରଶଂସାର ହୁରି ପଡ଼ୁଥିଲା । ଏ ଗାଁରେ ଏମିତି ଆଡ଼ାରେ କାହାର ବର ଆସି ନ ଥିଲା ବୋଲି ମାଇପେ କୁହାକୁହି ହେଉଥାନ୍ତି । ସବୁ ଆୟୋଜନ ମହନୀ ଜେଠା କରିଥିଲେ ।

 

ୟା ଭିତରେ କଅଣ ହେଲା କେଜାଣି, ମୋତେ ବାଡୁଅପାଣି ଗାଧୋଇ ଦେଇ ମାଇପେ ହାଲିଆ ହୋଇ ବସି ପଡ଼ିଲେ । ବେଦିର କର୍ମ ଆରମ୍ଭ ହେଲା ନାହିଁ । କେଜାଣି କାହିଁକି ବୋଉରୋଷଘରେ ବସି ଖାଲି କାନ୍ଦିବାକୁ ଲାଗିଲା । ଯିଏ ଯାହା ପଚାରିଲେ କି ବୁଝାଇଲେ କାହାରିକୁ କିଛି ଜବାବ୍‌ ଦେଲାନାହିଁ । ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା । କେତେ ପ୍ରକାର କିଏ ତୁନି ତୁନି କଥାଭାଷା ହେଲେ ମୋର କାନରେ ପଡ଼ିଲା ନାହିଁ । ଘଟଣା କଅଣ ମୁଁ କିଛି ବୁଝି ପାରିଲି ନାହିଁ ।

 

ଗାଁ ମାଇପେ, ଯେଉଁମାନେ ମୋତେ ଘେରି ବସିଥିଲେ, ବୋଉ ପାଖକୁ ଉଠିଗଲେ । ସେ କୁଆଡ଼େ ଘଡ଼ିଘଡ଼ି ବେଚେତା ହୋଇ ପଡ଼ୁଥାଏ । ତାକୁ ଦେଖିବାକୁ ମୋର ମନ ଉଚ୍ଛନ୍ନ ହେଉଥାଏ । କିନ୍ତୁ, ଏତେ ଲୋକଙ୍କ ଆଗରେ ଉଠିଯିବାକୁ ସାହସ ହେଉ ନ ଥାଏ ।

 

ରାଧା ଗୋଡ଼ ଚିପି ଚିପି ଘରକୁ ଆସିଲା । ମନେ କରିଥିଲି, ସେ କିଛି କହିବ କିନ୍ତୁ, କିଛି କହିଲା ନାହିଁ । ମିନତିଭରା ଆଖିରେ ତା ଆଡ଼କୁ ଚାହିଁଲି । ମନର କଥା ସେ ବୁଝିଲା । ଆଖିରେ ତାର ଲୁହ ଭରି ଗଲା । କିଛି ନ କହି ସେ ଚାଲିଗଲା । ମୁଁ ସନ୍ଦେହରେ ପଡ଼ିଲି ।

 

ରେଣୁ ଧାଇଁ ଆସିଲା ଦାଣ୍ଡ ଆଡ଼ୁ । ମୋ ପାଖରେ ବସି ଏଣିକି ତେଣିକି ଚାହିଁ ତୁନି ତୁନି କହିଲା ଆଗ୍ରହରେ ଦେଖି ଆସିଲି ଲୋ, ତୋର ଜଟାଧାରୀ ଶିବକୁ । ଦାଣ୍ଡଘରେ ବସିଛି । ଦେଖିବୁ ଗୀତା ଅପା, ଏବାଟେ ଗଲେ କେହି ଜାଣିବେ ନାହିଁ । ଦାଣ୍ଡ ଝରକା ବାଟେ ଚାହିଁ ଦେଇ ଆସିବୁ । ସବୁ ସଫା ଦିଶୁଛି । ଯିବୁ ?

 

କହିଲି ତା କାନରେ, ତୁଇ ଦେଖ୍‌ଲୋ, ଆଖି ପୂରାଇ ଦେଖ୍‌, ମୋର ଦରକାର ନାହିଁ ।

ପଚାରିଲା, ଦରକାର ନାହିଁ କାହିଁକି ?

 

ନିଜ ପ୍ରଶ୍ନର ଉତ୍ତର ନିଜେ ଦେଲା ଭ୍ରୂଲତା ଟେକି, ଓ ବୁଝିଲି, ବୁଝିଲି, ସବୁଦିନେ ତ ଦେଖୁଥିବୁ, ଅଖା ଧୋଉଥିବୁ, ଗୁଣ ଗାଉଥିବୁ, ଆଜି ଏବେ ଥରଟିଏ ଅନାଇଁ ଆସିଲେ ଅଧିକ କି ହେବ ?

 

ତା କଥା ଶୁଣି ବିରକ୍ତି ଲାଗିଲା । ତୁନି ରହିଲି ।

 

ରେଣୁ କହିଲା, ମଜା କଥା ଶୁଣିଲୁଣି ଗୀତା ଅପା, ତୋ ବର ଜଟାଧାରୀ, କୁଆଡ଼େ ଅଧା ବାଟରେ ପାଲିଙ୍କିରୁ ଡେଇଁ ପଡ଼ିଥିଲା ଲୋ । ଲୋକେ ତାକୁ ଧରାଧରି କରି ଜବରଦସ୍ତି ଆଣିଛନ୍ତି ।

 

ରେଣୁ ମିଛ କହେ ନାହିଁ । ଘଟଣା ମିଛ ବୋଲି କହି ହସି ଉଡ଼ାଇ ଦେଇ ହେବ ନାହିଁ । ବିଷୟଟି ଜାଣିବାକୁ ଆଗ୍ରହ ହେଲା, କିନ୍ତୁ ରେଣୁକୁ କିଛି ପଚାରି ପାରିଲି ନାହିଁ । ପଚାରିଲା ଆଖିରେ ତା ମୁହଁକୁ ଚାହିଁ ସାମାନ୍ୟ ହସିଲି ।

 

ସେ କହିବାକୁ ଲାଗିଲା, ଶୁଣିଲୁଣି ଲୋ, ଜଟାଧାରୀ କୁଆଡ଼େ ଅଧାପାଗଳ । ଗୁଲିଧୂଆଁ ଟିକେ ପେଟରେ ନ ପଶିଲେ ମୁଣ୍ଡ ବିଗିଡ଼ିଯାଏ । ବର ହୋଇ ତ ପାଲିଙ୍କିରେ ବସିଛି, କିଏ ତାକୁ ଗୁଲିଧୂଆଁ ଆଣିଦେବ ? ବିକଳା ଗଉଡ଼, ଯିଏ ପାଲିଙ୍କି ବୋହି ଚାଲିଥିଲା, ତାକୁ ପିକା ଖଣ୍ଡେ ମାଗିଲା । କଳେ ଟାଣି ଦେଇଥାନ୍ତା । ବିକଳା ମନା କଲାରୁ ତାକୁ ମାରିବାକୁ ସେ ପାଲିଙ୍କିରୁ ଫକ୍‌କରି ତଳକୁ ଡେଇଁଲା । ବିକଳାର ଚୁଟି ଧରିଲାରୁ ସେ ଓଲଟିପଡ଼ି ଦେଲା ତ ବ୍ରହ୍ମଚାପଡ଼ । ସେଇଠୁ –

 

ଆଉ କଅଣ କହିଥାନ୍ତି ଶୁଣିବାକୁ ଆଗ୍ରହ ହେଲା ନାହିଁ । କହିଲି, ରେଣୁ ତୁନି ହ । ମୋ ଆଗରେ ଏଗୁଡ଼ା ଗପୁଛୁ କାହିଁକି, ମୁଁ ତ ତୋତେ ପଚାରୁ ନାହିଁ ?

 

ରେଣୁ ତୁନି ହେଲା । ମୋ ପାଖରୁ ଉଠି ଚାଲିଗଲା ।

 

(୭୩)

 

ବୋଉ କାହିଁକି ଏତେ ଦୁଃଖରେ କାନ୍ଦୁଛି, ମୁଁ ଅନୁମାନ କରି ପାରିଲି । ଲୋକେ ତାକୁ ଠକିଛନ୍ତି । ସେମାନଙ୍କର କୁହାରେ ପଡ଼ି ସରଳ ବିଶ୍ୱାସୀ ବୋଉ ଅଜାଣତରେ ମୋର ସର୍ବନାଶ କରିବାକୁ ବସିଛି । ଶେଷ ବେଳରେ ସେ ଏହା ବୁଝିପାରିଛି ।

 

ଆର ଘରୁ ବିମଳା ଭାଇଙ୍କର ପାଟି ଶୁଭିଲା, ଏ କଅଣ କରୁଚ ଖୁଡ଼ୀ, ନିଜେ ଲୋକହସା ହେଉଛ, ଆମକୁ ବି ଲୋକହସା କରିବାକୁ ଯାଉଛ । ବାଜେ ଲୋକଙ୍କର ବାର କଥା ଶୁଣି ତୁମେ ପାଗଳ ହୋଇଛ । ଜଟି ପାଗଳ ନୁହେଁ କି ଗୁଲି ଖୋର୍‌ ନୁହେଁ । ତୁମର ଯଦି ସନ୍ଦେହ ହେଉଛି, ଚାଲ ତା ସଙ୍ଗେ ଚାରିପଦ କଥାଭାଷା ହୋଇ ଆସିବ । ମନର ସନ୍ଦେହ ତୁଟିଯିବ ।

 

ବୋଉ ଗର୍ଜି ଉଠିଲା, ଥାଉ ଥାଉ ତମର ଭଲଲୋକୀ । ମୁଁ ମୋ ଝିଅକୁ ବାହା କରିବି ନାହିଁ । ଗାଁ ଲୋକେ ସମସ୍ତେ ଏକାଠି ହୋଇ ମୋ ପ୍ରାଣରୁ ଅଧିକ ମୋ ସୁନା କଣ୍ଢେଇ ଝିଅକୁ, ତାର ବାପ ଭାଇ ନାହାନ୍ତି ବୋଲି ବୁଡ଼େଇ ମାରିବାକୁ ବସିଛ । ବଞ୍ଚି ଥାଉଣୁ ସେ କଥା ମୁଁ କେବେ କରାଇ ଦେବି ନାହିଁ । ସେଥିପାଇଁ ତମେ ସବୁ ଯାହା କରିବାର କର ।

 

ବିମଳାଭାଇ କହିଲେ, ଆହା, ତୁମେ ଏତେ ଅଧୀର ହୁଅନା ଶୁଣ, କଥାକୁ ଭଲ କରି ବୁଝ । ବର ଆସି ଦାଣ୍ଡ ଦୁଆରେ । ବିନା ଦୋଷରେ ସେ କଅଣ ଆଉ...... ।

 

ମୁହଁରୁ କଥା ଛଡ଼ାଇ ନେଇ ବୋଉ ପୂର୍ବପରି କଠୋର କଣ୍ଠରେ କହିଲା, ଫେରିଯିବ, ବର ଫେରିଯିବ । ତମେ ଯେଉଁମାନେ ମତେ ଗରିବ ନିଆଶ୍ରୀ ଦେଖି, ମୋର ଆଖିର ପିତୁଳା, ଜୀବନରୁ ବଳି ଅଧିକ, ଅଲିଅଳି, ନିରିମାଖୀ ଝିଅଟିକୁ ବିନା ଦୋଷରେ ଅଥଳ ପାଣିକି ଠେଲି ବୁଡ଼ାଇ ମାରିବାକୁ ଚକ୍ରାନ୍ତ କରିଥିଲ, ସେହିମାନେ ଏଥକୁ ଦାୟୀ ।

 

ବିମଳା ଭାଇ ବେହିଆପଣ କରି ପଚାରିଲେ, ଗୀତାର ଅବସ୍ଥା କଅଣ ହେବ ? ମଙ୍ଗୁଳା ଝିଅ, ବାଛନ୍ଦ ପଡ଼ିବ । ଗାଁ ନିନ୍ଦା । ଛି, ମିଛକଥା ଶୁଣି–

 

ବୋଉ ତୀବ୍ର ସ୍ୱରରେ କହିବାକୁ ଲାଗିଲା, ରଖ ତମର ଭଲଲୋକ ବିମଳା । ତମେ ମୋ ଆଗରୁ ଚାଲିଯାଅ । ଗୀତା ମୋର ଝିଅ, ତମର ଝିଅ ନୁହଁ । ତା କଥା ମୁଁ ବୁଝିବି । ତା ବୋଝ ତମ ମୁଣ୍ଡରେ ଲଦା ହୋଇ ନାହିଁ । ମଙ୍ଗୁଳା ଝିଅ ହଉ, ତା ଚିନ୍ତା ତମକୁ କି ଗାଁ ଲୋକଙ୍କୁ ଆଉ କରିବାକୁ ପଡ଼ିବ ନାହିଁ । ବର ଫେରିଯାଉ – କହିଦିଅ ।

 

ତମେ ବିମ, କାଗଜ ଖଣ୍ଡରେ ମୋର ଦସ୍ତଖତ କରାଇ ନେଇଛ । ଘର ଡିହଟା ନିତେଇ ବନ୍ଧା ରଖିବେ ବୋଲି କହି ନିଜେ କିଣିଲ ବୋଲି ଲେଖିଛ । ଦଶ ଟଙ୍କା ଦେବ ବୋଲି କହି ଶହେ ଟଙ୍କା ସାଆନ୍ତଙ୍କୁ ବାହାଘର ପାଇଁ ଦେଇଛ । ତମ ଭଲପଣିଆଁ ଜଣାଗଲାଣି । ଗୀତାକୁ ପାଣିକି ଠେଲିଦେଇ, ମୋତେ ଦାଣ୍ଡରେ ବସାଇ ଏ ଘର ଦଖଲ ନେବ ବୋଲି ଚକ୍ରାନ୍ତ କରିଛ । ସେଥିପାଇଁ, ଗୀତାର ବାହାଘର ପାଇଁ ତମେ ଆଜି ଅଲୋଡ଼ା ମୁରବି ପଣ ଦେଖାଇ ବିକଳ ହୋଇ ଧାଇଁ ଆସିଛ । ପଳା ମୋ ଆଗରୁ । କାଗଜ ଖଣ୍ଡ ଧରି କଅଣ କରୁଛ କର ।

 

ବିମଳା ଭାଇଙ୍କର ପାଟି ଶୁଭିଲା ନାହିଁ ।

 

(୭୪)

 

ଦାମଭାଇଙ୍କ ସତର୍କ ବାଣୀ ମୋର ମନେ ପଡ଼ିଲା । ବୋଉକୁ ସେ କେତେ ଅନୁରୋଧ, ଅନୁରୋଧ, ସାବଧାନ କଲେ, ବୋଉ ଶୁଣିଲା ନାହିଁ । ତାଙ୍କ ଉପରେ ଅବିଶ୍ୱାସ କରି ସନ୍ଦେହ କରି ତାଙ୍କୁ ଟାଣ କଥା କହି ଘରୁ ତଡ଼ି ଦେଲା । ସେହି ଅଭିମାନରେ ସେ ଆଉ ଆସି ନାହାନ୍ତି । ଗାଁ ଛାଡ଼ି ଚାଲି ଯାଇଛନ୍ତି । ଅଶାନ୍ତିରୁ ଦୂରରେ ରହିବାକୁ ମୋ ବାହାଘର ପରେ ଫେରିବେ ବୋଲି କହି ଯାଇଛନ୍ତି । ଆଜି ଅବେଳାରେ ଅଡ଼ି ବସିଲେ ଆଉ ଲାଭ ନାହିଁ । ବୋଉର କଥା କେହି ଶୁଣିବେ ନାହିଁ ।

ମୁଁ ଗାଆଁର କଳଙ୍କ ବୋଲି ମତେ ଗାଁରୁ ତଡ଼ିବାକୁ ସମସ୍ତେ ଏକାଠି ହୋଇ ପଣ କରିଛନ୍ତି । ସେମାନେ ବୋଉର ବାଧା ମାନିବେ ନାହିଁ ।

ଦୁର୍ନାମର ମାତ୍ରା ବଢ଼ିବ । ମୁଇଁ ହେବି ହଟହଟା । ବୋଉର ଦିନ ଅଶାନ୍ତିରେ କଟିବ । ଏତେ କଥାରୁ ମିଳବ କଅଣ ? ଜାଣିକରି ତ ଦହଗଞ୍ଜିଆ ଜୀବନ । ଭାଗ୍ୟକୁ ପୋଡ଼ା ଅଙ୍ଗାର କରି ଷଠୀ ଜନ୍ମ ଦେଇଛନ୍ତି । ଯେତେ ନାଚି କୁଦି ହେଲେ ନିୟତିରା କବଳରୁ ପରିତ୍ରାଣ ମିଳିବ ନାହିଁ ।

ଆଉ ଅଶାନ୍ତି ସୃଷ୍ଟି ହେବ କାହିଁକି, ବର ଫେରିଯିବ କାହିଁକି ? ମୋର ବାହାଘର ହେବ-। ସମସ୍ତେ ନିଶ୍ଚିତ ହେବେ । ବୋଉ ମୁଣ୍ଡରୁ ବୋଝ ଖସିବ । ବାହାଘର ପରେ ଭବିଷ୍ୟତ କଅଣ ହେବ ସେକଥା କେହି ବୁଝିବେ ନାହିଁ କି ଜାଣିବେ ନାହିଁ । ମୋର ସୁଖ ଦୁଃଖ ନେଇ ମୁଁ ଜୀବନ କାଟିବି । କାହାରି ପାଖରେ ଗୁହାରି କରିବାକୁ ଆସିବି ନାହିଁ । ଦୁଃଖ ଯନ୍ତ୍ରଣା ଅସହ୍ୟ ହେଲେ ଯାହା ବୁଦ୍ଧି ଦିଶିବ, କରିବି ।

ଭାବିଲି, ବୋଉକୁ ଏକୁଟିଆ ପାଇଲେ ସବୁ ବୁଝାଇ କହିବି । କାଠ, ପଥର, ଜଟାଧାରୀ, ମୋ ପକ୍ଷରେ ସବୁ ସମାନ । ବାହାଘର ତ ହେବାର କଥା, ଯାହା ସଙ୍ଗେ ହେଲେ କ୍ଷତି ବା ଲାଭ କିଛି ନାହିଁ । ବର ଫେରିଗଲେ ବିମଳଭାଇ ଓ ମହନୀ ଜେଠାବୋଉ ଦେଇଥିବା କାଗଜ ଫେରାଇ ଦେବେ ନାହିଁ କି ଆଉ ଟଙ୍କା ଦେବେ ନାହିଁ । ମହନୀ ଜେଠାଙ୍କର ବିନା ପରାମର୍ଶରେ ବିମଳାଭାଇ ନିତେଇ ଦାଦାଙ୍କ ନାମ ଧରି ବୋଉକୁ ଠକି ନିଜ ନାମରେ ଘର ଡିହ ବିକ୍ରି ହେଲା ବୋଲି ଲେଖାଇ ନେବାକୁ ସାହସ କରି ନ ଥାନ୍ତେ ।

ଚକ୍ରାନ୍ତଟା ଏଥର ଜଣା ପଡ଼ିଲା । ବାହାଘର ହେଉ କି ନ ହେଉ ଦିନ ସାତଟା ନ ପୂରୁଣୁ ବିମଳାଭାଇ ମହନୀ ଜେଠାଙ୍କ ସାହାଯ୍ୟରେ ଏ ଘରେ ତାଲା ପକାଇବେ । ଆମର ଗତି ହେବ କଅଣ ? କେଉଁଠି ମୁଣ୍ଡ ଗୁଞ୍ଜିବୁ ? କିଏ ଆଶ୍ରା ଦେବ ? ଚଳିବୁ କିପରି ?

ମହନୀ ଜେଠାଙ୍କ ଘରେ ଆଶ୍ରା !

ଧାନକୁଟା, ବାସନ ମଜା, ପୋଇଲୀ ପଣ । ସତେ, ଶେଷକୁ ଏହା ବି ହେବ ? ଦାମଭାଇଙ୍କର କବଳରେ ପଡ଼ିବ ? ନିଆଶ୍ରୀ ଦରିଦ୍ର ଆଶ୍ରା ପାଇଲେ ଆଶ୍ରୟ ଦାତାର ମତ ବିଚଳିତ ହେବ । ବରଂ ମରଣ ଭଲ । ଅତି ସହଜ । ହାତର କଥା ।

ମରଣ ଅପେକ୍ଷା ନିୟତିର ଶରଣ ପଶିବା ଭଲ ।

ନିରୋଳାରେ ବୋଉକୁ ପାଇଲେ ଏ କଥା ବୁଝାଇ ଦିଅନ୍ତି । କହନ୍ତି, ବର ଫେରିବ ନାହିଁ-

 

(୭୫)

 

ଗାଁ ଲୋକଙ୍କର ଧମକ ଚମକରେ ବ୍ୟତିବ୍ୟସ୍ତ ହୋଇ ଛାଇନେଉଟ ବେଳେ ବୋଉ ଦରପାଗଳା ପରି ମୋ ପାଖକୁ ଆସିଲା । ଗାଁ ମାଇପେ ତାକୁ ଘେରି ରହିଥାନ୍ତି । ତାର ସେତେବେଳକାର ରୂପଟି ଆଜି ବି ମୋର ଆଖି ଆଗରେ ଉଭା ହୁଏ । ଅଲରା ବାଳ, କୋରଡ଼ ଆଖି, ଅସଂଯତ ଲୁଗାପଟା । ମୁହଁରୁ କଳାପାଣିନିଗିଡ଼ି ପଡ଼ୁଛି । ଟଳିଟଳି ଚାଲୁଛି ।

 

ସେ ଆସି ମୋତେ କୁଣ୍ଢାଇ ଧରି ମନଇଚ୍ଛା ବାହୁନିବାକୁ ଲାଗିଲା । ଯିଏ ଯେତେ ତୁନି କଲେ ସେ ମାନିଲା ନାହିଁ । ତାର ସେଇ ବାହୁନା ଭିତରେ ପୂରି ରହିଥିଲା ଗାଁ ଲୋକଙ୍କ ପ୍ରତି ଅଭିଶାପ । ଜଣ ଜଣ କରି ନାଁ ଧରି ମନଇଚ୍ଛା ଶୋଧୁଥାଏ । କହୁଥାଏ, ବର ଫେରିଯାଉ, ସେ ନିଜ ହାତରେ ମୋ ମୁହଁରେ ଜହର ଦେବ । ସବୁଜାଣି ଶୁଣି ମୋତେ ସେ ଗୋଟାଏ ଗୁଲିଖୋର, ଚୋରଦର ପାଗଳା ଲୋକ ହାତରେ ସମର୍ପି ଦେବ ନାହିଁ ।

 

ଏ ସବୁ କାଣ୍ଡ ଦେଖି ମୁଁ ଥକା ହୋଇରହିଥାଏଁ । ମୋର କାନ୍ଦ ବନ୍ଦ ହୋଇ ଯାଇଥାଏ । ତୁଣ୍ଡରୁ କଥା ବାହାରୁ ନ ଥାଏ । ଖାଲି ବଲବଲ କରି ୟା ମୁହଁରୁ ତା ମୁହଁକୁ ଅନାଉଥାଏ । କଅଣ କହିବି, କଅଣ କରିବି, କିଛି ସ୍ଥିର କରି ପାରୁ ନ ଥାଏ । ମୁଁ ଥିବାଘରେ ମାଇପେ ଏପରି ଭିଡ଼ହୋଇ ରହିଥାନ୍ତି ଯେ ନିଶ୍ୱାସ ମାରିବାକୁ ସୁଦ୍ଧା କଷ୍ଟ ହେଉଥାଏ । ଅଗଣାରେ ସେହିପରି ଲୋକଭିଡ଼ । ଘୋ-ଘାରେ କାନ ଅତଡ଼ା ପଡ଼ିଥାଏ ।

 

ମହନି ଜେଠାଙ୍କର ପାଟି ଶୁଭିଲା ।

 

ମାଇପେ ଦି ଭାଗହୋଇ କଡ଼େଇ ଗଲେ । ମହନୀ ଜେଠା ଘର ଭିତରକୁ ପଶିଆସି ବୁଝାଇ କହିଲେ, ଏ କଅଣ କରୁଛ ଗୀତା ବୋଉ ? ହଁ, ଝିଅ ବାହାଘର ହେଉଛି, ମନରେ ଦୁଃଖ ହେବାର କଥା । ଦୁଃଖ କଲ, କାନ୍ଦିଲ ବୋବାଇଲ, ଆସି ଛାଇ ନେଉଟ ହେଲା, ଉପାସ ଭୋକରେ କୁଣିଆଁ ମୈତ୍ର ଠକ୍‌ଠକ୍‌ ହେଉଛନ୍ତି । ଉଠ, ଝିଅକୁ ବେଦିକୁ ନିଅ । ଆଉ ଲୋକହସା ଜୋଇଁ ପିଲାକୁ ଝୋଲା ମାରି ଯାଉଛି, ଉଠ– ।

 

ବୋଉର କାନ୍ଦଣା ବନ୍ଦ ହୋଇଗଲା । ଦେଢ଼ଶୁର ମାନ୍ୟ ଛାଡ଼ି ସେ ନର୍ଭୟ ନିଃସଙ୍କୋଚରେ ଜବାବ୍‌ଦେଲା, ଝିଅ ବେଦିକି ଯିବ ନାହିଁ । ଏପରି ଅପାତ୍ରରେ ମୋର ଝିଅକୁ ଦେବି ନାହିଁ ।

 

ଆଶ୍ଚର୍ଯ୍ୟ ହେଲାପରି ମହନି ଜେଠା କହିଲେ, ଅପାତ୍ର ? ହା, ହା, ବାର ଲୋକଙ୍କର ବାର କଥା ଶୁଣି ତମର ମନ ଖରାପ ହୋଇଯାଉଛି । ଖଳଲୋକେ ଶତ୍ରୁ ଲୋକେ ଦୁର୍ନାମ କରିବେ-। ସେଥିରେ କାନ ଦେଉଛ କାହିଁକି ? ଛି, ଉଠ । କାହାର ସ୍ତ୍ରୀ, କୋଉ କୁଳର ବୋହୂ ତମେ, ମିଛ କଥାରେ କାନ ଦେଇ କୁଳର ମାନ ମହତ୍ୱକୁ ଦି କଡ଼ା କରୁଛ, ଗାଁର ମର୍ଯ୍ୟାଦା ହାନୀ କରୁଛ ? ବୁଢ଼ା ହେଲି, ଜୀବନର ଦି ପାଖେ ଦି ଗୋଡ଼ ଦେଇ ଚାଲୁଛି, ହେତୁ ପାଇଲା ଦିନୁ ଏ ଗାଁରୁ କେବେ ବର ଫେରିଯିବା କଥା ଶୁଣି ନାହିଁ । ଛାଇ ନେଉଟିଲା, ଆଉ ଡ଼େରି କର ନାହିଁ ।

 

ବୋଉ କହିଲା, ମୋତେ ବଳାନ୍ତୁ ନାହିଁ । ମୁଁ ଯଦି ଭୁଲ ବୁଝିଥାଏ ମୋର ଭୁଲଟା ମୋତେ ଠିକ୍‌ । ସାଆନ୍ତେ, କର୍ତ୍ତା ହୋଇ ଝିଅ ଦାନ କରିବାକୁ ବସିଛନ୍ତି, ଯେଉଁ ପାତ୍ର ହାତରେ ଝିଅଟିକି ଟେକି ଦେବେ, ସାଆନ୍ତଙ୍କ ହାତରୁ କନ୍ୟାଦାନ ନେବାର ଉପଯୁକ୍ତ ପାତ୍ର ତ ସେ ?

 

ବିମଳାଭାଇ ପଛରୁ କହି ଉଠିଲେ, ଖୁଡ଼ୀ ଯଦି ବେଦିକାମ କରିବାକୁ ଅଣ୍ଟା ଭିଡ଼ୁନାହାନ୍ତି ତେବେ ଆଉ ଏତେ ମାଇପେ ଏଠି ଅଛନ୍ତି, ଝିଅକୁ ବେଦିକି ଆଣନ୍ତୁ ।

ତାଙ୍କର କଥା ଶୁଣି ରାଗ ତମତମ ହୋଇ ତାଙ୍କର ସ୍ତ୍ରୀ ଗର୍ଜି ଉଠିଲେ, ତମକୁ ଏତେ ଭଲଲୋକି କରିବାକୁ କିଏ କହିଛି ହୋ, ମାଇକିନା ଝିଅର ନିଃଶ୍ୱାସ ଯେ ନାଗସାପର ନିଶ୍ୱାସ ଠୁଁ ବଳି ଖର । ଜାଣି ଜାଣି କିଏ ତା ଦେହରେ ହାତ ଦେବ ? ବିଧବା ଦରିଦ୍ର ସ୍ତ୍ରୀଲୋକକୁ ମିଛ କହି, କେଉଁ ଅଳପାଆଇସାର ଶିକ୍ଷାରେ ପଡ଼ି, କାଗଜ କରେଇ ନେଇଛ । ଟଙ୍କା କେଉଁଠୁ ଆଣିଲ, ସେ କାଗଜଟା କଅଣ କଲ ମତେ ଆଜିଯାଏ କହିନ । ରାଣ୍ଡ ଖଣ୍ଡୀଙ୍କର ଢ଼ିଅ ଆମର ଲୋଡ଼ା ନାହିଁ । ତାଙ୍କ କାଗଜ ତାଙ୍କୁ ଫେରାଇ ଦିଅ କହୁଛି, ନୋହିଲେ କଅଣ କରିବ ବଳେ ଦେଖିବ । ଗୀତା ପରିକା ସୁବର୍ଣ୍ଣ ପ୍ରତିମା ଝିଅ, ମାଛିକୁ ମ କହେ ନାହିଁ । ହଲିଲା ପାଣିକି ହାତ ବଢ଼ାଏ ନାହିଁ, ବୁଦ୍ଧିମତୀ, ସବୁ ଗୁଣରେ ବିଚକ୍ଷଣ ହେଲେ ବି ଯିଏ ସର୍ବସହଣୀ, ଯେତେ ଛିଗୁଲେଇ କରି କହିଲେ ବି ଯିଏ ଓଲଟି ପଦେ ଜବାବ ଦିଏ ନାହିଁ, ତାକୁ ଯେଉଁମାନେ ଫାଶୀ ଖୁଣ୍ଟରେ ଝୁଲାଇ ପୁଣ୍ୟ ଅର୍ଜିବାକୁ ଆଗେଇଛନ୍ତି ସେମାନେ ଯାହା କରିବାର କରନ୍ତୁ । ତମେ ପାଟି ଫିଟାଅ ନାହିଁ କହୁଛି । ତମ ପାପର ଭାଗୀ ହେବାକୁ ମୁଁ ଏବେ ଏ ପୁରରେ ରହିବି ନାହିଁ ।

ଆଶ୍ଚର୍ଯ୍ୟ ହୋଇ ବିମଳା ଭାଇର ସ୍ତ୍ରୀଙ୍କ ଆଡ଼କୁ ସମସ୍ତେ କଣେଇଁ ଚାହିଁଲେ, ସତେ କି ତାର ମିଟି ମିଟି ଆଖିରୁ ନିଆଁ ଝରୁଛି । ଉତ୍ତର ନ ଦେଇ ବିମଳା ଭାଇ ପଛେଇ ଗଲେ ।

ମହନି ଜେଠା ଭାବିଚନ୍ତି କହିଲେ, ତେବେ ଦାମ ବୋଉ, ତମେ ଗୀତାକୁ ନେଇ ଆସ । ଯେଉଁମାନେ ବାହାଘରରେ ଯୋଗ ନ ଦେବେ, ସେମାନେ ତଫାତ୍‌ ହୋଇଯାଉନ୍ତୁ । ସୁଆଙ୍ଗ ନୁହେଁ ଯେ ସମସ୍ତେ ଦେଖିବାକୁ ହାମୁଡ଼େଇ ପଡ଼ିବେ ।

ବଡ଼ମା ଉତ୍ତର ଦେବା ଆଗରୁ ବୋଉ ଗର୍ଜିଉଠି ଠିଆହେଲା । କହିଲା, ସତେ, ଏଡ଼େ ସାହସ କାହାର ଅଛି ? ମୁଁ ବଞ୍ଚି ଥାଉଣୁ ମୋର ଛାତି ଉପରୁ ମୋର ଝିଅକୁ ଟାଣି ନେବ କିଏ ? ତାର ବାପ ନାହିଁ ବୋଲି ଯେଉଁମାନେ ଏପରି ଭାବୁଛନ୍ତି, ଆସନ୍ତୁ ଦେଖି ସେମାନଙ୍କର କେଡ଼େ ସାହସ ।

ମତେ ସବୁ ସ୍ୱପ୍ନପରି ଲାଗୁଥାଏ । ତିନିପୁର ଅନ୍ଧାର ଦେଖାଯାଉଥାଏ । ଏତେ ବାଦାନୁବାଦ ତର୍କବିତର୍କ ଶୁଣି ମୁଁ କାନ୍ଦି କାନ୍ଦି କହି ଉଠିଲି, ଆଉ ତୁ ବାଧା ଦେ ନା ବୋଉ, ମୋର ଭାଗ୍ୟ ମୋତେ ଟାଣି ନେଉଛି । ବର ଫେରିବ କାହିଁକି ?

ସମସ୍ତେ ତୁନିହୋଇ ମୋରି ଆଡ଼କୁ ଅନାଇଁଲେ ।

ବୋଉ ଥକ୍‌କା ହୋଇ ଚାହିଁଲା । ଆଖି ଢ଼ଳଢ଼ଳ କରି ମୋ ଓଠରେ ହାତ ଦେଇ ଭଙ୍ଗାସ୍ୱରରେ ପଚାରିଲା, ତୋ ମନରେ ଅଶାନ୍ତି ନାହିଁ ତ ମା ?

ମୁଣ୍ଡ ହଲାଇ କହିଲି, ନା – ଆଁ ।

ମହନି ଜେଠା କହି ଉଠିଲେ, ଦେଖିଲ ଦେଖିଲ, ଗୀତାର କେଡ଼େ ବୁଦ୍ଧି ! ମା ମୋର ଭଲ ପିଲା । ଭଲ ମନ୍ଦ ସବୁ ବୁଝିପାରେ । ଆଉ ଉଛୁର କରନା । ଝିଅକୁ ବେଦିକୁ ଆଣ । ବରଯାତ୍ରୀ ବ୍ୟସ୍ତ ହେଲେଣି । ଶୁଭକାମ ଶୀଘ୍ର ସରିଲେ ସବୁ ମଙ୍ଗଳ ।

 

ନିଜ ମୁହଁରେ ମୁଁ ମୋର ମରଣ ଆଦେଶ ଶୁଣାଇଁ ଦେଇଛି । ଆଉ ଯେଉଁସବୁ କର୍ମ ହେବ ସେ ସବୁ ତ ଲୌକିକତାର ପ୍ରକରଣ–ବେଦି, ହାତଗଣ୍ଠି, ବିଦାବିଦି । ବାରିଆଡ଼ର ଆମ୍ବଗଛ, ନଇଁଲା ଡ଼ାହି, ଛୋଟ ଖଣ୍ଡିଏ ଦଉଡ଼ି । ହିଁ, ବିଦାବିଦି !

 

(୭୬)

 

ଲୋକଗହଳି ଠେଲି କିଏ ଜଣେ ମୋ ପାଖକୁ ଆସି ଥରିଲା ସ୍ୱରରେ କହିଲେ, ପାଗଳି, କାହା ଉପରେ ଅଭିମାନ କରି ନିଜର ସର୍ବନାଶ କରିବାକୁ ଯାଉଛୁ ?

 

ମୁଣ୍ଡଟେକି ଚାହିଁଲି । ଦୁନିଆରେ ଯେଉଁ ଜଣକ ମୋ ଆଖି ଲୁହର ଅର୍ଥ ବୁଝନ୍ତି ସେଇ ମୋର ଦାମଭାଇ, ମୋ ଆଗରେ ଠିଆ ହୋଇଛନ୍ତି । ଦୁଇ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ୁଛି ।

 

ଭୁଲିଗଲି ଏତେ ଲୋକଙ୍କର ଉପସ୍ଥିତ । ଭୁଲିଗଲି ନିଜକୁ । ଅଧୀର ହୋଇ ତାଙ୍କର ଗୋଡ଼ତଳେ ମୁଣ୍ଡ ଲଗାଇ ଦୁଇଗୋଡ଼ ଯାବୁଡ଼ି ଧରିଲି । ଆକୁଳ କଣ୍ଠରେ କହି ଉଠିଲି, ଭାଇ,ଭାଇ ତମେ ଆଉ କାହିଁକି ଆସିଲ ? ତମେ ଯାଅ, ତମେ ଚାଲିଯାଅ ଏଠୁ । ତମର ଗେହ୍ଲା ଭଉଣୀ, ତମର ଟିକି ଭଉଣୀ, ହୀନକପାଳୀ ଗୀତାକୁ–

 

ଆଉ କହି ପାରିଲି ନାହିଁ । ତାଙ୍କର ଦୁଇଗୋଡ଼କୁ ଆହୁରି ଯୋର୍‍ରେ ଚାପି ଧରିଲି । ଭୋ ଭୋ ହୋଇ କାନ୍ଦି ଉଠିଲି । ସେତେବେଳେ ମୋର ଭାବିବାର ସବୁ ଶକ୍ତି ହଜି ଯାଇଥିଲା, ତିନିପୁର ଅନ୍ଧାର ଦିଶୁଥିଲା । ଏକ ଆଖିରେ ଚାହିଁ ରହିଥିଲି । ମୋର ଦାମ ଭାଇର ଲୁହଝରା ମୁହଁକୁ ।

 

ମହନି ଜେଠା ଗର୍ଜି ଉଠିଲେ, ତୁ ଯା ଦାମ, ତୁ ଏଠୁ ଚାଲିଯା ।

 

ଦାମଭାଇ ଆଖିରୁ ଲୁହ ପୋଛିଲେ । କୋହମିଶା ଅସ୍ଥିର ସ୍ୱରରେ କହି ଉଠିଲେ, ସୁଆଙ୍ଗ ବେଶୀ ଦୂର ଆଗେଇ ଗଲାଣି । ଏଥର ଭାଙ୍ଗୁ । ଗୋଟିଏ ସରଳ, ନିରୀହ, ନିଷ୍କପଟ ଝିଅର ବାର ଦୁର୍ନାମ ମିଛରେ ରଟାଇ ମନ ସନ୍ତୋଷ ହେଲା ନାହିଁ ଯେ ଆହୁରି ତାର ସର୍ବନାଶ କରିବାକୁ ବସିଛ ? ଭାବିଛି କି ତାର କେହି ନାହିଁ ? ତୁମେ ସବୁ ଭୁଲ ବୁଝିଛ । ଗୀତାର ବଡ଼ଭାଇ ଫେରି ଆସିଛି । ଗୀତାର ବାହାଘର ସେ କରିବ । ସଂସାରରେ ଗୀତାଲାଖି ପାତ୍ରର ଅଭାବ ହେବେ ନାହିଁ । ମଙ୍ଗୁଳା ଝିଅ ପାଇଁ ଆଜି ମୁଁ ତା ଉପଯୁକ୍ତ ବର ଖୋଜି ଆଣିବି । ନ ଆଣିବାଯାଏ ଏ ଗାଁକୁ ଫେରିବି ନାହିଁ । ଗୁଲିଆ ଜଟିଆ ବାହୁଡ଼ି ଯାଉ । ତୁମେ ସବୁ ବି ଯାଇପାର । ଗୀତା ଭାଇ ଦାମ ଆଜି ପ୍ରତିଜ୍ଞା କରି ଆସିଛି ସେ ଆଜିଠାରୁ ତ୍ୟାଜ୍ୟ ପୁତ୍ର ହେବ । ଆଉ କଅଣ ତୁମେ ଚାହୁଁଛ ?

 

ଦାମ ଭାଇ ମୋର ଥରିଲା ହାତ ଧରି ଉଠାଇଲେ । ଆଖି ଛଳ ଛଳ କରି କହିଲେ, ଭାଇ ତୋର ଫେରି ଆସିଛି ଗୀତା, ତୁନି ହ । ଅଭିମାନ କରି ଚାଲି ଯାଇଥିଲି । ଦୂରରେ ଥାଇ ଏଇସବୁ ଦୃଶ୍ୟ ଅନୁମାନ କରୁଥିଲି । ସହି ପାରିଲି ନାହିଁ । ରହି ପାରିଲି ନାହିଁ । ଯେଉଁ ଟିକି ଭଉଣୀ, ଗେଲବସର ସୁନା ଭଉଣୀକୁ ପିଠିରେ କାଖରେ ଧରି ସ୍ନେହ କରୁଥିଲି, ମୋ ପାଇଁ ଯେଉଁ ନିର୍ଦ୍ଦୋଷ, ନିଷ୍କଳଙ୍କ ଭଉଣୀଟି ନିନ୍ଦା ଅପବାଦ, ଅପମାନର କୁହାଟ ଶୁଣି ନୀରବରେ ଲୁହ ଢ଼ାଳିଛି, ବଞ୍ଚି ଥାଉଁଣୁ ମୁଁ ତାକୁ ହାଣ ମୁହଁକୁ ଯିବାର ଦେଖି ପାରିବି ନାହିଁ ।

 

ଆଉ କଅଣ କହିବାକୁ ବସିଥିଲେ କହି ପାରିଲେ ନାହିଁ । ଦୁଇ ହାତରେ ମୁହଁ ଲୁଚାଇ ପିଲାଙ୍କ ପରି ସେ କାନ୍ଦିବାକୁ ଲାଗିଲେ । ଗୋଟିଏ ଅଚଳ କାଠ ପିତୁଳା ପରି ମୁଁ ଠିଆ ହୋଇ ରହିଲି । ମୋର କାନ୍ଦଣା ବନ୍ଦ ହୋଇଗଲା ।

 

ଦାମଭାଇ ପ୍ରକୃତିସ୍ଥ ହେଲେ । ଆଖିରୁ ଲୁହ ପୋଛିଲେ ।

 

ମହନି ଜେଠା ପାଖକୁ ଆସି କହିଲେ, ଆରେ ଦାମ, ତୁ ତୋରବାଇଆ ବୁଦ୍ଧି ଛାଡ଼ । ଶୁଭ କର୍ମରେ ବାଧା ଦେବା ଭଲ ନୁହେଁ ।

 

ଦାମଭାଇ ଉତ୍ତେଜିତ ହୋଇ କହିଲେ, ପିଲାଟି ଦିନରୁ ବହୁତ ଉପଦେଶ ଆପଣ ଶୁଣାଇଁଛନ୍ତି, କେବେ ଅମାନ୍ୟ କରିନାହିଁ । ମୁଁ ମଣିଷ ହୋଇଛି କି ଅମଣିଷ ହୋଇଛି, ଲୋକେ ତାହା ବିଚାର କରିବେ । ପର ଝିଅର ଜୀବନକୁ ହାତରେ ଧରି ଖେଳିବାର ଯେଉଁ ଚକ୍ରାନ୍ତ ଓ ସେଥିପାଇଁ ଯେଉଁ ଉପଦେଶ ଆପଣ ବାଢ଼ିବେ ସେତକ ନ ମାନିବାର ଦୋଷ ମୁଁ ଗ୍ରହଣ କରୁଛି । ଆପଣ ମୋତେ ତ୍ୟାଜ୍ୟପୁତ୍ର କରିବେ ତ କରନ୍ତୁ । ମୋର ପିଣ୍ଡରେ ପ୍ରାଣ ଥିବାଯାଏ ଗୋଟାଏ ଚୋର, ଗୁଲିଖୋର, ମୂର୍ଖ, ଅଧାପାଗଳ ରୋଗଣା ଦରବୁଢ଼ା ଲୋକ ଜଟିଆ ସାଙ୍ଗରେ ମୋର ଏଇ ଗେଲବସର ଟିକି ଭଉଣୀର ବାହାଘର ମୁଁ କଦାପି କରାଇ ଦେବି ନାହିଁ । ପ୍ରତି ମୁହୂର୍ତ୍ତରେ ଭୋଳି ଦାଦିର ଆତ୍ମା ମୋର ମନ ଭିତରେ ବାହୁନୁଛି ବାପା ! ଗୀତା ପାଇଁ ମୁଁ ସରଗର ଚାନ୍ଦ ଖୋଜି ଆଣିବି । ବରକୁ ବାହୁଡ଼ାଇ ଦିଅନ୍ତୁ । ଆପଣ ମାନେ ବି ଚାଲି ଯାଉନ୍ତୁ । ଗୀତାର ବଡ଼ଭାଇ ମୁଁ, ମୋ କାମ ମୋତେ କରିବାକୁ ଛାଡ଼ି ଦିଅନ୍ତୁ ।

 

ପୁଣି ଦାମଭାଇଙ୍କ ଆଖିରୁ ଲୁହଧାର ଗଡ଼ି ଆସିଲା ।

 

(୭୭)

 

ବର ଫେରିଗଲା ।

 

ଗାଁ ଲୋକେ ମଧ୍ୟ ଫେରିଗଲେ । ପଛରେ ସେମାନେ କିଏ କେତେ ସମାଲୋଚନା କରିଥିବେ କି ଦୁର୍ନାମ ରଟାଇ ଥିବେ ଶୁଣିବାକୁ ମୋର ସୁବିଧା ହୋଇ ନାହିଁ ।

 

ଗହଳ ଚହଳ ପାଟିତୁଣ୍ଡ ସବୁ ବନ୍ଦ ହୋଇଗଲା । କିପରି ଖରାପ ଲାଗିଲା । ଜହ୍ନ ଆଲୁଅ ବିଞ୍ଚି ହୋଇଥିଲା ଦୁନିଆ ସାରା । କିନ୍ତୁ ସେ ଆଲୁଅରେ ସତେ କି ସରସତା ନାହିଁ, ସ୍ନିଗ୍‌ଧତା ନାହିଁ, କୋମଳତା ନାହିଁ । ସେହି ମୌନ ଶୁଭ୍ର ଆଲୁଅ ଭିତରୁ ଝରି ପଡ଼ିଥିଲା ବିଷାଦ, କାରୁଣ୍ୟର ବିକଳ ଭାବ ।

 

ସଞ୍ଜ ପବନ ବହି ଆସିଲା ସିରିସିରି । ଥରି ଥରି କାନ୍ଦି ଉଠିଲା ପ୍ରକୃତି ଆଉ ବାହାରର ସେହି କାନ୍ଦଣାର ପ୍ରଭାବ ମୋର ଛାତି ଭିତରେ ଗୁମୁରାଇ ଦେଲା ବ୍ୟଥାର ରାଗିଣୀ । କାହିଁକି ସେ ବିଷାଦ ଜାଣି ପାରିଲି ନାହିଁ ।

 

ମଙ୍ଗୁଳା କନ୍ୟା ମୁଁ, ଅଧା ଅନ୍ଧାର ଘରେ ବସିଛି, ମୌନ ହୋଇ । ପାଖରେ ବସିଛନ୍ତି ଦାମଭାଇଙ୍କ ସ୍ତ୍ରୀ । କୋଳରେ ତାଙ୍କର ପିଲାଟି ଶୋଇ ପଡ଼ିଛି ।

 

ରାଧା ଆଲୁଅ ନେଇ ଆସିଲା । ନୂଆବୋହୂ ମୁଣ୍ଡ ଟେକି ତା ଆଡ଼କୁ ଚାହିଁଲେ । ପଚାରିଲେ, କେତେବେଳେ ସେ ଫେରିବେ ଲୋ, ରାଧା ?

 

ଫେରୁଥିବେ । ବେଶୀ ବାଟ ନୁହେଁ ଯେ ।

ବୋଉ ?

 

ଗୀତାବୋଉଙ୍କ ପାଖରେ ଦାଣ୍ଡରେ ବସିଛନ୍ତି । ବିମଳା ଭାରିଯା କଅଣ ବକୁଛି, ଶୁଣୁଛନ୍ତି-

 

ନୂଆବୋହୂ କହିଲେ, ପିଲା ଶୋଇ ପଡ଼ିଲାଣି ।

ରାଧା କହିଲା, ତାକୁ ସେଇଠି ଶୁଆଇ ଦେଉ ନା ।

 

ସେ ଚାଲିଗଲା । ନୂଆବୋହୂ ପିଲାଟିକୁ ତଳେ ଶୁଆଇ ଦେଉଥିଲେ, ତାଙ୍କ ହାତରୁ ଆଣି ମୋଓରି କୋଳରେ ଶୁଆଇଲି ।

 

ମନରେ ପ୍ରଶ୍ନ ଉଠୁଥାଏ, ଦାମଭାଇ ଗଲେ କୁଆଡ଼େ ? ବର ଫେରିଯିବା ପରେ ଏମାନଙ୍କ ସଙ୍ଗେ ଗୁପ୍ତରେ ସେ କଅଣ ପରାମର୍ଶ କଲେ ? ତା ପରେ ସଞ୍ଜ ଆଗରୁ ବାହାରି ଗଲେ କାହିଁକି ?

 

କାହାରିକୁ କିଛି ପଚାରିବାକୁ ସାହସ ହେଉ ନ ଥାଏ ।

 

ଘଣ୍ଟାକ ପରେ ବୋଉ, ବଡ଼ମା ଓ ବିମଳାଭାଇଙ୍କ ସ୍ତ୍ରୀ ଫେରି ଆସିଲେ । ପିଣ୍ଡାରେ ବସିଲେ ।

 

(୭୮)

 

ବଡ଼ମା କହିଲେ, ଏତେ ଡ଼େରି କରୁଛି, ସେମାନେ କଅଣ ମଙ୍ଗିଲେ ନାହିଁ ଗୀତାବୋଉ-? କାଳେ ଆଉ କେଉଁଠି ଠିକ୍‌କରି ନେଇଥିବେ । ମଙ୍ଗୁଳାବର, ଜମିଦାର ପୁଅ, ବେଶୀ ପାଠ ପଢ଼ିଛି, ବଡ଼ ଚାକିରି କରିଛି । ଦେବା ନେବା କଥା ତୁଟିଲା ନାହିଁ କି ? ଦାମକୁ ମୁଁ କହି ଦେଇଥିଲି, ଯାହା ସେ ମାଗିବେ ନାହିଁ କରିବୁ ନାହିଁ । ମନଇଚ୍ଛା ଦେଇ ପାଞ୍ଚ ଝିଅ ପରଘରକୁ ପଠାଇଲି । ଆଉ ଝିଅଟିଏ ଥିଲେ ତ ପଛାଇ ନ ଥାନ୍ତି । ସୁନା କଣ୍ଢେଇ ଗୀତା ପରି ଝିଅଟିଏ ପାଇଛି, ହଟିବି ନାଇଁ ଲୋ–

 

ବୋଉ କହିଲା, ଅପା !

ବିମଳା ଭାଇର ସ୍ତ୍ରୀ ରହି ରହି କହିଲେ, ଯଦି ଆଉ କେଉଁଠି ଠିକ୍‌କରି ନେଇଥାନ୍ତି ତ–

 

ବୋଉ କହିଲା, ଏଥିକି ମୁଁ ଡ଼ରିନାହିଁ ଗୋ । ଯେତେବେଳେ ବର ଫେରାଇ ଦେଇଛି, ଭାଗ୍ୟରେ ଯାହା ଥିବ ହେଃ । କୂଅ ପୋଖରୀ ତ ଅଛି । ଦଉଡ଼ି ଦି ଖଣ୍ଡ କି ଜହର ଟିକେ ପାଇଁ କାହା ପାଖେ ହାତ ପାତିବାକୁ ପଡ଼ିବ ନାହିଁ ।

 

ବଡ଼ମା କହିଲେ, ଏପରି ଭାବୁଛୁ କାହିଁକି ଗୀତାବୋଉ ? ମଙ୍ଗୁଳା ଝିଅ, ଯେମିତି ହେଲେ ତ ଯେଉଁଠି ବାହା ହେବ ? ପାଞ୍ଚ ପାଞ୍ଚଟା ଝିଅ ଜନ୍ମ କରିଥିଲି, ଅର୍ଦଳି ସହୁଥିଲି । ସେମାନଙ୍କୁ ପରଘରକୁ ବିଦା କରି ବୋହୂ ବକଟେ ଆଣିଲି ଯେ ମୋ କୋଳର କେଉଁ କଣରେ ସେ ଲୁଚି ଯାଉଛି । ଦି ଆଖି ମୋର ପୂର୍ଣ୍ଣ ହେଉ ନାହିଁ । ଗୀତାକୁ ମୋ ଘରକୁ ନେଲେ, ଦି ଝିଅଙ୍କର ଅର୍ଦଳି କଅଣ ସହି ପାରିବି ନାହିଁ ?

 

ନୂଆବୋହୂ ମୋ ଓଠରେ ହାତ ମାରି ହସି ହସି ତୁନି ତୁନି କହିଲେ, କେଡ଼େ ଭଲ ହେବ ଗୀତା ଦେଈ, ତୁମେ ମୋ ପାଖକୁ ଗଲେ ଏଇ ପିଲାଟାର ଜଞ୍ଜାଳରୁ ମୁଁ ରକ୍ଷା ପାଇବି ।

 

ନୂଆ ବୋହୂଙ୍କର କଥା ଶୁଣି ମୁଁ ମୁଣ୍ଡ ନୋଇଁଲି । ଲାଜରେ ମୋର ମୁହଁ ଜଳିଗଲା । କହିଲି, ଛି ନୂଆବୋହୂ, ଅନୀତି କଥା, ପାପ କଥା ତୁଣ୍ଡକୁ ଆଣନା !

 

କହିଲେ, ଦିନେ ସେ ଏଇଆ ଚାହିଁଥିଲେ ତ ।

 

କହିଲି, ପୁରୁଷ ପିଲା, ଯାହାକୁ ସ୍ନେହ ଶରଧା କରେ, ତାଆର ସୁଖ ଆନନ୍ଦ ପାଇଁ ନ ବୁଝି ନ ସୁଝି, ବାଇଆଙ୍କ ପରି ଯାହା ତୁଣ୍ଡକୁ ଆସିଲା କହିଦେଲେ । ଏଥିପାଇଁ ଭାଇଙ୍କି ମୁଁ ଶାସନ କରିଥିଲି । ତୁଣ୍ଡରୁ ବାହାରିଲା କଥା ପାଇଁ ଦୁର୍ନାମ ରଟିଲା । ସେଥିକି ମୁଁ ଦାୟୀ ନୁହେଁ କି ମୋ ଭାଇ ଦାୟୀ ନୁହେଁ । ତାଙ୍କର ମୋ ପ୍ରତିଥିବା ସ୍ନେହ ହିଁ ଦାୟୀ । ନୂଆବୋହୂ, ତମ ଗୋଡ଼ରେ କଣ୍ଟା ହେବା ଆଗରୁ ମୋତେ ଜହର ଟିକେ ମିଳିବ ଯେ ।

 

ମୋ ମୁଣ୍ଡଟିକୁ ତାଙ୍କ ଛାତିକୁ ଆଉଜାଇ ନୂଆବୋହୂ ଗେଲ କଲେ । କହିଲେ, ଏହା କରାଇ ଦେବି ନାହିଁ ଗୀତା, ଏହି ଛାତି ଉପରକୁ ଏମିତି ଏ ମୁହଁଟିକୁ ଟାଣି ନେବି ।

 

ବାହାରୁ ବିମଳା ଭାଇଙ୍କ ସ୍ତ୍ରୀ କହିଲେ, ଏମିତି କଅଣ ହୁଏ ? କଥାକୁ ସିନା କହିଲ । ଦାମ ଫେରି ଆସନ୍ତୁ । ସେଠି ଯଦି ସୁବିଧା ନ ହେଲା ପାତ୍ରଟିଏ ତ ହାତରେ ଅଛି.....

 

ରାଧା ପଚାରିଲା, କାହା କଥା କହୁଛ ?

 

ବିମଳା ଭାଇର ସ୍ତ୍ରୀ କହିଲେ, ଆମ ଅମୁ ବିଷୟରେ କହୁଛି । ଅଜୁ ପାଇଁ ପାତ୍ରୀ ଠିକ୍‌ହୋଇ ସାରିଛି । ଦିନ ଦଶଟା ପରେ ବାହା । ଏକା ତିଥିରେ ଅଜୁ ଅମୁଙ୍କର ନିମିତ୍ୟ ଉଠାଇ ଦେବା ।

 

କେହି ଉତ୍ତର ଦେଲେ ନାହିଁ ।

 

(୭୯)

 

ଘଣ୍ଟାକ ପରେ ଦାମଭାଇ ଫେରିଲେ । ଖଞ୍ଜା ଭିତରେ ଗୋଡ଼ ଦେଉଁଣୁ ପାଟି କରି କହି ଉଠିଲେ, ବୋଉ, ସବୁ ଠିକ୍‌ ହୋଇଗଲା । ବର ଆସୁଛି ।

 

ବଡ଼ମା ବ୍ୟଗ୍ରହୋଇ ପଚାରିଲେ, ଏତେ ଡ଼େରିହେଲା କାହିଁକି ବାପ ?

ଦାମଭାଇ ପିଣ୍ଡା ଉପରକୁ ଆସି କହିଲେ, କହୁଛି, ଟିକିଏ ରହ ।

 

ନୂଆବୋହୂ ଗେଲରେ ମୋ ନାକକୁ ଚିପିଦେଇ ଦ୍ୱାରବନ୍ଧ ପାଖକୁ ଉଠିଗଲେ । କେଜାଣି କାହିଁକି ମୋର ପିଞ୍ଜରା ଥରାଇ ଦୀର୍ଘଶ୍ୱାସ ପଦାକୁ ଛୁଟି ଆସିଲା । ଦେହ ବରଡ଼ା ପତ୍ର ପରି ଥରିଲା ।

 

ଦାମଭାଇ କହିଲେ, ବନମାଳୀପୁର ଜମିଦାର ଉଚ୍ଛବ ବାବୁ । ତାଙ୍କରି ବଡ଼ ପୁଅ ମାଧବାନନ୍ଦ । ବି.ଏ.ପାସ୍‌କରି ସବ୍‌ଡ଼ିପୋଟି ହୋଇଛନ୍ତି । ରୂପ ଯେପରି ସୁନ୍ଦର, ସ୍ୱାସ୍ଥ୍ୟ ସେହିପରି ସୁନ୍ଦର । ଖାଲି ନାକତଳେ ଦଣ୍ଡି ପରିକା ଟିକିଏ ନିଶ । ହରିଅନ୍ତା ଭାଗୀରଥି ବାବୁଙ୍କ ଝିଅ ବିଷୟରେ ସମ୍ବନ୍ଧ ସ୍ଥିର ହୋଇଥିଲା । ବୋହୂ ସୁନ୍ଦର ବୋଲି ଆଗରୁ ଶୁଣିଥିଲେ ।

 

ବର ଆସିଲା । ଗାଁରେ ଭାଗୀରଥିଙ୍କ ଶତ୍ରୁପକ୍ଷ ବାରକଥା କହିଲେ । ଝିଅ କୁଆଡ଼େ କାଳୀ, ବସନ୍ତିମୁହୀଁ, କଠଉପାଦୀ । ଏ ସବୁ ଶୁଣି ମାଧବ ଅଡ଼ି ବସିଲେ । ଉଚ୍ଛବବାବୁ କହିଲେ, ଝିଅକୁ ସେ ନିଜେ ନ ଦେଖିଲେ ଫେରିଯିବେ ପଛେ ବାହାଘର କରିବେ ନାହିଁ ।

 

କେତେ ଘଣ୍ଟାଚକଟା ହେଲା । ସେମାନେ ଝିଅକୁ ଦେଖାଇବାକୁ ମଙ୍ଗିଲେ ନାହିଁ । ବର ଫେରି ଆସିଲା ।

ଉଚ୍ଛବବାବୁ କନ୍ୟାପାତ୍ର ଖୋଜିବାକୁ ପାଞ୍ଚଆଡ଼େ ଲୋକ ପଠାଇଥିଲେ । ଧନ ଦଉଲତ ସେମାନେ ଖୋଜୁ ନାହାନ୍ତି । କେଉଁଥିରେ ଭଗବାନ ତାଙ୍କୁ ଊଣା କରିଛନ୍ତି ଯେ ଧନ ଦଉଲତ ଖୋଜି ବସିବେ ? ଉଚ୍ଛବବାବୁ ସୁନ୍ଦର, ଗୁଣର ବୋହୂଟିଏ ଖୋଜୁଛନ୍ତି । ଗୀତା ପାଇଁ ପ୍ରସ୍ତାବ ପକାଇଲି । ପଦପଦ କରି ସବୁ ସତକଥା କହିଲି ଲୋ ବୋଉ, ଭାବିଲି କିଛି ଲୁଚାଇବି ନାହିଁ । ଇଚ୍ଛା ହେଲେ ମଙ୍ଗିବେ, ନୋହିଲେ ନାହିଁ । ସେ ମଙ୍ଗି ନ ଥିଲେ କେଉଁଠି ହେଲେ ମୂଲିଆମୂର୍ଖ ହେଉ ପଛେ, ଭଲ ପିଲାଟିଏ ଖୋଜି ଥାଆନ୍ତି । ଅତି ଭଲଲୋକ ଉଚ୍ଛବବାବୁ, ମାଧବ ତ ସେମିତି । ମୋ କଥା ଶୁଣି ଦିହେଁ ମଙ୍ଗିଲେ ତେବେ,...... ।

ବଡ଼ମା ପଚାରିଲେ, ଝିଅ ନ ଦେଖି ମଙ୍ଗିଲେ କେମିତି ?

ଦାମଭାଇ କହିଲେ, ସେଥିପାଇଁ ତ ଏତେ ଡେରି ହେଲା । ମୁଁ କହିଲି, ଜଣେ କାହିଁକି ଆପଣମାନେ ସମସ୍ତେ ଚାଲନ୍ତୁ ଝିଅକୁ ଦେଖିବେ । ଝିଅ ଯଦି ମନକୁ ନ ଆସେ ବାହାଘର ନ କରିବେ ।

ବୋଉ କହିଲା,ତେବେ ତ ପ୍ରସ୍ତାବଟା ପକ୍‌କା ହୋଇନାହିଁ ।

ଦାମଭାଇ କହିଲେ, ତୁମେ ଚିନ୍ତା କରନା ଖୁଡ଼ୀ, ଗୀତାକୁ ଦେଖିଲେ ସ୍ୱର୍ଗର ଇନ୍ଦ୍ର ବି ନାହିଁ କରିପାରିବେ ନାହିଁ । ସତେମ ଖୁଡ଼ୀ, ତମ ସିଙ୍ଗାଣିନାକୀ ଅବରଜିଆ ଝିଅଟା ପାଇଁ ଚନ୍ଦ୍ରଟାଏ ଖୋଜୁ ଖୋଜୁ ଇନ୍ଦ୍ରଟାଏ ମିଳିଯିବ । ତମେ ନିଶ୍ଚିନ୍ତ ରହ ।

ଭୋଳିଦାଦା ସେପୁରରେ ଆଶୀର୍ବାଦ କରୁଛନ୍ତି । ତାଙ୍କର ପୁଣ୍ୟର ଫଳ ଅବଶ୍ୟ ଫଳିବ-। ଗୀତାକୁ ସତ୍‌ ପାତ୍ରରେ ଦେବାର ଆଶା ପୂର୍ଣ୍ଣହେବ ଖୁଡ଼ୀ, ଭଗବାନ ଅନ୍ଧ ନୁହନ୍ତି । ମନ ଘେନି ସେ ଫଳ ଦିଅନ୍ତି । ବଡ଼ ଖେଳୁଆଡ଼ ସେ, ଯାହାକୁ ସେ ବେଶି ଭଲ ପାଆନ୍ତି ତାଆରି ସଙ୍ଗେ ଟିକେ ଖେଳ ଲଗାନ୍ତି । ଗୀତା ପବିତ୍ର, ତାଙ୍କ ସ୍ନେହର ଝିଅ । ମୁଁ ଆସେଁ ।

 

ସେ ଚାଲିଗଲେ ।

 

(୮୦)

 

ପୁରୋହିତ ମୋର ଥରିଲା ହାତଟି ଅପରିଚିତ ମାଧବବାବୁଙ୍କର ହାତ ଉପରେ ରଖିଲେ-। ଦେହରେ ଅଜଣା ସ୍ପନ୍ଦନ ଖେଳିଗଲା । ମନର କେଉଁ ଅନ୍ଧାରି କୋଣରେ ବାହୁନି ଉଠିଲା ଅଜଣା ଦେବତା । ଆଶାର ଦରମଲା ଆଲୁଅ ଥରି ଉଠିଲା । ଦୁର୍ବଳ ସ୍ମୃତି ସୁଦୂର ଧବଳେଶ୍ୱର ପଠାର ଅରମା ଭିତରକୁ ଛୁଟିଗଲା, ଯେଉଁଠି ପ୍ରବୋଧବାବୁ ମୋର ରକ୍ତବୋଳା ପାଦଟିକୁ ହାତ ପାପୁଲି ଉପରେ ରଖିଥିଲେ ।

 

ଲିଭିଗଲା ପୁରଣା ଆଶାର କ୍ଷୀଣ ଆଲୁଅ ଚିରଦିନ ଲାଗି । ମନ ଗହନର ଅନ୍ଧାର ଭିତରେ କେତେଦିନର ବଡ଼ଛୋଟ କେତେ ସ୍ମୃତି ହଜାଇ ଦେଲେ ସତ୍ତା । ସେହି ଅସୀମ ଅନ୍ଧାରର ଗୋଟିଏ କୋଣରେ ଉଜଳି ଉଠିଲା ନୂଆ ତାରାଟିଏ, ଜୀବନର ଧ୍ରୁବତାରା, ଯାହାରି ଆଡ଼କୁ ଚିରଦିନ ମତେ ଚାହିଁ ରହିବାକୁ ହେବ ଏକ ଆଖିରେ, ଯାହାର ପାଦତଳେ ଦେହ, ମନ ଓ ଜୀବନ ନିଃଶେଷ କରି ଅଜାଡ଼ି ଦେବି ।

 

ସେହି ମୋର ସ୍ୱାମୀ, ସେହି ମୋର ଦେବତା ।

 

ଲୁହର ବାଦଲ ଭିତରେ ଆଗକୁ ଚାହିଁଲି । ବେଦି ବାଉଁଶକୁ ଆଉଜି ଠିଆ ହୋଇଚନ୍ତି ଦାମଭାଇ । ଝାଉଁଳା ମୁହଁର ମଉଳା ଆଖିରେ ଢ଼ଳଢ଼ଳ ଲୁହ ।

 

ମହନି ଜେଠା କନ୍ୟାଦାନ କରୁଛନ୍ତି ।

 

(୮୧)

 

ଦିନ ଦି ଘଡ଼ିକି ବିଦାବିଦି ।

ଗାଁ ମାଇପେ ଚାରିପାଖେ ଘେରି ବସିଛନ୍ତି । ଏତେଦିନର ମାୟାମମତା କାଟି ପରଘରକୁ ଯିବାକୁ ହେବ । ଭାବିଲାବେଳକୁ ଛାତି କରତି ହୋଇଯାଉଛି । ଯେଉଁ ଅପରିଚିତଙ୍କର ହାତ ଧରି ସଂସାର କରିବାକୁ ଯାଉଛି ସେଇ ମୋର ଜୀବନ ସର୍ବସ୍ୱ । ସ୍ରୋତରଫୁଲ ପରି ସମୟର ଢେଉରେ ଭାସି ଭାସି ଯେଉଁ କୂଳରେ ଲାଗିଛି ସେଇଠି ମୋର ସ୍ଥାନ । ସେଇ ମୋର ସଂସାର । ମୋର ଶାଶୁ, ଶ୍ୱଶୁର, ସ୍ୱାମୀ, ଦେବର, ନଣନ୍ଦ ଓ ସେମାନଙ୍କର ଜ୍ଞାତି କୁଟୁମ୍ବ, ବନ୍ଧୁବାନ୍ଧବ, ଗ୍ରାମବାସୀମାନେ କଅଣ କହିବେ, କିପରି ମୋତେ ଗ୍ରହଣ କରିବେ, ସେତିକି ମୋର ଭାବନା । କିପରି ସେମାନଙ୍କର ସେବା କରି ପାରିବି, ସେମାନଙ୍କୁ ସନ୍ତୁଷ୍ଟ କରି ପାରିବି ସେଇ ଶକ୍ତି ମନରେ ଦେବାକୁ ଭଗବାନଙ୍କ ନିକଟରେ ମୋର ଗୁହାରି ।

ବୋଉକୁ ବେଢ଼ି ଗାଁ ମାଇପେ ମନରେ ଈର୍ଷା, ତୁଣ୍ଡରେ ପ୍ରଶଂସା କରି କହୁଛନ୍ତି, କପାଳ ଲୋ ଗୀତା ବୋଉ, ରଜାପୁଅ ପରି ରୂପ ଜୋଇଁର, ବଡ଼ଘର, ଜୋଇଁ କେତେ ପାଠ ପଢ଼ି ହାକିମ ହୋଇଛି, ଗୀତାଟି ସୁଖରେ ରହିବ ।

ବଡ଼ମା ମୋର ମୁଣ୍ଡ ଆଉଁସି ଦେଲେ । ଆଖିରୁ ଝରି ପଡ଼ିଛି ଲୁହ । କହିଲେ, ପାଞ୍ଚ ଝିଅ ମୁଁ ଜନମ କରି ନ ଥିଲି ତ, ଛଅ ଝିଅ । ଗୀତାଟି ମୋର କୋଡ଼ପୋଛା । ବେକ ନଙ୍ଗଳା କରି ଶାଶୁ ଆଗରେ ସେ ଠିଆ ହେଲେ ମୋର ନାମ ନିନ୍ଦା ହେବ ।

ବଡ଼ ମା ତାଙ୍କ ବେକରୁ ପ୍ରଜାପତିଆ ହାରଟି କାଢ଼ିମୋ ବେକରେ ଝୁଲାଇ ଦେଲେ ।

ବିମଳା ଭାଇଙ୍କ ସ୍ତ୍ରୀ ନୂଆ ଗଢ଼ାଇ ଥିବା କାନପାସା ଦିଓଟି ମୋ କାନରେ ଝୁଲାଇ କାନ୍ଦି କାନ୍ଦି କହିଲେ, ମୋ ଗୀତା ପରି ସର୍ବସହଣୀ ନଣନ୍ଦଟିଏ ମୁଁ ଆଉ ପାଇବି ନାହିଁ ଲୋ, କାହା ସଙ୍ଗେ ପୁଣି ଗେଲ ଲଗାଇବି ?

ହାତରୁ ଦି ଦିପଟି ସୁନା କାଚ ଆଣି ମୋ ହାତରେ ପିନ୍ଧାଇ ଦେଲେ ଭାଉଜ । ଆଖି ଛଳ ଛଳ କରି କହିଲେ, ସୁନାର ଦେହ, ସୁନାର ମନ ନେଇ ମୋ ନଣନ୍ଦ ଗୀତାର ଜନମ, ଅଳଙ୍କାର ଖାଲି ବାହାର ଦେଖାଣ ଚିଜ !

ଗାଁ ମାଇପେମୋର ହାତ ଦିଓଟି ଟାଣି ଆଙ୍ଗୁଠି ଗୁଡ଼ିକରେ ସୁନା ମୁଦିମାନ ପିନ୍ଧାଇ ଦେଲେ । ଚାହିଁ ରହିଥାଏ ବୋଉ ମୁହଁକୁ । ତା ଆଖିରେ ଲୁହ ନାହିଁ । ତୃପ୍ତିରେ ଉଜ୍ଜ୍ୱଳ ଦିଶୁଛି ମୁହଁ ।

ଆଉ ଗୋଟିଏ ମୁହଁ ଦେଖିବାକୁ ମୋର ମନ ବିକଳ ହେଲା । ପ୍ରାଣ ଛଟପଟ ହେଲା । ବଞ୍ଚିଥିବା ଯାଏ ଦେଖି ପାରିବି ନାହିଁ ତାଙ୍କର ସେ ହସିଲା ମୁହଁ । ପ୍ରାଣରୁ ବଳି ଭଲ ପାଉଥିଲେ । ଶେଷ ବେଳରେ ମୁହଁରେ ଟିକେ ପାଣି ଦେଇ ପାରିଲି ନାହିଁ ।

ଆତ୍ମା ବିଳପି ଉଠିଲା, ବାପା, ବାପା–

ଛାତି ପଥର କଲି, ଥରିଲା ଓଠ ଚାପି ଧରିଲି । ଶବଦଟି ତୁଣ୍ଡରୁ ଖସିଲେ ବୋଉ ମୋର ଭାଙ୍ଗି ପଡ଼ିବ ।

ମନର କୋହକୁ ଅଟକାଇ ପାରିଲି ସିନା ଆଖିର ଲୁହ ତ ଅଟକାଇ ପାରିଲି ନାହିଁ ।

 

(୮୨)

 

ଅମର ଭାଇ ଓ ତାଙ୍କ ପଛରେ ଦୁଇଜଣ ଅପରିଚିତା ସ୍ତ୍ରୀ ଲୋକ ମୋ ଥିବା ଘରେ ପଶିଲେ ।

 

ଅମୁଭାଇ ବୋଉକୁ ଓଳଗି ହେଲେ । କହିଲେ, ପ୍ରବୋଧବାବୁଙ୍କ ବୋଉ ଆସିଛନ୍ତି ଅପା, ୟେ ହେଉଛନ୍ତି ତାଙ୍କ ଖୁଡ଼ୀ । ପ୍ରବୋଧବାବୁ ଦାଣ୍ଡରେ କାର୍‌ରେ ବସିଛନ୍ତି । ଭଡ଼ାଗାଡ଼ିଟା, ଡ଼୍ରାଇଭର ବ୍ୟସ୍ତ ହେଉଛି । ଯେଉଁ କଦର୍ଯ୍ୟ ରାସ୍ତା ! ମୁଁ ମନା କରୁଥିଲି, ପ୍ରବୋଧବାବୁ ତମକୁ ଦେଖିବାକୁ ଆସିବେ ବୋଲିଜିଗର ଧରିଲେ ।

 

ବୋଉ ଉଠି ପ୍ରବୋଧ ବାବୁଙ୍କ ମାଆଙ୍କର ହାତ ଧରିଲା । ତାଙ୍କର ଗମ୍ଭୀର ସଜଳ ମୁହଁକୁ ଚାହିଁ ମୁଁ ମୁଣ୍ଡ ନୋଇଁଲି ।

 

ସେ ମୋ ପାଖରେ ବସିଲେ । ମୋର ଚିବୁକରେ ହାତ ଦେଇ ଗେହ୍ଲେଇ କହିଲେ, ତୋର ମାଉସୀଶାଶୁ ମ ମୁଁ, ମାଧବ ପରା ମୋର ଅପାଙ୍କର ବଡ଼ ପୁଅ । ପ୍ରବୋଧଠାରୁ ସାତମାସ ବଡ଼ ।

 

ନିଜ ବେକରୁ ପଥର ବସା ଓଜନିଆଁ ସୁନା ହାରଟିଏ କାଢ଼ି ମୋ ବେକରେ ଲମ୍ୱାଇ ଦେଲେ । ମୋ ମୁହଁଟିକୁ ଟେକି ଦେଖିଲେ, ମୁଁ ଆଖି ବୁଝିଥାଏଁ । କହିଲେ, ଦେଖଲୋ ମୋର ବଡ଼ବୋହୂର ମୁହଁ, ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀଙ୍କ ମୁହଁ ପରି ଦିଶୁନାହିଁ କି ?

 

ବୁଝିଲି, ସେ ତାଙ୍କ ଜା’ଙ୍କୁ ଶୁଣାଇଁ କହୁଥିଲେ ।

ଅମୁଭାଇ କହିଲେ, ପ୍ରେବୋଧ ବାବୁ ଏକା ବସିଛନ୍ତି, ମୁଁ ଯାଉଛି ।

 

ରେଣୁ ଧାଇଁଆସି କହିଲା, କଟକରୁ କିଏ ଗାଡ଼ିରେ ଆସିଛନ୍ତି ଯେ ଆମ ନୂଆ ଜୋଇଁଙ୍କ ହାତ ଧରି ଦାମଭାଇଙ୍କ ସଙ୍ଗେ ଗାଁ ବୁଲିବାକୁ ଗଲେଣି ।

 

ଗୋଡ଼ରବୁଢ଼ା ଆଙ୍ଗୁଠିକୁ ଚାହିଁଲେ । କ୍ଷତ କେବେଠୁଁ ଭଲ ହୋଇ ଗଲାଣି । ଦାଗଟା ଏକାଥରେ ଲୁଚି ନାହିଁ ।

 

କଟକ

୧୯୪୦

Image